Unknown

 

 

 

 

 

 

 

 

ଦୁଇସେର ଧାନ

ଶ୍ରୀ ତକଷୀ ଶିବଶଙ୍କର ପିଲାଇ

ଅନୁବାଦ

ଲବଙ୍ଗଲତା ଦେବୀ, ବିଦୁଷୀ

 

ଦୁଇପଦ

 

ମାଲୟାଲମ ଭାଷାରେ ଲଖିତ ଏହି ଉପନ୍ୟାସର ଅନୁବାଦ ହିନ୍ଦୀରେ ହୋଇ ମୁଦ୍ରିତ ହୋଇଛି । ଅନୁବାଦିକାଙ୍କର ନାମ ଶ୍ରୀମତୀ ଭାରତୀ ବିଦ୍ୟାର୍ଥୀ । ହିନ୍ଦୀ ଅନୁବାଦରେ ବ୍ୟବହୃତ ମାଲୟାଲମ ଶବ୍ଦଗୁଡିକ ଅବିକୃତ ଭାବରେ ଓଡ଼ିଆରେ ବ୍ୟବହୃତ ହୋଇଛି । ତେଣୁ ଅନୁବାଦିକାଙ୍କର ଲେଖା 'ଦୁଇଶବ୍ଦ' ମଧ୍ୟ ଏହି ଅନୁବାଦରେ ଗୃହୀତ ହୋଇଛି ।

 

ଉପନ୍ୟାସର ବର୍ଣ୍ଣିତ ଅଞ୍ଚଳ ଆଧୁନିକ କେରଳ ରାଜ୍ୟ ଯହିଁରେ ପ୍ରାଚୀନ ନ୍ତ୍ରିବାଙ୍କୁଡ଼ (Travancore) ଦେଶୀୟ ରାଜ୍ୟ ମିଶ୍ରିତ ହୋଇଛି । ଇଂରାଜୀ Travancore ଶବ୍ଦର ମାଲୟାଲମ ପ୍ରତିଶବ୍ଦ ହେଉଛି ତିରୁବାବୁଙ୍କର ବା ତିରୁବାତାଙ୍କୁର ।

 

କଟକ

ଲବଙ୍ଗଲତା ଦେବୀ ବର୍ମା

Image

 

ଦୁଇଶବ୍ଦ

 

ଏ ପୁସ୍ତକଟି ମାଲୟାଲମ ଭାଷାର 'ରଂଟି ଟଂଡଷୀ' (ଦୁଇସେର ଧାନ) ନାମକ ପୁସ୍ତକର ଅନୁବାଦ । ଏ ପୁସ୍ତକ ଶୋଷିତ ଶ୍ରମଜୀବୀମାନଙ୍କର ସଂଘର୍ଷମୟ କ୍ଲିଷ୍ଟ ଜୀବନର ଦର୍ପଣ । ସମୟର ଗତି ସଙ୍ଗେ ସଙ୍ଗେ ଜୀବନ ଓ ସମାଜର ସବୁ କ୍ଷେତ୍ରରେ ପରିବର୍ତ୍ତନ ହୋଇଥାଏ, କିନ୍ତୁ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜୀବୀମାନଙ୍କ ଅବସ୍ଥାର ଏ ପର୍ଯ୍ୟନ୍ତ ପରିବର୍ତ୍ତନ ହେଲା ନାହିଁ । ସେମାନଙ୍କ ମଜୁରି ଯେଉଁ ଦୁଇସେର ସେହି ଦୁଇସେରରେ ହିଁ ରହିଗଲା । ଏହି ପୁସ୍ତକରେ ମଜୁରୀରେ ଦୁଇସେର ଧାନ ପାଉଥିବା ମଜୁରିଆମାନଙ୍କ ଭୌତିକ ଓ ନୈତିକ ଜୀବନର ରୋମାଞ୍ଚକର ଚିତ୍ର ଦିଆଯାଇଛି । ଏହି ପୁସ୍ତକଟି ମାଲୟାଲମର ପ୍ରଗତିଶୀଳ ସାହିତ୍ୟର ଏକ ଉତ୍କୃଷ୍ଟ ରଚନା । ଏ ପୁସ୍ତକର ଲେଖକ ହେଉଛନ୍ତି କେରଳର ଲୋକପ୍ରିୟ କଥାକାର ଶ୍ରୀ ତକଷୀ ଶିବଶଙ୍କର ପିଲାଇ ।

 

ତିରୁବତାଙ୍କୁର ମଧ୍ୟଭାଗର ନାମ କୁଟ୍ଟନାଡ଼ । ଏହି କୁଟ୍ଟନାଡ଼ର ପୃଷ୍ଠଭୂମି ଉପରେ ‘ଦୁଇସେର ଧାନ’ କାହାଣୀର ବିକାଶ ହେଲା । କୁଟ୍ଟନାଡ଼ ଓ ବେମ୍ପନାଡ଼ ଝିଲର ଯେଉଁଠାରେ ଫମ୍ପାନଦୀ ଆସି ପଡ଼ିଛି, ସେହିଠାରେ ଏକଶତ ବର୍ଗମାଇଲ ବିସ୍ତୃତ ଏକ ଜଳ ଓ ଦଳପୂର୍ଣ୍ଣ ଭୂଭାଗ ଅଛି । ଦକ୍ଷିଣ-ଭାରତରେ ଏ ଅଞ୍ଚଳକୁ ଧାନର-ଭଣ୍ଡାର ବୋଲି କୁହାଯାଇଥାଏ । ଲୋକମାନେ ନିଜେ ଶରୀର-ଶ୍ରମଦ୍ୱାରା ହ୍ରଦର ଏହି ଅଂଶକୁ ମାଟି ଓ ବାଲି ପକାଇ ପାଣିରୁ ଉଚ୍ଚ କରି ଏହାକୁ ବସବାସଯୋଗ୍ୟ କରନ୍ତି । ଗୋଟିଏ ଗୋଟିଏ ଘେରବନ୍ଦୀ ଜମି ଖଣ୍ଡିଏ ଖଣ୍ଡିଏ ଟାପୁପରି ଜଣାଯାଏ । ତା’ର ଚତୁଃପାର୍ଶ୍ୱ ଜଳପୂର୍ଣ୍ଣ ହୋଇଥାଏ ଏବଂ ଲୋକମାନେ କ୍ଷୁଦ୍ର କ୍ଷୁଦ୍ର ନୌକାଦ୍ୱାରା ପରସ୍ପର ସହିତ ସମ୍ପର୍କ ରଖନ୍ତି ।

 

ଏହି ଭୂଭାଗରେ କୃଷିକାର୍ଯ୍ୟ ବଡ଼ କଷ୍ଟସାଧ୍ୟ । ଏଠାରେ ମାର୍ଗଶିର ମାସଠାରୁ ଚୈତ୍ରମାସ ପର୍ଯ୍ୟନ୍ତ କୃଷିକାର୍ଯ୍ୟ ହୋଇଥାଏ । ବର୍ଷାଋତୁ ଅନ୍ତେ ଆଠ ଦଶ ବର୍ଗମାଇଲ ବ୍ୟାପୀ ଗୋଟିଏ ଗୋଟିଏ ଚକଡ଼ାରେ ଅନେକ ଫୁଟ ପର୍ଯ୍ୟନ୍ତ ପାଣି ପୂର୍ଣ୍ଣ ହୋଇ ରହିଥାଏ । ଏଥି ମଧ୍ୟରୁ ଶହେ ଦୁଇଶହ ଏକରର ଖଣ୍ଡିଏ ଖଣ୍ଡିଏ ଜମିକୁ ଗୋଟିଏ ଗୋଟିଏ ଖଣ୍ଡରେ ବିଭକ୍ତ କରି ତା’ ଚତୁଃପାର୍ଶ୍ୱରେ ବନ୍ଧ ବାନ୍ଧି ଦିଅନ୍ତି । ଏ ବନ୍ଧ ଦୁଇ ତିନିଫୁଟ ଓସାର ହୋଇଥାଏ । ଏହା ଏପରି ଭାବରେ ଭାଗ କରାଯାଇଥାଏ ଯେ ଦୁଇଖଣ୍ଡି ଜମି ମଝିରେ ଗୋଟିଏ ଲେଖାଏଁ ପାଣିମାହାରା ହୋଇଥାଏ । ଧାନ ବୁଣା ହେବା ପୂର୍ବରୁ କିଆରିମାନଙ୍କରୁ ଜଳ ନିଷ୍କାସନ କରି ପାଣି ମାହାରାମାନଙ୍କରେ ପୂର୍ଣ୍ଣ କରିଦିଆଯାଏ । ଏହି ଜଳ ନିଷ୍କାସନ ନିମନ୍ତେ ଚକ (ଚକ୍ର) ବା ବିଦ୍ୟୁତଚାଳିତ ଇଞ୍ଜିନର ସହାଯ୍ୟ ନିଆ ଯାଇଥାଏ । ଏହିପରି କ୍ଷେତକୁ 'ପୁଞ୍ଚାକ୍ଷେତ' କୁହାଯାଏ ।

 

କେରଳର ପରୟା ଏବଂ ପୁଲୟା ନାମକ ଜାତିର ସ୍ତ୍ରୀ-ପୁରୁଷ ଏହି ସବୁ କ୍ଷେତରେ କାର୍ଯ୍ୟ କରନ୍ତି । ଏହା ସେମାନଙ୍କ ପେଶା । ସମାଜ ଏମାନଙ୍କୁ ଅଛୁଆଁ ବୋଲି ମନେକରେ । ଏହି କ୍ଷେତରେ ମାଲିକଙ୍କୁ ଜମିଦାର ଓ କୃଷକ କୁହାଯାଏ । ଏମାନେ ସ୍ୱୟଂ କ୍ଷେତରେ କାର୍ଯ୍ୟ କରନ୍ତି ନାହିଁ । ପରୟା ଓ ପୁଲୟା ମଜୁରିଆମାନେ ଏମାନଙ୍କୁ ତମ୍ପୁରାନ (ମାଲିକ) କହି ସମ୍ବୋଧନ କରନ୍ତି-

 

ପୁରାତନ ପଦ୍ଧତି ଅନୁସାରେ ପ୍ରତ୍ୟେକ ପରୟା ଏବଂ ପୁଲୟା ପରିବାର ଜଣେ ଜଣେ ବଡ଼ କୃଷକ ବା ଜମିଦାରଙ୍କ ଚୁକ୍ତିବଦ୍ଧ ମଜୁରିଆ ହୋଇ ଥାଆନ୍ତି । ସେମାନେ ପ୍ରତ୍ୟେକେ କୃଷକ ଓ ଜମିଦାରଙ୍କ ଚାକର ହେବାରେ ଗୌରଵାନ୍ଵିତ ମନେକରନ୍ତି । ପୂର୍ବେ ମାଲିକମାନେ ନିଜର ଚାକରମାନଙ୍କ ପ୍ରତି ସୁଦୃଷ୍ଟି ରଖୁଥିଲେ ଓ ସେମାନଙ୍କ ସୁଖ ଦୁଃଖରେ ଭାଗିଦାର ହେଉଥିଲେ । ପୁରାତନ ସମ୍ବନ୍ଧ ଆଜି ରହିଲା ନାହିଁ । ଆଜି ଦୈନିକ ମଜୁରି ନେଇ କାମ କରିବା ପ୍ରଥା ପ୍ରଚଳିତ ହୋଇଛି । ଆଜି ଯଦି ସେମାନଙ୍କର ବାହାଚୁଡ଼ା ପାଇଁ ଧାନ ଓ ଟଙ୍କା ପଇସା ଆବଶ୍ୟକ ହୁଏ ତେବେ ତାଙ୍କୁ କୌଣସି କୃଷକ ବା ଜମିଦାରର କ୍ଷେତରେ ଏକବର୍ଷ ପାଇଁ କାର୍ଯ୍ୟ କରିବା ନିମନ୍ତେ ଚୁକ୍ତିବଦ୍ଧ ହୋଇ ରହିବାକୁ ହୁଏ । ଏହି ଚୁକ୍ତିବଦ୍ଧ କାର୍ଯ୍ୟକୁ ‘ଓଣପ୍-ପଣୀ' କହନ୍ତି ଏବଂ କାର୍ଯ୍ୟ କରିବା ଲୋକଙ୍କୁ’ ଓଣପ୍-ପଣୀକାର କୁହାଯାଇଥାଏ ।

 

ଏହିପରି ମଜୁରିଆମାନଙ୍କୁ ପ୍ରତିଦିନର ପରିଶ୍ରମ ପାଇଁ ଦୁଇସେର ଧାନ ମଜୁରି ଦେବା ପ୍ରଥା ଥିଲା । କୁଶଳୀ କଥାକାର ପରୟା–ପୁଲୟାମାନଙ୍କ ଜୀବନର ଖୁବ୍ ନିକଟବର୍ତ୍ତୀ ହୋଇ ସେମାନଙ୍କ ଦୈନନ୍ଦିନ ଘଟଣା ନିରୀକ୍ଷଣ କରି ନିଜର ଅନୁଭୂତିକୁ ନୈପୁଣ୍ୟ ସହକାରେ ଏବଂ ହୃଦୟସ୍ପର୍ଶୀ ଭାବରେ ପ୍ରକାଶ କରି ପାରିଛନ୍ତି ।

 

ଏ କାହାଣୀକୁ ବିଶିଷ୍ଟ ବାତାବରଣର ଏକ ସ୍ପଷ୍ଟ ମର୍ଯ୍ୟାଦା ଦେବା ଉଦ୍ଦେଶ୍ୟରେ ମୂଳ ମାଲୟାଲମ ଗ୍ରନ୍ଥରେ ଥିବା ପାତ୍ର ଏବଂ ସ୍ଥାନ ପ୍ରଭୃତିର ଯେଉଁ ନାମ ରହିଛି ତା’ ହିନ୍ଦୀ ଅନୁବାଦ ଗ୍ରନ୍ଥରେ ମଧ୍ୟ ବ୍ୟବହାର କରାଯାଇଛି । ନିମ୍ନଲିଖିତ ମାଲୟାଲମ ଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି–

 

ପୁଂଚା–କ୍ଷେତ (ପାଣିରୁ ବାହାରିଥିବା କ୍ଷେତ), ଓଣପ୍-ପଣୀ (ଚୁକ୍ତିବଦ୍ଧ କାର୍ଯ୍ୟ), ଓଣପ୍-ପଣୀକାର (ଚୁକ୍ତିବଦ୍ଧ ଶ୍ରମିକ) ତମ୍ପୁରାନ (ଜମିମାଲିକ) ଏବଂ ଅର୍ଚ୍ଚନ ବା ଅର୍ଚ୍ଚା (ପିତା ବା ବଡ଼ଭାଇ) ।

 

ମାଲୟାଲମ ଭାଷାର ବର୍ଣ୍ଣମାଳା ସଂସ୍କୃତ ଓ ହିନ୍ଦୀପରି । କିନ୍ତୁ ଏ ଭାଷାର କେତେକ ବିଶିଷ୍ଟ ଧ୍ୱନି ପାଇଁ ସ୍ୱତନ୍ତ୍ର ଅକ୍ଷର ଅଛି । ଏ ଭାଷାରେ ଗୋଟିଏ '୫' ଅଛି, ହିନ୍ଦୀ ଭାଷାର 'ଡ' ସଦୃଶ ଏକ ଧ୍ୱନି ଉଚ୍ଚାରିତ ହେବା ଅକ୍ଷର । ଏହାର ଶୁଦ୍ଧ ଉଚ୍ଚାରଣ–ଜିହ୍ୱାକୁ ତାଳୁକାକୁ ନେଇ ଯେଉଁଠାରୁ 'ଷ' ଅକ୍ଷର ଉଚ୍ଚାରଣ କରାଯାଏ, ସେଠାରୁ 'ର' ଅକ୍ଷର ଉଚ୍ଚାରଣ କଲେ ମିଳିଥାଏ । ଇଂରାଜୀରେ ଏ ଅକ୍ଷର ପାଇଁ 'Zha' ଲେଖିବାର ପ୍ରଥା ଅଛି ଏବଂ ହିନ୍ଦୀରେ 'ଷ' ଲେଖି ତଳେ ବିନ୍ଦୁ ଦେଇ (ଷ) କାର୍ଯ୍ୟ ଚଳାଯାଇଥାଏ । ମୂଳ ପୁସ୍ତକ ନାମ 'ରଂଟି ଟଂଡ଼ଷୀ' । ସେହିପରି ଲେଖକଙ୍କ ନାମ ସଙ୍ଗରେ ଯେଉଁ 'ତକଷୀ' ଶବ୍ଦ ଅଛି, ତାର ଉଚ୍ଚାରଣ ମଧ୍ୟ ସେହିପରି ।

 

ଏମ୍. ଜେ. ଟ୍ରେନିଂ ସ୍କୁଲ

 

ଲକ୍ଷ୍ମୀସରାଇ, ମୁଙ୍ଗେର (ବିହାର)

ଭାରତୀ ବିଦ୍ୟାର୍ଥୀ

Image

 

ଏକ

 

ସେ ଦିନ ଏଟ୍ଟିଲ ଘରକୁ ଝିଅ ଦେଖିବାପାଇଁ ପୁଣି ଲୋକ ଆସିଲା । ସେ ଏ ମାସର ଚତୁର୍ଥ ଲୋକ । ଏଥର ଲୋକର ଘର ନିଲଂପେରୁରେ ।

 

ପ୍ରଥମ, ଲୋକଟି ଝିଅ–ବାପର ଦାବି ଅନୁସାରେ ଧାନ ଓ ଟଙ୍କା ପଣ ଦେବାକୁ ରାଜି ଥିଲା; କିନ୍ତୁ ଝିଅ ସେ ପୁଅକୁ ପସନ୍ଦ କଲା ନାହିଁ ।

 

ଏହା ପରେ ଆସିଥିବା ଲୋକେ ରାଗିକରି ଚାଲିଗଲେ, କାରଣ ଟଙ୍କା ଓ ଧାନ ଦାବି କନ୍ୟା–ବାପର ପ୍ରଚଳିତ ପଣପ୍ରଥାଠାରୁ ଖୁବ୍ ଅଧିକ ଥିଲା । ଏଇଥିପାଇଁ ଦୁଇ ପକ୍ଷ ମଧ୍ୟରେ କଳିଗୋଳ ହୋଇଗଲା । ପୁଅ–ବାପ କହିଲା ପୁଅ ପଛେ ଅଭିଆଡ଼ା ରହିବ ତା’ ସହି; କିନ୍ତୁ ଏ କନ୍ୟା ସଙ୍ଗରେ ତା’କୁ ବିଭା ଦେବ ନାହିଁ । ଯେତେବେଳେ ଏ କଥା ଝିଅ–ବାପର କାନକୁ ଗଲା ସେ ପୁଅ–ବାପକୁ ଗାଳିଗୁଲଜ ଦେଲା ।

 

ତୃତୀୟ ଲୋକଟି ଫେରିଯିବାର କାରଣ ହେଲା, ଝିଅ–ବାପର ଦାବି ପୂରଣ କରିବାର ସାମର୍ଥ୍ୟ ତା’ର ନଥିଲା । ତା’ପରେ ଚତୁର୍ଥ ଲୋକ ଆସିଲା ।

 

ଚିରୁତା ପାଇଁ ଲୋକ ଏପରି ଦୌଡ଼ାଦୌଡ଼ି କରିବାରେ କିଛି ଆଶ୍ଚର୍ଯ୍ୟ କଥା ନଥିଲା । ଦେଖିବାକୁ ସେ ସୁନ୍ଦର ଓ ଡଉଲଡାଉଲ ଏବଂ ସ୍ୱାସ୍ଥ୍ୟବତୀ ଥିଲା; କାମଧନ୍ଦା ମଧ୍ୟ ସେ ଭଲ କରିପାରୁଥିଲା ।

 

ଚଷିବା, ବୁଣିବା ଓ କଟାକଟି ଇତ୍ୟାଦି ଚାଷବାସର ଯା' କିଛି କାମ ହେଉ, ଏଥିରେ ଅନ୍ୟ କେହି ଝିଅ ତା’ ପରି କରିପାରନ୍ତି ନାହିଁ । ଧାନକଟା ସମୟରେ ଯେବେ ସେ ଦା' ଧରି ସକାଳୁ କ୍ଷେତକୁ ଯାଏ ଧାନ କାଟିକୁଟି ଗଦା କରିଦିଏ ଓ ସନ୍ଧ୍ୟାକୁ ଯାଇ ଦମ୍ ନିଏ ।

 

୧. ଏଟ୍ଟିଲ–ଘର ବା ପରିବାରର ନାମ ।

 

୨. ଚିରୁତା–ଚିରୁତେଇ (ଶ୍ରୀ–ଦେବୀ) ।

 

କେବଳ କ୍ଷେତକାମରେ ନୁହେଁ, ଘରକାମରେ ମଧ୍ୟ ସେ ପାରିଲାର ଥିଲା । ଅତଏବ ଏଥିରୁ ଜଣାଯାଉଥିଲା ଯେ ସେ ଯାହାକୁ ବିଭା ହେଉନା କାହିଁକି କେଭେଁ ତା’ ଘରେ ଭୋକରେ ମରିବା ଅବସ୍ଥା ଆସିବ ନାହିଁ ।

 

ଚିରୁତା ପାଇଁ ଯେତେବେଳେ ଜଣେ ପରେ ଜଣେ ଯୁବକ ଆସିଲେ, ସେତେବେଳେ ତା’ ବାପ ଜାଣିପାରିଲା ତା’ ଝିଅକୁ ଅନେକ ଚାହୁଁଛନ୍ତି, ଏଥିପାଇଁ ସେ ଯେତେ ଦାବି କରିବ, ପାଇପାରିବ । ସେଥିପାଇଁ ତା’ର ଦାବି ମଧ୍ୟ ବଢ଼ି ଚାଲିଲା ।

 

ଆଉ ଗୋଟିଏ କଥା ଥିଲା–ଝିଅ ବାହା ହୋଇ ଚାଲିଗଲେ ଘରର ଅବସ୍ଥା ଖରାପ ହୋଇଯିବ ଭାବି କାଲି ପରୟନ (ଝିଅର ବାପ) ଝିଅ ବିବାହ ଟାଳଟୁଳ କରିବାକୁ ଲାଗିଲା । କୁଞ୍ଜାଲୀ (ଝିଅର ମା)କୁ ଏ କଥା ଭାରି ଖରାପ ଲାଗିଲା । ସେ ଭାବିଲା ଯିଏ ଆସୁଛି ବୁଢ଼ା ତାକୁ ଫେରାଇ ଦେଉଛି । ପ୍ରତିଥର ସେ ଭାବୁଥିଲା ଏଥର ବିବାହ ହୋଇଯିବ; କିନ୍ତୁ ଏଥର ମଧ୍ୟ କଥାବାର୍ତ୍ତାର ଫଳ କିଛି ହେଲା ନାହିଁ ।

 

ନିଲଂପେରୁର ଲୋକ ରାଗିକରି ଚାଲିଯିବାରୁ କୁଞ୍ଜାଲୀର ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା । ସେ କହିଲା–“ଏ କିମିତି କଥା, ଯିଏ ଆସିଲା ତାକୁ ଫେରାଇ ଦେଉଛ ! ତମର ଇଚ୍ଛା କଣ ଝିଅ ଏହିପରି ଅଭିଆଡ଼ି ହୋଇ ବସିଥିବ ?’’

 

କାଲି ଘରର ମୁରବି ଅଧିକାର ଜୋର୍‍ରେ କହିଲା–‘‘କଣ କରିବାକୁ ହେବ ମୋତେ ଜଣାଅଛି ।’’

 

କୁଞ୍ଜାଲୀ ରାଗିଯାଇ ପଚାରିଲା–‘‘କଣ ତୁମକୁ ଜଣାଅଛି ?’’

 

‘‘ଶୁଣ, ଝିଅପାଇଁ ପୁରା ଧାନ ଓ ଟଙ୍କା ପଣ ନ ପାଇଲେ ମୁଁ ଝିଅ କାହାକୁ ଦେବି ନାହିଁ । ଯେ ମୋର ଦାବି ପୂରଣ କରିବ ତା’ ସାଙ୍ଗରେ ଝିଅକୁ ବିଭା ଦେବି । ଏଥିରେ କାହାର କଣ କ୍ଷତି ହେବ ।’’

 

‘‘ମୋର ମଧ୍ୟ କିଛି କହିବାର ଅଛି–ଶୁଣିବ ? ଝିଅ ରୋଜଗାର କରି ଖୋଉଥିବ, ଏହି କଥା ଭାବି କଣ ବସିଯାଇଛ ନା କଣ ?’’

 

୧. ପରୟନ (ପରୟା)–ଏକ ଅଛୁଆଁ ଜାତି, ଯେଉଁମାନେ କ୍ଷେତରେ କାମ କରନ୍ତି । ବହୁବଚନରେ ପରୟର, ସ୍ତ୍ରୀଲିଙ୍ଗ–ପରୟୀ ।

 

୨. କୁଞ୍ଜାଲୀ–କୁଞ୍ଜୀକଲୀ (ସାନ କାଲୀ) ।

 

କାଲୀ ପରୟନ ସ୍ତ୍ରୀ–କଥା ଶୁଣି ବାହାରକୁ ଚାଲିଗଲା ଓ ସ୍ତ୍ରୀକୁ ମରିବା ପାଇଁ ଗୋଟାଏ ପୀଢ଼ା ଉଞ୍ଚାଇଲା । କୁଞ୍ଜାଲୀ ପଛକୁ ଘୁଞ୍ଚିଗଲା । ସେ ଦିନ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଖୁବ୍ କଳିଗୋଳ ହୋଇଗଲା ।

 

କାଲୀ ପରୟନ ଗୋଟିଏ ତାଳପତ୍ର ତିଆରି ଛୋଟ ଚାଙ୍ଗୁଡ଼ିରେ ଦୁଇସେର ଧାନ ନେଇ ବାହାରକୁ ଚାଲିଗଲା । କିଛି ସମୟ ପରେ ଫେରିଆସିଲା । ପୁଣି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳିଗୋଳ ବଢ଼ି ଉଠିଲା ।

 

‘‘ତୋରି ପରି ଚିମାନ୍ତରାର ପରୟ ସଭିଏଁ ଦୁଷ୍ଟ’’ ବୋଲି କାଲୀ କହିଲା । ନିଜ ବାପଘରର ନିନ୍ଦା ନୀରବରେ ସହିଯିବା କୁଞ୍ଜାଲୀ ପକ୍ଷରେ ଅସହ୍ୟ ହେଲା । ସେ କହିଲା, ‘‘ମଦଖଟିରୁ ଫେରିଆସି ଏପରି କଥାବାର୍ତ୍ତା କରିବ ତ.......’’

 

କଳିଗୋଳ ବଢ଼ି ଚାଲିଲା ।

 

ଚିତାରୁ ମଝିରେ ଆସି କହିଲା–‘‘ମା, ତୁ ଟିକେ ଚୁପ୍ ହୋଇ ଯା, ବାପା ଯା’ ଚାହୁଁଛନ୍ତି କହିବାକୁ ଦେ ।’’

 

ପୁଣି ସେ ଦୁହିଁଙ୍କୁ କହିଲା–‘‘ମୋ କଥା ପାଇଁ ତୁମ ଭିତରେ କଳି କଜିଆ କରନା ।’’

 

ପୂର୍ବପରି ପୁଣି ବିବାହ ପ୍ରସ୍ତାବ ଘେନି ଲୋକ ଆସିଲେ । ଯିଏ ଆସିଲା ସେ ହେଉଛି ‘ଇଟ୍ଟୁ କେଟ୍ଟୁ’ ଘରର ବେଲୁତ୍ତା ପୁଅ କୋରନ ।

 

୧ ଇଟ୍ଟୁ କେଟ୍ଟୁ–ଘରର ନାଁ

 

କୋରନ ତିନିଚାରି ଜଣଙ୍କ ସଙ୍ଗରେ ଆସିଥିଲା । କାଲୀ ପରୟନ କଥାବାର୍ତ୍ତା ନକରି ଜାଣିପାରିଲା ସେମାନେ କାହିଁକି ଆସିଛନ୍ତି । ସେ ସବୁଦିନ ପରି ଗମ୍ଭୀରଭାବରେ ବସିଲା । ସମସ୍ତେ କେତେ ସମୟ ପର୍ଯ୍ୟନ୍ତ କିଛି ନ କହି ଠିଆ ହୋଇ ରହିଲେ । ସମସ୍ତଙ୍କ ପଛରେ ଠିଆ ହୋଇଥାଏ କୋରନ, ତାର ଦୃଷ୍ଟି କୁଡ଼ିଆ ଘର ଭିତରକୁ ପଡ଼ିଲା । ସେ ଦେଖିଲା ଚିରୁତା ଚୂଲିମୁଣ୍ଡରୁ ଉଠିଆସି ଦୁଆରମୁହଁରେ ଠିଆ ହୋଇଯାଇଛି । କୋରନ ଦେଖିଲା ସେ ମୁରୁକି ମୁରୁକି ହସୁଛି ।

 

ଆଗନ୍ତୁକଙ୍କ ମଧ୍ୟରୁ ଜଣେ କହିଲା–‘‘ବାପା ଜାଣିନାହାନ୍ତି ?’’

 

‘‘ଓହୋ, ଜାଣିଛି, ଜାଣିଛି ।’’ ଗମ୍ଭୀର ଭାବରେ କାଲୀ କହିଲା ।

 

ଅନ୍ୟ ଜଣେ ପଚାରିଲା– ‘‘ମା କଣ ଏଠାରେ ନାହାନ୍ତି ?’’

 

‘‘ହୁଁ ।’’

 

‘‘ମା ଚିରୁତା ?’’

 

‘‘ହୁଁ !’’

 

କାଲୀ ଭାବିଲା, ଆଗନ୍ତୁକମାନଙ୍କର ଚର୍ଚ୍ଚା କରିବା ଆବଶ୍ୟକ । ସେ ଖଣ୍ଡେ ଦୁଇଖଣ୍ଡ ଆସନ ପକାଇଦେଇ କହିଲା–“ବସ, ବସ, ଠିଆହେଲ କାହିଁକି ?’’

 

କାଲୀ ଘର ଭିତରକୁ ଚାହିଁ ଡାକିଲା–“ଚିରୁତା !’’

 

‘‘କଣ ?’’

 

‘‘ପାନବଟୁଆଟା ଘେନିଆ ମା !’’ ଆଗନ୍ତୁକଙ୍କୁ ଚାହିଁ କହିଲା–“ଏ ସବୁଥିରେ ବେଶି ଖର୍ଚ୍ଚ ହେଇଯାଉଛି, ପ୍ରତିଦିନ ପାଞ୍ଚ ଛ’ ଜଣ ଝିଅକୁ ଦେଖିବା ପାଇଁ ଆସୁଛନ୍ତି । ଅନ୍ତତଃପକ୍ଷେ ସମସ୍ତଙ୍କୁ ପାନଖଣ୍ଡେ ଦେବାକୁ ତ ହେବ ?’’

 

ଆଗନ୍ତୁକମାନଙ୍କ ମଧ୍ୟରୁ ଜଣେ କହିଲା–‘‘ଆମ ପାଖରେ ଅଛି, ଆପଣ କଷ୍ଟ କରନ୍ତୁ ନାହିଁ ।’’

 

ଚିରୁତା ପାନବଟୁଆଟା ଘେନି ଆସିଲା । ସେ ସମୟରେ ତା' ମୁହଁ ଲାଜରେ ଲାଲ ହୋଇଯାଇଥିଲା ହଠାତ୍ ଚିରୁତା ଓ କୋରନର ଚାରି ଆଖି ଏକ ହୋଇଗଲା; କିନ୍ତୁ କାହାର ଦୃଷ୍ଟି ସେଆଡ଼କୁ ଗଲା ନାହିଁ ।

 

‘‘ଏ କିଏ ? ମଉସା ? ମୁଁ ଭାବିଥିଲି ଆଉ କିଏ ହେବ ।’’

 

ଏ କୁଶଳ ପ୍ରଶ୍ନର ଉତ୍ତର ମଉସା ବଦଳରେ କୋରନ ଦେଲା–‘‘ଆସିବା ସଙ୍ଗେ ସଙ୍ଗେ ମୁଁ ଦେଖିନେଇଛି । ମା' କାହାନ୍ତି ?’’

 

‘‘ମା ପନ୍ତଲି କୁଲ୍ ନମ ଘରକୁ ଯାଇଛି ।’’

 

କିଛି ସମୟ ପରେ ଚିରୁତା ପଚାରିଲା–‘‘ମଉସା, ଆପଣ ଏତେ ଦୁର୍ବଳ ଜଣାପଡ଼ୁଛନ୍ତି କାହିଁକି ?’’

 

‘‘ଏ ପରା ମହଙ୍ଗା ସମୟ ମା ?’’

 

ଚିରୁତା ଘର ଭିତରକୁ ଚାଲିଯିବାରୁ କାଲୀ ପରୟନ ଆଗନ୍ତୁକମାନଙ୍କ ସଙ୍ଗରେ କଥାବାର୍ତ୍ତା ଆରମ୍ଭ କଲା । ଯେତେବେଳେ କୋରନ ସଙ୍ଗରେ ଚିରୁତାର ବିବାହ ପ୍ରସଙ୍ଗ ପଡ଼ିଲା, ସେତେବେଳେ ସେ ଗମ୍ଭୀର ହୋଇଗଲା । କିଛି ସମୟ ପରେ କାଲୀ କହିଲା–“ମୁଁ କଥା କହିଲେ ତ କଳି କଜିଆ ହେଉଛି । କାହାରିକୁ ମୋ କଥା ସୁଖ ଲାଗୁନାହିଁ ।’’

 

‘‘କାହିଁକି ବାପା ?’’

 

‘‘କଥା ହେଉଛି, ପୂରାପୂରି ପଇସା ନ ଦେଲେ ମୁଁ କାହାରିକୁ ଝିଅ ବିଭା ଦେବି ନାହିଁ ।’’

 

ଜଣେ କହିଲା–“ଆମେ ମଧ୍ୟ ପଇସା ନ ଦେଇ ଝିଅ ନେବାକୁ ଆସିନାହୁଁ ।’’

 

‘‘ସେହି କଥା ମୁଁ ମଧ୍ୟ କହୁଛି । ଆଗ ସମୟ ପରି ଆଜିକାଲି ଝିଅ ମିଳୁନାହାଁନ୍ତି ।’’

 

‘‘ପଇସାପତ୍ର ନେବାର ଗୋଟିଏ ସୀମା ତ ଅଛି ?’’ ଜଣେ ଆଗନ୍ତୁକ କହିଲା ।

 

‘‘ଆପଣମାନେ କଣ ଏ ସୀମା ନିର୍ଣ୍ଣୟ କରିବାକୁ ଆସିଛନ୍ତି ?’’

 

ଏ କଥା ଶୁଣି କୋରନ ମନରେ ଆଶଙ୍କା ହେଲା ଯେ ତା’ ଦଳରେ ଆସିଥିବା ଲୋକେ କଳିକଜିଆ କରି ଚାଲିଯିବେ ନାହିଁ ତ ? ଚିରୁତା ମଧ୍ୟ ବ୍ୟଗ୍ର ଭାବରେ ଦୁଆରବନ୍ଧକୁ ଆଉଜି ଠିଆହୋଇଗଲା । ଦୁହିଁଙ୍କ ଆଖି ଏକ ହୋଇଗଲା ।

 

କାଲୀ ଓ କୋରନର ମଉସା ଦୁହେଁ ରାଗିଯାଇ କଥାବାର୍ତ୍ତା କରିବାବେଳେ କୋରନ କହିଲା–“ନିଜ ଭିତରେ କଳିକଜିଆ କରିବାର କୌଣସି ଆବଶ୍ୟକତା ନାହିଁ ।’’ ସେ କାଲୀକୁ ପଚାରିଲା–“ବାପା ଝିଅ ପାଇଁ ଆପଣ କଣ ଚାହାଁନ୍ତି ଟିକେ କହିଦେଲେ ଭଲ ହୁଅନ୍ତା ।’’

 

ତା’ର ସାହସ ଦେଖି ଚିରୁତା ମନେ ମନେ ଭାରି ଖୁସି ହେଲା । କୋରନର ଏ ପ୍ରଶ୍ନ ତା’ ମନକୁ ପାଇଲା; କିନ୍ତୁ ଏପରିଭାବରେ କହିବାଟାକୁ ତାର ମଉସା ଆଦୌ ପସନ୍ଦ କଲା ନାହିଁ ।

 

ସେ କନ୍ୟା ଦେଖିବାକୁ ଆସିଥିବା ଦଳର ମୁଖିଆ ଥିଲା । କୋରନ କନ୍ୟା ପାଇଁ ଟଙ୍କା ନେଣଦେଣ ଉପରେ କଥା କହିବା କଣ ଉଚିତ ? ଏପର୍ଯ୍ୟନ୍ତ ଏପରି କେହି କହି ନଥିଲେ । ସେ ରାଗିଯାଇ କହିଲା–‘‘ତେବେ ତୁ ସବୁ ଠିକ୍‍ଠାକ୍ କରି ନେ, ଆମେ କାହିଁକି ଆସିଚୁ–ଆମେ ଯାଉଛୁ-।’’

 

କୋରନ ଗୋଳମାଳରେ ପଡ଼ିଗଲା । ତା’ ମଉସା ଚାଲିଗଲା ।

 

କାଲୀ କହିଲା–‘‘ମୋ ଝିଅକୁ ଯଦି ଚାହୁଁଥାଅ ତେବେ ପଚିଶ ପସୁରୀ ଧାନ ଓ ପଚାଶ ଟଙ୍କା ଦେବାକୁ ହେବ ।’’

 

କୋରନର ମଉସା ବୁଲିପଡ଼ି ଠିଆହୋଇଗଲା ।

 

‘‘କଣ କହୁଛ ? ଏ କେଉଁଠିକା ନ୍ୟାୟ ? ତୁମ କଥାର ଜବାବ୍ ନଦେଲେ ମୋ ମନ ଗୋଳେଇଘାଣ୍ଟି ହେବ । କହିପାରିବ, ତୁମେ ନିଜ ବିବାହରେ କେତେ ପଣ ଦେଇଥିଲ ?’’

 

କାଲୀ ଉତ୍ତର ଠିକ୍ କରି ରଖିଥିଲା–‘‘ଏ ଝିଅକୁ ଯଦି ଚାହଁ, ମୁଁ ଯା ଦାବି କରୁଛି ତା' ତୁମକୁ ଦେବାକୁ ହେବ ।’’

 

ଏତେ ବଡ଼ ଦାବି ଶୁଣି କୋରନ ହଡ଼ବଡ଼େଇଗଲା । ଏ ସମୟରେ ମଧ୍ୟ ତା’ ଆଖି ଚିରୁତା ଉପରେ ଥାଏ; ଅର୍ଥାତ୍ ଦୁହେଁ ଆଖିରେ କଥାବାର୍ତ୍ତା ହେଉଥାନ୍ତି । ସେ ଭାବିଲା ଯଦି କହିଦିଏ ଦାବି ବେଶି ହେଉଛି, ସେ ତା' ପୂରଣ କରିପାରିବ ନାହିଁ, କିଛି କମ୍ କରିବା ଉଚିତ; ତେବେ କାଲୀ ନିଶ୍ଚୟ ଝିଅ ଦେବାକୁ ମନା କରିଦେବ । ଦ୍ୱିତୀୟତଃ ଏପରି ଖୋସାମତ କରିବା ତା’ର କାମ ନୁହେଁ । ଚିରୁତାକୁ ତା’ଠାରୁ ମଧ୍ୟ ବେଶି ଧନ ଦେଇ ନେଇଯିବା ଲୋକ ମିଳିବେ । ...କଣ ଚିରୁତାରୁ ପାଇବା ତା’ ଭାଗ୍ୟରେ ଘଟିବ ନାହିଁ । ...ନିରାଶ ଭାବରେ ସେ ପୁଣି ଚିରୁତାକୁ ଚାହିଁଲା । ....ସେ ହସିଦେଲା । ଜଣାଗଲା ଆଶାର ସୂଚନା ଦେଉଛି ।

 

ମନେମନେ ସେ ଭାବିଲା ମଉସା ନାରାଜ ହୁଅନ୍ତୁ, ତାକୁ ଦୋଷୀ ଭାବିଲେ ଭାବନ୍ତୁ; କୋରନ କହିଲା–“ବାପା ଯାହା ମାଗୁଛନ୍ତି ଦେବି । ଚୈତ୍ର ମାସ ଶେଷ ପର୍ଯ୍ୟନ୍ତ ଝିଅ ପାଇଁ ଅନ୍ୟ କାହାରିକୁ ଜବାବ୍ ଦେବେ ନାହିଁ ।’’

 

‘‘ଯା...ନିର୍ଲଜ ଯା !’’ ମଉସା ଏ କଥା କହିଲା । ସେ ଏଯାଏଁ ସେଠୁ ଯାଇ ନଥିଲା । କୋରନର ଏ ନିର୍ଲଜ୍ଜତାପୂର୍ଣ୍ଣ ବ୍ୟବହାରରେ ସେ ଭାଗି ନ ହେବାକୁ ଚାହୁଁଥିଲା । କୋରନ ଯେବେ ନିଜ ନିଜର ବିବାହ ଠିକ୍ କରିବାର ଥିଲା ତେବେ ଏମାନଙ୍କୁ ଆଣିବାର କି ଆବଶ୍ୟକ ଥିଲା ? ମଉସାକୁ ଭାରି ଅପମାନ ଲାଗିଲା ।

 

କାଲୀ ପରୟନ କୋରନର ସର୍ତ୍ତ ମାନିବାକୁ ଆଦୌ ପ୍ରସ୍ତୁତ ନ ଥିଲା । ସେ ଯୁବତୀ ଝିଅକୁ କେତେ ଦିନ ଅବା ଘରେ ରଖିପାରିବ ?

 

‘‘ଯିଏ ତା’ ଦାବି ପୂରା କରିପାରିବ ତା’କୁ ସେ ଝିଅକୁ ଦେବ ।’’ କାଲୀ ତା’ର ସିଦ୍ଧାନ୍ତ ଶୁଣାଇଦେଲା ।

 

ଏଣେ ଚିରୁତାରୁ ବିଶାଳ କଜ୍ଜଳ–କାନ୍ତି ଚକ୍ଷୁ କୋରନକୁ ଆଶା ଦେଉଥିଲା ଯେ ଚୈତ୍ର ମାସ ପର୍ଯ୍ୟନ୍ତ ସେ ତା’ର ପ୍ରତୀକ୍ଷାରେ ରହୁଛି ।

 

ଦୁଇ

 

କିଏ ସବୁ ଚିରୁତା ବିବାହ ପାଇଁ ଆସୁଛନ୍ତି କୋରନ ସେ ଖବର ନେଉଥିଲା । କେତେ ଜଣ ମଧ୍ୟ ରାଜିହୋଇ ଲେଉଟିଗଲେ; କିନ୍ତୁ ବିବାହ ସ୍ଥିର ହେଲା ନାହିଁ ।

 

କେବେ କେବେ କୋରନର ମନେ ହେଉଥିଲା, ଚିରୁତା ତା’ ସପକ୍ଷରେ ଅଛି । କାରଣ ତାକୁ ସେଦିନ ସେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲା ଓ ହସୁଥିଲା । ତା’ର ବିଶ୍ୱାସ, ସେଦିନ ସେ ଯେଉଁ କଥାସବୁ କହିଥିଲା, ତା’ ଚିରୁତା ପ୍ରେରଣାରେ ହିଁ କହିଥିଲା । ବିଦାୟ ସମୟରେ ମଧ୍ୟ ସେ ତା’ର ସଙ୍କେତ ଦେଇଥିଲା ।

 

ଏବେ କିନ୍ତୁ ନୂଆ ଶତ୍ରୁତା ଆରମ୍ଭ ହୋଇଗଲା । ଚମ୍ପକ୍‍କୁଲମ ଗାଁର ଚାତ୍ତନ କୁଞ୍ଜାଲୀକୁ ପ୍ରଭାବିତ କରିନେଲା । କୁଞ୍ଜାଲୀର ଇଚ୍ଛା ଯେ ଧନ କମ୍ ମିଳୁ ପଛକେ ଚିରୁତାର ବିବାହ ଚାତ୍ତନ ସଙ୍ଗରେ ହେଉ । ଚିରୁତା କିନ୍ତୁ ଚାତ୍ତନ ସପକ୍ଷରେ ବା ବିପକ୍ଷରେ କିଛି କହିଲା ନାହିଁ । ଚାତ୍ତନ ସବୁଦିନେ ସେଠାକୁ ଯିବାକୁ ଲାଗିଲା ।

 

କୋରନ ସଙ୍କଟରେ ପଡ଼ିଗଲା ।

 

ଗତ ଚୈତ୍ର ମାସ କଟାକଟି ସମୟରେ ସେ ଚବିଶ ହଜାର ପସୁରୀ ଆମଦାନୀ କ୍ଷେତକୁ ଧାନ କାଟିବାକୁ ଯାଇଥିଲା । ସେ ଓ ଚିରୁତା ପାଖପାଖ ରହିଥିଲେ । କାମ ଶେଷ ହେବାଯାଏ ଦୁହେଁ ଲଗାଲଗି କ୍ଷେତରେ କାଟୁଥିଲେ ଓ କଟାକଟି ପରେ ନିଜ ନିଜର ହଳା ଖଳାରେ ମଧ୍ୟ ପାଖ ପାଖରେ ଜମା କରୁଥିଲେ ।

 

ସେ ଆନନ୍ଦଦାୟକ ସମୟ ଥିଲା ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରି କରି ଧାନ କାଟୁଥିଲେ । ବଡ଼ ଦରହସୀ । କିଛି କଥା କହିଲା ମାତ୍ରେ ସେ ହସି ଦେଉଥିଲା । .....ଘରେ ଯା’ ତୁଣ ତରକାରୀ କରେ ଚାତ୍ତନକୁ ଚାଖିବାକୁ ଦିଏ । ....ତାର ହଳା ହିସାବ ହୁଏ । ସମସ୍ତଙ୍କଠୁଁ ସେ ମଜୁରି ଅଧିକ ପାଏ । ତା ଡବାରୁ ଚାତ୍ତନ ପାନ ଖାଉଥିଲା ।

 

ସେହି ଦିନଠାରୁ କୋରନ ଠିକ୍ କରିସାରିଥିଲା ଯେ ସେ ଚିରୁତାକୁ ହିଁ ବିବାହ କରିବ । ତା ସାଙ୍ଗରେ କଥାବାର୍ତ୍ତା କଲାବେଳେ ନ ହସି ସେ କଥାବାର୍ତ୍ତା କରିପାରେନା । କୋରନ ନିକଟରେ ଚିରୁତାର ମାନଭୂଲାଣିଆ ଲଜ୍ଜା ତା’ ମୁହଁର ଶୋଭା ବୃଦ୍ଧି କରୁଥିଲା । ....ଚିରୁତା ବେକରେ ଗୋଟିଏ କଳା ତିଳଚିହ୍ନ ଥିଲା । ଆଉ ମଧ୍ୟ କପାଳ ଓ ଚିବୁକର ଦୁଇ ପାଖରେ ସୌନ୍ଦର୍ଯ୍ୟ ବିନ୍ଦୁ ପରି ଖାଲୁଆ ଚିହ୍ନ ଥିଲା । ....ସେ ଦିନ ଯଦି କଥାବାର୍ତ୍ତା କରି ବିବାହ କଥା ପକ୍‍କା କରିନିଆଯାଇଥାନ୍ତା ତେବେ କେଡ଼େ ଭଲ ନହୋଇଥାନ୍ତା !

 

ଏଥର ଧାନକଟା ସମୟରେ ଚାତ୍ତନ ମଧ୍ୟ ଆସିଥିଲା । କୋରନ ଭାବିଲା ସେଦିନଠାରୁ ଚାତ୍ତନର ନଜର ଚିରୁତା ଉପରେ ପଡ଼ିଛି । ସେ କଣ ପ୍ରତିଦିନ ଚିରୁତା ଘରକୁ ଯାଇ ତାକୁ ବଶ କରିନେବ ? ମା’ ତା ପକ୍ଷରେ ଅଛି । ....ଚିରୁତା କୋରନକୁ ଚାହେଁ, ଏ ବିଶ୍ୱାସ କୋରନର ଥିଲା । କିନ୍ତୁ ସେ କଣ ତା’ ବାପ ଇଚ୍ଛା ବିରୁଦ୍ଧରେ ଯାଇପାରିବ ?

 

ପଚାଶ ଟଙ୍କା ଓ ପଚିଶ ପସୁରୀ ଧାନ, ଏ କଥା କେବେ ଶୁଣାଯାଇ ନଥିଲା । ଚୈତ୍ର ମାସ କଟାକଟି ପରେ ଏତେ ଧାନ ସଂଗ୍ରହ ହୋଇପାରିବ, ଏଥିରେ ସନ୍ଦେହ ଥିଲା । ଧରିନିଅ ସଂଗ୍ରହ ହୋଇଯିବ, ବଢ଼ି ଓ ବର୍ଷା ଏବଂ ଶ୍ରାବଣ ଭାଦ୍ରବରେ ଯେତେବେଳେ ଚାଷୀ ମଜୁରିଆଙ୍କୁ କାମ ମିଳିବ ନାହିଁ, ତା’ର ଅବସ୍ଥା କଣ ହେବ ? ସବୁ କମାଣି ବିବାହରେ ଖର୍ଚ୍ଚ କରିଦେଲେ ତାକୁ ଉପବାସ ରହିବାକୁ ପଡ଼ିବ ।

 

କୌଣସି ପ୍ରକାରେ ପଚାଶ ଟଙ୍କା ଓ ପଚିଶ ପସୁରୀ ଧାନ ଯୋଗାଡ଼ କଲେ ମଧ୍ୟ ତା’ ବାଦ ଯା’ ଖର୍ଚ୍ଚ ହେବ ତା ସ୍ୱତନ୍ତ୍ର । ବୋହୁ ପାଇଁ ଲୁଗା, ଶାଶୁ ଶଶୁର ପାଇଁ ଲୁଗା, ଦୁଇ ଦୁଇଟା ଭୋଜି, କରୟୋ ଗମ (ପଞ୍ଚାୟତ ସଂଘ) ର ଚାନ୍ଦା, ଏହିପରି ଆଉ ସବୁ କଣ ପଡ଼ିବ ? ଏସବୁ କେଉଁଠୁ ଆସିବ ?

 

ଯେକୌଣସି ପ୍ରକାରେ ହେଉ, ଏତକ ଧନ ସଂଗ୍ରହ କରିବାକୁ କୋରନ ଠିକ୍ କଲା । କାହା ପାଖରେ ଓଣପ୍-ପଣୀରେ ଲାଗି ଧାର ନେଇ କିଛି କରିବାକୁ ଆଗେ ସେ ଭାବି ନଥିଲା । ବର୍ତ୍ତମାନ ଏପରି କରିବା ଅନିବାର୍ଯ୍ୟ ଜଣାଗଲା । ବିବାହ ପାଇଁ ଧାର କରଜ ଦେବାକୁ ଯେ କହି କୃଷକ ରାଜି ହୋଇଯିବେ, କାରଣ ତାକୁ କାମ କରିବାକୁ ଜଣକ ସ୍ଥାନରେ ଦୁଇ ଜଣ ମିଳିଯାଉଛନ୍ତି-

 

ଓଣପ୍-ପଣୀ–ଚୁକ୍ତିବଦ୍ଧ ବାମ । କୃଷକ ନିଜ କାମ ପାଇଁ ପରୟନ ଓ ପୁଲୟନକୁ ଧାନ ଓ ଟଙ୍କା ଦେଇ ତାକୁ ଏକବର୍ଷ ଚୁକ୍ତିରେ ରଖିନିଅନ୍ତି । ଏହି ପରି ମଜୁରିଆଙ୍କୁ ଓଣପ୍-ପଣୀ କୁରନ’’ କହନ୍ତି ।

 

କୋରନ ତା’ ବାପ ବେଲୁତ୍ତାର ମତ ନେଲା । ବେଲୁତ୍ତା ରାଜି ହୋଇଗଲା–‘‘ତୁ ଯେଉଁଠାରୁ ହେଉ ଧାର ଆଣ ପଛେ ବାପା, କିନ୍ତୁ ତମ୍ପୁରାନକୁ ଥରେ ପଚାରିଦେବୁ । ତାଙ୍କ ଦାନାପାଣିରେ ଆମେ ପ୍ରତିପୋଷିତ ହୋଇଛୁ । ଅନେକ ପୁରୁଷରୁ ଆମେ ତାଙ୍କର ଆଜ୍ଞାବହ ଭୃତ୍ୟ ହୋଇଆସିଛୁ ।’’

 

୧. ତମ୍ପୁରାନ–ମାଲିକ । ରାଜପରିବାରର ଲୋକଙ୍କୁ ତମ୍ପୁରାନ କହନ୍ତି । ନିଜକୁ ଅଛୁଆଁ ମାନୁଥିବା ଲୋକ ତଥାକଥିତ ଉଚ୍ଚଜାତି ଲୋକଙ୍କୁ ‘ତମ୍ପୁରାନ’ କହନ୍ତି ।

 

‘‘ତମ୍ପୁରାନଠାରୁ ଧାର ନେବା ଭଲ ହେବ କି ?’’

 

ବେଲୁତ୍ତାର ଏ ପ୍ରସ୍ତାବ ମନକୁ ପାଇଲା । ଏ ବୃଦ୍ଧର ଅନେକ ଦିନର ପୁରୁଣା କଥା ମନେଥିଲା । ଅନେକ ବର୍ଷ ତଳେ ଯେତେବେଳେ ସେ କୋରନ ମା'କୁ ବିଭା କରିଥିଲା, ସେତେବେଳେ ବଡ଼ ତମ୍ପୁରାନ ବଞ୍ଚିଥିଲା । ବିବାହର ସମସ୍ତ ଖର୍ଚ୍ଚ ତମ୍ପୁରାନ ଦେଇଥିଲା । ଏହା ପୂର୍ବରୁ ତା’ ବାପର ବିଭାଘରର ସବୁ ଖର୍ଚ୍ଚ ମଧ୍ୟ ସେ ବହନ କରିଥିଲା । ଏହିପରି ଭାବରେ ପୁରୁଷ ପୁରୁଷ ଧରି ଅରକ୍‍କଲ ତରବାଟ ଓ ବେଲୁତ୍ତା ପରିବାର ମଧ୍ୟରେ ଯେଉଁ ସମ୍ବନ୍ଧ ଚଳି ଆସିଛି, ବୁଢ଼ା ସବୁ କୋରନକୁ ଶୁଣାଇଲା । କୋରନର ଯେତେବେଳେ ବୋହୁ ଆଣିବ ସେତେବେଳେ ତମ୍ପୁରାନ ଖର୍ଚ୍ଚରେ ଆଣିବ, ଏହା ତାର ଇଚ୍ଛା ଥିଲା । କିନ୍ତୁ ଅରକ୍‍କଲ ତରବାଟର ପୂର୍ବ ଅବସ୍ଥା ଆଉ ଆଜି ନଥିଲା ଯେ ଇଚ୍ଛା ଅନୁସାରେ ଧାନ ଓ ଟଙ୍କା ଦେଇ ପାରିବ । ସେତେବେଳେ ତା’ ପାଖରେ ଅନେକ ଜମି ଓ ଘର ଥିଲା; କିନ୍ତୁ ଅବସ୍ଥା ସମ୍ପୂର୍ଣ୍ଣ ବଦଳିଯାଇଛି । ବର୍ତ୍ତମାନ ସେ ଜମି ନାହିଁ କି ଘର ନାହିଁ । ସେ ଠିକା ଭାବରେ ଜମି ନେଇ ଆବାଦ କରୁଛି; ସେଥିପାଇଁ ତା’ର ଅଧିକ ମୂଲିଆ ଆବଶ୍ୟକ ପଡ଼ୁ ନଥିଲେ । ବେଲୁତ୍ତା କୋରନକୁ ବୁଝାଇଲା ଯେ ଆଗେ ତମ୍ପୁରାନକୁ ପଚାରି ସାରି ଅନ୍ୟଠାରେ ଓଣପ୍‍ପଣୀରେ ଲାଗିବା ଠିକ୍ ହେବ ।

 

୨. ତରବାଟ–ଘର, ଘରମାଲିକ ।

 

କୋରନ ଅରକ୍‍କଲର ତମ୍ପୁରାନ ନିକଟକୁ ଗଲା, ତା’ ସାଙ୍ଗରେ ବେଲୁତ୍ତା ମଧ୍ୟ ଥିଲା । ତମ୍ପୁରାନ କୋରନକୁ ମୁକ୍ତ କରିଦେଲା ଓ କହିଲା,’’କୋରନ ଯେଉଁଠାରେ ଇଚ୍ଛା ସେଠାରେ କାମ କରୁ ।’’ ସେ ନିଜେ କିଛି କରିବାକୁ ଅସମର୍ଥ ଥିଲା ।

 

କୋରନ ଭାବିଲା ଧାର କେଉଁଠାରୁ ମିଳିପାରିବ । କୌଣସି ବଡ଼ ଚାଷୀଠାରୁ ଯୋଗାଡ କରିଦେବାକୁ ତା’ ମଉସାକୁ କହିଲା ।

 

ସେ କନ୍ୟାକୁ ଆଣିବା ପାଇଁ ଧାନ ଓ ଟଙ୍କା ଯୋଗାଡ କରିବାକୁ ହେବ ? ସେଥିପାଇଁ ମୁଁ କୌଣସି ସାହାଯ୍ୟ କରିପାରିବି ନାହିଁ ବୋଲି ତା’ ମଉସା କହିଲା ।

 

ଇତିମଧ୍ୟରେ ଚିରୁତା ଘରେ କେତେକ ଘଟଣା ଘଟିଛି । ଏସବୁ ସମ୍ବାଦ କୋରନ କାନରେ ବେଳେବେଳେ ପଡ଼ୁଥିଲା । ଚିରୁତାର ମା’ ଓ ବାପ ନିଜ ନିଜ ମଧ୍ୟରେ କଳି କରୁଥିଲେ । ତା’ ବାପା କୁଞ୍ଜାଲୀକୁ ପିଟୁଥିଲା । ମାଡ଼ ଓ କାନ୍ଦ ବୋବାଳି ଶୁଣି ସାଇପଡ଼ିଶାମାନେ ଜମା ହୋଇ ଯାଉଥିଲେ ।

 

କୁଞ୍ଜାଲୀର ଇଚ୍ଛା ଥିଲା ଚିରୁତାର ବିବାହ ଚାତ୍ତନ ସାଙ୍ଗରେ ହେଉ । ଯେଉଁ ଭାବରେ ହେଲେ ସେ ଚାତ୍ତନ ସାଙ୍ଗରେ ଚିରୁତାକୁ ବିବାହ ଦେବ, ମା କାଲୀ ଜିଦ ଧରିବସିଲା । ବାପା କହିଲା–ଯିଏ ଯା’ କହିଲେ ମଧ୍ୟ ଝିଅ ପାଇଁ ପୂରା ପଇସା ଦେଲେ ଯାଇ ସେ ଝିଅକୁ ଦେବ । ଏ ଘଟଣାରେ ସେ ଝିଅ ମା'ର କଥା ଶୁଣିବ ନାହିଁ ।

 

କୁଞ୍ଜାଲୀ ଚାତ୍ତନକୁ କହିଲା–“ଯେଉଁଠୁ ହେଲେ ଧାନ ଓ ଟଙ୍କା ଯୋଗାଡ଼ କର ।’’

 

ଚାତ୍ତନ କେଉଁଠି ଓଣପ୍‍ପଣୀରେ ଲାଗି ଧାର ଆଣି କାମ ଚଳାଇବା ଯୋଗାଡ଼ରେ ଲାଗିପଡ଼ିଲା । ଚାତ୍ତନର ସବୁ ଖବର କୋରନ ରଖୁଥିଲା ଏବଂ କୋରନର ଖବର ମଧ୍ୟ ଚାତ୍ତନ ରଖୁଥିଲା । ଏହି ସୁଯୋଗରେ ଯିଏ ଧାନ ଓ ଟଙ୍କା ନେଇ ଆଗେ ପହଞ୍ଚିବ ତାକୁ ହିଁ କନ୍ୟା ମିଳିବ–ଏ କଥା ଲୋକେ କହୁଥିଲେ ।

 

ଝିଅର ଇଚ୍ଛା କଣ ଏ କଥା କାହାକୁ ଜଣା ନଥିଲା, କାହାରି ମଧ୍ୟ ଏ କଥା ଜାଣିବା ଆବଶ୍ୟକ ପଡ଼ିନଥିଲା । ବାପ ମା’ ବିବାହ ଠିକ୍ କରିଦେବେ; ସେ ଚାଲିଯିବ–କେବଳ ଏତିକି ମାତ୍ର କଥା । ଚାତ୍ତନ ମଧ୍ୟ କେବେ ଭାବି ନଥିଲା ଯେ କନ୍ୟା ନିଜେ କଣ ଚାହୁଁଛି ।

 

କୋରନର ମଧ୍ୟ କନ୍ୟା ପସନ୍ଦ ବିଷୟରେ ଚିନ୍ତା ଲାଗିରହିଛି । ଏତେ କଷ୍ଟ ସହି ଧନ ଓ ଧାନ ସଂଗ୍ରହ ପରେ ଯଦି କନ୍ୟା ତାକୁ ପସନ୍ଦ ନକରେ ତେବେ ଏ ଅବସ୍ଥାରେ ସେ କଣ କରିବ ! ତା’ର ଇଚ୍ଛା ବିରୁଦ୍ଧରେ ସେ ଜୋର୍ ଜବରଦସ୍ତି କରି ତାକୁ ଏ ବନ୍ଧନରେ କାହିଁକି ବାନ୍ଧିବ ? ...ଏହା ମଧ୍ୟ ହୋଇପାରେ–କନ୍ୟା ତାକୁ ପସନ୍ଦ ନ କରିପାରେ । ....କିନ୍ତୁ ଯେତେବେଳେ ତା’ ବାପ ମା’କୁ ପିଟିଲା, ସେତେବେଳେ ସେ ତା’ ମନକଥା କାହିଁକି କହି ନ ଦେଲା ? ଯେବେ ସେ ଚାତ୍ତନକୁ ବିବାହ କରିବାକୁ ଚାହୁଁଛି, ତେବେ ସେ ପରିଷ୍କାର କରି କାହିଁକି ନ କହିଲା ?

 

କୋରନ ଯା, ହେଲେ ମଧ୍ୟ ଧନ ଯୋଗାଡ଼ରେ ଖିଲାପ କଲା ନାହିଁ ।

 

କୁଞ୍ଜାପ୍‍ପୀ କୋରନର ଜଣେ ବନ୍ଧୁ । ସେ କୈନିକରାର ଜଣେ ବଡ଼ କୃଷକ ପାଖରେ ଅନେକ ବର୍ଷ ହେଲା କାମ କରିଆସୁଛି । ସେ କୋରନକୁ ପୁଷ୍ପବେଲୀଲ ଓସେପପ (ଯୋସେପ) ପାଖକୁ ନେଇଗଲା ।

 

ପୁଷ୍ପବେଲୀଲ ଘର ଦେଖି କୋରନର ବିଶ୍ୱାସ ହେଲା ଯେ ଏ ଜଣେ ଧନୀ କୃଷକର ଘର । ଏଠାରେ ପାଣି ଉଠାଇବା ଇଞ୍ଜିନ, ଚାରି ପାଞ୍ଚୋଟି ବଡ଼ ବଡ଼ ନୌକା, ଚାରି ପାଞ୍ଚୋଟି ଧାନ ଅମାର, ଗାଈ, ବଳଦ, ମଇଁଷି ଇତ୍ୟାଦି ଦେଖି ତା’ର ବିଶ୍ୱାସ ହୋଇଗଲା ଯେ ଏଠାରେ କେତେବେଳେ ହେଲେ କାମ କମ୍ ହେବ ନାହିଁ । ଏ ଘରର ମାଲିକ କୋରନର ଆବଶ୍ୟକ ଟଙ୍କା ଓ ଧାନ ଦେବା ପାଇଁ ରାଜି ହୋଇଗଲା ।

 

କିନ୍ତୁ ମାଲିକର କଠିନ ସର୍ତ୍ତ ଥିଲା ଯେ ବର୍ଷକରେ ଅତି କମ୍‍ରେ ୨୮୦ ଦିନ କାମ କରିବାକୁ ପଡ଼ିବ । ଦିନ ତମାମ କାମ କଲେ ଦୁଇ ସେର ଧାନ ମିଳିବ । ଧାନ କଟାକଟି ବେଳେ ଦିନେ ଅନ୍ତରେ ଦିନେ ଗୋଟିଏ କରି ହଳା ଖର୍ଚ୍ଚ ପାଇଁ ଦିଆଯିବ । କଟାକଟି ପରେ ମୋଡ଼ନୀ ସରିବା ପରେ ଏକ ଦଶମାଂଶ ହିସାବରେ ତାଙ୍କ ଅଂଶ ଧାନ ମିଳିବ । ଆଉ କୌଣସି ପାଉଣା କେବେ ଦିଆଯିବ ନାହିଁ । ସବୁ କାମ ଶେଷରେ ପ୍ରତ୍ୟେକ କାମ କଲା ଲୋକକୁ ଚାଳିଶ ସେର କରି ଧାନ ଅଧିକା ମଧ୍ୟ ମିଳିବ । ଧାର କରଜ ଦିଆଯାଇଥିଲେ ଏଥିରୁ କାଟି ହିସାବ କରାଯିବ ।

 

କୋରନ ଯେକୌଣସି ପ୍ରକାରେ ହେଲେ ଚିରୁତାକୁ ପାଇବା ଚିନ୍ତାରେ ଥାଏ । କୋରନ ଓସେପ୍‍ପର ନିୟମକାନୁନ ପୂରାପୂରି ଜାଣିବାକୁ ଇଚ୍ଛା କଲା ନାହିଁ । ସେ ଯେକୌଣସି ସର୍ତ୍ତ ମାନିବାକୁ ପ୍ରସ୍ତୁତ ଥିଲା ଓ ସବୁ ସର୍ତ୍ତ ମଧ୍ୟ ମାନିନେଲା । ଏହିପରି ଧାନ ଓ ଟଙ୍କାର ଯୋଗାଡ଼ ହୋଇଗଲା ।

 

୧ ପୁଷ୍ପବେଲୀଲ–ଘରର ନାମ ।

 

୨ ମୋଡ଼ନୀ–ଶ୍ରମିକମାନେ ଧାନହଳାକୁ ଗୋଡ଼ରେ ମଳି କେଣ୍ଡାରୁ ଧାନକୁ ଅମଳ କରନ୍ତି । କେରଳରେ ବଳଦଦ୍ୱାରା ଧାନ ମିଳିବା ପ୍ରଥା ନାହିଁ ।

 

ତିନି

 

ବିବାହ ହୋଇଗଲା; ଅର୍ଥାତ୍ ବିବାହର ସବୁ ବିଧି ପୂରା ହୋଇଗଲା । ଭୋଜି-ଭାତ ହେଲା ନାହିଁ । ଭୋଜି ଭାତ ପୂର୍ବରୁ କନ୍ୟାକୁ ବର ସାଙ୍ଗରେ ପଠାଯିବ କି ନାହିଁ, ଏ ପ୍ରଶ୍ନ ଆସି ପହୁଞ୍ଚିଲା ।

 

କୋରନ କହିଲା, ‘‘କନ୍ୟାକୁ ନିଶ୍ଚୟ ସାଙ୍ଗରେ ନେବାର କଥା ।’’

 

କାଲୀ ପରୟନ କହିଲା, ‘‘ଏହା ହୋଇପାରିବ ନାହିଁ ।’’

 

‘‘କାହିଁକି କନ୍ୟାକୁ ପଠାଇବ ନାହିଁ ?’’

 

‘‘ସାଇପଡ଼ିଶାଙ୍କୁ ତାଡ଼ି ପିଇବା ପାଇଁ ଏବଂ ତମ୍ପୁରାନକୁ ମୁହାଁଚାହାଁ ଭେଟି କରିବା ପାଇଁ ପଇସା ଦେବା ପରେ ଯାଇ ଝିଅକୁ ପଠାଇପାରିବି ।’’

 

ବିବାହରେ ଆସିଥିବା ଲୋକେ ଦୁଇ ଭାଗ ହୋଇଗଲେ । ଗୋଟିଏ ପକ୍ଷ କହିଲେ, ପଇସା ତ ଦେବାକୁ ହେବ, ବର୍ତ୍ତମାନ କାହିଁକି ନ ଦିଆଯିବ । କନ୍ୟାକୁ ଅଟକାଇ ରଖିବା ଠିକ୍ ହେବ ନାହିଁ । ଅନ୍ୟ ପକ୍ଷ କାଲୀ ପରୟନ କଥାକୁ ସମର୍ଥନ କଲେ । କଥାବାର୍ତ୍ତା ନ ହୋଇ ବାକ୍‍ଯୁଦ୍ଧ ଆରମ୍ଭ ହୋଇଗଲା । ଜଣେ ଲୋକ ଉଠିଆସି ଭାତଗଦାରେ ଖଣ୍ଡେ ବାଡ଼ି ପୋତିଦେଇ କହିଲା, ‘‘କଳିଗୋଳ ମୀମାଂସା ନହେବା ଯାଏ ଭାତରେ ହାତ କେହି ଦେବେ ନାହିଁ ।’’

 

କଳିଗୋଳ ବଢ଼ିଗଲା । କେତେକ ଲୋକ ମାରପିଟ୍ ପାଇଁ ପ୍ରସ୍ତୁତ ହୋଇଗଲେ ।

 

ଚିରୁତା ମନ ଭାଙ୍ଗି ପଡ଼ିଲା । ସେ କେଭେଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ଯେ ତା’ ବିବାହ–ଉତ୍ସବ ମାରପିଟ ଓ ଲୁହଲୁହାଣରେ ପରିଣତ ହୋଇଯିବ । ଆସିଥିବା ବରପକ୍ଷ ଲୋକେ ତା’ ବାପା ଓ ସ୍ୱାମୀର ବିରୋଧୀ ଥିଲେ । କଳିଗୋଳ ବଢ଼ିଗଲେ ତା’ ବାପ ଓ ସ୍ୱାମୀ ଉପରେ ବିପଦ ପଡ଼ିବ ନାହିଁ ତ ? ସେ ଏ ଚିନ୍ତାରେ ଅଧୀର ହୋଇପଡ଼ିଲା । ଏ ଉଭୟ ପକ୍ଷ କାହିଁକି କଳି କରୁଛନ୍ତି । ସମସ୍ତେ ଏମାନଙ୍କର ଶତ୍ରୁ–ଏ କଥା ଦୁହେଁ ବୁଝୁ ନାହାନ୍ତି କାହିଁକି ? ....ବାପକୁ ଆଜି ନହେଲେ କାଲି ଏ ପଇସା ମିଳିଯିବ । ସ୍ୱାମୀ ନିଜ ଜିଦ୍ କାହିଁକି ଧରିଛନ୍ତି । ଆଜି ନିଅନ୍ତୁ ବା ଚାରିଦିନ ପରେ ନେବାରେ କ୍ଷତି କଣ ?

 

ଦୁଇ ପକ୍ଷ ଭିତରୁ କେହି ବନ୍ଦ ହେଲେ ନାହିଁ । ମାରପିଟ୍ ଆରମ୍ଭ ହୋଇଗଲା । ସମସ୍ତଙ୍କ ପାଟିଗୋଳ ଭିତରୁ କୋରନର ପାଟି ଶୁଣାଗଲା–ମୁଁ କନ୍ୟାକୁ ଆଜି ନେଇ ଯାଉନାହିଁ ।’’

 

ଶାନ୍ତି ବିରାଜମାନ କଲା । ଚିରୁତାର ଚିନ୍ତା ଦୂର ହୋଇଗଲା । ସେ ତା’ ସ୍ୱାମୀକୁ ଚାହିଁଲା । କୋରନ ଠିଆହୋଇ ହାତ ଟେକି ଉଚ୍ଚ ସ୍ୱରରେ କହିଲା–‘‘ମୁଁ କନ୍ୟାକୁ ଆଜି ନେଇ ଯାଉନାହିଁ ।’’

 

ଚିରୁତା ମୁହଁରେ ହସ ଖେଳିଗଲା ।

 

ସମସ୍ତେ କୋରନର ଘୋଷଣା ଶୁଣି ସ୍ତବ୍ଧ ହୋଇଗଲେ । ଚାରିଆଡ଼େ ନୀରବତା ଖେଳିଗଲା ।

 

‘‘ଏହା ହିଁ ପ୍ରକୃତ ନ୍ୟାୟ’’–କାଲୀ ମୁହଁରୁ ଏ କଥା ବାହାରିପଡ଼ିଲା । ତା’ପକ୍ଷ ଲୋକେ ସେ କଥାରେ ହଁ ଭରିଲେ !

 

ଜନଗହଳି ମଧ୍ୟରୁ ମହୁଫେଣାର ମାଛିଙ୍କ ଗୁଞ୍ଜନ ପରି ସ୍ୱର ଶୁଣାଗଲା–‘‘ଏ ବରପକ୍ଷର ହାର ।’’

 

ଏକଥା ଶୁଣି ସମସ୍ତଙ୍କର ମନୋଭାବ ପରିବର୍ତ୍ତନ ହୋଇଗଲା ।

 

ଜଣେ କହିଲା–‘‘ବର ସମସ୍ତଙ୍କୁ ଅପମାନିତ କଲା ।’’

 

ଅନ୍ୟ ଜଣେ କହିଲା–‘‘ୟା ହେଲେ ଆମେ ସବୁ ଏଠାରୁ ଚାଲିଯିବା ।’’

 

ବର୍ତ୍ତମାନ କୋରନକୁ ଏକ ନୂଆ ସଂଗ୍ରାମର ସମ୍ମୁଖୀନ ହେବାକୁ ପଡ଼ିଲା । ତା’ର ବନ୍ଧୁ–ବାନ୍ଧବ ସମସ୍ତେ ନଖାଇ ନପିଇ ରାଗରେ ଚାଲିଯିବାକୁ ଲାଗିଲେ । ସମସ୍ତେ ମିଶି ତାକୁ ବହିଷ୍କୃତ କରିବେ–ଏ କଥା ଚିରୁତା ମଧ୍ୟ ବୁଝିପାରିଲା ।

 

କାଲୀ ବିଜୟୋଲ୍ଲାସରେ ଉତ୍‍ଫୁଲ୍ଲ ହୋଇ କହିଲା–‘‘ଯା’ ଯା’, ସମସ୍ତେ ଚାଲି ଯା ! ମୋ ଦୁଆରେ ବିବାହ ଉତ୍ସବରେ କଳି-ତକରାଳ ନ ହେବା ଉଚିତ । ତମେସବୁ ଭାରି ଧୂର୍ତ୍ତ । ଏଠି ଆଉ ତୁମ ଢଙ୍ଗ ଦେଖାନା !’’

 

ସମସ୍ତ ବରପକ୍ଷ ଲୋକ ଜିନିଷପତ୍ର ଧରି ଏକ ସଙ୍ଗରେ ଚାଲିଗଲେ । କୁଞ୍ଜାପୀ ମଧ୍ୟ ଚାଲିଗଲା । କୋରନ ଅଟକାଇବା ପାଇଁ ପ୍ରାର୍ଥନା କରିବା ନିମନ୍ତେ ନିଜକୁ ଅସମର୍ଥ ମନେକଲା । ଜଣେ ଦି’ଜଣ ନାମକୁମାତ୍ର ତ ରହିପାରିଥାନ୍ତେ ! କୋରାନର ବାପ କୁଞ୍ଜାପୀ ଗଲାବେଳେ ବୁଲିପଡ଼ି କେବଳ ସେ ଆଡ଼କୁ ଚାହିଁଲା ।

 

ଚିରୁତା ଦେଖିଲା କୋରାନ କାଠପିତୁଳା ପରି ନିଶ୍ଚଳ ଭାବରେ ଠିଆ ହୋଇଛି । ତା’ର ବାପ ଉପରେ ଭାରି ରାଗ ଆସିଲା । ସବୁ ବାପ କଣ ନିଜ ଝିଅଙ୍କୁ ଏହିପରି ବିବାହ ଦିଅନ୍ତି ? ଜଣେ ସ୍ନେହଶୀଳ ବାପର କଣ ଏହି ଲକ୍ଷଣ ? ଏହାର କଟୁତା ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଭୁଲି ହେବ ନାହିଁ । ଝିଅ ବିବାହରେ ଆସିଥିବା ବରଯାତ୍ରୀଙ୍କୁ ଗାଳିଗୁଲଜ କରି ଘଉଡ଼ାଇ ଦିଆଗଲା ।

 

ତା’ ସ୍ୱାମୀ ବିଚରା ଠିଆହୋଇ ପାଣି ପାଣି ବୋଲି ପାଟି କରୁଥାଏ । ସେ ତାକୁ ବିବାହ କରିଛି, ଧର ତାକୁ କେଉଁଠୁ ଝିଅ ମିଳିଲା ନାହିଁ ... ବନ୍ଧୁବାନ୍ଧବ ସମସ୍ତେ ରାଗିକରି ଚାଲିଗଲେ .... ଏ ପୁରୁଷ କଣ ତା'କୁ ପ୍ରେମ କରିପାରେ ? ବରପକ୍ଷର ଜଣେ ମାତ୍ର ଲୋକ ରହିଲେ ନାହିଁ !

 

ଘର ଚାରିପାଖରେ ଠିଆହୋଇଥିବା ଲମ୍ବ ଲମ୍ବ ମକ୍‍କା ଗଛ ପଛରୁ ଜଣେ ଲୋକ ମୁହଁ ତଳକୁ କରି ଘର ଆଡ଼କୁ ଆସିଲା । କିଏ ? ଚାତ୍ତନ !! ସେ ଯାଇ ନଥିଲା । ଏକା ସେ ରହିଯାଇଥିଲା । ବାକି ସମସ୍ତେ ଚାଲି ଯାଇଥିଲେ । ....ଚିରୁତା ଆଶ୍ଚର୍ଯ୍ୟ ହେଲା । ମନରେ ଟିକେ ଶାନ୍ତି ଆସିଲା । ସ୍ୱାମୀର ନିମନ୍ତ୍ରଣରେ ଆସିଥିବା ବନ୍ଧୁ ବାନ୍ଧବଙ୍କ ମଧ୍ୟରୁ ନିୟମ ଦେଲା ପରି ଜଣେ ହେଲେ ତ ଅଛି–ଏହାହିଁ ଯଥେଷ୍ଟ ।

 

ଚାତ୍ତନ କୋରନ ନିକଟକୁ ଯାଇ କହିଲା, ‘‘ସମସ୍ତଙ୍କର ତୋ’ ଉପରେ ଇର୍ଷା ଥିଲା, ତୁ ମନରେ ଆଦୌ ଦୁଃଖ କରନା ।’’

 

କୋରନ ଚାତ୍ତନକୁ କୁଣ୍ଢାଇ ପକାଇଲା । ତା’ ଆଖିରେ ଲୁହ ଜମି ଆସିଲା ।

 

ଚାରି

 

ଗୋଟିଏ ଦରିଦ୍ର କୁଟୀରରେ ମଧ୍ୟ ସ୍ତ୍ରୀ–ପୁରୁଷ ପରସ୍ପର ମଧ୍ୟରେ ସ୍ନେହର ଆକର୍ଷଣ ବୃଦ୍ଧି ପାଇବାର ଦେଖାଯାଏ । ସେଠାରେ ମଧ୍ୟ ଶୃଙ୍ଗାରରସର ଅଭାବ ନଥାଏ । ସେଠି ସ୍ତ୍ରୀମାନେ ମଧ୍ୟ ଆଖିକଣରେ ଚାହିଁଜାଣନ୍ତି ଓ ପୁରୁଷଙ୍କୁ ପ୍ରେମ ବନ୍ଧନରେ ବାନ୍ଧି ରଖିପାରନ୍ତି । ସ୍ତ୍ରୀ–ପୁରୁଷ ଏଠାରେ ବି ପ୍ରତିଜ୍ଞା କରିଥାନ୍ତି ।

ଚାନ୍ଦିନୀ ରାତିରେ ବିଶାଳ ଜଳରାଶି ଉପରେ ପବନବେଗରେ ଗୋଟିଏ ନୌକା ଚାଲିଥିବାର ଦେଖାଯାଉଛି । ଏଥିରେ ଆସୁଥିବା ଦୁଇ ପ୍ରାଣୀ ଆନନ୍ଦ ସାଗରରେ ମଗ୍ନ ଥିଲାପରି ଜଣାପଡ଼ୁଛି । ଏ ଦୁହେଁ ଚିରୁତା ଓ କୋରନ ।

କୋରନ କୋଳରେ ମୁଣ୍ଡ ରଖି ଚିରୁତା ଚିତ୍ ହୋଇ ଶୋଇରହିଛି । ତା’ର ହାସ୍ୟ ମୁଖକୁ ଦେଖିଦେଖି କୋରନର ଇଚ୍ଛା ବେଳେବେଳେ ଶବ୍ଦରୂପରେ ପ୍ରକାଶିତ ହେଉଛି–‘ମୁଣ୍ଡରେ କୁଙ୍କୁମ ଲଗାଇ, ରେଶମ ଓଢ଼ଣୀ ଢାଙ୍କି, ସୁନ୍ଦର ଶାଢ଼ୀ ପିନ୍ଧି ପୂର୍ଣ୍ଣ ବେଶଭୂଷାରେ ମୁଁ ମୋର ସଙ୍ଗିନୀକୁ ଦେଖିପାରେ ତ । ....ଅଚ୍ଛା, ଚୈତ୍ର ମାସ ବିତିବାକୁ ଦେ ।’

ଚିରୁତାର ମଧ୍ୟ ଇଚ୍ଛା ଥିଲା । ସେ ଚାହୁଁଥିଲା ‘କୋରନ ଗୋଟିଏ କୁର୍ତ୍ତା ପିନ୍ଧୁ ଓ ଦେହରେ ଖଣ୍ଡିଏ ଚାଦର ପକାଇ ଦିନବେଳେ ଆଗେ ଆଗେ ଚାଲୁ ଏବଂ ସେ ତା’ ପଛରେ.... । ସେ ମଧ୍ୟ ମନେମନେ ଠିକ୍ କଲା ଚୈତ୍ର ମାସ ଆସୁ ।'

କୋରନ କହିଲା–‘‘ଦିନେ ଆମେ ଦୁହେଁ ଆଲପୁଷା ଯାଇ ସିନେମା କାହିଁକି ଦେଖିବା ନାହିଁ ?’’

ସିନେମା ଦେଖିବାକୁ ଚିରୁତାର ମଧ୍ୟ ଇଚ୍ଛା ଥାଏ । ସେ ଆଦୌ କେଉଁ ସିନେମା ଦେଖିନାହିଁ ।

ପରସ୍ପର ପ୍ରେମ-ବନ୍ଧନରେ ବାନ୍ଧି ହୋଇଥିବା ଏ ଦମ୍ପତିଙ୍କର ସମସ୍ତ ଇଚ୍ଛା ଓଢ଼ଣୀ, କୁର୍ତ୍ତା ଓ ଆଲପୁଷା ଯାତ୍ରା–ଏହିପରି ଅର୍ଥଶୂନ୍ୟ କଥାରେ ଲିପ୍ତ ରହିବାର ଇଚ୍ଛା ନଥିଲା । ତାଙ୍କୁ ଆହୁରି ଭଲଭାବରେ କାର୍ଯ୍ୟ କରିବାର ଥାଏ । ସେମାନଙ୍କ ପ୍ରେମ ଗୋଟିଏ ଚୁମ୍ବନ ଓ ଆଲିଙ୍ଗନରେ ସମାପ୍ତ ହେବାର ପରିସ୍ଥିତିରେ ନଥିଲା ।

କୋରନ ପଚାରିଲା–‘‘ଚିରୁତା ଆମକୁ କଣ ଋଣ ପରିଶୋଧ କରିବାକୁ ହେବନାହିଁ ?’’

ଚିରୁତା ଉତ୍ତର ଦେଲା–“ଅବଶ୍ୟ ପରିଶୋଧ କରିବାକୁ ହେବ ।’’

କୋରନ ଚିରୁତା ଗାଲଉପରେ ହାତ ବୁଲାଇ ଆଣି କହିଲା–‘‘ପ୍ରଥମେ ପୁଅ ନା ଝିଅ-?’’

ଚିରୁତା ପୁଅ ଚାହୁଁଥିଲା ।

କୋରନର ପ୍ରସନ୍ନତା କମିଯିବାର ଜଣାଗଲା । ତା’ ମୁହଁ ଫିକା ପଡ଼ିଗଲା । ସେ କହିଲା–‘‘ଋଣ କଣ ଆମ ଉପରେ ଅଭିଶାପ ସ୍ୱରୂପ ହୋଇ ରହିବ ? ଆମେ ଆମର ଋଣ ପରିଶୋଧ କରି ପାରିନାହୁଁ ।’’

କୋରନ ବାପାକୁ କିଛି ଦେଉ ନଥିଲା । ଯେଉଁ ଋଣ ତା’ର ପରିଶୋଧ କରିବାର ଥିଲା ସେ ଶୋଧ କରି ନଥିଲା । କିନ୍ତୁ ଏଥିରେ ତା’ର ଦୋଷ ନଥିଲା ।

 

ଚିରୁତା ଆଶ୍ୱାସନା ଦେଇ କହିଲା–‘‘ପ୍ରତିଦିନ ମଜୁରିରୁ ଅଧସେର ଧାନ ମୋତେ ଦେଇଦେବ । କିଛି ଜମା ହୋଇଗଲେ ନେଇ ବାପାକୁ ଦେଇ ଆସିବ ।’’

 

ଗୁଣବତୀ ପତ୍ନୀଠାରୁ ଯା’ ପାଇବାର ଥିଲା, ସେ ପାଇଲା । ଦୁହିଁଙ୍କ ଅଧର ଗୋଟିଏ ଚୁମ୍ବନର ଆନନ୍ଦାନୁଭୂତିରେ ମିଶିଗଲେ ।

 

କୋରନ କୁଞ୍ଜାପୀ ସଙ୍ଗରେ ରହୁଥିଲା । ତା’ ଘରର ଗୋଟିଏ ପାଖ ତାଟି ଘେରାଇ ସେ ରହିବାଯୋଗ୍ୟ କରିଥିଲା ।

 

ବର୍ଷା ଦିନ, ଥଣ୍ଡା ପବନ ବହୁଥାଏ ଓ ମଝିରେ ମଝିରେ ବର୍ଷା ହେଉଥାଏ । ଭାରି ଶୀତ ମଧ୍ୟ ହେଉଥାଏ ।

 

ଚିରୁତା ସେଦିନ କୋରନକୁ କାମକୁ ଯିବାପାଇଁ କହିଲା ନାହିଁ । କୋରନର ମଧ୍ୟ କାମକୁ ଯିବା ପାଇଁ ଇଚ୍ଛା ନଥାଏ । ସେଦିନ ପାଣିରେ ବୁଡ଼ି ମାଟି ଉଠାଇବାର ଥିଲା । ଏପରି ଥଣ୍ଡାରେ ଲୋକ ବାହାରେ ଥରି ଯାଉଥିଲେ । ପାଣିରେ ପଶି କାମକଲେ ସର୍ଦ୍ଦି ହୋଇଯିବ ।

 

ନଗଲେ କିପରି କାମ ଚଳିବ ? ଦୁଇଶହଅଶୀ ଦିନରୁ କମ୍ ନ ହେବା ଉଚିତ । ଚୈତ୍ର ମାସରେ ବର୍ଷଯାକର ପୁରା ମଜୁରୀ ପାଇବା ପାଇଁ ସବୁବେଳେ କାମ କରିବା ଆବଶ୍ୟକ । ଏ ମଜୁରୀରୁ ଧାର ପରିଶୋଧ କରି ବାକୀରୁ ଅନ୍ୟ ସବୁ ପୂରା କରିବାର ଥିଲା । ଚୈତ୍ରମାସ ପରେ ପ୍ରକୃତ ଜୀବନ ଆରମ୍ଭ ହେବ । ନିଜର ଲୋକମାନେ ରାଗିକରି ଚାଲିଯାଇଥିଲେ । ସାହାଯ୍ୟ ଦେବାକୁ କେହି ନଥିଲେ । ପୁରା ଶକ୍ତି ଖଟାଇ କାମ କଲେ ଯାଇ କାର୍ଯ୍ୟ ନିର୍ବାହ ହେବ । କେବଳ ତା'ହା ନୁହେଁ, କାମକୁ ନଗଲେ ଭୋକରେ ମାରିବାକୁ ହିଁ ପଡ଼ିବ ।

 

କୋରନ ପଚାରିଲା–‘‘ଘରେ ଚାଉଳ କିମ୍ବା ମୁଢ଼ି ଅଛି କି ?’’ ଚିରୁତା ବୁଝିଲା ଘରେ କିଛି ଥିଲେ କାମକୁ ନଯିବା ପାଇଁ କୋରନ ବୋଧହୁଏ ଏ ପ୍ରଶ୍ନ କରୁଛି ।

 

ସେ କହିଲା–‘‘ନଥିଲେ ଓପାସ ରହିବା ହିଁ ଭଲ । ଏ ଥଣ୍ଡାରେ ଗଲେ ଯଦି ବେମାର ପଡ଼ିଯିବ ?’’

 

କୋରନ ନୀରବ ରହିଲା ।

 

ଚିରୁତା କହିଲା–‘‘ଅଧପାଏ ଚାଉଳ ଓ ଦୁଇ ପଇସା ଅଛି । ଆଜି ଏ ଚାଉଳ ଓ କିଛି ମରିଚୀନୀ କିଣି ନେଲେ କାମ ଚଳିଯିବ ।’’

 

ଘରେ ଚୁପ୍‍ହୋଇ ବସିରହିବାକୁ କୋରନକୁ ଭଲ ଲାଗୁନଥିଲା । ଫର୍ଚ୍ଚା ହେବାର ଦୁଇ ତିନି ଘଣ୍ଟା ପରେ ବାଦଲ ଫାଙ୍କରେ ସୂର୍ଯ୍ୟରଶ୍ମି ଦେଖାଗଲା ।

 

କୋରନ କହିଲା–‘‘ମୁଁ ଟିକେ ତମ୍ପୁରାନ ଘରୁ ଆସୁଛି ।’’

 

କୋରାନ ଏ ଦିନ କାମକୁ ଯିବନାହିଁ ଏ କଥା ପକ୍‍କା କରି ଚିରୁତା କୋରନକୁ ଯିବାକୁ ଦେଲା ।

 

ପ୍ରାୟ ଅଧଘଣ୍ଟା ପରେ ସୂର୍ଯ୍ୟ ପୁଣି ବାଦଲ ଭିତରେ ଲୁଚିଗଲା ଓ ପୃଥିବୀରେ ଅନ୍ଧାର ଘୋଟିଗଲା । ମୂଷଳ ଧାରାରେ ବର୍ଷା ହେଲା ।

 

ଚିରୁତା କୁଞ୍ଜାପ୍‍ପୀ ପୁଅକୁ ପଠାଇ ପଇସାକର ମାରିଚିନୀ ଏବଂ ପଇସାକର ଲୁଣ, ଲଙ୍କା, କିରାସିନି ଓ ମଗାଇ ନେଲା । କଞ୍ଜି ଓ ତରକାରି ପ୍ରସ୍ତୁତ କରି କୋରନ ବାଟକୁ ଚାହିଁ ରହିଲା । କିନ୍ତୁ କୋରନ ଫେରିଲା ନାହିଁ ।

 

ସେ କଣ କାମ କରିବାକୁ ଚାଲିଗଲା କି ? ମଇଁଷି ମଧ୍ୟ ଏ ଥଣ୍ଡାରେ ପାଣିରୁ ପଳାଇଯିବେ । ସେ କଣ ପାଣିରେ ବୁଡ଼ି ମାଟି ଉଠାଉଛି ? କାମ କରିବାକୁ ଯାଇଥିଲେ ନିଶ୍ଚୟ ବେମାର ପଡ଼ିବ ।

 

୧ ମରିଚିନୀ–ଏକ ପ୍ରକାର କନ୍ଦମୂଳ (tapioca) । ଦରିଦ୍ର ଲୋକମାନେ ଏହାକୁ ବ୍ୟବହାର କରନ୍ତି ।

 

୨ କଞ୍ଜି–ପାଣିଦିଆ ମଣ୍ଡ, ଯହିଁରେ ଭାତର କିଛି ଅଂଶ ଥାଏ ।

 

ସମୟ ଗଡ଼ିଯାଉଛି । କିପରି ଶୀତ ! ସମୟ ଅନେକ ହେଲାଣି, ତା’ର ଖବର ନାହିଁ । ଚିରୁତା ଚଟାଇ ଘୋଡ଼ାଇ ହୋଇ ଶୋଇଗଲା । କିଛି ସମୟ ପରେ ତା’ ଆଖି ଲାଗିଗଲା ।

 

ତାକୁ ଜଣାଗଲା କୋରନ ତାକୁ ଡାକୁଛି । ଚାଉଁକରି ନିଦ ଭାଙ୍ଗିଯିବାରୁ ସେ ଉଠିପଡ଼ିଲା-। କିନ୍ତୁ କେହି ନଥିଲେ । ସେ ବାହାରକୁ ଆସି ଦେଖିଲା । କୋରନ ସେ ପର୍ଯ୍ୟନ୍ତ ଫେରିନାହିଁ । ସନ୍ଧ୍ୟା ହେବାପରି ଜଣାଗଲା । ତାକୁ ଭାରି ଭୋକ ସେତେବେଳକୁ ଲାଗୁଥିଲା । କଞ୍ଜିରୁ କିଛି ପାଣି ନିଗାଡ଼ି ପିଇବାପାଇଁ ସେ ଭିତରକୁ ଗଲା ।

 

ଭିତରେ କଞ୍ଜି ଓ ତରକାରିପାତ୍ର ଖାଲି ପଡ଼ିଛି । କୁକୁର କାଳେ ଖାଇ ଦେଇଥିବ; ଏହା ହୋଇପାରେନା । ସେ ତ ସବୁ ଜିନିଷ ଶିକା ଉପରେ ରଖିଥିଲା । କେହି ପାତ୍ର କାଢ଼ି ଦେଇ ଖାଇଦେଇଛି ।

 

ଚିରୁତା ଜାଣିପାରିଲା ଏ କାମ କିଏ କରିଥିବ । କୁଞ୍ଜାପ୍‍ପୀ ପୁଅ ଏହା ପୂର୍ବରୁ ଥରେ ରାତିରେ ପଶି ଚୋରିକରି ଖାଇଥିଲା । ସେଦିନ ଶବ୍ଦ ଶୁଣି ନିଦ ତାର ଭାଙ୍ଗିଗଲା ଏବଂ ଧରାପଡ଼ିଥିଲା ।

 

ଚିରୁତା ମନ ଦୁଃଖ ଓ କ୍ରୋଧରେ ପୁରିଗଲା । ସନ୍ଧ୍ୟାରେ କୋରନ କାମରୁ ଫେରିଲେ ତାକୁ କଣ କହିବ ? ଛାତିରେ ହାତ ବାଡ଼େଇ ସେ ପାଟିକରି ଗାଳିଦେବାକୁ ଲାଗିଲା । ବାହାରେ କୁଞ୍ଜାପ୍‍ପୀ ସ୍ତ୍ରୀ ମାଣୀ ବସି ସପ ବୁଣୁଥିଲା ।

 

ସେ ପଚାରିଲା–‘‘ତୁ କାହାକୁ ଗାଳି ଦେଉଛୁ କିଲୋ ?’’

 

‘‘ଦେଖିନି, ଶିକା ଉପରୁ କିଏ କଞ୍ଜି ଓ ତରକାରି କାଢ଼ି ଆଣି ଖାଇଦେଇଛି । କୁକୁର ବିଷ୍ଠା ଖାଇଥିଲେ ଭଲହୋଇଥାନ୍ତା ।’’

 

ସେ ଗାଳି ଦେଉଥିଲା । ମାଣୀ ଉଠିଆସିଲା । ସେ ପଚାରିଲା–‘‘କିଏ ନେଇ ଖାଇଗଲା କିଲୋ ?’’

 

‘‘ତୁମରି ପୁଅ ତ–ଆଉ କିଏ ?’’

 

ମାଣୀ କହିଲା ତା’ ପୁଅ ଏପରି କରି ପାରେ ନା । ଚିରୁତାର ଏଥିରେ ସନ୍ଦେହ ନଥିଲା ଯେ ତା’ ପୁଅ ହାତସଫେଇ କରିଛିବୋଲି । ମାଣୀ ତା’ ଅର୍ଥ ଏହିପରି ବୁଝିଲା ଯେ ତା’ ଚିରୁତା ଖାଇଦେଇଛି, କୋରନ ଆସିଲେ ମାଡ଼ ଖାଇବ ଏ ଭୟରେ ସେ ମୋ ପୁଅ ନାଁରେ ମିଛରେ ଦୋଷ ଦେଉଛି । ଚିରୁତା ଏ କଥା ସାହିପାରିଲା ନାହିଁ । ଏହା ପୂର୍ବରୁ ଚିନ୍ନନ ଯେଉଁ ଚୋରି କରିଥିଲା, ଚିରୁତା ସେ କଥା କହି ପୁଣି କହିଲା–“କୁକୁର ପରି ଛୁଆ ଜନ୍ମ କରିଦେଲେ କଣ ହେବ, ତାକୁ ପାଳନ–ପୋଷଣ କରିବା ତ ଦରକାର ।’’

 

‘‘ହଁ ଯା, ଯା !’’

 

‘‘ମୋତେ ଗାଳିଦେବୁ ତ !’’

 

‘‘ଯା ନିକଲ ମୋ ଘରୁ !’’

 

ଚିରୁତା ହାରିଗଲା । ସେ କୁଆଡ଼େ ଯିବ....କେଉଁଠି ଯାଇ ରହିବାପାଇଁ ସ୍ଥାନ ନାହିଁ । ଏହାର ଅନୁଗ୍ରହରୁ ସ୍ୱାମୀ–ସ୍ତ୍ରୀକୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମିଳିଛି ।

 

ମାଣୀ ନିଜର ବିଜୟ ଜାଣି କହିଚାଲିଥାଏ । ଚିରୁତା ଚୁପ୍ ହୋଇଗଲା । ଅନ୍ଧାର ହୋଇ ଆସିଲାବେଳକୁ ଥଣ୍ଡାରେ ଥରି ଥରି କୋରନ ଆସି ପହଞ୍ଚିଲା । ତା’ ହାତରେ ତାଳପତ୍ର ଚାଙ୍ଗୁଡ଼ିରେ ଧାନ, ମରିଚୀନୀ, ଲୁଣ, ଲଙ୍କା ପ୍ରଭୃତି ଦରକାର ଜିନିଷ ଥିଲା । ଚିରୁତା ତା’ ଉପରେ ଅସନ୍ତୁଷ୍ଟ ହୋଇ ଗାଳିଦେବ ଏ ଭୟ ଥିଲା ।

 

ଚିରୁତା ଭୟରେ ଘରେ ଛିଡ଼ା ହୋଇଥାଏ । ସେ ବାଧ୍ୟହୋଇ କଳି କରିଥିଲା, ଏଥିପାଇଁ ତାକୁ କି ଶାସ୍ତି ମିଳିବ ?

 

କୋରନ ଘରେ ପହଞ୍ଚିବା ମାତ୍ରେ ଅପରାଧିନୀ ସ୍ତ୍ରୀ ତା’ ପାଖରେ ଯାଇ କହିଲା–“ମୋର ଆଜି ଗୋଟିଏ ଭୁଲ ହୋଇଛି ।’’

 

କୋରନର ମଧ୍ୟ ଏ କଥା କହିବାର ଥିଲା । ତାର ମଧ୍ୟ ଭୁଲ ହୋଇଛି । ଚିରୁତା ସବୁ କଥା କହିସାରି କହିଲା–‘‘ରାଗରେ କଣ ବୋଲି କଣ କହିଗଲି ।’’

 

କୋରନ ଚୁପ୍-ଚାପ ଠିଆହୋଇ ସବୁ ଶୁଣୁଥାଏ । ଶେଷରେ କହିଲା–‘‘ଯା, ତା’ ପାଦ ଧରି କ୍ଷମା ମାଗି ନେ ।’’

 

ଚିରୁତା ଏଥିପାଇଁ ପ୍ରସ୍ତୁତ ନଥିଲା । ମାଣୀ ବି ତାକୁ ଗାଳିଦେଇଥିଲା । ଏହି ସମୟରେ ପଛରୁ କାନ୍ଦ ଶୁଣାଗଲା । ଅନ୍ଧାରରେ ଲୁଚି ଫେରୁଥିବା ଚୋର ଚିନ୍ନନକୁ ମାଣୀ ଧରି ଖୁବ୍ ପିଟୁଥାଏ-

 

ଏହା ଶୁଣି ଚିରୁତା ପକ୍ଷରେ ଚୁପ୍ ହୋଇ ରହିବା ଅସମ୍ଭବ ଥିଲା । ସେ ମାଣୀ ଓ ଚିନ୍ନନ ମଝିରେ ଠିଆ ହୋଇଗଲା । ମାଣୀ ଚିନ୍ନନକୁ ଉଠାଉଥିବା ବିଧାମାଡ଼ି ଚିରୁତା ପିଠିରେ ଦୁମ୍ କରି ବସିଲା ।

 

ଏହିପରି ଦୁଇଜଣଙ୍କର କଳି ଏହିଠାରେ ଶେଷ ହୋଇଗଲା ।

 

କୋରନ ସେ ଦିନ ମଜୁରୀ ବାବଦ୍ ଦୁଇ ସେର ଧାନର ହିସାବ ଦେଲା ।

 

ଚିରୁତା ଧାନକୁ ସେଇ ସିଝାଇ କୁଟିବାକୁ ଲାଗିଲା । ନିଆଁ ପାଖରେ ବସି ନିଆଁ ତାପୁ ତାପୁ କୋରନ ମରିଚିନୀ କାଟି ରଖିଦେଲା । ଖାଇବା ଜିନିଷ ହେଉଁ ହେଉଁ ଡିବିରି ନିଭିଗଲା । ଘାସ କୁଟା ଜାଳି ତା’ ଆଲୁଅରେ ବସି ଦୁହେଁ ଖାଇଲେ ।

 

ଶୋଇଲାବେଳେ ଚିରୁତା କୋରନକୁ କହିଲା–“ସବୁବେଳେ କଣ ଏହିପରି ପରଘରେ କଟାଇବାକୁ ପଡ଼ିବ ?’’

‘‘ଆଜି ମୁଁ ତମ୍ପୁରାନ ଆଗରେ ଏ କଥା ଉଠାଇଥିଲେ । ମାଟି ପକାଇ କୁଡ଼ିଆ ଖଣ୍ଡେ କରିବାକୁ ଅନୁମତି ମିଳିଛି ।’’

 

କିଛି ସମୟ ପରେ ଚିରୁତା ପଚାରିଲା–“ଏଥିପାଇଁ ସମୟ କାହିଁ ?’’

 

‘‘ପ୍ରତିଦିନ କାମରୁ ଫେରିବାବେଳେ ଖେପେ ଖେପେ କରି ମାଟି ପକାଇ ଦେବାକୁ ହେବ । ଜମି ଯେତେବେଳେ ଉଚ୍ଚ ହୋଇଯିବ ସେତେବେଳେ କୁଡ଼ିଆ ଖଣ୍ଡେ ଠିଆକରିଦେବା ।’’

 

କୋରନ ଭାବୁଥିଲା, ଚୈତ୍ରମାସ ପୂର୍ବରୁ ସେମାନେ ନୂଆ ଘରେ ରହି ପାରିବେ ନାହିଁ ।

 

ପାଞ୍ଚ

 

କୋରନ ନିଜ ଘର ତିଆରି ପାଇଁ ପାଣିରେ ମାଟି ପକାଇ ଜମିକୁ ଉଚ୍ଚ କରିବାରେ ଲାଗିପଡ଼ିଲା । ଜମି ପାଣି ଭିତରୁ ଚାରି ଗଜ ଉପରକୁ ଉଠି–ଆସିଲା । ପୌଷମାସ ବେଳକୁ ଅର୍ଥାତ୍ ଜମିରେ ଧାନବୁଣା ପୂର୍ବରୁ ବେଶି ଉଚ୍ଚ ହେବା ଉଚିତ । ଚାନ୍ଦିନୀ ରାତିରେ ମଧ୍ୟ କୋରନ ମାଟି ପକାଇ ପକାଇ ଜମିକୁ ଉଚ୍ଚ କରିବାରେ ଲାଗିପଡ଼ିଥିଲା । ତମ୍ପୁରାନ କହିଥିଲା ଜମି ଏତେ ଉଚ୍ଚ ହେବା ଉଚିତ ଯେଉଁଥିରେ ଦଶ ପନ୍ଦରଟି ନଡ଼ିଆ ଗଛ ମଧ୍ୟ ଲଗାଯାଇ ପାରିବ ।

ଏ ଆଶ୍ଵିନ ମାସ । ଭଲ ସମୟ ଦେଖି କ୍ଷେତରେ ବନ୍ଧ ତିଆରି କାମ ଆରମ୍ଭ କରିବାକୁ ହେବ । ଏହି ଦିନ କୃଷକମାନଙ୍କର ଚାକରମାନେ ସମସ୍ତେ ଏକତ୍ର ହୁଅନ୍ତି ଓ ଭୋଜି ହୁଏ । ଏହି ଦିନରୁ ପୁଞ୍ଚାକ୍ଷେତ'ର ମଜୁରିଆ ପରୟନ ଓ ପୁଲୟନ; ଙ୍କୁ ବ୍ରହ୍ମଚର୍ଯ୍ୟ ରଖିବାକୁ ପଡ଼ିଥାଏ ।

ଏ ସୁଯୋଗରେ ପ୍ରତି ଦଶ ଜଣଙ୍କ ପିଛା ଘଡ଼ାଏ ତାଡ଼ି ଓ ପାଞ୍ଚ ସେର ଧାନର ମୁଢ଼ି ମିଳିଥାଏ । ସେଦିନ ଏହି ପୁରୁଷମାନଙ୍କର ସ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥାନ୍ତି । ଏମାନଙ୍କର ମୁଖିଆ ଶମୟଲ (ସେମୁଅଲ) ସବୁ ପୁଲୟନଙ୍କୁ ପରସି ଦେଉଥିଲା । କୋରାନ ତିନିଗ୍ଲାସ ତାଡ଼ି ପିଇଲା । ସେତେବେଳକୁ ସମସ୍ତେ ପାଞ୍ଚଛ’ ଗ୍ଲାସ ତାଡ଼ି ପିଇସାରିଥିଲେ । କୋରନ ଏତିକି ପିଇ ସନ୍ତୁଷ୍ଟ ଥିଲା-

ଚେନ୍ନନ (ଯିଏ ସବୁଠାରୁ ବେଶି ପିଇଥିଲା) କହିଲା–“ଏ ଠିକ୍ ହେଲାନାହିଁ । ଆଉ ଗ୍ଲାସେ ତୋର ପିଇବା ଉଚିତ ।’’

‘‘ମୁଁ ଯେବେ ଆଉ ପିଇବି ବାନ୍ତି ହୋଇଯିବ ।’’

ସମସ୍ତେ ଆଉ ଗିଲାସେ ପିଇବାକୁ ଜୋର୍ କଲେ । କିନ୍ତୁ କୋରନ ମନା କରିଦେଲା ।

କୂଞ୍ଜାପପୀ କହିଲା–“ତେବେ ବାନ୍ଧିପକାଇ ପିଆଇବୁ ।’’

ଚେନ୍ନନ କୋରନ ହାତକୁ ଧରିଲା ଓ କୁଞ୍ଜାପ୍‍ପୀ ଗୋଡ଼କୁ ଧରିଲା । ଶେଷରେ କୋରନକୁ ବାଧ୍ୟହୋଇ ପିଇବାକୁ ପଡ଼ିଲା ।

ସ୍ତ୍ରୀଲୋକମାନେ ନିକଟରେ ଠିଆ ହୋଇ ଏକଥା ଶୁଣୁଥିଲେ । ଏମାନେ ମଧ୍ୟ ଗିଲାସେ ଦୁଇ ଗିଲାସ ପିଇସାରିଥିଲେ । ଚିରୁତା ମଧ୍ୟ ପିଇଥିଲା ।

୧ ପୁଞ୍ଚାକ୍ଷେତ–ପାଇଁ ମଧ୍ୟରେ ଥିବା କ୍ଷେତ ।

୨ ପୁଲୟନ–ପରୟନ ପରି ଏକ ଶ୍ରେଣୀର କ୍ଷେତ୍ରରେ କାମ କରିବା ଅଛୁଆଁ ଜାତି । ଏମାନଙ୍କ ମଧ୍ୟରେ ପ୍ରଭେଦ ଏତିକି ଯେ ଉଚ୍ଚ ବୋଲି କହୁଥିବା ଜାତିର ଲୋକଙ୍କଠାରୁ ପରୟନଙ୍କୁ ୧୫୦ ଫୁଟ ଓ ପୁଲୟନଙ୍କୁ ୨୧୦ ଫୁଟ ଦୂରରେ ଠିଆ ହେବାକୁ ପଡ଼ିଥାଏ । ବହୁବଚନରେ ପୁଲୟର । ସ୍ତ୍ରୀ ଲିଙ୍ଗରେ–ପୁଲୟୀ ।

ମଝିରେ ମାଣୀ କହିଲା–“ଚିରୁତା, ସମସ୍ତେ ମିଶି ତୋ ପରୟନକୁ ତାଡ଼ି ପିଆଇ ତା’ର ସ୍ୱଭାବ ବଦଳାଇ ଦେଉଛନ୍ତି । ଏହାର ପ୍ରତିଫଳ ତୋତେ ହିଁ ଭୋଗିବାକୁ ପଡ଼ିବ । ରାତିରେ ପିଇ ଆସିଲେ ତୋତେ ମଧ୍ୟ ମାଡ଼ ଖାଇବାକୁ ହେବ ।’’

ଦୁଇ ଗ୍ଲାସ ତାଡ଼ି ଚିରୁତା ପେଟରେ ପଡ଼ି ତା' କରାମତି ଯାହିର୍ କଲା । ସେ କହିଲା–“ତୁମର ପରୟନ ସବୁ ତ ଏହିପରି କରୁଛନ୍ତି । ମୋ ପରୟନ ଯେତେ ପିଇ ଆସିଲେ ମଧ୍ୟ ମୁହଁରୁ ତା’ର ତୁ ବୋଲି ବାହାରେ ନାହିଁ, କାରଣ ମୁଁ କେବେ ମର୍ଯ୍ୟାଦା ଲଙ୍ଘନ କରେନା ।’’

 

ମାଣୀ ମନେକଲା ଚିରୁତା ତାକୁ ଅପମାନିତ କଲା । ସେ ତା' ଉପରେ ରାଗିଗଲା । ସେ କହିଲା-‘‘ତୁ ଆମ ଦୋଷ ବାହାର କରୁଛୁ । କହୁଛୁ ସମସ୍ତେ ମର୍ଯ୍ୟାଦା ଲଂଘନ କରୁଛନ୍ତି ? କେବେ ମର୍ଯ୍ୟାଦା ଲଙ୍ଘନ କରିବାର ତୁ ଦେଖିଛୁ କହିପାରିବୁ ?’’

 

କୁଞ୍ଜାପ୍‍ପୀ ଚିତ୍କାର କରି କହିଲା–“ଲୋ ମାଣୀ, ତୋ ପାଟି କଣ ଥୟ ହେବନାହିଁ ?’’

 

କୋରନ ଚିରୁତାକୁ ପାଟି କରିବାକୁ ମନାକଲା । କିନ୍ତୁ ମାଣୀ ଓ ଚିରୁତାର କଥାବାର୍ତ୍ତା ବନ୍ଦ ହେଲା ନାହିଁ । ଚେନ୍ନନ୍ ଶମୟଲର ସ୍ତ୍ରୀ ଏକଥା ମୀମାଂସା କରିବାକୁ ବସିଲେ । ପୁଣି ଦୁହିଁଙ୍କ ଭିତରେ ବାକବିତଣ୍ଡା ଚାଲିଲା ।

 

ମାଣୀ କହିଲା–“ଲାଜ ସରମ ତୋତେ ନାହିଁ । ଅଧରାତି ନାହିଁ କି ଭୋର ନାହିଁ, ଦୁଇପ୍ରହର ନାହିଁ କି ସନ୍ଧ୍ୟା ନାହିଁ, ଡଙ୍ଗାରେ ତୁ ପରୟନ ସାଙ୍ଗରେ ଚାଲବୁଲ କରୁଛୁ ।’’

 

ଚିରୁତା ନିଜକୁ ରୋକି ପାରିଲା ନାହିଁ ।

 

‘‘ଯେଉଁଠି ପରୟନ ତା' ସ୍ତ୍ରୀ ମଧ୍ୟରେ ସ୍ନେହ ରହିଥାଏ, ସେଠି ଏପରି ହୋଇଥାଏ ।’’

 

ଶମୟଲ ପୁଲୟନ ସ୍ତ୍ରୀକୁ ବେଶି ନିଶା ଧରିଥାଏ । ତା' ମୁଣ୍ଡ ଏପାଖ ସେପାଖକୁ ଝୁଙ୍କି ପଡ଼ୁଥାଏ । ସେ ଗମ୍ଭୀର ଭାବରେ କହିଲା–‘‘ଲୋ ମାଣୀ, ଯୁବତୀବେଳେ ସମସ୍ତେ ଏପରି କରିଥାନ୍ତି-। ଆମେ କିପରି ଥିଲୁ ?’’

 

ମାଣୀ କହିଲା–“ମାଲୋ ମା ! ମୁଁ ତ ଟିକିଏ ହେଲେ ଲାଜ ସରମ ଓ ପର୍ଦ୍ଦା ପ୍ରତି ଦୃଷ୍ଟି ରଖୁନଥିଲା ।’’

 

ଚିରୁତାକୁ ଭାରି ଅପମାନ ଜଣାଯାଉଥିଲା । ବର୍ତ୍ତମାନ ସେ କଣ ଉତ୍ତର ଦେବ, ଏକଥା ଭାବି ସେ ଚିନ୍ତିତ ହୋଇପଡ଼ିଲା । ମାଣୀର ମଧ୍ୟ ସେ ରାଗ କମି ନଥିଲା । ସେ କହିଲା–“ଏ ଅୟସ କାହିଁକି ବଢ଼ିଯାଉଛି ଜାଣିଛ ?’’

 

‘‘କାହିଁକି ?’’ ଆଖି ଖୋଲିବାକୁ ଚେଷ୍ଟା କରୁ କରୁ ଶମୟଲର ସ୍ତ୍ରୀ ପଚାରିଲା, “କହ !’’

 

କେବଳ ଏତିକି ନୁହେଁ, ଏହାଦ୍ୱାରା ତମ୍ପୁରାନର ମଧ୍ୟ କ୍ଷତି ହେବ । ପୁଞ୍ଚାକ୍ଷେତରେ କାମ କରିବାକୁ ହେବ । ସୂତାଖିଅ ପରି ହିଡ଼ କେବଳ ସେ କ୍ଷେତକୁ ରକ୍ଷା କରିଥାଏ । ସେଠାକୁ ପରିଷ୍କାର ପରିଚ୍ଛନ୍ନ ହୋଇ ନ ଗଲେ ସର୍ବନାଶ ହୋଇଯିବ । ତମ୍ପୁରାନକୁ ଏହାର ଫଳ ଭୋଗ କରିବାକୁ ହିଁ ପଡ଼ିବ । ଜମିରୁ ଆମଦାନି ହେଲେ ଯାଇ ଲୋକଙ୍କୁ ଚୋରିକରି ହେଉ ବା ଅନ୍ୟ ବାଟରେ ହେଉ କିଛିହେଲେ ମିଳିବ । ଆମକୁ ଚୋରି ଅପରାଧରେ ଅଭିଯୁକ୍ତ କରାଯାଉଛି । ଚେନ୍ନନ ବାପ ତାକୁ ସାଙ୍ଗରେ ନେଇ କାମରେ ଲଗାଇ ଦେଇଥିଲା ।

 

ଶମୟଲର ପୁଲୟୀ କିଛି ବୁଝିପାରିଲା ନାହିଁ । ସେ ପଚାରିଲା, “ଏ କି କଥା କି ?’’

 

ମାଣୀ କହିଲା–“ନା ମା, ଏ ତା' ପରୟନକୁ ପାଖରୁ ଆଦୌ ଛାଡ଼େନା ।’’

 

ପୁଲୟୀ ହସିଦେଲା । ବର୍ତ୍ତମାନ ଚିରୁତାକୁ କହିବାକୁ ସୁବିଧା ମିଳିଲା ।

 

ସେ କହିଲା–“ଆରେ ଏତ ବିଚିତ୍ର କଥା । ତୁମ ପରୟନ ତୁମ ପାଖକୁ ଆସୁନାହିଁ, ସେଥିପାଇଁ ମୁଁ କଣ ଦାୟୀ ?’’

 

ଚିରୁତା କଥା କହି କହି ମାଣୀ ପାଖକୁ ଆସିଲା ଓ ଆଙ୍ଗୁଠି ଦେଖାଇ କହିଲା-‘‘ହଁ, ପୁଞ୍ଚାକ୍ଷେତରେ କିମିତି କାମ କରିବାକୁ ହେବ ଏ କଥା ମୋତେ ଜଣା । ମୁଁ ବି ତମ୍ପୁରାନଙ୍କର ଅନେକ ପୁରୁଷର ମୂଲିଆଣୀ । ଏମାନଙ୍କର ଏଠି ମଧ୍ୟ ଦାୟିତ୍ୱ ଅଛି ।’’

 

ଏହିପରି ଭାବରେ ସ୍ତ୍ରୀମାନେ ଜଣେ ଅନ୍ୟଜଣକୁ ଛୋଟ କରି ଦେଖାଇବାକୁ ଯେତେବେଳେ ଲଢ଼ୁଥାନ୍ତି, ତେଣେ ପୁରୁଷମାନେ ମଧ୍ୟ ଅନ୍ୟ ଗୋଟିଏ ବିଷୟରେ କଥାବାର୍ତ୍ତା ହେଉଥାନ୍ତି ।

 

ଚେନ୍ନନ ନିଜର ଏକ ସନ୍ଦେହ ପ୍ରକାଶ କଲା–“ଯେବେ ପରୟନ ଓ ପୁଲୟନ ନ ରହିବେ ତେବେ ପୁଞ୍ଚାକ୍ଷେତ କିପରି ଆବାଦ ହେବ ?’’

 

ଏ ଗୋଟିଏ ଏପରି ପ୍ରଶ୍ନ ଯେ 'ଆବାଦ ହେବ ନାହିଁ' ଏ କଥା କହିବାକୁ କାହାରି ସାହସ ହେଲାନାହିଁ ।

 

ଶମୟଲ ପୁଲୟନ କହିଲା–“ପରୟନ ଓ ପୁଲୟନଙ୍କ ଦ୍ୱାରା ହିଁ ହୋଇପାରେ । ଅନ୍ୟ ଲୋକମାନେ ଚେଷ୍ଟା କରିଥିଲେ, କିନ୍ତୁ ଏମାନଙ୍କର ଦ୍ୱାରା କାମ ମଜୁରି-ମୁଣ୍ଡ ପିଇଲା ନାହିଁ ।’’

 

ଶମୟଲ ପୁଲୟନ କହିଲା-‘‘ପରୟନ ଓ ପୁଲୟନଙ୍କର ଧ୍ଵଂସ ହେବା ଅବସ୍ଥା ବର୍ତ୍ତମାନ ଆସିନାହିଁ ।’’

 

କୋରନର ତାଡ଼ି ନିଶା ପ୍ରଭାବରୁ ଗୋଳମାଳିଆ ମସ୍ତିଷ୍କରୁ ଗୋଟିଏ ପ୍ରଶ୍ନ ଉଠିଲା–“ଆମେ ଥାଇ ଯଦି କାମ ନ କରୁ ତେବେ କଣ ହେବ ?’’

 

କୁଞ୍ଜାପ୍‍ପୀ ତା’ର ନଇଁପଡ଼ିଥିବା ମୁଣ୍ଡକୁ ଟେକି କହିଲା–“ଭୋକରେ ରହିବାକୁ ପଡ଼ିବ ।’’

 

ଇଟୟାତୀ ଏହାକୁ ପୂର୍ଣ୍ଣ କଲା–“ତମ୍ପୁରାନମାନେ ମଧ୍ୟ ଭୋକରେ ରହିବାକୁ ବାଧ୍ୟ ହେବେ ।’’

 

ଚେନ୍ନନ ନିଜର ମତ ଦେଲା–“ସାରା ଦେଶରେ ଅନାହାର ମୃତ୍ୟୁ ବ୍ୟାପି ଯିବ ।’’

 

ଶମୟଲ ଖୁବ୍ ଜୋରରେ ହସିଉଠିଲା । ଓଲୋମ୍ପିର ଆଉ କିଛି ଇଚ୍ଛା ଥିଲା । ସେ ପଚାରିଲା-‘‘ ଏ କୁଟ୍‍ନାଟରେ ମୋଟରେ କୀ ପସୁରୀର ଜମି ଅଛି ?’’

 

ଏ ବ୍ୟର୍ଥ ପ୍ରଶ୍ନ ଶୁଣି ପୋନ୍ନୀଟ୍‍ଟୀ ହସି ଦେଲା–“ସାରା ଦେଶରେ କେତେ ପସୁରୀ ଜମି ହେବ, ଏ କଥା କିଏ ଜାଣିଛି ?’’

 

ଓଲୋମ୍ପି ନିଜ ପ୍ରଶ୍ନର ଅର୍ଥ ବୁଝାଇଲା–“କଥା ହେଉଛି ଜମିକୁ ମଡ଼ାଣ କରି, ହଳ ବୁଲାଇ, ବିହନ ବୁଣି ଆବାଦ କରିବା ଲୋକ ପରୟନ ଓ ପୁଲନ ନ କିଏ !’’

 

କୋରନ ଆଉ ଗୋଟିଏ କଥା ଦେଖାଇଲା-‘‘ଏ ଜମି, ଯେଉଁଥିରେ ତମ୍ପୁରାନମାନଙ୍କର ଘର ପ୍ରସ୍ତୁତ ହେଉଛି, ତାକୁ ପରୟନମାନେ ମାଟି ପକାଇ ପକାଇ ତ ଉପରକୁ ଉଠାଇଛନ୍ତି ?’’

 

ଶମୟଲ ପୁଲୟନ ନିଜ ପିଲାବେଳର ଗୋଟିଏ କାହାଣୀ କହିଲା । ସେ ସମୟରେ ଏଠାରେ ମାତ୍ର ଆଠ ଦଶ ଘର ଥିଲେ । କିନ୍ତୁ ଆଜି ଆଠ ଶହ ନୁହେଁ, ଏକ ହଜାରରୁ ଅଧିକ ହେଲେଣି । ଏସବୁ ପରୟନ ପୁଲୟନମାନଙ୍କ ପରିଶ୍ରମର ଫଳ ।

 

କୁଞ୍ଜାପ୍‍ପୀ ଧୀର ଭାବରେ କହିଲା–“ଧନ ଓ ଧାନ ସେମାନଙ୍କର ଖର୍ଚ୍ଚ ହୋଇଛି କି ନାହିଁ ?’’

 

କୋରନ ପଚାରିଲା–“ଏମାନଙ୍କ ନିକଟକୁ ଧନ ଓ ଧାନ କେଉଁଠୁ ଆସିଲା ?’’

 

‘‘ଏମାନେ ଜମି ଚାଷ-ଆବାଦ କରି ପାଇଲେ ।’’

 

‘‘କିଏ ଚାଷ ଆବାଦ କଲେ ? ପରୟନ ପୁଲୟନ ତ ଚାଷ ଆବାଦ କଲେ । ଧାନ ଅମଳ ହେଲା ଏବଂ ତମ୍ପୁରାନମାନେ ନିଜର ଧାନ ଆମର ଭରି ଦେଲେ । ପରୟନ ପୁଲୟନ ନିଜ ପରିଶ୍ରମରେ ମାଟି ପକାଇ ପାଣିରୁ ଜମି ପ୍ରସ୍ତୁତ କଲେ, ସେଥିରେ ନଡ଼ିଆ ଗଛ ଲଗାଇଲେ; କିନ୍ତୁ ସେ ନଡ଼ିଆ ତୋଳି ନିଅନ୍ତି ତମ୍ପୁରାନମାନେ ।’’

 

ଇଟୟାତୀ ଏ ସତ୍ୟ କଥାକୁ ସମର୍ଥନ କଲା ।

 

ଶମୟଲର ପୁଣି ପୁରୁଣା କଥା ମନେପଡ଼ିଲା । ସେ ସମୟର ଜମିମାଲିକମାନଙ୍କ କଥା କହିଲା । ସେମାନେ ଆଜି ମାରି ହଜି ମାଟିରେ ମିଶିଗଲେଣି । ସେମାନେ କିନ୍ତୁ ସମସ୍ତେ ସତ୍ୟ ଓ ବିଶ୍ୱାସ ଉପରେ ଚଳିବା ଲୋକ ଥିଲେ ।

 

ସେ କହିଲା–“ସେମାନେ ଧାନ ଜମାକରି ବିକିବା ପାଇଁ ଚାଷ କରୁନଥିଲେ । ଧାନ ଲୋକଙ୍କ ଖାଇବା ପାଇଁ ଥାଏ ।’’

 

ଏମାନଙ୍କର କଥାବାର୍ତ୍ତା ପୁରୁଣାକାଳର ଚାଷଠାରୁ ଆଜିକାଲି ଚାଷ ପର୍ଯ୍ୟନ୍ତ ଆସି ପହଞ୍ଚିଲା । ଆଜିକାଲି କ୍ଷୁଦ୍ର କୃଷକ କୁଳ ନଷ୍ଟ ହୋଇଯାଉଛନ୍ତି । ଶମୟଲ ଏକଥା ମାନିଲା ।

 

ଓଲୋମ୍ପି ଏ କଥାକୁ ଆହୁରି ପରିଷ୍କାର କରିଦେଲା । କ୍ଷୁଦ୍ର କୃଷକ ଅଧା କମାଣୀ ଜମି ନିଅନ୍ତି । ଠିକ୍ ସମୟରେ ସେମାନେ ବୁଣାବୁଣି କରି ପାରନ୍ତି ନାହିଁ । ଏଥିପାଇଁ ପାଖରେ ଧନ ଥିବା ତ ଆବଶ୍ୟକ ? ଧନ ନ ଥାଏ । କରଜ ନିଅନ୍ତି, କଟା ଓ ଅମଳ ଦମଳ ଶେଷ ହେଉଁ ହେଉଁ ଜମି ମାଲିକଙ୍କ ଲୋକ ପରା ଘେନି ପହଞ୍ଚିଯାନ୍ତି ଓ ଅଳ୍ପ ବହୁତ ଯା' ଅମଳ ହୋଇଥାଏ, ସେଥିରୁ ମାଲିକର ଭାଗ ନେଇଯାନ୍ତି । ଅବଶିଷ୍ଟ ଯା' ରହେ ସେଥିରୁ ସେ ଯା'ଠାରୁ କରଜ ଆଣିଥାନ୍ତି ତାକୁ ଦେଇ ଦିଅନ୍ତି । ଶେଷକୁ ତାଙ୍କ ପାଖରେ କଣ ବା ରହେ ? ପୁଣି କରଜ ନିଅନ୍ତି । ତେବେ ସୁଦ୍ଧା ଉପବାସର ସେ ରକ୍ଷା ପାନ୍ତି ନାହିଁ ।’’

 

୧. ପରା-ଶସ୍ୟ ଓଜନ ପରିବର୍ତ୍ତେ ମପାଯାଏ । ପସୁରୀଏ ମାପକୁ 'ପରା' କହନ୍ତି । ଏକ ସେର ମାପକୁ 'ଇଟଙନ୍‍ଷୀ ଓ ଏକପା' ମାପକୁ ଏକ ‘ନାଂଷୀ’ କୁହାଯାଏ ।

 

ପନ୍ନିଟ୍‍ଟୀ କହିଲା–‘‘ଏ କଥା ସତ । ଚାରି ପାଞ୍ଚ ଜଣ ତମ୍ପୁରାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ଅବସ୍ଥା ଏହିପରି । ଛୋଟ ଛୋଟ ତମ୍ପୁରାନଙ୍କ ଅବସ୍ଥା ଆମ ମୂଲିଆମାନଙ୍କଠାରୁ କଦାପି ଭଲ ନୁହେଁ ।’’

 

କୁଞ୍ଜାପ୍‍ପୀ କହିଲା–“ହେ ଭଗବାନ, ଏପରି ତମ୍ପୁରାନଙ୍କ ଚାକର ହେବାରୁ ଆମମାନଙ୍କୁ ରକ୍ଷାକର ।’’

 

ଏହି ସମୟରେ ପୁଷ୍ପବେଲୀର ଓସେପ୍‍ପ ଆସି ପହଞ୍ଚି କହିଲା–“ଚାଲ ଚାଲ, ସମୟ ହୋଇଗଲା !’’

 

ସ୍ତ୍ରୀ ଓ ପୁରୁଷମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଗଲା । ସମସ୍ତେ ଡଙ୍ଗାରେ ବସି ଓସେପ୍‍ପ ସାଙ୍ଗରେ କାମ କରିବାକୁ ଚାଲିଗଲେ ।

 

ଦିନେ ସକାଳୁ ଚିରୁତା କୋଳରେ ମୁଣ୍ଡ ଦେଇ ମାଣୀ ପ୍ରଭାତ କିରଣରେ ଶୋଇଥାଏ । ଚିରୁତା ମାଣୀ କାଳରୁ ଉକୁଣୀ ଖୋଜି ମାରୁଥାଏ ।

 

ସ୍ତ୍ରୀ ଓ ପୁରୁଷ ସମସ୍ତେ ପୂର୍ବ ଦିନର କଥା ଭୁଲିଯାଇଥିଲେ ।

 

ଛଅ

 

କ୍ଷେତରେ ଜୋରସୋରରେ କାମ କରିବାର ଏ ପ୍ରକୃଷ୍ଟ ସମୟ । କୁଟ୍ଟନାଟର ସାଧାରଣ ଜୀବନ ତ୍ରସ୍ତ ହୋଇଥାଏ । ସମସ୍ତେ ଏକପ୍ରକାର ଚଞ୍ଚଳ ହୋଇ ଉଠିଛନ୍ତି । ଲୋକମାନଙ୍କ ଯାତାୟାତର ଆଭିମୁଖ୍ୟ ଏକ । ସମସ୍ତ ସ୍ଥାନ କର୍ମମୁଖର ହୋଇଉଠିଛି ।

 

ଓସେପପର ଛ' ହଜାର ପସୁରୀର ଜମି ଛ'ଟି କ୍ଷେତରେ ବିଭକ୍ତ ହୋଇଛି । ପ୍ରତ୍ୟେକ କ୍ଷେତରେ କାମ ହେଉଛି । ତିନି ହଜାର ପସୁରୀ କ୍ଷେତ ମଧ୍ୟରୁ ପାଣିପାଟ କୂଳରେ ଓସେପପର ଛ'ଶହ ପସୁରୀର ଖଣ୍ଡିଏ କ୍ଷେତ ଥିଲା ।

 

୧. ଯେଉଁ ଜମିରେ ଛ'ହଜାର ପସୁରୀ ବିହନ ବୁଣାଯାଏ ।

 

ସବୁ କ୍ଷେତରେ ବନ୍ଧ ଦେବା କାମ ଶେଷ ହୋଇଗଲା । କିନ୍ତୁ ଓସେପପର ଛ'ଶହ ପସୁରୀର ଟୁକୁରା କ୍ଷେତର ବନ୍ଧ ଦେବା କାମ ଆରମ୍ଭ ହୋଇନଥାଏ । କ୍ଷେତରୁ ପାଇଁ ବାହାର କରିଦେବା ପାଇଁ କଳ ଲଗାଇ ଦିଆ-ଯାଇଥାଏ ।

 

ଦିନେ କାମ ଶେଷରେ କୋରନ ଡଙ୍ଗାରେ ଘରକୁ ଫେରୁଥିଲା । ସନ୍ଧ୍ୟା ଗଡ଼ିଯାଇ ଦୁଇ କି ଅଢ଼େଇ ଘଣ୍ଟା ହୋଇଯାଇଥିଲା । ତା' ଆଗରେ ଗୋଟିଏ ଡଙ୍ଗାରେ ଦୁଇ ଜଣ ଲୋକ ବିପରୀତ ଦିଗକୁ ଯାଉଥିଲେ । ସେଥିମଧ୍ୟରୁ ଜଣେ ଅନ୍ୟ ଜଣକୁ ପଚାରିଲା–“ଏ କ୍ଷେତରେ ଇଞ୍ଜିନ ଲଗାହେଲା ପରେ ମଧ୍ୟ ଚକବନ୍ଦୀ କାମ ହୋଇନାହିଁ ।’’

 

‘‘ଏ ବନ୍ଧ ଜଣେ ବଡ଼ କୃଷକର । ଏଇଥିପାଇଁ ସମୟ ଅନୁସାରେ ଏଥିରେ କିଛି ହୁଏ ନାହିଁ ।’’ ଅନ୍ୟ ଜଣକ ଉତ୍ତର ଦେଲା ।

 

‘‘ପୁଷ୍ପବେଲୀ ଓସେପ୍‍ପର ଚାକର କେଉଁମାନେ ?’’

 

ଅନ୍ୟ ଜଣକ ଶମୟଲ, କୁଞ୍ଜାପ୍‍ପୀ ପ୍ରଭୁତିଙ୍କ ନାମ କହିବା ସଙ୍ଗେ ସଙ୍ଗେ କହିଲା ଯେ ଏଥିମଧ୍ୟରୁ କେହି ନିଜର ଦାୟିତ୍ୱ କଥା ବୁଝନ୍ତି ନାହିଁ । ନହେଲେ ଏ ବନ୍ଧ ବନ୍ଧା ନ ହୋଇ ପଡ଼ି ରହିଥାନ୍ତା ! ତେବେ ଏ ବନ୍ଧ କେଵେ ଆଉ ତିଆରି ହେବ ?

 

କୋରନକୁ ଏ କଥା ଭାରି ଖରାପ ଲାଗିଲା । କୁଟ୍ଟନାଟର କୌଣସି ଚାଷୀ ମୂଲିଆ ଏ କଥା ସହି ପାରିନଥାନ୍ତା ।

 

ତା' ମନରେ ଆସିଲା ଡଙ୍ଗାକୁ ଅଟକାଇ ଉତ୍ତର ଦେବ, ସେମାନଙ୍କୁ ଗୋଟିଏ ଜାଗା ନୁହେଁ ଛ' ଛ' ଜାଗାରେ କାମ କରିବାକୁ ପଡ଼ୁଛି । ରାତି ଦିନ ସେମାନେ କାମ କରି ଚାଲିଛନ୍ତି । କିନ୍ତୁ ତାଙ୍କୁ ଉଚିତ ଜବାବ ଦେବା କଥା ଠିକ୍ ମନେ କଲାନାହିଁ ।

 

ସେଦିନ ରାତିରେ କୋରନକୁ ନିଦ ହେଲାନାହିଁ । ପୁଷ୍ପବେଲୀ ମୂଲିଆଙ୍କ ବିରୁଦ୍ଧରେ ହୋଇଥିବା କୁତ୍ସାରଟାନ ତାକୁ ଅପମାନଜନକ ମନେହେଲା ।

 

ଓଣପପଣୀରେ ଯୋଗଦେଇ କାମ କରିବା ତା’ର ଏ ପ୍ରଥମ । ଏ ପର୍ଯ୍ୟନ୍ତ ସେ ଯା'ର ଆବଶ୍ୟକ ହେଉଥିଲା ତା’ର ଦୈନିକ ମଜୁରିରେ କାମ କରୁଥିଲା । ଓଣପପଣୀରେ ଯୋଗଦେବା ପରେ ସେ ସାଧାରଣ ମୂଲିଆରୁ ଚାକର ଅବସ୍ଥାକୁ ଆସିଗଲା । ତାକୁ କଣ କରିବାକୁ ହେବ ତା ପୂର୍ଵନିଶ୍ଚିତ କଥା ହୋଇଗଲା । କାଲି କିଏ ଡାକିବ, କି ପ୍ରକାର କାମ କରିବାକୁ ହେବ ଏ ଚିନ୍ତା କରିବାର ଆବଶ୍ୟକତା ରହିଲା ନାହିଁ । ବର୍ତ୍ତମାନ ତା' ଉପରେ ନିଶ୍ଚିତ ଦାୟିତ୍ୱ ଅଛି । ଆଜିକାଲି କାମ ଦିନମଜୁରିରେ କରିବାକୁ ପଡ଼ୁନାହିଁ । ଏବେ ଦେଶ ନିମନ୍ତେ ଜରୁରୀ ଶସ୍ୟ ଉତ୍ପାଦନ ପାଇଁ କାମ କରୁଛି, ଦେଶବାସୀଙ୍କୁ ଅନ୍ନ ଦେବା ପାଇଁ.....ଯେଉଁ କ୍ଷେତରେ ସେ କାମ କରେ ତା’ର ଆମଦାନୀ ଯେକୌଣସି ଅନ୍ୟ ଜମିଠାରୁ ଅଧିକ ହେବ ଉଚିତ ।

 

ଏହିପରି କୁଟ୍ଟନାଟର ପରୟ ଓ ପୁଲୟମାନଙ୍କର ପ୍ରତିଯୋଗିତାର ଚିନ୍ତା ସାରାଦେଶର ଦୁର୍ଭିକ୍ଷ ଦୂର କରିବାରେ ସହାୟକ ହେଲା ।

 

ଏ ସବୁ ଭାବନା ମନରେ ଆସିବାରୁ କୋରନର ନିଦ କିପରି ଆସିବ ? ତାହାକୁ ମିଶାଇ ଯେତେ କାମ କରିବା ଲୋକ ଅଛନ୍ତି ସେ ସମସ୍ତଙ୍କଠାରେ କାହାରି ଦାୟିତ୍ୱର ଚିନ୍ତା ନାହିଁ–ଏହା ଯଦି ମୁଖିଆ ଶୁଣେ ?

 

କୋରନ ଉଠି କୁଞ୍ଜାପପୀକୁ ଡାକିଲା । ସେ ମଧ୍ୟ ଶୋଇନଥିଲା । କୋରନ ଯା' ଶୁଣିଥିଲା ତା' କୁଞ୍ଜାପପୀକୁ କହିଲା । କୁଞ୍ଜାପପୀର ମଧ୍ୟ କିଛି କଥା କହିବାର ଥିଲା । ଏହି କ୍ଷତରେ ଜଣେ ଜମିମାଲିକ କୃଷକ ତାକୁ ମଧ୍ୟ କିଛି ଶୁଣେଇଥିଲା । କୋରନ ଭାବୁଥିଲା ବନ୍ଧ ନବନ୍ଧାଇବା ତମ୍ପୁରାନ ନିମନ୍ତେ ଅପମାନଜନକ କଥା ।

 

କୁଞ୍ଜାପପୀ କହିଲା–“ହଁ ହଁ, ତୁ ତ ବର୍ତ୍ତମାନ ନୂଆ ! ମୁଖିଆର କିଛି ବିବେକ ବୁଦ୍ଧି ଥିଲେ ସିନା କାମ ହୋଇପାରେ । ତାର ତ କିଛି ବୁଝାମଣା ନାହିଁ । ଶେଷରେ ଯା' ମନକୁ ଆସିବ କରି ପକାଇବ । ଏପରି ତମ୍ପୁରାନ ଖୋଜିଲେ ମିଳିବେ ନାହିଁ । ଚୈତ୍ର ମାସରେ କ୍ଷେତ ମଜୁରିଆ ଧାନ ମାପିବା ସମୟରେ ଦେଖିବା ଦରକାର । ମୁଠିଏ ଧାନ ମଧ୍ୟ ଆମ ଟୋକେଇକୁ ଆସିବାକୁ ହେବ ନାହିଁ । ମାପ ଏପରି କାଇଦାରେ ହେବ ଯେ ସବୁ ତମ୍ପୁରାନ ଭାଗରେ ଚାଲିଯିବ । ଆମ ପାଇଁ ମାପିବା ସମୟରେ ସେ ମଜୁରିଆକୁ ସମସ୍ତେ ଅଭିଶାପ ଦିଅନ୍ତି । ପାନ ଖାଇବାକୁ ମଧ୍ୟ ମୁଠିଏ ଧାନ ତା' ଆଗରୁ ନେବା ଅସମ୍ଭବ ।’’

 

କୋରନ କହିଲା–“ବନ୍ଧ ଠିକ୍‍ କରିବା କାମ କାଲି ଆରମ୍ଭ ନ କରିବା କାହିଁକି ?’’

 

କୁଞ୍ଜାପପୀ ରାଜି ହୋଇଗଲା ।

 

ବଡ଼ିଭୋରରୁ ଓସେପପର ସମସ୍ତ ମୂଲିଆ ମୁଖିଆ ଘରଠାରେ ଏକତ୍ର ହେଲେ । କୋରାନ କେଉଁ କାମ କେଉଁ ବ୍ୟବସ୍ଥା ଅନୁସାରେ ହେବା ଆବଶ୍ୟକ ତା' କହିଲା । କୁଞ୍ଜାପପୀ ତାକୁ ସମର୍ଥନ କରି କହିଲା–ଏପରି କଲେ ଫସଲ ଠିକ୍‍ ଭାବରେ ହୋଇ ପାରିବ । ଶମୟଲର ମଧ୍ୟ ଭିନ୍ନ ମତ ନ ଥିଲା । କୋରନ ଅନ୍ୟ ଗୋଟିଏ କଥା ଭାବିଥିଲା । ଫସଲ ଛ'ଟି କ୍ଷେତରେ କରିବାର କଥା । ସମସ୍ତେ ମିଳିମିଶି ସବୁ କ୍ଷେତରେ କାମ କରିବା ଉଚିତ । ଯଦି ଜଣଜଣକ ଜିମାରେ ଗୋଟିଏ ଲେଖାଏଁ କ୍ଷେତ ଦିଆଯାଆନ୍ତା ଭଲ ହୁଅନ୍ତା । ଯଦ୍ଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ନିଜର ଭାଗ ଭଲଭାବରେ ତୁଲାଇ ପାରନ୍ତେ ।

 

ଶମୟଲ ଏ କଥାରେ ଏକମତ ଥିଲା । ସେ କହିଲା–“ତେବେ ବର୍ତ୍ତମାନ ଏକଥା ନିଶ୍ଚିତ ହୋଇଯାଉ ।’’

 

ଚେନ୍ନନ ଏ କଥାବାର୍ତ୍ତାରେ ଭାଗ ନ ନେଇ ଚାଦର ଘୋଡ଼ିହୋଇ ଗୋଟିଏ ନଡ଼ିଆ ଗଛ ମୂଳରେ ବସିଥିଲା । ସେ କହିଲା–“ମୁଁ ଏପରି କୌଣସି ଦାୟିତ୍ୱ ନିଜେ ନେବାକୁ ଚାହେଁନା ।’’ ଅନେକ ସମୟ ପର୍ଯ୍ୟନ୍ତ କେହି କିଛି କହିଲେ ନାହିଁ । କୋରନ ପଚାରିଲା–“କଣ ? ତୁମେ କଣ ପୁଷ୍ପବେଲୀର ଚାକର ନୁହଁ ?’’

 

ଚେନ୍ନନ କିଛି ସମୟ ଚୁପ ରହି କହିଲା–“ହେ ଟୋକା, ମୁଁ ଆଜିକାଲି ଚାକର ହୋଇନାହିଁ । ବାପ ଅଜା ଅମଳରୁ ଆମେ ପୁଷ୍ପବେଲୀର ଓଣପପଣୀକାର । ସେଇଥିପାଇଁ କହୁଛି ମୋ ଦ୍ୱାରା ଏହା ହୋଇପାରିବ ନାହିଁ ।’’

 

ଏକଥା କୋରନ ବୁଝିପାରିଲା ନାହିଁ । ଵଂଶ ପରମ୍ପରା ଚାକରହେବା ଦ୍ୱାରା ଅଧିକ ମହତ୍ୱପୂର୍ଣ୍ଣ କଥା ହୁଅନ୍ତା ଓ ଦାୟିତ୍ୱ ପୂର୍ଣ୍ଣଭାବରେ ତୁଲାଯାଇପାରନ୍ତା ବୋଲି କୋରନ କହିଲା ।

 

‘‘ପୁଞ୍ଚା କ୍ଷେତର ଆମଦାନୀ ପରୟନ ଓ ପୁଲୟନଙ୍କ ପରିଶ୍ରମ ଉପରେ ନିର୍ଭର କରେ । ଯଦି ଆମ ନିଜ କାମ ଠିକ୍‍ଭାବରେ ନ କରିବୁ ତେବେ ଦେଶରେ ଅକାଳ ପଡ଼ିବ ।

 

ଚେନ୍ନନ ହସି ହସି କହିଲା–“ନୂଆବୋହୂ ଚାଳରେ ମଧ୍ୟ ଝାଡ଼ ଦିଏ ।’’

 

ସମସ୍ତେ ମନେକଲେ ଯଦି କଥାବାର୍ତ୍ତା ଏହିପରି ଭାବରେ ଚାଲେ, ତେବେ କୋରନ ଓ ଚେନ୍ନନ ମଧ୍ୟରେ ନିଶ୍ଚୟ ଅପଡ଼ ହୋଇଯିବ । ଏପରି ବିରୋଧ ଏଡ଼ାଇବାକୁ ଶମୟଲ ଗୋଟିଏ ଗୋଟିଏ କ୍ଷେତ ଜଣଜଣଙ୍କୁ ବାଣ୍ଟିଦେଲା ଓ ନଈ କୂଳରେ ଥିବା ଛ'ଶହ ପସୁରୀର କ୍ଷେତକୁ କୋରନକୁ ସମର୍ପି ଦେଲା ।

 

ଚେନ୍ନନ ପାଇଁ କୌଣସି କ୍ଷେତ ରଖାଗଲା ନାହିଁ । ତା’ର ଉପସ୍ଥିତି ପ୍ରତି ମଧ୍ୟ କେହି ଧ୍ୟାନ ଦେଲେନାହିଁ ।

ଚେନ୍ନନ ଟିକେ ରାଗିଯାଇ ପୂର୍ବଠାରୁ ଗମ୍ଭୀର ହୋଇଗଲା । ସେ ତା’ର ଭାଗ କଥା ପଚାରିବ ବୋଲି ଠିକ୍ କଲା ।

 

‘‘ଶମୟଲ କକା ? ତୁମେ ଏ କଣ କଲ ?’’

 

‘‘କଣକିରେ !’’

 

‘‘ତୁମେ ମଧ୍ୟ ଅପର ଲୋକ ଭଳି ହୋଇଗଲ ! ଆରୁପରେ–ପରୟର (ଅରୁପରା ଘରର ପରୟର) ପୁଷ୍ପବେଲୀର ଚାକର ନୁହେଁ କି ? ସେ ତ କୁଆଡ଼ୁ ଭାସି ଆସିନାହିଁ ।’’

 

ଶମୟଲ କହିଲା–“ଏହା ମୁଁ ଜାଣିଛି ।’’

 

‘‘ତେବେ ତୁମେ ଏପରି କରିନଥାନ୍ତ । ଏ ମୋର ତମ୍ପୁରାନର କ୍ଷେତ ଏଣୁତେଣୁ ଆସିଥିବା ଲୋକଙ୍କୁ ତୁମେ କ୍ଷେତର ଦାୟିତ୍ୱ ସମର୍ପି ଦେଲ । ମତେ କିନ୍ତୁ ଭୁଲାଇ ଦେଲ । ମୁଁ ମଧ୍ୟ ପୁଷ୍ପବେଲୀର ନିମକ ଖାଉଛି ।’’

 

‘‘ତୁମେ କହିଲ ନାହିଁ ଯେ ମୋ' ଦ୍ୱାରା ଏହା ହୋଇପାରିବ ନାହିଁ ?’’

 

‘‘ଏପରି ହୋଇଛି ଯେ ମୁଁ କେବେ କେବେ କେବେ ତମ୍ପୁରାନ ସାଙ୍ଗରେ କଳି କରିଛି । ଥରେ ଥରେ ମଧ୍ୟ କାମକୁ ଯାଏନା । ତମ୍ପୁରାନ ସମୟ ସମୟରେ ମଧ୍ୟ ମାଡ଼ ଦିଏ । ଅତି କମରେ ବର୍ଷକୁ ଦୁଇଥର ଯାଏ ମାଡ଼ ଖାଇଥାଏ । ଏକଥା ତୁମେ ଜାଣିଛ । ଅତଏବ ତମ୍ପୁରାନର କ୍ଷେତରେ ଫସଲ ଉତ୍ପନ୍ନ କରିବା କାମ ମୋର ।’’

 

‘‘ତେବେ ଯେଉଁ କ୍ଷେତ ତୋର ପସନ୍ଦ ହେଉଛି ନେ ।’’

 

ଚେନ୍ନନ ପୁଷ୍ପବେଲୀ ଓ ନିଜ ଘର ସମ୍ବନ୍ଧରେ କହିବାକୁ ଲାଗିଲା । ଦିନେ ପୁଷ୍ପବେଲୀ ପରିବାର ବଡ଼ ଧନୀ ଥିଲେ । ପୁଣି ସେମାନଙ୍କର ସବୁ ନଷ୍ଟଭ୍ରଷ୍ଟ ହୋଇଗଲ । ଏହାପରେ ସେମାନଙ୍କ ଅବସ୍ଥା ଭଲଆଡ଼କୁ ଗତିକଲା ଓ ପୁଣି ମନ୍ଦ ହୋଇଗଲା । ବର୍ତ୍ତମାନ ପୂଣି ଭଲଆଡ଼କୁ ଯାଉଛି । ପୁଷ୍ପବେଲୀ ପରିବାର ସଙ୍ଗରେ ଏ ଉତ୍‍ଥାନ ପତନ ସବୁ ସହ୍ୟ କରି ତା' ବାପ ଅଜା ତାଙ୍କ ସେବାରେ ସମୟ କଟାଇ ଆସିଛନ୍ତି । ଅକାଳ ସମୟରେ ମଧ୍ୟ ସେମାନେ ପୁଷ୍ପବେଲୀ ଜମିଦାର ସଙ୍ଗରେ ରହି ତା'ଙ୍କ ଅଭିବୃଦ୍ଧିରେ ଭାଗ ନେଇଛନ୍ତି । ମୋ ପିଲାବେଳେ ଦେଖିଛି ତମ୍ପୁରାନକୁ ମୋ ଅଜା ଗାଳି ଦେଉଥିଲା । ସେହି ଚେନ୍ନନକୁ କେହି ବାଦ୍ ଦେଇପାରେ ? ବାଦ୍ ଦେଲେ କଣ ବାଦ୍ ହେବ କି ?

 

ଏହି ଦିନ ଛ'ଶହ ପସୁରୀର କ୍ଷେତରେ ବନ୍ଧ ବନ୍ଧାଇବା କାମ ଆରମ୍ଭ କରିବାର ଠିକ୍ ହୋଇଗଲା; କିନ୍ତୁ ଚେନ୍ନନ ନିଜର ନ୍ୟାଯ୍ୟ ଅଧିକାର ପ୍ରକାଶ ନକରି ରହିପାରିଲା ନାହିଁ । ସେ କହିଲା- ‘‘ମୁଁ ଆଜି ବନ୍ଧ ବନ୍ଧାଇବା ପାଇଁ ଆସିପାରିବି ନାହିଁ ।

 

ଶମୟଲ ପଚାରିଲା–“କାହିଁକି ?’’

 

‘‘ମୋ ଦ୍ୱାରା ଏହା ହେବ ନାହିଁ । ଯାଇ ତମ୍ପୁରାନକୁ କହିଦିଅ ।’’

 

ଚେନ୍ନନର ବିଶ୍ୱାସ ଥିଲା ଯେ ପୁରାତନ ସମ୍ବନ୍ଧ ଯୋଗୁଁ ତମ୍ପୁରାନ ପାଖରେ ତା’ର କିଛି ସ୍ୱାଧୀନତା ଅଛି । ଏ ସ୍ୱାଧୀନତାକୁ ତା' ନିଜ ସଙ୍ଗୀମାନଙ୍କ ଉପରେ ପ୍ରକଟ କରିବାର ବାସନା ତାର ଥିଲା ।

 

ସାତ

 

ଚେନ୍ନନ ଅବଶ୍ୟ ଅପରାଧୀ । ଏପରି ସମୟରେ କାମକୁ ନଯିବା ଅତ୍ୟନ୍ତ ଅନୁଚିତ ହୋଇଛି । ତମ୍ପୁରାନ ସଙ୍ଗରେ ଭଲ ଭାବ ଥିଲେ ସୁଦ୍ଧା, ତା' କିନ୍ତୁ ଠିକ୍ ନଥିଲା । ଏହା କୁଟ୍ଟନାଟର ପୁଲୟନ ଯୋଗ୍ୟ କାର୍ଯ୍ୟ ନୁହେଁ । ମଜୁରି ନମିଳୁ, ଆମଦାନୀ ନ ହେଉ, ତଥାପି ତା’ର କର୍ତ୍ତବ୍ୟ ହେଉଛି ଧାନ ଉତ୍ପନ୍ନ କରି ଖଳାରେ ପହଞ୍ଚାଇ ଦେବା । ଏ ବ୍ୟବସ୍ଥା ପୂର୍ବରୁ ଚଳିଆସିଛି ।

 

ପୁଣି ତାକୁ ମାଡ଼ ଦେଇ ତା ଗୋଡ଼ ଭାଙ୍ଗିଦେବା, ତା’ର କୁଡ଼ିଆକୁ ଭାଙ୍ଗିରୁଜି ପକାଇବାକୁ ନ୍ୟାୟସଙ୍ଗତ କାର୍ଯ୍ୟ ବୋଲି କୁହାଯାଇପାରେନା । ତା’ର ସର୍ବନାଶ କରି ଦିଆଯାଇଛି-। ଠେକି ମାଠିଆ ଆଦି ଭାଙ୍ଗି ଦିଆଯାଇଛି । ତା' ପୁଅକୁ ମାଡ଼ ଦିଆଗଲା । ସେ ତା' ବଡ଼ ଝିଅ ସାନ ପୁଅକୁ ଘେନି ପାଣିକୁ ଡେଇଁପଡ଼ିଲା, ତେବେ ସୁଦ୍ଧା କୁହାଯାଉଛି ତା' ଉପରେ ମାଡ଼ ବସିବ-

 

ଛ' ମାସ ପୁଅକୁ ଧରି ସେ ପାଣିରେ ବୁଡ଼ିଲା କିନ୍ତୁ ପୁଅକୁ ଛାଡ଼ିଲା ନାହିଁ । ଶୁଣାଗଲା ଯେ ଗୋଡ଼ ଭାଙ୍ଗି ପଡ଼ିଗଲା ପରେ ମଧ୍ୟ ଚେନ୍ନନ ଉପରେ ମାଡ଼ ବସିଲା ।

 

ତମ୍ପୁରାନ ଏପରି ମନୁଷ୍ୟତା ହଜାଇ ହସିବା ଓ ନିର୍ଦ୍ଦୟତା ଦେଖାଇବା କୋରନକୁ ଅସହ୍ୟ ଜଣାଗଲା । ଏ ଘଟଣା ଶୁଣି ସେ କମ୍ପି ଉଠିଲା । ଏହି ତା’ର ତମ୍ପୁରାନ, ଯା'ର ସେ କାମ କରୁଛି । ଧନୀ ଓ ଦରିଦ୍ର ଉଭୟଙ୍କୁ ସଦା ସର୍ବଦା ସହାୟ ହେଉଥିଲେ ଏହି ଅରୁପରା ପରୟର ! ଚେନ୍ନନ କେତେ ଅଭିମାନରେ ବର୍ଣ୍ଣନା କରୁଥିଲା ! ସେ କହୁଥିଲା, ତମ୍ପୁରାନର ଜମିରେ ଶସ୍ୟ ଉତ୍ପାଦନ କରିବା ତା’ର କାର୍ଯ୍ୟ । ...ତା’ର ବିଶ୍ୱାସ ଥିଲା ସେ ସ୍ୱୟଂ ଯାହା କିଛି କରୁ, ତମ୍ପୁରାନ ସବୁ ସହ୍ୟ କରିବ । ସହ୍ୟ କରିବା ପାଇଁ ତମ୍ପୁରାନ ତାକୁ ଋଣରେ ବାନ୍ଧିଛି ।

ଚାରିଆଡ଼େ ପଳାଇଯାଇଥିବା ସେ ଘରର ସମସ୍ତ ଲୋକ ରାତି ଭିତରେ କଣ ଏକତ୍ର ହେବେ ? ...କଣ ଚେନ୍ନନ ଏହିପରି ଅବସ୍ଥାରେ ପଡ଼ିଥିବ ?

କୋରନକୁ ଜଣାଗଲା ପୁଷ୍ପବେଲୀ ଜମିଦାର ଓ ଲୋକଙ୍କ ବାପ ଅଜା ଅମଳରୁ ଚାଲିଆସିଥିବା ବାତ୍ସଲ୍ୟ କଥା ବିଲ୍ କୁଲ ମିଥ୍ୟା । ଏଥିରେ ଅଣୁମାତ୍ର ବାତ୍ସଲ୍ୟତା ନଥିଲା । ଅଜ୍ଞାନ ଅନ୍ଧକାର ସତ୍ୟର ପ୍ରତିରୂପ ବିଚରା ପରୟମାନେ ତମ୍ପୁରାନଙ୍କ ପାଇଁ ସମସ୍ତ ଅର୍ପଣ କରି ଏମାନଙ୍କର ନିର୍ମମ ଛଳନା ଉପରେ ବିଶ୍ୱାସ କରିଥଲେ । .....ବର୍ତ୍ତମାନ ଚେନ୍ନନ କଣ ଭାବୁଥିବ ? ଆଉ ତା’ର ସ୍ୱର୍ଗୀୟ ବାପ ଅଜା ! ....ସମ୍ଭବ ଏହି ପରୟଙ୍କ ଆତ୍ମା, ଯିଏ ନିଜର ତମ୍ପୁରାନ ପାଇଁ ଜନ୍ମେ, ଜୀଏ ଓ ମରେ, ଆଜି ଗୋଡ଼ ଛୋଟା ହୋଇଥିବା ଚେନ୍ନନ ଚାରିପାଖରେ ଘୁରି ବୁଲୁଥିବେ । ଏହି ଲୋକଙ୍କର ସମସ୍ତ ସେବା ବ୍ୟର୍ଥ ହୋଇଗଲା ?

କୋରନ କୁଞ୍ଜାପପୀକୁ କହିଲା–“ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଆମର ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଛି ।’’

‘‘କାହିଁକି ?’’

‘‘ଏହିପରି ହୋଇଥାଏ । ଆମେ ଜୀବନମୂର୍ଚ୍ଛା କାମ କରି କିଛି ଲାଭ ନାହିଁ । ଆମେ ସବୁ ମୂର୍ଖ । ମୁଁ ଅରକକଲର ଚାକର, ପୁଷ୍ପବେଲୀର ଓଣପ୍‍ପଣୀକାର, ମୋର ତମ୍ପୁରାନ ଅମୀର, ମୋର କ୍ଷେତରେ ଅଧିକ ଫସଲ ହୁଏ–ମୁଁ ଏପରି ଭାବ ରଖିପାରେ ଏବଂ କହି ବି ପାରେ । କିନ୍ତୁ ଲାଭ କିଛି ନାହିଁ ।’’

କୁଞ୍ଜାପପୀ ଅର୍ଥପୂର୍ଣ୍ଣ–ହସ ହସିଦେଲା, ଧରିନେଲା କୋରନ ଅବୋଧ ଶିଶୁ । କହିଲା-”ଜଣେ ପରୟନକୁ ତମ୍ପୁରାନ ମାରିଲା । ଏଥିପାଇଁ ଏତେ କହିବାର ଓ ଭାବିବାର କଣ ଅଛି-? ତୋ'ପରି ଟୋକାଙ୍କୁ କଣ ଜଣାଅଛି ? ତମ୍ପୁରାନ ଚାକରକୁ ମାରିଦେଇପାଏ । ତାର ଏ ଅଧିକାର ଅଛି ।’’

କୋରନ–“ଅଚ୍ଛା, ଏ କଣ ସେମାନଙ୍କର ଅଧିକାର ? ଏହା କିପରି ଅଧିକାର ?’’

କୁଞ୍ଜାପପୀ କହିଲା–“ଶୁଣ, ତୁ ତ ଜାଣୁ ମାଟି ଓ କାଦୁଅରେ ଠିଆଠିଆ ବୁଣାବୁଣି କରିବା ଓ ପାଣିରେ ବୁଡ଼ି ବୁଡ଼ି ବନ୍ଧ ବନ୍ଧାଇବା ଆଦି କାମରେ ଆମେ ଏତେ କଷ୍ଟ କାହିଁକି ସହୁଛୁ । ତୁ ନ ବୁଝି ଏଥିରେ ଦୁଃଖ କରନା । ଭାଇଟି ମୋର ! କଷ୍ଟ ହେଉଛି, ଏ କଥା ତ ଠିକ୍ । କିନ୍ତୁ ପରୟନ ଏବଂ ପୁଲୟନଙ୍କ ଜନ୍ମ ଏପରି ମିଳି ନଥାନ୍ତା । ପୂର୍ବଜନ୍ମ ସତକର୍ମର ଫଳସ୍ୱରୂପ ହିଁ ପୁଲୟନଙ୍କୁ ଜନ୍ମ ମିଳିଛି । ଟିକିଏ କଥାକୁ ଭାବ, ସାରା ଦେଶର ଲୋକଙ୍କ ପାଇଁ ଅନ୍ନ ଉପୁଜାଇବା କାର୍ଯ୍ୟ କିଏ କରୁଛି ? ପରୟନ ଓ ପୁଲୟନ, ନୁହେଁ କି ? ତୁ କହୁଛୁ କି, ଲାଭ କଣ ?

କୋରନ ମନରେ ଏ ତତ୍ତ୍ୱଜ୍ଞାନ ପ୍ରବେଶ କଲ ନାହିଁ । ସେ ଆଉ କିଛି କଥା ଭାବୁଥିଲା, “ଵଂଶ-ପରମ୍ପରାରୁ ସେବା କରିଆସିଥିବା ବିଶ୍ୱସ୍ତ ପରୟ ପୁଅକୁ ମାରି, ପିଟି ମୁନିବ ଯେତେବେଳେ ତା' ଗୋଡ଼ ଭାଙ୍ଗିଦେଲା, ସେତେବେଳେ ଦୋଷ ହୋଇଯିବା ପରେ କାଲି ଆସିଥିବା କୋରନର ସେ କଣ କରିବେ ?’’

କୁଞ୍ଜାପପୀ କହିଲା–“ଆସନ୍ତା ଜନ୍ମରେ ଆମର ମଙ୍ଗଳ ହେବ । ହଁ ଗୋଟିଏ କଥା, ଚେନ୍ନନକୁ କିଛି ଅଧିକ ଶାସ୍ତି ମିଳିଗଲା । ଏତେଟା ହେବା ଉଚିତ ନଥିଲା । ଶୁଣ ବାପା, ଆଗକାଳର ମୁନିବ ଆଜି ନାହାନ୍ତି । ସେମାନେ ଏପରି ମାଡ଼ ଦେଉଥିଲେ ଓ ନିଜେ କାନ୍ଦୁଥିଲେ, ନିଜେ ବି ସେବା ଶୁଶ୍ରୁଷା କରୁଥିଲେ । ସେ ଚାକରମାନଙ୍କୁ ଆପଣା ପରିବାରର ଅଙ୍ଗ ବୋଲି ମନେ କରୁଥିଲେ ।

 

‘‘ଗୋଟିଏ ପିଲା ଜନ୍ମ ପରେ ଏବଂ ପ୍ରସବ, ନାମକରଣ ଓ ବିବାହ ପ୍ରଭୃତିର ସମସ୍ତ ଖର୍ଚ୍ଚ ଏ ଲୋକେ ଉଠାଉଥିଲେ । ସେତେବେଳେ ଯଦି ତମ୍ପରାନ କାହାରିକୁ ମାଡ଼ ମାରେ ତେବେ ତା' ଭାଗ୍ୟ ଉଜ୍ଜ୍ୱଳ ହୋଇଯାଏ । ଆଜି ଅବସ୍ଥା ବଦଳିଯାଇଛି ।

 

କୋରନ ଜାଣିଥିଲା ଏସବୁ କଥା ଅନେକାଂଶରେ ସତ୍ୟ । ଯେତେବେଳେ ତା' ଅଜା ମରିଯାଇଥିଲା ସେତେବେଳେ ତାଙ୍କର ତମ୍ପୁରାନ ସବୁ ଖର୍ଚ୍ଚ ଦେଇଥିଲା । ଅରକକଲ ତମ୍ପୁରାନ ନିଜେ ଠିଆ ହୋଇ ସମସ୍ତ କ୍ରିୟାକର୍ମ ବିଧିପୂର୍ବକ କରାଇଥିଲା । ଯେତେବେଳେ ଶବ ପୋତା ହେବାକୁ ଯାଉଥିଲା ସେତେବେଳେ ବିଚରା ବୃଦ୍ଧ ତମ୍ପୁରାନ କାନ୍ଦିଥିଲା ।

 

ଏସବୁ ସତ କଥା । ପୂର୍ବକାଳରେ କୁଟ୍ଟନାଟର କୃଷକ ଓ ପୁଲୟନମାନଙ୍କର ମଧ୍ୟରେ ଏକ ହାର୍ଦ୍ଦିକ ସମ୍ବନ୍ଧ ଥିଲା । ସେତେବେଳେ ଏମାନେ ଏକ ପରିବାରର ଅଙ୍ଗ ଭଳି ଥିଲେ ।

 

କୁଞ୍ଜାପପୀ ପୁଣି କହିଲା–“ସେ ସମୟରେ ମୁନିବ ଜଙ୍ଘ ତଳକୁ ମାଡ଼ ମାରୁଥିଲେ । ମାରିବା ସମୟରେ ଯଦି ଭୁଲରେ ଅନ୍ୟ କେଉଁ ସ୍ଥାନରେ ମାଡ଼ ବାଜିଯାଉଥିଲା ତେବେ ସେ ଚାକରମାନଙ୍କ ପରିବାରର ସମସ୍ତ ତତ୍ତ୍ୱ ନେଉଥିଲେ ।’’

 

କୁଞ୍ଜାପପୀ ଆଗକାଳର ଅବସ୍ଥା ବିସ୍ତାରିତଭାବରେ କହିଲା-‘‘ପ୍ରଥମେ ଅବସ୍ଥା କିପରି ଥିଲା ଜାଣିଛୁ ? ଶୁଣ, ବଢ଼ି ଝଡିବର୍ଷା ଦିନେ ଯେତେବେଳେ କାମ ନ କରି ଘରେ ବସିରହୁଥିଲୁ, ସେତେବେଳେ ଧାନ କରଜ ଦେଉଥିଲେ । ପୁଣି ଶ୍ରାବଣ ଅମାବାସ୍ୟା, ଜ୍ୟେଷ୍ଠ ମାସରେ ହେଉଥିବା ଚମ୍ପାକୁକଲମର ମୂଳମ ଉତ୍ସବ ଏବଂ ଓଣମ ତଥା ମକମ ଆଦି ପର୍ବରେ ଭଲ ପୁରସ୍କାର ଦିଅନ୍ତି । ଦୈନିକ ଏ ଦିନର ମଜୁରି ସଉଆ ଦୁଇ ସେର ରହିଥାଏ । ଦୁଇପ୍ରହର ବେଳକୁ କଞ୍ଜି' ମଧ୍ୟ ଦିଆଯାଏ । ଧାନ କଟାକଟି ଆରମ୍ଭ ହୋଇଗଲେ କାମକଲା ଲୋକଙ୍କର କେତେ ଆମଦାନୀ ହେଉଥିଲା, ଏ କଥା ଶୁଣିବୁ ?’’

 

୧. ମୂଳା ନକ୍ଷତ୍ର ଦିନ ଉତ୍ସବ; ସେ ଉତ୍ସବରେ ଖେଳ ହୁଏ ।

 

୨. ଓଣମ କେରଳର ସର୍ବଶ୍ରେଷ୍ଠ ପର୍ବ । ଭଦ୍ରକାଳର ରାଜା ମହାବଳୀ । ସେ ନିଜ ରାଜ୍ୟର ସମସ୍ତ ଭୂମି ବାମନାବତାର ବିଷ୍ଣୁଙ୍କୁ ଦାନ କରି ଦେଇଥିଲେ । ବର୍ଷକରେ ଥରେ ସେ ନିଜ ପ୍ରଜାଙ୍କୁ ଦେଖିବାକୁ ଆସନ୍ତି । ତାଙ୍କର ଆଗମନ ଉପଲକ୍ଷେ ଲୋକମାନେ ନିଜେ ଖାଆନ୍ତି ଓ ଖୁଆନ୍ତି, ଖେଳନ୍ତି ଓ ଅଛୁଆଁ ଲୋକମାନଙ୍କୁ ନୂତନ ବସ୍ତ୍ର ଦିଅନ୍ତି । ଏହା ଦେଖି ମହାବଳୀ ପ୍ରସନ୍ନ ହୁଅନ୍ତି ।

 

୩. ଆଶ୍ଵିନ ମାସରେ ମକର ନକ୍ଷେତ୍ର ଦିନ ମକାମ ବୋଲି ଗୋଟିଏ କ୍ଷୁଦ୍ର ଉତ୍ସବ ପାଳନ କରାଯାଏ-

 

୪. ପତଳା ମଣ୍ଡ, ଯେଉଁଥିରେ ଭାତର କିଛି ଅଂଶ ମିଶି ରହୁଥିଲା ।

 

କୋରନ କହିଲା–“ପୁରୁଣା କଥା ଶୁଣି ଲାଭ କଣ ? ଆଉ କଥା କୁହ ! ମୁଁ ସବୁ ଶୁଣିବାକୁ ଚାହେଁ ।’’

 

କୁଞ୍ଜାପପୀର ଗୋଟି ଗୋଟି କରି ସବୁ କଥା ମନେ ପଡ଼ୁଥାଏ । ତା’ର ସେ ପୂର୍ବ ସ୍ମୃତି ମନେପଡ଼ି ଆନନ୍ଦ ଆସୁଥିଲା । ଧୀରେ ଧୀରେ ସେ ଭାବାବେଶରେ କହିଲା–‘‘ଜମିର ଆମଦାନୀରୁ ପ୍ରକୃତ ମୂଲିଆମାନଙ୍କୁ କେତେ ଶସ୍ୟ ମିଳୁଥିଲା । ତାଡ଼ି ପିଇବାକୁ ହଳା, ଦୈନିକ ଖର୍ଚ୍ଚ ପାଇଁ ହଳା, ତା ବ୍ୟତୀତ ପିଲାକବିଲା ଥିଲେ ତାଙ୍କ ପାଇଁ ଅଳି କରି ଚାହିଁଲେ ମଧ୍ୟ ମିଳୁଥିଲା ।’’

 

‘‘ଧାନବୁଣାବେଳେ ବିହନ ଓ ଅନ୍ୟାନ୍ୟ ବାବଦକୁ ପାଞ୍ଚ ପସୁରୀ ଧାନ ମିଳୁଥିଲା । ଯଥେଷ୍ଟ ଉତ୍ପନ୍ନ ହେଉଥିଲା । କିନ୍ତୁ ସେ ସମୟର ଚାଷର ଲକ୍ଷ୍ୟ ଥିଲା ମୁନିବ ବଡ଼ଲୋକ ନ ହୋଇ, ମୁନିବ ଓ ଚାକର କିପରି ନିର୍ବାହ ହେବେ ତା’ର ଚିନ୍ତା କରିବା । କିନ୍ତୁ ଆଜି ? ତୁ ଜାଣିଥିବୁ, ଧାନ ଉତ୍ପନ୍ନ କରୁଛୁ ଆମେ; ଅଥଚ ତମ୍ପୁରାନ ଆମମାନଙ୍କୁ ମଜୁରି ପାଇଁ ଧାନ ନ ଦେଇ ଅନ୍ୟକୁ ବିକ୍ରି କରିଦିଅନ୍ତି । ସେ ସମୟରେ ତମ୍ପୁରାନମାନେ ଆମ ସ୍ତ୍ରୀଲୋକମାନଙ୍କୁ ଆଖି ଟେକି ଚାହୁଁ ନଥିଲେ; କିନ୍ତୁ ଆଜିକାଲି ଯୁବକ ତମ୍ପୁରାନମାନେ ଆମର ଯୁବତୀ ଝିଅଙ୍କ ପଛରେ ଲାଗିଛନ୍ତି ।’’

 

କୁଞ୍ଜାପପୀର ଦୀର୍ଘ ବିବରଣ ଓ ତୁଳନା କୋରନର ବିଚାରଶକ୍ତିକୁ ଜାଗ୍ରତ କରିଦେଲା । ସବୁ ଠିକ୍ ଅଛି । କିନ୍ତୁ ତମ୍ପୁରାନ ଏବଂ ଚାକରମାନଙ୍କ ମଧ୍ୟର ସମ୍ବନ୍ଧକୁ ଏକରାରନାମାଦ୍ୱାରା ନିଶ୍ଚିତ କଲା ପରେ ମଧ୍ୟ ଆଜିକାଲି ଯୁଗରେ ଯଦି ତମ୍ପୁରାନ ଚାକରମାନଙ୍କୁ ମାରନ୍ତି, ମଜୁରି ଠିକ୍ ନ ଦିଅନ୍ତି ଏବଂ ଯୁବକ ତମ୍ପୁରାନମାନେ ଏମାନଙ୍କ ସ୍ତ୍ରୀଲୋକମାନଙ୍କ ପିଛା ଧରନ୍ତି, ତେବେ କଣ କରିବା ଆବଶ୍ୟକ ?

 

ଆଠ

 

ପୁଷ୍ପବେଲୀ ଓସେପପର ସମସ୍ତ ଜମିରୁ ପାଣି ବାହାର କରି ଦିଆଯାଇ ବୁଣାବୁଣି କାମ ଶେଷ କରି ଦିଆଗଲା । ଚାକରମାନଙ୍କ ମଧ୍ୟରେ ତର୍କ-ବିତର୍କ ହେଲା କାହାର ଜମିର ଧାନ ଭଲ ହୋଇଛି । ଆପଣା ଆପଣା ମଧ୍ୟରେ ମାରପିଟଯାଏ କଥା ଗଲା ।

 

କୁଞ୍ଜାପପୀ ଅଭିଯୋଗ କଲା ତା' ଜମିରେ ଠିକ୍ ସମୟରେ ଫସଲ ଲଗାଗଲା ନାହିଁ । ଇଟୟାତୀ ଅଭିଯୋଗ କଲା ତା' ଜମିରେ ବିହନ ଭଲ ନଥିଲା । ତମ୍ପୁରାନ ଉପରେ ଏମାନେ ଅସନ୍ତୁଷ୍ଟ ହେଲେ । ଭଲ ବିହନ ନହେଲେ ଚାଷ ନ କରିବା ଭଲ । ମୂଳରୁ ଭଲ ନ ହେଲେ ଫସଲ କିପରି ଭଲ ହୋଇପାରେ ?

 

କୁଟ୍ଟନାଟର ତମ୍ପୁରାନମାନେ ପ୍ରଥମରୁ ଏପରି ଭର୍ତ୍ସନା ଚୁପହୋଇ ଶୁଣିଯାନ୍ତି ।

 

ପ୍ରଥମ ଥର ପାଣି ବାହାର କରିଦେଲା ପରେ ଜଣାଗଲା କେଉଁ କ୍ଷେତ ଭଲ ଓ କେଉଁ କ୍ଷେତ ଖରାପ । ସବୁ କ୍ଷେତଠାରୁ କୋରନ କ୍ଷେତର ଫସଲ ଭଲ ହୋଇଛି ବୋଲି ମୁଖିଆ କହିଲା-

 

କୋରନ ପାଇଁ ଏ ଦିନଟି ଉତ୍ସବ-ଦିନ ପରି ଥିଲା । ଗୋଟିଏ କ୍ଷେତର ସମ୍ପୂର୍ଣ୍ଣ ଭାର ନିଜେ ନେଇ କାମ କରିବା କୋରନ ପକ୍ଷରେ ଏ ପ୍ରଥମ । ଚାଷ ବିଷୟରେ ଅଭିଜ୍ଞତା ଥିବା ଲୋକ ଥାଉଁ ଥାଉଁ କୋରନକୁ ପ୍ରଥମ ସ୍ଥାନ ମିଳିଲା । ସେ ଦିନ କୋରନ ପେଟେ ତାଡ଼ି ପିଇଲା । ସେହି ଦିନ ରାତିଅଧକୁ କୃଷିକ୍ଷେତ୍ରର ଗୋଟିଏ ଦୂର କୋଣରୁ ସଙ୍ଗୀତର ଝଙ୍କାର ଉଠି ଚତୁର୍ଦ୍ଦିଗ ବ୍ୟାପିଗଲା । ଆଖପାଖର ଜଗୁଆଳିମାନେ ଏ ସଙ୍ଗୀତକୁ ଦୋହରାଇଲେ ।

 

ଧାନକ୍ଷେତର ମଝି ହିଡ଼ରେ ଓଣପପଣୀକାର କାନ୍ଧରେ ଥଳି ଝୁଲାଇ ଯାଉଥିଲା–ସେତେବେଳେ ଧାନଗଛର ପତ୍ର ପବନରେ ଦୋହଲି ଦୋହଲି ଏକ ମର୍ମରଧ୍ୱନି କରୁଥିଲା; ଅର୍ଥାତ୍ ତା’ର ପରିଚିତ ବୋଲି ସଙ୍କେତ ଦେଉଥିଲା ।

 

କୋରନ ଅନ୍ୟ ଜଗୁଆଳିମାନଙ୍କୁ ମଧ୍ୟ ଉପଦେଶ ଦେବାକୁ ଲାଗିଲା । ବର୍ତ୍ତମାନ ଜଣାପଡ଼ିଗଲା ତାକୁ ମଧ୍ୟ କ୍ଷେତ କଥା ଜଣାଅଛି । ଯେଡ଼େ ଭୟଙ୍କର ବଢ଼ି ହେଉ, ନ ଭାଙ୍ଗିବା ଭଳି ବନ୍ଧ ବାନ୍ଧିବା, ଢାଲୁ ଦେଖି ନାଳ କରିବା, ଅଙ୍କୁର ଦେଖି ଧାନ ଭଲମନ୍ଦ ହେବା ଅନୁମାନ କରିବା, ଧାନ ଖରାପ ହେଲେ ତା’ର କାରଣ ବୁଝିବା ଇତ୍ୟାଦି ଅନେକ କଥା ତାକୁ ଜଣାଅଛି ।

 

କୋରନ ସଙ୍ଗୀମାନଙ୍କର ଏଥିରେ ଈର୍ଷା ହେଲା । ପୋନ୍ନିଟୀକୁ ଜଣା ତା' କ୍ଷେତ କାହିଁକି ଖରାପ ହୋଇଗଲା । ବୁଣା ପରେ ଜମିରୁ ପାଣି ବାହାର କରିଦେବାରେ ଦୁଇଦିନ ବିଳମ୍ବ କରିଦେଲା । ଯେଉଁଦିନ କ୍ଷେତ ଶୁଖିଗଲା, ସେଦିନ ମେଘ ବର୍ଷିଲା । କ୍ଷେତରେ କ୍ଷାର ମାଟି ବାହାରିଲା । ଏସବୁ ତା’ର ଭୁଲ ନୁହେଁ ।

 

ପୋନ୍ନିଟୀ ତମ୍ପୁରାନ ଘରେ ପହଞ୍ଚିଲା । ସେ ସେଦିନ ଓସେପପକୁ ଜାଗ୍ରତ କରାଇଲା । ସେ ପଚାରିଲା–‘‘ମୋ ଉମର କେତେ ହେବ, ତମ୍ରା ?’’

 

‘‘କଥା କଣ କିରେ ! କହିଲୁ ?’’

 

‘‘ବଡ଼ ତମ୍ରା ଅମଳରୁ ମୁଁ କାମକରି ଆସୁନାହିଁ କି ?’’

 

‘‘ଏଇଥିପାଇଁ ?’’

 

ପୋନ୍ନିଟ୍ଟୀ ଦୁଃଖପୂର୍ଣ୍ଣ ହୃଦୟରେ କହିଲା-”ମୋତେ ଏପର୍ଯ୍ୟନ୍ତ ଏତେ ଅପମାନ ସହିବାକୁ ପଡ଼ିନଥିଲା ।’’

 

ପୋନ୍ନିଟ୍ଟୀ ତାର ଅଭିଯୋଗ ଶୁଣାଇଲା । ସେ ଆଜିପର୍ଯ୍ୟନ୍ତ ଭଲ କାମ କରି ସମସ୍ତଙ୍କ ମଧ୍ୟରେ ନିଜର ସୁନାମ ରଖିପାରିଥିଲା । ଏ ବର୍ଷ ତା'କୁ ମେଣ୍ଟ ନ ହେବ ଅପମାନ ସହିବାକୁ ପଡ଼ିଛି । ତା’ର କ୍ଷେତ ସବୁଠାରୁ ଖରାପ ଉତୁରିଛି । ସେଥିପାଇଁ ତମ୍ପୁରାନ ଦାୟୀ । ସେ ଜାଣିଶୁଣି ତା'ପ୍ରତି ଅନ୍ୟାୟ କରିଛି ।

 

ଓସେପପ ହସ ରୋକି ପାରିଲା ନାହିଁ ।

 

ପୋନ୍ନିଟ୍ଟୀ କହିଲା–“କେଉଁଆଡ଼ୁ ଗୋଟାଏ ଟୋକା ଆସିଲା, ମୁନିବ ମଧ୍ୟ ଦରକାର ଅନୁସାରେ ତାକୁ ସାହାଯ୍ୟ କଲା । ତା' କ୍ଷେତ ପହିଲା ନମ୍ବର ହୋଇ ଉତୁରିଲା । ବାପ-ଅଜା ଅମଳରୁ କାମ କଲାଵାଲା ଆମେ ସବୁ ଅଯୋଗ୍ୟ ହେଲୁ !’’

 

ଓସେପପ ଏ କଥା ବୁଝିପାରିଲା । ପୋନ୍ନିଟ୍ଟୀ କ୍ଷେତରେ ଫସଲ ଭଲ ନ ହେବା ତା' ଦୁଃଖର କାରଣ । ସେ ପଚାରିଲା–‘‘ଏଥିପାଇଁ ବର୍ତ୍ତମାନ ତୁ କଣ କରିବାକୁ ଚାହୁଛୁ ?’’

 

‘‘କ୍ଷେତରେ ପକାଇବାକୁ ଗୋବର ଓ ପାଉଁଶ ଆବଶ୍ୟକ ।’’

 

ଓସେପପ ସ୍ୱୀକାର କଲା । ପୋନ୍ନିଟ୍ଟୀ ଚାଲିଯିବା ପରେ କୋରନ ଆସିଲା । ତା’ର ମଧ୍ୟ ଗୋଟିଏ ଗୁହାରି ଥିଲା । ତା' କ୍ଷେତରେ ଯଦି ଆଉ କିଛି ଖତ ଦିଆଯିବ ତେବେ ଫସଲ ଅଧିକ ଭଲ ହେବ । ଓସେପପ ମଧ୍ୟ ଏ କଥା ସ୍ୱୀକାର କଲା । ଏହିପରି ପୁଷ୍ପବେଲୀ ଓସେପପର କୃଷି ଦିନୁଁ ଦିନ ବଢ଼ିବାରେ ଲାଗିଲା । ଜମିର ଫସଲ ସମୟ ଅନୁସାରେ ପାଣି, ଖରା ଓ ଖତ ପାଇ ସବୁଜ ବର୍ଣ୍ଣ ହୋଇ ପବନରେ ଆନ୍ଦୋଳିତ ହେବାକୁ ଲାଗିଲା ।

 

୧ ତମ୍ରା–“ତମ୍ପୁରାନ”

 

ବେଉଷଣ କାମ ଆମ୍ଭେ ହେଲା ।

 

ସ୍ତ୍ରୀଲୋକମାନେ ଏହି ଶ୍ୟାମଳ କ୍ଷେତ ମଧ୍ୟରେ ଠିଆହୋଇ ଧାଡ଼ିବନ୍ଦି ଭାବରେ ବେଉଷଣ କାମ କରନ୍ତି । ଗୀତ ଚାଲିଥାଏ ଓ ଗୀତ ତାଳ ସଙ୍ଗେ ସଙ୍ଗେ ବେଉଷଣ କାମ ଚାଲିଥାଏ । ଯେତେବେଳେ ପଦେ ଗୀତ ଶେଷ ହେଉଥାଏ ସେତେବେଳେ ସମସ୍ତଙ୍କ ହାତ ଏକସଙ୍ଗରେ ଉଠୁଥାଏ ଏବଂ ଏକ ସଙ୍ଗରେ ପୁଣି ବେଉଷଣରେ ଲାଗୁଥାଏ ।

 

ଏକ ସଙ୍ଗରେ ମିଳିମିଶି କାମ କରୁଥିବା ଯୋଗୁଁ ଏ କାମରେ ବିଶେଷ ଆନନ୍ଦ ଆସିବା ସଙ୍ଗେ ସଙ୍ଗେ ଏକ ଶକ୍ତିର ଅନୁଭବ ହେଉଥାଏ । ଏ ଗୀତ ଗାଇବାଦ୍ୱାରା ଶିରାପ୍ରଶିରାର ରକ୍ତ ଗରମ ହୋଇ ଉଠୁଥାଏ । ତା’ର ଧ୍ୱନି ମଧ୍ୟ ହୃଦୟକୁ ଦୋହଲାଇ ଦେଉଥାଏ । ଗୀତ କ୍ରମେ କ୍ରମେ ଯେପରି ତୀବ୍ର ହୋଇଉଠୁଥିଲା, ତାଳ ମଧ୍ୟ ସେହିପରି କ୍ରମେ ତୀବ୍ର ହୋଇଉଠୁଥାଏ ଏବଂ କାମ ମଧ୍ୟ ସେତିକି ଜୋରରେ ଚାଲିଥାଏ ।

 

କୋରନ ଏହି ଦିନ ପେଟପୂରା ତାଡ଼ି ପିଇଥିଲା । ଚିରୁତା ଗୀତ ଗାଇବାବାଲୀ ଥିଲା । ତାର ମଧୁର କଣ୍ଠରେ ଗାନର ମାଧୁରୀ ଜଣାପଡ଼ିଲା । ଅନ୍ୟ ସମସ୍ତେ ଗୀତକୁ ଦୋହରାଉଥାନ୍ତି । ଗୀତର ବିଷୟ ଜଣେ ଅଜ୍ଞାତ କବିଙ୍କର ଲିଖିତ ଗୋଟିଏ ପ୍ରେମ କାହାଣୀକୁ ନେଇ ରଚିତ । ଜଣେ ପରୟନ ଜଣେ ପରୟୀକୁ ପ୍ରେମ କରିବାର ଏ କାହାଣୀ । ମଝିରେ ମଝିରେ କୋରନ ମଧ୍ୟ ସେମାନଙ୍କ ନିକଟକୁ ଯାଇ ତାଳ ଦେଇ ସେମାନଙ୍କ ସଙ୍ଗରେ ଗାନ ଗାଇବାରେ ଲାଗିପଡ଼େ । ଏ ଗୀତରେ ଏପରି ଗୋଟିଏ ସ୍ଥାନ ଥାଏ ଯେଉଁଠି ପତିପତ୍ନୀ ଜଣେ ଅନ୍ୟ ଜଣକୁ ଦେଖି କଥାବାର୍ତ୍ତା କରନ୍ତି । ସେଠି ନାୟିକା ପ୍ରଶ୍ନ କରେ ଓ ନାୟକ ତାର ଉତ୍ତର ଦିଏ । ଏହିପରି କାମ କରୁଥିବା ଲୋକମାନେ ନିଜକୁ ଭୁଲିଯାଇ ଦ୍ୱିପ୍ରହର ଟାଣ ଖରା ଅନୁଭବ ନ କରି କାମ କରିଥାନ୍ତି ।

 

ତମ୍ପୁରାନ ପୁଅ ଚାକୋ ଏଠାରେ ଆସି ପହଞ୍ଚିଗଲା । କାମକଲା ଲୋକଙ୍କୁ ଏ କଥା ଜଣାନାହିଁ । ସେମାନେ ଗୀତ ଗାଇବାରେ ଭୋଳଥିଲେ ।

 

କେବଳ କୋରନର ଗୀତ ବନ୍ଦ ହୋଇଗଲା । ସେ ଥରିଉଠିଲା ।

 

ଚାକୋ ଚିରୁତା ପଛରେ ଠିଆହୋଇଥିଲା । କୁଞ୍ଜାପପୀର ସେଦିନ କଥା କୋରନର ମନେପଡ଼ିଗଲା । ତା' କାନରେ ଏ କଥା ପ୍ରତିଧ୍ଵନିତ ହେଲା–“ଛୋଟ ମୁନିବମାନେ ଝିଅମାନଙ୍କ ପଛରେ ଲାଗିଥାନ୍ତି ।’’

 

କୋରନ କହିଲା–“ହେ ଛୋଟ ମୁନିବ, ସେଠି କାହିଁକି ଠିଆ ହୋଇଛୁ ? ଉପରକୁ ଆଃ-!’’

 

ଚାକୋ ସେଠାରୁ ଚାଲିଗଲା । ସ୍ତ୍ରୀଲୋକମାନେ ସେ ସମୟରେ ଗୀତ ଗାଇ ବେଉଷଣ କାମରେ ଲାଗିଥାନ୍ତି । କୋରନ ଗୀତ ଗାଉନଥିଲା । ତା’ର ଉତ୍ସାହ ଏକବାର ଥଣ୍ଡା ପଡ଼ିଗଲା । ମଦନିଶା ମଧ୍ୟ ସେତେବେଳକୁ ଛାଡ଼ି ଯାଇଥିଲା । ଧୀରେ ଧୀରେ ତାର ଶୀଥିଳତା ଜଣାପଡ଼ିବାକୁ ଲାଗିଲା ।

 

ନଅ

 

କୋରନର ଧାନକ୍ଷେତରେ ଧାନ ଭଲ ଭାବରେ ବଢ଼ୁଥିଲା । ଓସେପପର ଅନ୍ୟ କ୍ଷେତରେ ମଧ୍ୟ ଫସଲ ଭଲ ହୋଇଥିଲା । ସବୁଠାରୁ କୋରନର ଭଲ ହୋଇଥିଲା ।

 

ଦିନେ ରାତିରେ ଚିରୁତା କୋରନକୁ ବସି ଖୁଆଉଥିଲା । ସେ ଆଜି ବଳକା ନୁହେଁ, ପୂର୍ଣ୍ଣ ବୟଃପ୍ରାପ୍ତ ଜଣେ ପରୟନ ।

 

କୋରନକୁ ସେ ଦିନର ତରାକାରି ଖୁବ୍ ଭଲ ଲାଗିଲା । ସେ ବସି ଆନନ୍ଦରେ ଖାଉଥିଲା । ସ୍ୱାମୀ ତା’ର ଆନନ୍ଦରେ ଖାଉଥିବା ଦେଖି ଚିରୁତା ଖୁସି ହୋଇ ପରିବେଷଣ କରୁଥିଲା-

 

‘‘ଭାତ ଆଉ କିଛି ଦିଅ ?’’

 

‘‘ହଁ...”

 

‘‘ଅନେକ ଦିନ ପରେ ବସି ଠିକ୍‍ଭାବରେ ପେଟ ପୂରାଇ ଖାଇଲା । ଆଜିକାଲି ବନ୍ଧ ଉପରେ ହିଁ ବରାବର ଖିଆପିଆ ହେଉଛି ।’’

 

ଚିରୁତା ଆଉ କିଛି ଭାତ ଓ ତରକାରି ପରଷିଦେଲା । କୋରନ କହିଲା-”ଏପରି କାମର ଫଳ ମଧ୍ୟ କ୍ଷେତରେ ଦେଖିବାକୁ ମିଳିଯାଉଛି ।’’

 

ଚିରୁତା କିଛି କହିଲା ନାହିଁ । କିନ୍ତୁ ମନେ ମନେ କଣ ଭାବୁଥିଲା । ଜଣାଯାଉଥିଲା ତା’ର ଅନେକ କଥା କହିବାର ଅଛି ।

 

କୋରନ କହିଲା–“ତୁ କଣ କିଛି ଅନୁଭବ କରିପାରୁନାହୁଁ ?”

 

‘‘କେଉଁ କଥା ?’’

 

‘‘ଯାହା ମୁଁ କହିଲି ।’’

 

‘‘ଓ !’’

 

‘‘କି 'ଓ' ର ଅର୍ଥ କଣ ?’’

 

ଚିରୁତା ଭାବିଲା ସେ ଯାହା କହିଲା, କୋରନକୁ ବୋଧହୁଏ ଭଲଲାଗିଲା ନାହିଁ । ସେ କହିଲା–“ମୁଁ ତ କିଛି କହିନାହିଁ ।’’

 

‘‘ନା, ତୁ କିଛି କହିନାହୁଁ । କ୍ଷେତ ବିଷୟରେ କଥାବାର୍ତ୍ତା ହେଲେ ତୁ ବରାବର ଚୁପ୍ ହୋଇଯାଉଛୁ । ହସୁଥିଲେ ମଧ୍ୟ ସେ ସମୟରେ ତୋ ହସ ଉଭାନ ହେଇଯାଉଛି ଏବଂ ତୁ ଗମ୍ଭୀର ହୋଇଯାଉଥିବାର ଲକ୍ଷ୍ୟ କରୁଛି । ଏହାହିଁ ଦେଖୁଛି ।

 

ଚିରୁତାର ଯାହା କହିବାର ଥିଲା, ତାହା ତା ହୃଦୟକୁ ଆଲୋଡ଼ିତ କରିପକାଉଥିଲା । କିନ୍ତୁ ସେ କଥା କଣ କହିବାର କଥା ? ସ୍ୱାମୀକୁ କଣ ଭଲ ଲାଗିବ ? ଏଯାଏଁ ତା ମୁହଁରୁ ପଦେହେଲେ ସ୍ୱାମୀର ଅହିତକର କଥା ବାହାରି ନଥିଲା । କହିବାକୁ ତ ଅନେକ କଥା ଅଛି । ବର୍ତ୍ତମାନ ତା ମନରେ ସେ କଥକ ଆଉ ଚାପି ରଖିପାରିବ ନାହିଁ । ଏବେ ମଧ୍ୟ ସେ ତାକୁ ଚାପି ରଖିବାକୁ ଚେଷ୍ଟା କରୁଥିଲା ।

 

ସ୍ୱାମୀର ମନକଥା ଜାଣିବା ପାଇଁ ତା ଆଡ଼କୁ ଚାହିଁଲା-‘‘ଯଦି ମୁଁ କହିବି ତାହା ଚୁଗୁଲି ବୋଲି କୁହାଯିବ । ଏହିପରି କ୍ଷେତ କ୍ଷେତ ଭାବି ଛାତିଫଟା କାମ କରି କଣ ହେବ ? ଆଜି କେତେ ଦିନ ପରେ ଘରକୁ ଆସିଛ । ଠିକ୍ ଭାବରେ ଖାଉଛ ନା ବିଶ୍ରାମ କରୁଛ । ଏପରି କାମ କରି ଯଦି କେବେ ବେମାରରେ ପଡ଼ିଯିବ କଣ ହେବ ? ମୁଁ ମଧ୍ୟ ଅନେକ ଓଣପପଣୀକକାର ଦେଖିଛି । ବାପରେ, ଏପରି କେଉଁଠି ହୁଏ ନାହିଁ । ଥରେ କ୍ଷେତକୁ ନ ଦେଖିଲେ ତୁମ ଜୀବନ ଆଉଟି-ପାଉଟି ହୋଇଯାଉଛି । ହାତ ଧୋଇବାକୁ ହେଲେ ବନ୍ଧ ଉପରେ ଯାଇ ହାତ ଧୋଇବ ।’’

 

କୋରନ ସବୁ କଥା ବୁଝିପାରିଲା । କହିଲା–“ହଁ, ତୁ ଯାହା କହୁଛୁ ତା' ଠିକ୍ କଥା । କିନ୍ତୁ ଥରେ ଏ କ୍ଷେତକୁ ଯାଇ ଦେଖିଲୁ ! ଧାନକୁ ଦେଖି ତୋର ସେଠୁ ଆସିବାକୁ ଇଚ୍ଛା ହେବ ନାହିଁ ।’’

 

‘‘ଧାନ କ୍ଷେତରେ ଛାଏଁ ଛାଏଁ ବଢ଼ିବ ।’’

 

‘‘ତୋତେ କଣ କହିବି । ତୁ ପୁଞ୍ଚା–କ୍ଷେତରେ କାମ କଲା ପରୟନ–ଘର ଝିଅ ନୋହୁଁ, ସେଥିପାଇଁ ଏପରି କହୁଛୁ । ଜମିରୁ ଧାନ ଉତ୍ପନ୍ନ କରିବା ପରୟନଙ୍କ କାମ ।’’

 

ଚିରୁତା ଟିକେ ଅସନ୍ତୁଷ୍ଟ ହେଲା । ତା' ବାପ ଓଣପପଣୀକ୍‍କାରନହୋଇ ପୁଞ୍ଚା-କ୍ଷେତରେ କାମ କରିଛି । ସେ ମଧ୍ୟ ଜଣେ ବଡ଼ ଚାଷୀର ଚାକର ।

 

ଚିରୁତା ସମ୍ମାନରେ ଆଞ୍ଚ୍ ଆସିଲା । ସେ କହିଲା,‘‘ହଁ ! ପୁଞ୍ଚା–କ୍ଷେତ ଆଉ ଏଥିରେ କାମ କରିବା ଲୋକ ମୁଁ ଦେଖିଛି । ମୁଁ ମଧ୍ୟ ଜଣେ ବଡ଼ ଚାକର । ଧାନ ବଛା-ବେଉଷଣ ପରେ କାମକଲାବାଲାଙ୍କର ସବୁବେଳେ କ୍ଷେତରେ ପଡ଼ିରହିବା କିଛି ଆବଶ୍ୟକ ନାହିଁ । ପୁଞ୍ଚା–କ୍ଷେତକାମ ଯାହାକୁ ଜଣାନାହିଁ ସେ ଏହିପରି ପଡ଼ି ରହିଥାଏ ।’’

 

କୋରନ ରାଗିଗଲା । ସେ କହିଲା-‘‘ତେବେ କଣ ବିହନ ବୁଣାବୁଣି ସାରି ଘରେ ତୋ' ପାଖରେ ବସିରହିବି ?’’

 

‘‘ମୁଁ କଣ ଏଇୟା କହିଲି ? ଏତେ କଷ୍ଟ କରି କାମରେ ସବୁବେଳେ ବ୍ୟସ୍ତ ରହି ବେମାର ପଡ଼ିଗଲେ, ସେ ସମୟରେ ସାହାଯ୍ୟ ପାଇଁ କେହି ଆସିବେ ନାହିଁ । ସେ ସମୟରେ ମୁଁ ହିଁ କେବଳ ପାଖରେ ଥିବି ସିନା ।’’

 

‘‘ପୁଞ୍ଚା–କ୍ଷେତ ବନ୍ଧ ଉପରେ ପରୟନ ରହିଲେ ତା’ର ପ୍ରଭାବ ଖୁବ୍ ଭଲ ହେବ । ଏହି ସମୟରେ ଧାନଗଛର ବିଶେଷ ବୃଦ୍ଧି ହୋଇଥାଏ ।’’

 

ଚିରୁତାର ଆଉ କିଛି କହିବାର ଥିଲା । ସେ ଭାବୁଥିଲା, ‘‘ଖାଲି ଏପରି ଭାବରେ କାମ କଲେ ଲାଭ କଣ ?’’

 

‘‘କି, ଏପରି କାହିଁକି କହୁଛୁ’’

 

‘‘ଧାନ ହେଲା ପରେ ସବୁ ତ ତମ୍ପୁରାନ ନେଇଯିବ । ଭାବୁଛ, ଏ ଆମର ମୁନିବ ?’’

 

କୋରନ କଣ ଉତ୍ତର ଦେବ, ଅନେକ ସମୟ ପର୍ଯ୍ୟନ୍ତ ଭାବିପାରିଲା ନାହିଁ । କାରଣ ଭଲ ଧାନ ହେବା ଦେଖି ତା ମନରେ ଗୋଟିଏ ଚିନ୍ତା ଖେଳିଯାଇଥିଲା ।

 

‘‘ଧାନ ଉତ୍ପାଦନ କରିବା ଚାକରଙ୍କ କାମ । କ୍ଷେତରେ ଧାନ ହୁଏ । ତମ୍ପୁରାନ ସହିତ ସମ୍ବନ୍ଧ ଗୋଟିଏ ଆଠଅଣିଆ କାଗଜରେ ଲେଖି ନିଶ୍ଚିତ କରାଯାଇଥାଏ । ସେ ତା’ର ମୁନିବ । କେବେ ମୁନିବ ତା’ ଚାକରକୁ ନିଜର ବୋଲି ଭାବିପାରେ ?’’

 

ଚିରୁତା କହିବା ଅନୁସାରେ ଯଦି ସେ ଚାରିଦିନ ବେମାର ପଡ଼ିଯାଏ ? ଜୀବନର କଣ ପରିସ୍ଥୟ ? ...ଯାହା ସେ କହିଲା, କ୍ଷେତରେ ଯେତେ ଧାନ ହେଲେ ଧାନ ହେଲେ ମଧ୍ୟ, ସେଥିରେ କଣ କଣ ଲାଭ ? ଏ ଚୁକ୍ତିନାମା ଆନୁସାରେ ତା’ର ଯେତେ ପାଇବାର ଅଧିକାର ସେତିକି ହିଁ ତ ମଳିବ ।

 

ଆଉ ମଧ୍ୟ ସେ କ୍ଷେତରେ ଜଗୁଆଳି କାମ ମଧ୍ୟ ତା’ର । ସେ କ୍ଷେତରେ ଧାନ ପୋତିଲା ଓ ବଢ଼ାଇଲା । ସେ ଶ୍ୟାମଳ ଶସ୍ୟକ୍ଷତକୁ ଦେଖିବାମାତ୍ରେ ସବୁ କଥା ଭୁଲିଯାଏ । ସେ କଣ ପରୟନ ନୁହେଁ ।

 

ଚିରୁତାକୁ ପ୍ରକୃତ ଜବାବ ନ ଦେଇ ପାରିବା କାରଣରୁ ସେ ଗୋଳମାଳରେ ପଡ଼ିଥିଲା ।

 

ଚିରୁତା ଆଗେ କହିଲା–“ମୁଁ ଏସବୁ ତମ୍ପୁରାନଙ୍କୁ ଭଲ ପାଏ ନାହିଁ । ସେମାନେ ବଡ଼ ସ୍ୱାର୍ଥପର ଓ ଲୋଭୀ ।”

 

କୋରନ ଏ କଥାକୁ କାଟିପାରିଲା ନାହିଁ ।

 

ସେ ପୁଣି କହିଲା–“ବର୍ଷାପାଣି ମଧ୍ୟରେ ମାଟି ପକାଇ କୁଡ଼ିଆ କରିବାକୁ ହେବ ?”

 

‘‘ନହେଲେ ପୁଣି କେଊଁଠିକି ଯିବା ?”

 

‘‘ଏ ବର୍ଷର କମାଣି ନେଇ ଆମେ ଏ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଗଲେ କ୍ଷତି କଣ-?”

 

‘‘କେଉଁଆଡ଼େ ?”

 

‘‘ଯୁଆଡ଼େ ହେଉ ।”

 

କୋରନ କିନ୍ତୁ ଏ କଥାରେ ରାଜି ନ ଥିଲା । ଯେଉଁଆଡ଼େ ଗଲେ ପୁଣି ତ ନୂଆ ତମ୍ପୁରାନ ସାଙ୍ଗରେ ସମ୍ୱନ୍ଧ ରଖିବାକୁ ପଡ଼ିବ । ତା’ଠାରୁ ବର୍ଷେ ଯାହା ସାଙ୍ଗରେ ପରିଚିତ ହେଲେଣି ସେ ବରଂ ଭଲ । କେବଳ ସେତିକି ନୁହେଁ, ସେ ବଂଶ-ପରମ୍ପରା ମଧ୍ୟ ବଡ଼ କୃଷକ । ତା ଅଧିନରେ ଅନେକ ଚାକର ମଧ ଅଛନ୍ତି । ସେ ତା’ରି ଚାକର ରହିଲେ କଣ ? କୋରନ କହିଲା–ଶୁଣ ଏହିପରି ସମସ୍ତ ଚାକର ହୋଇଥାନ୍ତି । କିଛି ନହେଲେ ତ’ ନିକଟରେ ଚାରି ପାଞ୍ଚ ପସୁରୀର ଜମି ତ ଅଛି ।”

 

‘‘ଯାହାହେଲେ ମଧ ମୁଁ ପସନ୍ଦ କରେ ନାହିଁ । ବଡ଼ ତମ୍ପୁରାନ ସାଙ୍ଗରେ ଯେକୋଣସି ପ୍ରକାରେ ଚଳିଯାଇ ହେବ । କିନ୍ତୁ ଯେତେବେଳେ ତା’ ପୁଅର ସମୟ ଆସିବ, ସେତେବେଳେ କାମ ଆମର ଦରକାର ନାହିଁ । ତା’ ପୂର୍ବରୁ ଆମେ ଚାଲିଯିବା ଉଚିତ ।”

 

ଚିରୁତା କଥାରୁ ଭୟର ଆଭାସ ମିଳୁଥିଲା । ଏହାର କାରଣ କଣ, ତା’ କୁହାଯାଇ ପାରିବ ନାହିଁ । କୋରନ ମନରେ ଏକ ଚିନ୍ତାର ଉଦ୍ରେକ ହେଲା ।

 

‘‘କିରେ, ଛୋଟ ତମ୍ପୁରାନ ଖରାପ ନ କଣ ?”

 

‘‘ତାର ଚାଲବୁଲ, ଢଙ୍ଗଢ଼ାଙ୍ଗ ସବୁ ଖରାପ ବୋଲି ଜଣାଯାଏ । ସେ ଖରାପ ବୋଲି ଜଣାପଡ଼ୁଛି ।”

 

ଦୂରରୁ ଆସୁଥିବା ଘୋର ଗର୍ଜନ ଶୁଣାଗଲା, କୋରନ ଦୌଡ଼ି ବାହାରକୁ ଗଲା । ଲୋକେ ଚିତ୍କାର କରୁଥାନ୍ତି, ‘‘ବଢ଼ି ଆସିଲା, ବଢ଼ି ଆସିଲା ।’’

 

କୋରନ କ୍ଷେତର ବନ୍ଧ ଭାଙ୍ଗି ପଚାଶ ଫୁଟ ପର୍ଯନ୍ତ ଓସାର ହୋଇଗଲା । ଦିନରାତି ଯଦି ଚାଳିଶି ପଚାଶ ଜଣ ମୂଲିଆଙ୍କୁ ଲଗାଇ କାମ କରିଲା ପରେ କୋଣସିପକାରେ ବନ୍ଧ ବନ୍ଧାହୋଇପାରେ । ଏ ଦିନ ସମୁଦ୍ରରେ ପ୍ରବଳ ଜୁଆର ଆସିଥିଲା ।

 

ସେହି ଦିନରୁ ଚାରିଟି ଇଂଜିନି ଲଗାଇ କ୍ଷେତରୁ ପାଣି ବାହାର କରିବାର ବ୍ୟବସ୍ଥା ହେଲା । ଦୁଇିଦିନ ମଧ୍ୟରେ ଖେତ ଠିକ୍‍ ହୋଇଯିବାର ନିଶ୍ଚୟ ହୋଇଗଲା । ଧାନ ପାଣିରେ ଦୁଇ ଦିନ ବୁଡ଼ିରହିବାଦ୍ୱାରା ଭଲ ଫଳ ହେବ । ଏହା କୃଷିବିଶେଷଜ୍ଞଙ୍କ ମତ ।

 

ଜଗୁଆଳର ଭୁଲ ଧରାଯିବ । ବନ୍ଦ ଭଙ୍ଗିଗଲା, ଏହା ତା’ ଅସାଵଧାନତାରୁ ହୋଇନାହିଁ ତ ? ଏଥିରେ ତମ୍ପୁରାନ ଉପରେ ଅଧକ ଖର୍ଚ୍ଚ ପଡ଼ିଗଲା । ଫସଲ ଭଲ ହେଲେ ଖର୍ଚ୍ଚ କାଟିନେଇ ମଧ୍ୟ ଭଲରକମ ଫସଲ ମିଳିଲେ ରକ୍ଷା । ତେବେ ଚାକରର ଭୁଲ ବାହାର କରିବାକୁ ଏ ଏକ ସୁଯୋଗ ମିଳିଲା ।

 

ତିନି ଚାରି ଦିନ ଖୋଜିବା ପରେ ଯାଇ ଓସେପପ କୋରନକୁ ଭେଟିଲା ।

 

ବନ୍ଧ ଭାଙ୍ଗିବାବେଳେ କୋରନ କ୍ଷେତରେ ନଥିଲା । ତା’ର ଏ ସମୟରେ କୋଣସି ସ୍ଥାନକୁ ଯିବାଦ୍ୱାରା ଦାୟିତ୍ୱହୀନତା ପ୍ରକାଶ ପାଉଛି ବୋଲି ଓସେପପ ଅଭିଯୋଗ କଲା ।

 

କୋରନ ବାହାରକୁ ଆସୁ ନଥିଲା । ସେଦିନଠାରୁ ସଙ୍ଗୀମାନେ ତମ୍ପୁରାନଠାରୁ ଦୂରରେ ରହିବାକୁ ମତ ଦେଲେ । ରାଗରେ କଣ ଯଦି କରିବସେ । ଏକ ସପ୍ତାହ ପରେ ଯେତେବେଳେ ଧାନ ପୁଣି ଦେଖିବାକୁ ଭଲ ଜଣାଯିବ ସେତେବେଳେ ଯାଇ ଭେଟିବା ଠିକ ହେବ ।

 

କୋରନ ବାହାରକୁ ଆସିବାକୁ ଲଜ୍ୟା ଅନୁଭବ କରୁଥିଲା । ତା’ ଉପରେ ଗୋଟିଏ ଭାରି ବଡ଼ ଅପବାଦ ଲାଗିଯାଇଥିଲା । ବନ୍ଧ ଭାଙ୍ଗି ଯିବାର କିଛି ପ୍ରକୃତ କାରଣ ଥିଲା । ପୁଞ୍ଚ-କ୍ଷେତରେ ପବିତ୍ରତା ରଖିବା ମିଥା କଥା ନୁହେଁ । ସେ ଘରକୁ ଯାଇ ଅଶୁଦ୍ଧ ହୋଇ ବନ୍ଧ ଉପରକୁ ଯାଇଥିଲା । ଏଥିପାଇଁ ବନ୍ଧ ଭାଙ୍ଗିଗଲା ।

 

ଜଣେ ବୃଦ୍ଧା ପରୟୀ କହିଲା–‘‘ଦୁହେଁ ତ ଯୁବା !”

 

ଦଶ

 

ଦିନେ ପ୍ରାତଃକାଳରୁ ମନ୍ଦିର ଓ ଗୀର୍ଜାମାନଙ୍କରେ ମଙ୍ଗଳସୂଚକ ଘଣ୍ଟି ବାଜି ଉଠିଲା । ଏହାର କିଛି ବିଶେଷ କାରଣ ଥିଲା । ପଚାରିବାରୁ ଜଣାଗଲା ବୟସ୍କମାନଙ୍କୁ ଭୋଟ ଅଧିକାର ମିଳିବାର ଆନନ୍ଦ–ଉତ୍ସଵ ପାଳନ କରାଯାଉଛି ।

 

ପୁଲୟ ଓ ପରୟନମାନେ ଜାଣିଲେ ଯେ ସାରାଦେଶର ତମ୍ପୁରାନମାନେ ସଭା କାହିଁକି କରୁଥିଲେ । ପତାକା ନେଇ ଗଳିକନ୍ଦିରେ କାହିଁକି ଶୋଭାଯାତ୍ରା କରି ବୁଲୁଥିଲେ ଏବଂ କାହିଁକି ବଡ଼ ବଡ଼ ତମ୍ପୁରାନମାନେ ଜେଲ ଯାଇଥିଲେ । ଏହା ସବୁ ସେଦିନ ଶୁଣିଥିଲେ ।

 

କୋରନର ଗୋଟିଏ କଥା କହିବାର ଥିଲା । ପୂର୍ବ ଭୋଟବେଳେ (ସେତେବେଳେ ସମସ୍ତଙ୍କର ଭୋଟ ଦେବାର ଅଧିକାର ନଥିଲା) ସେ ଭୋଟରମାନଙ୍କୁ ନିଜ ଅରକ୍‍କଲ ତମ୍ପୁରାନ କଥା ଅନୁସାରେ ଡଙ୍ଗାରେ ଆଣି ବିଦ୍ୟାଳୟରେ ପହଞ୍ଚାଇଥିଲା । କୁଞ୍ଜାପ୍‍ପୀ ମଧ୍ୟ ଏହିପରି କରିଥିଲା । କୋରନ କହିଲା–‘‘ସେଦିନ ଭାରି ମଜା ହେଲା । ସୁନ୍ଦରା ଫିଟାଲାବେଳକୁ ଡଙ୍ଗାରେ ଚଢ଼ିଥିଲା । ଯା’ ଚାହିଁଵ ତା 'ତାଡ଼ି ମାଗିଲେ ତାଡ଼ି, ଖାଇବା ସମୟରେ ଖାନାସବୁ ମିଳିଲା । ସନ୍ଧ୍ୟାକୁ ତମ୍ପୁରାନ କହିଲା, ‘ତୁମକୁ ମଧ୍ୟ ଭୋଟ ଅଧିକାର ମିଳିବା ଉଚିତ ଦଶଟଙ୍କାରୁ ସେ ଅଧିକ ଦେଲା । ସେ ସମୟରେ ଆମ ତମ୍ପୁରାନ ଜିତିଲା ।”

 

କୁଞ୍ଜାପପୀ କହିଲା–“ଭୋଟ ହେବାର ମାସକ ପୂର୍ବରୁ ମୋର ତମ୍ପୁରାନ ଘରେ ତାଡ଼ି ଓ ମାଂସ ଖୁବ୍‍ ଚାଲିଥିଲା । ମୁଁ କୁକୁଡ଼ା ଓ ବତକ କଟାକଟି କାମ କରୁଥିଲି । ମୋ ତମ୍ପୁରାନ ଜିତିଲା ।”

 

ଶମୟଲ କହିଲା–“ଭୋଟରମାନଙ୍କୁ ପଇସା ମଧ୍ୟ ଯଥେଷ୍ଟ ମିଳିଲା”।

 

ଏ କଥା ସତ ବୋଲି ଧରାଗଲା । କୋରନ ନିଜ ଅନୁଭବର ଗୋଟିଏ କଥା କହିଲା ।

 

ସମସ୍ତଙ୍କୁ ସମାନ ସମାନ ଦିଆଯାଇ ନଥିଲା । କାହାକୁ ଟଙ୍କାଏ, କାହାକୁ ଦୁଇଟଙ୍କାରୁ ଦଶଟଙ୍କା ପର୍ଯ୍ୟନ୍ତ ଦିଆଗଲା । ଆମ ଘର ପାଖର ଜଣେ ତମ୍ପୁରାନ ଘରେ ଚାରିଜଣ ଲୋକଙ୍କର ଭୋଟ ଥିଲା । ମୋର ମୁନିବ ରଦ୍‍ଗଦ୍‍ କରି ପନ୍ଦର ଟଙ୍କା ଦେବାର ଠିକ୍‍ କଲା, ଶେଷରେ ପଚାଶ ଟଙ୍କା ଦେଲା । ମତେ ମଧ ପୁରସ୍କାର ମିଳିଲା ।

 

କଣ ଭାବି କେଜାଣି ଶମୟଲ ପଚାରିଲା–‘‘ଏଥର ତ ଆମମାନଙ୍କୁ ପଇସା ମିଳିବ ?”

 

‘‘ହିଁ ନିଶ୍ଚୟ ମିଳିବ ।”

 

‘‘ଏହା ହେଲେ ଭଲ କଥା ।”

 

ଆକାଶକୁ କମ୍ପାଇଦେବା ଭାଳି ଉଜ୍ଜଳ ବାରୁଦର ବିସ୍ଫୋଟର ଶବ୍ବରେ ସମଗ୍ର ଵାୟୁମଣ୍ଡଳ କମ୍ପି ଉଠିଲା । ଏ ଦିନ ତମ୍ପୁରାନମାନେ ନିଜ ନିଜର ଚାକରମାନଙ୍କ ଘରକୁ ଯାଇ କହିଲେ ଯେ ଏହି ଦିନ ଆନଦ–ଉତ୍ସବ ପାଳନ କରିବା ଉଚିତ ।

 

ଏ ଦିନ ନୌକାରେ ଜଳବିହାର କରିବାର ବାବସ୍ଥା କରାଯାଇଥିଲା । ଷୋହଳଟି ବଡ଼ ନୌକା ଓ କେତୋଟି ଛୋଟ ନୌକା ସଜାଇବାର ଠିକ୍‍ ହେଲା । ପରୟନ ଏବଂ ପୁଲୟମାନେ ସମସ୍ତେ ଭଲ ପୋଷାକ ପିନ୍ଧି ନୌକା-ବିହାରରେ ଯୋଗ ଦେଲେ । ଦ୍ୱିପହର ପରେ ନୌକାବିହାର ଆରମ୍ଭ ହେଲା । ନୌକାରେ ତ୍ରିରଙ୍ଗ ପତାକା ଉଡ଼ାଯାଇଥିଲା ।

ଦକ୍ଷିଣ–ଭାରତରେ ଉତ୍ସବ ସମୟରେ ବାଣ ଓ ଡିନାମାଇଟ ବ୍ୟବହାର ହୋଇଥାଏ ।

କୁଞ୍ଜାପ୍‍ପୀ କୋରନକୁ ପଚାରିଲା–“ଏ କେଉଁ ପତାକା ?”

କୋରନ ଜାଣିନଥିଲା । ପ୍ରଥମେ ତମ୍ପୁରାନମାନେ ଯେତେବେଳେ ସଭା କରୁଥିଲେ ଯେତେବେଳେ ସେ ଏହିପରି ପତାକା ଦେଖିଲା ।

‘‘ଏ କଣ ଇସାଇଙ୍କ ପତାକା ?”

‘‘ତେବେ ସେଥିରେ ତ କ୍ରଶ ଚିହ୍ନ ନିଶ୍ଚୟ ଥାନ୍ତା ।”

“ଏ କଣ ମନ୍ଦିର ପତାକା ?”

‘‘ଛି ।”

‘‘ଗୋରାମାନଙ୍କ ପତାକା ଏପରି ନୁହେଁ । ଏମିତିକା କି ?”

‘‘ନା, କିନ୍ତୁ ଦେଖିବାକୁ ଭଲ ଲାଗେ ।”

ବାହାରୁ ଆସୁଥିବା ଲୋକେ ନୌକା ଚାଲିବା ସମୟରେ ଯେଉଁ ଗୀତ ଆରମ୍ଭ କରିଥିଲେ, ତାକୁ ଏମାନେ ଆଉଡାଇ ପାରିଲେ ନାହିଁ । ସମସ୍ତ ନୌକାରେ ଏକପ୍ରକାର ଗୀତ । ନିଜ ମଧ୍ୟରେ ପ୍ରତିଯୋଗିତା ନ ଥିଲା । ଗୀତ ଏକବାର ନୂଆ । ସେହିପରି 'ଅର୍ପୁବେଲୀ’ ବଦଳରେ 'ଜୟ'ଧ୍ୱନିର ବାବହାର ଶୁଣା ଯାଇ ନଥିଲା ।

ନୌକାବିହାର ପରେ ଗୀର୍ଜା ସମୁଖ ପଡ଼ିଆରେ ସଭା ହେଲା । କେତେ ଜଣ ତମ୍ପୁରାନ ଭାଷଣ ଦେଲେ । ଭାରି ଭାଡ଼ି ହୋଇଥିଲା । ପରୟ ଏବଂ ପୁଲୟମାନେ ଏ ଦିନ ପ୍ରଥମେ ତମ୍ପୁରାନଙ୍କ ସଙ୍ଗରେ ସଭାରେ ବସିଥିଲେ ।

ବଡ଼ ଓଜସ୍ୱିନୀ ଭାଷାରେ ବକୃତା ଦିଆଯାଉଥିଲା । ଏ ଦିନଟି ବଡ଼ ଗୌରବପୂର୍ଣ୍ଣ ଦିନ । ଦେଶ କେତେ କଷ୍ଟ ସହ୍ୟ କଲା ଓ ତ୍ୟାଗ କଲା ଇତ୍ୟାଦି ଅନେକ କଥା ସଭାରେ କୁହାଗଲା ।

ଅର୍ପୁଵେଲି–ଏକପ୍ରକାର ହର୍ଷଧ୍ୱନି । ଆନନ୍ଦ–ଉତ୍ସବରେ ପୁରୁଷମାନେ ଏକ ପ୍ରକାର ଧ୍ୱନି ଚିତ୍କାର କରିଥାନ୍ତି । ଏହାକୁ ଅର୍ପୁବେଲୀ କହନ୍ତି । ସ୍ତ୍ରୀ ଲୋକମାନେ ମଧ୍ୟ ଏହି ସମୟରେ ମଙ୍ଗଳସୂଚକ ତାକୁ ‘ଵାକିଲ୍ଲା’ କୁହାଯାଏ ।

ସଭା ଭାଙ୍ଗିଲା ସବୁ ପରୟ ଓ ପୁଲୟ ଏକତ୍ର ହୋଇ ସେ ବକ୍ତୃତା ବିଷୟରେ ଆଲୋଚନା କଲେ ।

କୁଞ୍ଜାପ୍‍ପୀ ପଚରିଲା–“ସେ ତମ୍ପୁରାନ କହିଲା 'ସମସ୍ତେ ସମାନ ଏହା କିପରି ହୋଇପାରେ କୋରନ ? ଆମେ ଓ ତମ୍ପୁରାନ ସମସ୍ତେ ସମାନ ?”

ଇଟ୍‍ୟାତୀ ସେ ଦିନ ପରିଶ୍ରମ ପରେ ଘୁମୋଉଥିଲା । ଏ କଥା ଶୁଣି ସେ କହିଲା–“ସଭାରେ ବକ୍ତୃତା ଦେବା ଲୋକ ଏପରି କହିଥାନ୍ତି । ମୁଁ ଥରେ ଜଣେ ତମ୍ପୁରାନ କହୁଥିବାର ଶୁଣିଥିଲି–ତମ୍ପୁରାନ ଓ ପରୟ ଦୁହିଁଙ୍କର ରକ୍ତ ଏକ । 'ସୁଯୋଗ ଦେଖି ସେମାନେ ଏପରି କହିଥାନ୍ତି ।”

 

କୋରନ କହିଲା–‘‘ଏସବୁ କଥା ଠିକ୍‍; କିନ୍ତୁ ଆଜି ଲୋକମାନେ ବିଲକୁଲ ନୂଆ କଥା କହୁଛନ୍ତି । ଆମକୁ ବର୍ତ୍ତମାନ ଭୋଟ ଅଧିକାର ମିଳିଗଲା । ତେବେ କଥା ଠିକ୍‍ ହେବ ।

 

କୁଞ୍ଜାପ୍‍ପୀ କହିଲା–“ଏ ବଡ଼ ତମ୍ପୁରାନ ଦିବାନ (ଦେଶୀୟ ରାଜ୍ୟ ଦେୱାନ) ବିଷୟରେ ଯାହା କହିଥିଲା, ସେ ଶୁଣିଥିଲା ନା ?”

 

‘‘ସେ ସମୟରେ ତା’ର ଭାରି ରାଗ ଆସିଥିଲା ।”

 

‘‘ଜଣେ ଅନ୍ୟ ଜଣକୁ ସନ୍ଦେହଚକ୍ଷୁରେ ଦେଖୁଛି । ଏଣିକ ଆମମାନଙ୍କୁ ନିଜ କାମ ତୁଲାଇବାକୁ ପଡ଼ିବ ।”

 

ଜଣେ କହିଲା–“ତେବେ କଣ ରାଜାର ଆବଶ୍ୟକ ହେବନାହିଁ ? ନାଁ ପଡ଼ିବ ନାହିଁ ।”

 

ତେବେ ତ ରାଜ୍ୟ ଅରାଜକ ହୋଇଯିବ । ଆଜି ରାଜା ଥାଇ ମଧ୍ୟ ଯେତେବେଳେ କାହାର ଶାନ୍ତି ନାହିଁ, ଯେବେ ରାଜା ରହିବ ନାହିଁ ତେବେ ଆବସ୍ଥା କଣ ହେବ ? ପୁଲିସ–ଫୁଲିସ କେହି ରହିବେ ନାହିଁ ?”

 

‘‘ଏପରି ଓଲଟପାଲଟ ବିଷୟରେ ମୋତେ କିଛି ଜଣାନାହିଁ ।”

 

କୋରନ କହିଲା–‘‘ମୋତେ ଗୋଟିଏ କଥା ଭାରି ଆଶ୍ଚର୍ଯ୍ୟ ଲାଗୁଛି । ସେମାନେ କହୁଛନ୍ତି ଯେ ସବୁ କଥା ପ୍ରତି ସେମାନେ ଦୃଷ୍ଟି ଦେବେ ।

 

ଏହା କିପରି ହୋଇପାରିବ ? ଆମକୁ ଅଧିକ ମଜୁରୀ ମିଳିବା ଉଚିତ, ଏ କଥା କହିବାମାତ୍ରେ କଣ ସରକାର ତମ୍ପୁରାନଙ୍କଠାରୁ ଆମମାନଙ୍କୁ ଅଧିକ ମଜୁରୀ ଦିଆଇଦେବେ ?”

 

ଶମୟଲକୁ ଏ କଥା ଶୁଣି ହସ ମାଡ଼ିଲା–‘‘କିପରି ବୋକାମି କଥାବାର୍ତ୍ତା କରୁଛ ।”

 

–“ଆରେ, ତୁମେ କଣ କହୁଛ ? ମଜୁରି ସରକାର କାହଁକି ଦିଆଇ–ଦେବେ ? ଏଥରେ ସରକାରଙ୍କ କଣ ଲାଭ ଅଛି ? ମଜୁରି ଆମକୁ ତମ୍ପୁରାନଠାରୁ ହିଁ ନିଜେ ନେବାକୁ ପଡ଼ିବ ।”

 

ଶମୟଲ କଥା ସମସ୍ତଙ୍କ ମନକୁ ପାଇଲା ସରକାରର ଏ କାମ ନୁହେଁ । ଏଣୁ ଏ କଥାରେ ସରକାର ହସ୍ତକ୍ଷେପ କରିବ ନାହିଁ ।

 

କୋରନ ଟିକେ ରାଗିଗଲା । ‘‘ଯଥାର୍ଥରେ ଯା’ କହିଲା, ଏଥିରେ ସରକାରଙ୍କର କଣ କାମ ଅଛି ? ସରକାର ଆମକୁ ନ୍ୟାଯ୍ୟ ମଜୁରୀ ଦିଆଇଦେବା ଉଚିତ ।”

 

ଜଣେ ଯୁବକ କହିଲା–‘‘ଜଣେ ତମ୍ପୁରାନ ଏ କଥା କହିଥିଲା । ସେ ଜଣେ ଅଳ୍ପ ବୟସ୍କ ତମ୍ପୁରାନ । ମୋତେ ତା’ ବକ୍ତୃତା ସବୁଠାରୁ ଅଧିକ ପସନ୍ଦ ଆସିଲା ।”

 

ଶମୟଲ ଅବିଶ୍ୱାସ ପ୍ରକାଶ କରି କହିଲା–‘‘ତୁମେ ସବୁ ପାଗଳ ହୋଇଗଲ ନା କଣ ? ସରକାର ଆମ କଥା ଉପରେ ଧ୍ୟାନ ଦେବେ ନାହିଁ । ସରକାରର ଏଥିରେ କିଛି ଉଦ୍ଦେଶ୍ୟ ନାହିଁ । ବକ୍ତୃତା ଦେଇଥିବା ଲୋକ ସବୁ ତମ୍ପୁରାନଙ୍କ ଘରେ ବସି ଭୋଜି ଖାଉଥିବେ ।’’

 

‘‘ଭୋଜି ଦିଅନ୍ତୁ ବାପା, ଧାନ ତ ରାତାରାତି ପସୁରୀ ପାଞ୍ଚଟଙ୍କାରେ ସେ ବିକୁଛନ୍ତି ।’’

 

‘‘ଆରେ ଏ କଥା ନୁହେଁ । ମୋର କହିବା ଉଦ୍ଦେଶ୍ୟ ହେଉଛି କି ଏ ବକ୍ତୃତା ଦେବା ଲୋକେ ତମ୍ପୁରାନଙ୍କଠାରୁ ପଇସା ନେଇ ପୁଣି ଏପରି କଥା କହିବେ ନାହିଁ । ସେମାନେ ତମ୍ପୁରାନଙ୍କ ଇଚ୍ଛା ଅନୁସାରେ କାମ କରିବେ ।’’

 

ଘୁମାଇବା ଭିତରେ ଇଟୟାତୀ କହିଲା–‘‘ଏମାନେ ତାଡ଼ି ଦୋକାନ ବନ୍ଦ କରିବାକୁ ଯାଉଛନ୍ତି ।”

 

ଶମୟଲ ବିଚଳିତ ହୋଇପଡ଼ିଲା ।

 

‘‘ଭୋକଶୋଷରେ ପେରିବା ସମୟରେ ରାତିକ କାମ ଚଳିଯାଉଥିଲା । ବର୍ତ୍ତମାନ ଏହା କଣ ହୋଇପାରିବ ନାହିଁ ?’’

 

ଏହପରି ଜଣାପଡ଼ୁଛି ।”

 

ଜଣେ ଯୁବକର ମନରେ ସେଦିନ ଭାଷଣର ଗୋଟିଏ କଥା ଉଠିଲା । ସେ ପଚାରିଲା–‘‘ଜଣେ ବକ୍ତା କହିଲା କି ନାୟାର ତୁମରାନ ଏବଂ ମାପିଲା ତମ୍ପୁରାନ (ନାୟର ହିନ୍ଦୁ ଓ ଇସାଇ ମୁନିବ)ଙ୍କ ମଧ୍ୟର କଳିଗୋଳ ଶେଷ ହୋଇଗଲା ? ଏମାନଙ୍କ ମଧ୍ୟରେ କଣ ପ୍ରଥମରୁ କଳିଗୋଳ ଥିଲା ?”

 

କୋରନର ମଧ୍ୟ ଏ ଭାଷଣ ଶୁଣିବା ସମୟରେ ସନ୍ଦେହ ହୋଇଥିଲା । ସେ ମଧ୍ୟ ଏ କଥା କହିଲା ।

 

ଶମୟଲ କହିଲା–ସବୁ ମୂଲ୍ୟହୀନ କଥା ବାପା । ସବୁ ବେକାର କଥା । ବଡ଼ଲୋକଙ୍କ ମଧ୍ୟରେ କ୍ଷତି ଏ ଜମି ଲେଖିଦେବ ସମୟରେ ଏବଂ କ୍ଷତି ଆବାଦ ପାଇଁ ଏକାରାରନାମା ଲେଖିନେବା ବେଳେ ଟଣାଓଟରା ଓ କଳିଗୋଳ ହୋଉଥିଲା । ଦେଖ, ଏ ଯେଉଁ ଦକ୍ଷିଣପାଖ ବଗିଚାର ମାଥୁ (ମୈଥ୍ୟୁ) ଓ ମାତୁ (ମାଧବ) ତମ୍ପୁରାନ ଏ ଦୁହିଁଙ୍କ ମଧ୍ୟରେ କେତେ ସ୍ନେହ–ସହାନୁଭୁତି ଦରିଦ୍ର ନାୟର ଓ ଦରିଦ୍ର ଇସାଇଙ୍କ ମଧ୍ୟରେ କୋଣସି କଳିଗୋଳ ନାହିଁ ।”

 

ଇଟୟାତୀ ଏ କଥା ସୀକାର କଲା । କଳିଗୋଳ ଧନବାନ ଲୋକଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ନିଜ ଗୋଷ୍ଟିର କିଛି ଭଲ କଥା ହେଲେ ସେମାନଙ୍କ ମଧ୍ୟରେ ମେଳ ଦେଖିଯାଏ\କେବଳ 'ମାଥ' ଓ ମାତୁ’ ନୁହନ୍ତି, ଓସେପ୍‍ପ ଏବଂ ଗୋବିନ୍ଦନ୍‍ ନାୟର, ଏପ୍‍ପପୁ (ଆଇପ) ଏବଂ କିଟ୍‍ଟପିଲ୍ଲେ (କୃଷ୍ଣ ପିଲ୍ଲାଇ) ଏହିପରି କେତେ ଲୋକଙ୍କ ନାମ ଇଟ୍‍ୟାତୀ କହିଲା-। ଏମାନେ ସବୁ କେବେ ଭିନ୍ନ ହେବାର ବନ୍ଧୁ ନୁହନ୍ତି ।

 

କୋରନ ସବୁ ମନଦେଇ ଶୁଣିଥିଲା । ସେ ବର୍ତ୍ତମାନ ତା ପ୍ରକାଶ କଲା–“ଏସବୁ ମିଛ, ଡାହା ମିଛ ? ମୁଁ କହୁଛି ନାୟର ଇସାଇକୁ ଗାଳି ଦେଉଛି ଏବ ଇସାଇ ନାୟରକୁ ବି ଗାଳିଦେଉଛି; କିନ୍ତୁ ପ୍ରକୁତରେ ଏ ଦୁଇଟି ଗୋଷ୍ଠୀ–ଗୋଟିଏ ଧନୀଗୋଷ୍ଠୀ ଓ ଅନ୍ୟଟି ଧନହୀନ ଦରିଦ୍ରଗୋଷ୍ଠୀ । ସେ ଦିନ ଜଣେ ଇସାଇ ତମ୍ପୁରାନକୁ ଆମ ତମ୍ପୁରାନ ପୁଲିସ ସାହାଯ୍ୟରେ ଘରୁ ବାହାର କରିଦେଇଥିଲା; କାରଣ ଟଙ୍କା ପାଇନଥିଲା ବୋଲି । ଯେଉଁ ଧନ ଏବଂ ଧାନ କଥା ଆସୁଛି, ସେଠି ଗୋଷ୍ଠୀକଥା ଉଠୁନାହିଁ ।”

 

ଅନ୍ୟ ଜଣେ ଯୁବକ କହିଲା–ଯଦିଚ ଏ ପ୍ରଦେଶରେ ଦରିଦ୍ର ନାୟର ଏବଂ ଇସାଇ ନିଜ ଭିତରେ ମିଳିମିଶି ରହିଛନ୍ତି, ଜଣେ ଆମ ସଙ୍ଗରେ ଏ ଧନୀ ତୁମରଣ ଯେପରି ବ୍ୟବହାର କରୁଛନ୍ତି ତ ଦେଖୁଛି । କେବଳ ଏତିକି ପ୍ରଭେଦ ଯେ ଆମେମାନେ ଭୋକ–ଉପାସରେ ମରୁନାହୁଁ; କିନ୍ତୁ ଏମାନେ ଉପାସରେ କାଟୁଛନ୍ତି । ପ୍ରକୃତରେ କୋରଚ୍ଚା କଥା ଅନୁସାରେ ଦୁଇଟି ହେଉଛି ଜାତି ।”

 

ମଧ୍ୟବିତ୍ତ ଗୋଷ୍ଠୀଙ୍କ ସମୟରେ କଥା ଶମୟଲ ମସ୍ତିସ୍କକୁ ଜାଗ୍ରତ କଲା । ଏହିପରି ପଚାଶଟି ପରିବାରଙ୍କ କଥା ତାକୁ ଜଣାଥିଲା । ଏ ସମସ୍ତଙ୍କର ରହିବା ପାଇଁ ନିଜର ଘର ଥିଲା । କିନ୍ତୁ କରଜ ନେଇ ଏବଂ ଭାଗଚାଷ କରି ସବୁ ନଷ୍ଟ କରିଦେଇଛନ୍ତି । ନିଜ କଥା ଶେଷ କରିବା ପୂର୍ବରୁ ଶୟମଲ କହିଲା–‘‘ବର୍ତ୍ତମାନ ଏମାନେ ଉପବାସରେ ଦିନ କଟାଉଛନ୍ତି; ଏ କଥା ଇଟ୍‍ୟାତୀ ମଧ୍ୟ କହିଥିଲା । ସେମାନେ ଯେତେବେଳେ ତମ୍ପୁରାନ, ନିଜେ କାମ କିପରି କରିବେ ? ଏଥିପାଇଁ ଉପବାସ ହିଁ ସାର ହୋଇଛି ।”

 

ଏହିପରି ଭାବରେ ଏମାନଙ୍କର କଥାବାର୍ତ୍ତା ଚାଲିଥାଏ ।

 

ଏଗାର

 

ଶୀଘ୍ର ସମସ୍ତ କଥାର ବିଚାର–ଆଲୋଚନା ପାଇଁ ପୁଷ୍ପବେଲୀ ଘରେ ଗୋଟିଏ ସଭା ବସିଲା । ଦୂରଦୂରାନ୍ତରରୁ ସବୁ ମୁଖ୍ୟ ଇସାଇମାନେ ଆସିଲେ । କୁଟ୍ଟନାଟର ଦୁଇଟି ଗିର୍ଜାର ପାଦ୍ରୀଙ୍କ ବ୍ୟତୀତ ଅନ୍ୟ ତିନି ଚାରିଟି ଗିର୍ଜାର ପାଦ୍ରୀ ମଧ୍ୟ ଏ ସଭାରେ ଯୋଗଦେବାକୁ ଆସିଲେ ।

 

କେଉଁ ବିଷୟ ଉପରେ ଆଲୋଚନା ହେଲା, ତା’ ପରୟ ଏବଂ ପୁଲୟମାନେ ପରିଷ୍କାର ଭାବରେ ଜଣିପାରିଲେ ନାହିଁ । ତଥାପି କିଛି ଅନୁମାନ କଲେ । କୋରନ କହିଲା–‘‘ଭୋଟ ବିଷୟରେ ହେବ । ଆମମାନଙ୍କୁ ପ୍ରଥମରୁ କିଛି ଭାବିବାକୁ ହେବ ।”

 

ଏହି ପ୍ରଦେଶର ଜଣେ ନାୟର ପ୍ରଭୁ’ ଘରେ ଗୋଟିଏ ସଭାରେ ପରାମର୍ଶ ଆଲୋଚନା ହେଲା ବୋଲି ଶୁଣିବାକୁ ମିଳିଲା । ଜଣାଗଲା ଏ ସଭାରେ ନାୟର, ଇଷବା ଏବଂ ବ୍ରାହ୍ମଣ ସମସ୍ତେ ଏକତ୍ର ହୋଇଥିଲେ । ତିନି ଚାରିଜଣ ସନ୍ନ୍ୟାସୀ ମଧ୍ୟ ଥିଲେ ।

 

୧ କୋରନ ଭାଇ

 

୨ ପ୍ରଭୁ–ପ୍ରତିଷ୍ଠିତ ତ ଧନୀ ଲୋକ ।

 

ବଡ଼ କିଛି ଗୁରୁତ୍ୱପୂର୍ଣ୍ଣ କଥା ହେବାକୁ ଯାଇଛି, ଏପରି ଜଣାପଡ଼ୁଥାଏ । ମନେ ହୋଇଥିଲା ହିନ୍ଦୁ ଓ ଇସାଇଙ୍କ ମଧ୍ୟରେ କଳିଗୋଳ ଲାଗିଯାଇପାରେ ।

 

କିଛି ଦିନ ପରେ ତିନି ଚାରି ଜଣ ଇସାଇ ପାଦ୍ରୀ ସେଠାରେ ଆସି ପହଁଞ୍ଚିଲେ । ଗିର୍ଜାରେ ଏମାନେ ବକ୍ତୃତା ଦେଲେ । ମୁଖିଆ ଇସାଇମାନଙ୍କ ଘରକୁ ମଧ୍ୟ ସେମାନେ ଗଲେ । ପୁଣି ସେଠା ଇସାଇ ନେତାମାନଙ୍କ ସଙ୍ଗରେ ସେମାନେ ପରୟ ଏବଂ ପୁଲୟମାନଙ୍କ ଘରକୁ ମଧ୍ୟ ଯିବା ଆସିବା କରିବାର ଦେଖାଗଲା । କେତେକ ଦରିଦ୍ରଙ୍କୁ ପଇସା ଦେଲେ, କେତେକଙ୍କୁ ମଧ୍ୟ ଲୁଗାପଟା ଦେଲେ । ...ଏହିପରି ଭାବରେ ସେମାନେ ପୁଲୟ ଏବଂ ପରୟଙ୍କର ସହାୟକ ହୋଇଗଲେ ।

ଏକ ସପ୍ତାହ ପରେ ଦିନେ ସନ୍ଧ୍ୟାରେ କୁଞ୍ଜାପ୍‍ପୀ କୋରନ୍‍କୁ କହିଲା–‘‘ମୁଁ ଇସାଇ ହେବାକୁ ଯାଉଛି ।”

ଚିରୁତା ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ।

‘‘ଏ କି ତାମସା କଥା ।”

କୁଞ୍ଜାପ୍‍ପୀ କହିଲା–‘‘କିରେ ଆମମାନଙ୍କର କଣ ଭଗବାନ ନାହାନ୍ତି ? କିନ୍ତୁ ଆମେ ତ ମନୁଷ୍ୟ । ମଲା ପରେ ଆମର ତ କୋଣସି ରାସ୍ତା ଆବଶକ୍ୟ ?”

ଏ କୁଞ୍ଜାପ୍‍ପୀ ଏକବାର ବଦଳିଯାଇଛି । ଲୋକମାନଙ୍କ ମଧ୍ୟରେ ସବୁଠାରୁ ବୋକା ବୋଲାଉଥିବା କୁଞ୍ଜାପ୍‍ପୀ ଆଜି ମରିବା ପରର କଥା କହୁଛି । କୋରନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା-

ଚିରୁତା ପଚାରିଲା–“ତେବେ ଯିଏ ଇସାଇ ନ ହେବ ତା’ ପାଇଁ କଣ କୋଣସି ରାସ୍ତା ନାହିଁ ?”

‘‘ଆମେ ମାଟନ (ଏକ ଶୁଦ୍ରଦେବତା)ଙ୍କୁ ପୂଜାକଲାବାଲା ତ ? ଏ ପାଦ୍ରୀ କଥା ଶୁଣିବା ଉଚିତ ।”

କୁଞ୍ଜାପ୍‍ପୀ ଯେତିକି ବୁଝିପାରିଥିଲା, ସେ କହି ଶୁଣାଇଲା ଏବଂ ଆଗ କଥାରେ ଯୋଗ କଲା–‘‘ଏ ପାଦ୍ରୀ ଭାରି ଜ୍ଞାନୀ । ମୁଁ ଇଟ୍‍ୟାତୀ, ଓଲେମ୍ପି ଏବଂ ପନ୍ନିଟ୍ଟୀ ସମସ୍ତେ ସେଠି ଥିଲୁ ।”

କୋରନ ପଚାରିଲା–“ଏମାନେ ସମସ୍ତେ କଣ ଇସାଇ ହେଉଛନ୍ତି ?”

ଇଟ୍‍ୟାତୀ ଏବଂ ଠିକ୍ କରିନେଇଛୁ । ତମ୍ପୁରାନ ତୋତେ କହିବାକୁ କହିଛି । ପାଦ୍ରୀ ଆମ କୁଡ଼ିଆକୁ ନୂଆ ତିଆର କରିଦେବାକୁ କଥା ଦେଇଛି । ଇଟ୍‍ୟାତୀ ପାଇଁ ମଧ୍ୟ ଗୋଟିଏ ନୂଆ କୁଡ଼ିଆ ତିଆରି କରିଦେବ । ଆଜି ମତେ ଦୁଇଟଙ୍କା ମିଳିଲା ।”

ଚିରୁତା କହିଲା–“ଆମେ ଇସାଇ ହେବୁ ନାହିଁ । ଆମେ 'କାନ୍ଦି’ ଏବଂ’ ମାଟନ' କୁ ପୂଜା କରିବା ଲୋକ ।”

କୁଞ୍ଜାପ୍‍ପୀ କହିଲା–ମୁଁ ମଧ୍ୟ ସେହିପରି । ତମ୍ପୁରାନ କହିଲା, କଣ ଇସାଇ ହୋଇଗଲେ ଆମେ ଏବଂ ତମ୍ପୁରାନ ଏକଜାତି ହୋଇଯିବୁ ।”

କୋରନ ହସି ହସି କହିଲା–“ଶମୟଲଚ୍ଚନ ପିଲାଦିନରୁ ଇସାଇ ହୋଇଥିଲା; କିନ୍ତୁ ସେ ଆଜି ମଧ୍ୟ ପୁଲୟନ ହୋଇ ରହିଛି ।”

 

କୁଞ୍ଜାପ୍‍ପୀ ଏ କଥାର ଉତ୍ତର ଦେଇପାରିଲା ନାହିଁ । ସେ ନିଜେ ଠିକ୍‍ କରିଥିବା କଥାକୁ ପୁଣି କହିଲା ।

 

‘‘ମୁଁ ଇସାଇ ହିଁ ହେବି ।”

 

କୋରନ ଗମ୍ଭୀରତାପୂର୍ବକ କୁଞ୍ଜାପ୍‍ପୀକୁ କହିଲା–“ଆଜି ପରୟ ଏବଂ ପୁଲୟମାନଙ୍କ ମନ ନେବାକୁ ଏମାନେ କାହିଁକି ଲାଗିଛନ୍ତି–ମୁଁ ତୁମକୁ ସେ କଥା ବତାଇଦେବି । ଆଜି ସମସ୍ତଙ୍କୁ 'ଭୋଟ' ଅଧିକାର ମିଳିଛି । ଏହି ଘଟଣାର କୋଣସି କଥା ପାଇଁ ସେମାନେ ଏହା କରୁଛନ୍ତି ।”

 

ଚିରୁତା ପୁଣି ନିଜ ମତ ପ୍ରକାଶ କଲା ।

 

ଆସନ୍ତା ରବିବାର କୁଞ୍ଜାପ୍‍ପୀ ଓ ତା ର ସ୍ତ୍ରୀର 'ଜ୍ଞାନ-ସ୍ନାନ' (ବପତିସ୍ମା) ହେଲା । କୁଞ୍ଜାପ୍‍ପୀ ନାଁ ‘ପତ୍ରୋସ’ ହେଲା ଏବଂ ମାଣୀ ‘ମରିୟା’ ହୋଇଗଲା ।

 

ଏପରିଭାବରେ ଯେତେବେଳେ ମତ ପରିବର୍ତ୍ତନ କରାଇ ଇସାଇ କରିବା କାମ ଏଣେ ଚାଲିଥାଏ, ତେଣେ ମାନତୁ ଘରର ମଠାମ୍‍ (ବାହାର ଘର)ରେ ଜଣେ ବିଶିଷ୍ଟ ସନ୍ୟାସୀ ଆସନ ଇସାଇ ହୋଇଥିବା ପରୟ ଏବଂ ପୁଲୟ ମାନଙ୍କୁ ଶୁଦ୍ଧି କର୍ମଦ୍ୱାରା ପୁଣି ହିନ୍ଦୁ କରିଚାଲିଥାନ୍ତି । କୁଞ୍ଜାପ୍‍ପୀ ପତ୍ରୋସ ହୋଇଗଲା ତ ମୋହନ୍ନନ (ଜୌନ୍ୟ) ଅନନ୍ତନ ହୋଇଗଲା । ଇସାଇ ଏବଂ ହିନ୍ଦୁ ହେବାର ଏ ବ୍ୟଗ୍ରତାର ଉଦ୍ଦେଶ୍ୟ ପରୟ ଏବଂ ପୁଲୟ କେହି ବୁଝିପାରିଲେ ନାହିଁ । ଏହି ପ୍ରତିଯୋଗିତାରେ କୁଟ୍ଟନାଟକ ପରୟ ଏବଂ ପୁଲୟ ଅର୍ଥାତ୍‍ ଦୁଇ ଖେଳଓ୍ୱାଡ଼ଙ୍କ ମଧ୍ୟରେ ଫୁଟବଲ ପରି ଏପାଖ ସେପାଖ ଫିଙ୍ଗାଯାଉଥିଲେ । କିନ୍ତୁ ଏ ସମୟରେ ମଧ୍ୟ ତାଙ୍କର ଦୈନିକ ମଜୁରି ସେହି ଦୁଇସେର ହିଁ ରହିଥିଲା ।

 

ଏ ନୂତନ ବ୍ୟବସ୍ଥା ଦେଶର ଜୀବନକୁ ଏକ ନୂଆ ଦିଗରେ ପରିଚାଳିତ କରିଦେଲା । ଯେତେବେଳେ ପରୟ ଏବଂ ପୁଲୟମାନଙ୍କ ମଧ୍ୟରେ କୌଣସି ବିଶେଷ ଧର୍ମ ପରିବର୍ତ୍ତନ କାର୍ଯ୍ୟ ଜୋରସୋରରେ ଚାଲିଥାଏ ସେତେବେଳେ ବଡ଼ ବଡ଼ କୃଷକ, ଜମିଦାର ଏବଂ ଧନୀ ମାନଙ୍କ ସାମାନ୍ୟ ମଙ୍ଗଳ ପାଇଁ ଦେଶର ସଙ୍ଗଠାନରେ ଯୋଗ ଦେବାକୁ ପାରଣ ଦେଲା । ଏ ସଙ୍ଗଠାନର ନାମ 'ଷ୍ଟେଟ କଂଗ୍ରେସ’ ।

 

ଗାନ୍ଧିଟୋପିଧାରୀ କର୍ମୀ ସବୁଆଡ଼େ । ପୁଷ୍ପବେଲୀ ଏବଂ ମାନତୁ ଘରର ଲୋକେ ଏମାନଙ୍କୁ ସବୁପ୍ରକାରର ସହାୟତା କରୁଥଲେ । ପାଦ୍ରୀ ଓ ସନ୍ୟାସୀ, ଉଭୟେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

 

ଦିନେ ରବିବାର ଦିନ ଗିର୍ଜାରେ ପ୍ରାର୍ଥନା ପରେ ଲୋକମାନେ ଏଣେ ତେଣେ ଯିବା ପୂର୍ବରୁ ବିକାରୀ ଅଚ୍ଚନ ମେଣ୍ଢାଛୁଆମାନକୁ ସମ୍ୱୋଧନ କରି କହିଲେ–“ସମସ୍ତେ ଷ୍ଟେଟ କଂଗ୍ରେସରେ ଯୋଗଦିଅ ।”

 

ମକର ସଂକ୍ରାନ୍ତି ଦିନ ଆଶ୍ରମରେ ଏକତ୍ରିତ ହୋଇଥିବା ହିନ୍ଦୁମାନଙ୍କୁ ସ୍ୱାମୀଜୀ ମଧ୍ୟ ଉପଦେଶ ଦେଲେ । ଏନ. ଏସ. ଏସ କରୟୋଗମ ଏବଂ ଏନ. ଏସ. ଡି. ପି ୟୋଗମର ଏ ସଭାରେ ମଧ୍ୟ ଏହିପ୍ରକାର ନିର୍ଦ୍ଦେଶ ଘୋଷଣା କରାଗଲା ।

 

ଷ୍ଟେଟ କଂଗ୍ରେସ ହିଁ ସମସ୍ତଙ୍କୁ ଭୋଟ ଅଧିକାର ଦେଇଛି, ସେଥିପାଇଁ ତାକୁ ଭୁଲିବାର ନୁହେଁ । ଦକ୍ଷିଣ ବଗିଚାର ମାଥୁ (ଇସାଇ) ଏବଂ ଉତ୍ତରର ମାତୁ (ହିନ୍ଦୁ) ରାତ୍ରିଭୋଜନ ପରେ ଯେତେବେଳେ ଭେଟ ହୁଅନ୍ତି ସେତେବେଳେ ଗୋଟିଏ ବିଷୟ ଉପରେ କଥାବାର୍ତ୍ତା ହେବାର ଥିଲା-। ସେ ଏପରି କଥାବାର୍ତ୍ତା କଲେ ଯେଉଁ ବିଷୟରେ ସେ ପ୍ରଥମରୁ ଆଦୌ ଭାବି ନଥିଲେ ଏବଂ ଜୀବନରେ କେବେ ଆବଶ୍ୟକତା ଥିବା କଥା ବୁଝି ନଥିଲେ ।

 

୧ ବିକାରୀ ଅର୍ଜନ–ଗିର୍ଜାର ମୁଖ୍ୟ ପୁରୋହିତ

 

୨ ମେଣ୍ଢାଛୁଆମାନେ–ଇସାମସୀହଙ୍କର ଧର୍ମାବଲମ୍ୱୀମାନେ ।

 

୩ ଏନ. ଏସ .ଏସ କରୟୋଗମ–ନାୟର ସର୍ଭିସ ସୋସାଇଟି ସଙ୍ଘ ।

 

୪ ଏନ. ଏସ . ଡି. ପି ୟୋଗମ–ନାରୟଣ ଗେର ଧର୍ମ ପରିପାଳନ ସଙ୍ଘ ।

 

ମାତୁ ପଚାରିଲା–ବନ୍ଧୁ କଂଗ୍ରେସରେ ଯୋଗ ଦେଇ ସାରିଛୁ ?”

 

‘‘ଆରେ ଭାଇ, କଣ କହିବି ? ଚାରି ପଇସା ସେଥିପାଇଁ ଖର୍ଚ୍ଚ ହେଲା । ମୁଁ, ମୋର ସ୍ତ୍ରୀ, ବଡ଼ପୁଅ, ତା ସ୍ତ୍ରୀ ସମସ୍ତେ ମେମ୍ୱର ହୋଇଯାଇଛୁ । ଅଚ୍ଚନ ମଧ୍ୟ ଗଲା ରବିବାରକୁ କହିଥିଲା । ପୁଣି ସେ ଟୋପିବାଲା ସଙ୍ଗରେ ଘରକୁ ମଧ୍ୟ ଆସିଲା । ଓସପ୍‍ଚ୍ଚନ ଏବଂ କୃଷ୍ଣପିଲାଚ୍ଚନ ସମସ୍ତେ ଚାନ୍ଦା ଦେଇଛନ୍ତି । ତୁମେ କଣ ଯୋଗଦେଇଛ ?”

 

ମାତୁ ମଧ୍ୟ ଯୋଗ ଦେଇସାରିଛି । ତା’ର ପାଞ୍ଚ ପଇସା ଖର୍ଚ୍ଚ ହେଲା । ସ୍ୱାମୀସ୍ତ୍ରୀ କହିବାମାତ୍ରେ ହିଁ ସେ ମେମ୍ୱର ହେଲା । ତାକୁ ମେମ୍ୱର ଭୁକ୍ତ କରିବା ନିମନ୍ତେ ସବୁ ମୁଖ୍ୟ ଲୋକ ଆସିଥିଲେ । କରୟୋଗମର ଗତ ବୈଠକରେ କଥା ଠିକ୍‍ ହୋଇଯାଇଥିଲା ।

 

ମାଥୁର ଗୋଟିଏ ସନ୍ଦେହ ଦୂର କରିବାର ଥିଲା । ସେ ପଚାରିଲା–ମାତୁକୁଞ୍ଜେ, ମୁଁ ଟିକିଏ ଜାଣିବାକୁ ଚାହୁଁଛି କି ଏ ଲୋକମାନେ ଏପରି ଭାବରେ କାହଁକି ବୁଲୁଛନ୍ତି ? କରୟୋଗମ ଏବଂ ଏଟଓ୍ୱକା’ ଏକ ଅଙ୍ଗ ହେବାର କିଛି ଉଦ୍ଦେଶ୍ୟ ଅଛି । ଷ୍ଟେଟ କଂଗ୍ରେସରେ କାହିଁକି ଯୋଗଦେବାକୁ ହେବ ।

 

ମାତୁ ନାୟାର ମଧ୍ୟ ଏହାର ପ୍ରକୃତ ଉତ୍ତର କଣ ଜାଣି ନଥିଲା । ତା’ର ଉଦ୍ଦେଶ୍ୟ ବିଷୟରେ ମାତୁର କେବଳ ସୁସ୍ପଷ୍ଟ ଅନୁମାନ ଥିଲା । ସେ କହିଲା ବର୍ତ୍ତମାନ ସମସ୍ତଙ୍କୁ ଭୋଟ ଅଧିକାର ମିଳୁଛି, ଏଥିପାଇଁ ଏହା ହେଉଛି । ମାନକେମ୍ପୁ ସଭାରେ କିଛି ଶୁଣିଲା । ବକ୍ତା କହୁଥିଲେ–ସମସ୍ତେ କଂଗ୍ରେସରେ ଯୋଗଦିଅ । କଂଗ୍ରେସ ସରକାରଦ୍ୱାରା ସମସ୍ତ ଲୋକହିତକର କାମ କରାଇବ ।”

 

୧. ମାତୁକୁଞ୍ଜେ–“କୁଞ୍ଜ” ଶବ୍ଦ ‘ପିଲା’ ଅର୍ଥରେ ବ୍ୟବହାର କରାଯାଇଥାଏ । ମାତୁକୁଞ୍ଜ–ମାତୁ ପିଲା ।

 

୨. ଏଟାଓ୍ୱକା–ଇସାଇମାନଙ୍କ ଗ୍ରାମ୍ୟ ସଙ୍ଘ ।

 

୩. ମନକେମ୍ପୁ–ସ୍ଥାନର ନାମ ।

 

୪. ମୁନ୍ନାରମୁଖମ୍–ସ୍ଥାନର ନାମ ।

 

ମାଥୁ ମାପିଲା ମନରେ ହଠାତ୍‍ ସନ୍ଦେହ ହେଲା ଯେ ‘ସମସ୍ତଙ୍କର ଉପକାର ଏ କିପରି କରାଇବେ ? ଏହା କଣ ସମ୍ଭବ ।’

 

‘‘ମୋତେ ଏ କଥା ଜାଣିନାହିଁ । ମୁଁ ଯା ଶୁଣିଲି, ତୁମକୁ ଜଣାଇଦେଲି ।”

 

ମାଥୁ ମାପିଲା ସ୍ତ୍ରୀ, ତ୍ରେସ୍ୟା (ଟେରିସା) ଏ କଥା ଶୁଣୁଥିଲା । ପଚାରିଲା ଏମାନେ ଆମକୁ ଚାଉଳ ଏ ଧାନ ଦେବେ ।

 

ମାଥୁ କହିଲା–‘‘ହିଁ ହିଁ, ତାକୁ ପାଇ ଖାଇବାକୁ ଟାକିବସିବା ଉଚିତ । ...ଧାନ ଚାହଁ ତ ପସୁରୀ ପାଞ୍ଚଟଙ୍କାରେ ଖରିଦ୍‍ କରିବାକୁ ହେବ ।”

 

‘‘ତେବେ ଏ ମାନେ କଣ କରିବେ ?”

 

ଅବିଶ୍ୱାସ ଭାବ ପ୍ରକାଶ କରି ମାଥୁ କହିଲା–“ଏ ଲୋକମାନେ କିଛି କରିବେ । ଆମେ କଣ ଜାଣୁନା ? ‘କରୟୋଗମ’ ଏବଂ ‘ପୈରିଶ’ରୁ କଣ କରିବେ । ଲାଭ ହେଉଛି ? ସବୁ ଲାଭ ଧନୀମାନଙ୍କର ହେଉଛି । ଆମକୁ କଣ ମିଳୁଛି ? କିଛି ନାହିଁ ? ଆମେ ଦଶ ପସୁରୀ କ୍ଷେତ କ୍ଷତିରେ ମଧ୍ୟ ଆବାଦ କରିବାକୁ ବାଧ୍ୟ ।”

 

ମାଥୁ କହିଲା–‘‘ଅଧିକ ସୁଧ ଦେଇ ଆମେ ଜମି ଚଷୁଛୁ । ଜେନ୍ନି (ଜମିଦାର) କରଜ ଦେବା ଧାନ ଅସୁଲ କରିନେଇ ଯାଉଛି । ପୁଣି ମଧ୍ୟ ଦେ’ଣା ବାକି ବି ରହିଯାଉଛି । ଯେଉଁ ପରିଶ୍ରମ କରୁଛୁ ତା’ ଅକାରଣ । କରଜର ପ୍ରକାର ବଢ଼ି ଯାଉଛି । କେଉଁଠି ଯଦି ଉଚ୍ଚ ଜମି ଅଛି, ମୋକଦ୍ଧମା କରି ତାକୁ ଛଡା଼ଇ ନିଆଯାଉଛି । ଏହି ଶୋଷଣ ସୁବିଧା ପାଇଁ ଆମମାନଙ୍କଠାରୁ ପଇସା ଅସୁଲ କରି ଏ ଷ୍ଟେଟ କଂଗ୍ରେସ ଗଠନ କରାଯାଇଛି ।”

 

ମାତୁ ନାୟର କହିଲା–“କଂଗ୍ରେସକୁ ଧନ ତ ଅନ୍ୟାନ୍ୟ ସ୍ଥାନରୁ ମିଳିବ । ହଜାର ହାଜର ପୁଷ୍ପବେଲୀ ଏବଂ ମାନତୁ ଘରୁ ଦିଆଯାଇଛି ।”

 

ତାହା ଦିଆଯାଇଛି ଏଇଥିପାଇଁ ଯେ ଆମର ଜମି ଆତ୍ମସାତ୍‍ କରିବା, ରାତିରେ ଧାନ ବିକ୍ରି ସମୟରେ ଧରା ଏ ପଡ଼ିବା ଏବଂ କରଜ ଦେଇଥିବା ଟଙ୍କା କମ ହେବାକୁ ସୁବିଧା ମିଳିବା ।”

 

ଏହା ଶୁଣି ମାତୁ ନାୟାର ଆଶ୍ଚର୍ଯ୍ୟ ହୋଇଗଲା । ଯାହା ହେଉ ସେ ତ କଂଗ୍ରେସ ସଭ୍ୟ ହୋଇଯାଇଛି । ଆପତ୍ତି ଅଭିଯୋଗ କରିବାକୁ ନିକୁଛ ପକ୍ଷରେ ଟିକେ ଜାଗା ତ ମିଳିଲା । ଏଥିରେ ସେ ଟିକେ ସନ୍ତୋଷ ପାଇଲା । ସେ କହିଲା– ‘‘ମାନତୁ ଘରେ ଆମର ପଚାଶ ପସୁରୀର ଖଣ୍ଡେ କ୍ଷେତ ଜାମିନ (ସିକ୍ୟୁରିଟି)ରେ ରହିଛି । ମୋର ଘର ଏବଂ କ୍ଷେତ ମଧ୍ୟ ବନ୍ଧକ ରଖିଛି । କଂଗ୍ରେସରେ ଖଣ୍ଡିଏ ଦରଖାସ୍ତ ଦେଇ ଦେଖାଇ ଦେବାକୁ ହେବ ଯେ ଲୋକ କଣ କରୁଛନ୍ତି ?”

 

ମାପିଲା–ଇସାଇକୁ ‘ମାପିଲା’ କହନ୍ତି ।

 

ମାଥୁର ମଧ୍ୟ ଏହିପରି ଖଣ୍ଡିଏ ଦରଖାସ୍ତ ଦେବାର ଥିଲା ।

 

ବାର

 

ଶମୟଲ, କୋରନ, କୁଞ୍ଜାପ୍‍ପୀ ପ୍ରଭୃତିଙ୍କ କ୍ଷେତରେ ବୁଣାଯାଇଥିବା ବୀଜ ଅଙ୍କୁରିତ ହେଲା । ବୁଣାଯିବା ପରେ ଧାନଗଛ କ୍ରମେ ବଢ଼ିଲା ଏବଂ ତହିଁରେ ଧାନକେଣ୍ଡା ଧରିଲା । ଧାନ ପାଚିବା ସମୟ ହେବାରୁ ଚତୁର୍ଦ୍ଦିଗ ସ୍ୱର୍ଣ୍ଣାଭରଙ୍ଗରେ ପରିଣତ ହୋଇଗଲା ।

 

ପୁଷ୍ପବେଲୀ ଓସେପ୍‍ପ କ୍ଷେତର କଟାକଟି ସମୟ ଆସିଲା । କୋରନ କ୍ଷେତର ମଧ୍ୟ କଟାକଟି ସମୟ ହୋଇଗଲା । କ୍ଷେତରେ ଧାନ ପାଚି କଟାକଟି ପାଇଁ ପ୍ରସ୍ତୁତ ହୋଇଯାଇଥାଏ । ଚୁକ୍ତିବଦ୍ଧ ଚାକରମାନଙ୍କ ବ୍ୟତୀତ ଓସେପ୍‍ପର ଛ’ଜଣ କୁଟିକ୍‍କାର ଥିଲେ ଏବଂ ଚେଡ଼ଞ୍ଜୁର ପ୍ରଭୃତି ଅନ୍ୟ ସ୍ଥାନର ଏକଶହ କଟାଳି ମଧ୍ୟ ଅଣାଯାଇଥିଲେ । ଏ କ୍ଷେତର ଗୋଟିଏ ପାଖ ବନ୍ଧ ନିକଟରେ କୋରନର କୁଡ଼ିଆ ଥିଲା । କଟାକଟିବେଳେ ଚାତନ ମଧ୍ୟ ଆସିଥିଲା ।

 

୧. କୁଟିକ୍‍କାର–କୁଟିରେ ରହିବା ଲୋକ । କୁଟି-କୁଡ଼ିଆ,ଝୁପଡ଼ି ।

 

ଏ କ୍ଷେତରେ ବର୍ଷ ପରି କେବେ ଫସଲ ହୋଇ ନ ଥିଲା । ସମସ୍ତ କ୍ଷେତ ଧାନକେଣ୍ଡାରେ ଏପରି ଭରିଯାଇଥିଲା ଯେ ଗଛ ଆଦୌ ଦେଖାଯାଉ ନଥିଲା ।

 

କାମ କରିବା ଲୋକଙ୍କ ମନରେ କାଟିବା ବେଳେ ବଡ଼ ଆନନ୍ଦ ଆସୁଥିଲା । ଏକ ଧାଡ଼ିରେ କଟା ଆରମ୍ଭ କଲାକ୍ଷଣି ଅଳ୍ପ ସମୟ ମଧ୍ୟରେ ଶେଷ ହୋଇଯାଉଥିଲା । ଜଣେ ଲୋକ ଠିଆହୋଇଥିବା ସ୍ଥାନରୁ ମଧ୍ୟ ଚାରି ହଳା ଧାନ କାଟି ପାରୁଥିଲା । ଏତେ ଅଧିକ ଫସଲ ହୋଇଥିଲା ଯେ ଏଥିପାଇଁ କଟାଳି ଖୁବ୍ ଧୀରେ ଧୀରେ ଆଗକୁ ହେଉଥିଲେ । କେବଳ ଚତୁର୍ଦ୍ଦିଗରେ ଧାନ ଗୋଛା ହିଁ ଦୃଷ୍ଟିକୁ ଆସୁଥିଲା ।

 

କୋରନର ଧାନ କାଟିବା ସମ୍ଭବପର ନଥିଲା । ସେ ହାତରେ ଦା’ଧରି କାଟାଳିଙ୍କ ପଛେ ପଛେ ବୁଲି ଦେଖୁଥାଏ । କଟାଳିମାନେ ଧାନ କେଣ୍ଡା ଯେପରି ନଷ୍ଟ ନ କରନ୍ତି ତାହା ଦେଖିବା ତା’ର କାମ ଥିଲା ।

 

ସେ ଆନନ୍ଦରେ ଆତ୍ମହରା ହୋଇପଡ଼ୁଥିଲା । ଏ କ୍ଷେତ ପାଇଁ କେତେ କଷ୍ଟ ସହିବାକୁ ପଡ଼ିଲା । କିପରି ଗାଳିମନ୍ଦ ଶୁଣିବାକୁ ହୋଇଥିଲା ସେପାଇଁ ବର୍ତ୍ତମାନ ସେ ଜଣେ ମଜୁରିଆ ଭାବରେ ଗର୍ବ କରିପାରେ ।

 

କଟାଳିମାନଙ୍କ ପଛରେ କେଣ୍ଡାଏ ଧାନ ଯଦି ପଡ଼ିଥାଏ ତେବେ କୋରନକୁ ତା' ଅସହ୍ୟ ବୋଧ ହେଉଥାଏ ଯେ ପାଟିକରି ଉଠେ–

 

‘‘ଲୋ ମୂଲିଆଣୀ !”

 

ଜଣେ ମୂଲିଆଣୀ ମୁଣ୍ଡ ଟେକି ଚାହିଁଲା ।

 

ରାଗରେ କୋରନ ପଚାରିଲା-‘‘ଏଠି କ'ଣ ପକାଇଲୁ ?”

 

ସେ ଚେଡ଼ଂନୁରରୁ ଆସିଥିବା କଟାଳି ମଧ୍ୟରୁ ଜଣେ । ସେ କହିଲା, ‘‘ଏ କଣ ତାମସା ନା' କଣ ? ପୁଞ୍ଜେ କ୍ଷେତ କଟାରେ କେଣ୍ଡାଏ ଅଧ କେଣ୍ଡାଏ ଭାଙ୍ଗି ପଡ଼ିଥାଏ–ଏ କଣ ନୂଆ କଥା-?’’

କୋରନ ସେଠାରୁ ଚାଲିଗଲା ।

‘‘ତୁମେ ସବୁ କଣ ଭାତ ଖାଉନାହଁ କି ? ଏ ମୋ ପରିଶ୍ରମର ଫଳ । ଗୋଟି ଗୋଟି ଗଛକୁ ଯତ୍ନ ସହକାରେ ବଢ଼ାଯାଇଛି । ଏହାସବୁ କ୍ଷେତରେ ନଷ୍ଟ କରିବା ପାଇଁ ହୋଇନାହିଁ ।’’

ନିକଟରେ କାଟୁଥିବା କାଟୁଣିଙ୍କ ଦୃଷ୍ଟି ସେ ଆଡ଼କୁ ଗଲା । ବେଶି କେଣ୍ଡା ପଡ଼ିନଥିଲା । ଦୁଇ କେଣ୍ଡା ମାତ୍ର । ପୁଞ୍ଚାକ୍ଷେତରେ ଏହାଠାରୁ ସାବଧାନ ହୋଇ କାଟିବା ସମ୍ଭବ ନୁହେଁ । ସବୁ ଧାନ କଟାଳୀମାନଙ୍କ ହାତରେ ହିଁ କଟା ଯାଇଥାଏ ।

ଜଣେ ପୁଲୟୀ କହିଲା-‘‘ପଞ୍ଚାକ୍ଷେତରେ ଫସଲର ଏକଚତୁର୍ଥାଂଶ ଯଦି ନ ପଡ଼େ ତେବେ ଅମଙ୍ଗଳ ହେବ ।’’

କୋରନର ରାଗ ଓ ଆବେଗ ବୃଦ୍ଧି ପାଇ ହାସ୍ୟାସ୍ପଦ ହୋଇଗଲା ।

ଆଉ ଜଣେ କାଟୁଣି ପଚାରିଲା–‘‘ଏ କେଉଁଠାର ଦରିଦ୍ର ଲୋକ ? ଜଣାଯାଉଛି ଏ କେବେ ପୁଞ୍ଚାକ୍ଷେତ ଦେଖିନାହିଁ ।”

‘‘ତୁ କଣ କହିଲୁ ?” –ଦା ହଲାଇ ହଲାଇ କୋରନ ତା' ନିକଟକୁ ଚାଲିଗଲା ।

ସେ ଭାରି ରାଗିଥିଲା ।

ସେ ପୁଲୟୀ ମଧ୍ୟ କମ୍ ନ ଥିଲା । ତାକୁ କୋରନର କୃପଣତା ଭଲ ଲାଗିଲା ନାହିଁ । ଫସଲ ଅମଳର ଏ ଚୈତ୍ର ମାସରେ ସର୍ବଥା ଖାପଛଡ଼ା ଲୋଭ ତାକୁ ଲଜ୍ଜାକର ଜଣାଗଲା । ଧାନ ଦେଖି କ’ଣ ଲୋକ ନିଜକୁ ଏପରି ଭୁଲିଯାନ୍ତି ? ତମ୍ପୁରାନର ତ ଏତେ ଲୋଭ ନାହିଁ ? ସେ କୋରନକୁ ଏକ ଦୃଷ୍ଟିରେ ଚାହିଁ ରହିଥାଏ ।

ପୁଲୟୀ ଆଡ଼କୁ କୋରନ ବଢ଼ାଇଥିବା ହାତକୁ ଚିରୁତା ଦୋଡ଼ିଆସି ଧରିପକାଇଲା । କୋରନ ହାତଛଡ଼ାଇ ଚାଲିଯିବାକୁ ଚେଷ୍ଟା କଲା । ଚିରୁତା ଛାଡ଼ିଲା ନାହିଁ । ସେ କହିଲା–“ଏ ପାଗଳାମି କାହିଁକି ?’’

‘‘ବାଃ, ଧାନ ନଷ୍ଟ କରିବି; କହିବାରୁ ବଢ଼ି ବଢ଼ି କହୁଛି ।’’

ଚିରୁତା କୋରନକୁ ସେଠାରୁ ଧରିନେଇଗଲା । ତାକୁ ନିଜର କାଟିବା ଧାଡ଼ିରେ ଠିଆ କରାଇଦେଲା । ନିଜ ଅଧିକାର ଜୋର୍‍ରେ ପଚାରିଲା–“ଧାନ ଦେଖି ମୁଣ୍ଡ ଖରାପ ହୋଇଗଲା ନା’ କଣ ?”

କୋରନ ଟିକେ ଶାନ୍ତ ହୋଇଗଲା । ସେ ଜାଣିପାରିଲା ଯେ ତା’ର ରାଗ ସୀମା ଅତିକ୍ରମ କରିଥିଲା । ସେ ମଧ୍ୟ ନିଜର ଭୁଲ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲା । ସେ କହିଲା–“ପାନ ଥିଲେ ଖଣ୍ଡେ ଦେ ।”

ଚିରୁତା ଅଣ୍ଟାରୁ ପାନବଟୁଆ ବାହାର କଲା ।

 

ଚିରୁତା ପଚାରିଲା–“ଗତ ବର୍ଷ ତ ପୁଞ୍ଚାକ୍ଷେତରେ ଧାନ କାଟିଥିବ ? ତେବେ ଏତେ ରାଗ କାହିଁକି ?”

 

‘‘ଏ ମୋ ପରିଶ୍ରମର ଫଳ ନୁହେଁ କି ? ନଷ୍ଟ ନ ହୋଇ କଟାହେଲେ ସିନା ଉତ୍ପାଦନ ଦେଖିବାକୁ ପସନ୍ଦଯୋଗ୍ୟ ହେବ ।”

 

‘‘ଓହୋ, ଏପରି କଥା ? ଯେଉଁମାନେ କ୍ଷେତରେ କଟାକଟି କରିଛନ୍ତି ସେମାନେ କଣ ଜାଣିନାହାନ୍ତି ସେ ପୁଞ୍ଚାକ୍ଷେତରେ କଟାକଟି ସମୟରେ ଧାନ ଝଡ଼ିପଡ଼େ ବୋଲି ?”

 

ଚିରୁତାର ଯୁକ୍ତି କୋରନ କାଟିପାରିଲା ନାହିଁ । ସେ କିଛି ଉତ୍ତର ଦେଲା ନାହିଁ । ପାନ ଖାଇବା ପରେ କୋରନ ମୁଣ୍ଡ ଆହୁରି ଥଣ୍ଡା ହୋଇଗଲା । ଚାତ୍ତନ ମଧ୍ୟ ସେଠାରେ ଆସି ପହଞ୍ଚିଗଲା ।

 

ଚିରୁତା କୋରନକୁ ପଚାରିଲା-‘‘ଖାଲି ଦା' ଧରି ବୁଲିଲେ କ'ଣ ସବୁ ହୋଇଯିବ ? ଗୋଟିଏ ସ୍ଥାନରେ ଠିଆହୋଇ ଦୁଇ ହଳା କାଟିଲେ ତ କିଛି ଅଧିକା ମଜୁରି ମିଳିଥାନ୍ତା ?”

 

କୋରନ କହିଲା–“କଟାଳିଙ୍କ ପଛେ ପଛେ ନ ରହିଲେ ଲୋକସାନ ହେବ ।”

 

ଚାତ୍ତନ କହିଲା–“ଏତେ କଳିଗୋଳ ହୋଇଗଲା । ବର୍ତ୍ତମାନ ସମସ୍ତେ ସାବଧାନ ହୋଇଗଲେଣି । ଆଉ ନଷ୍ଟ କରିବେ ନାହିଁ ।”

 

କୋରନ ଚିରୁତାର ଡାହାଣ ପାଖରେ ଠିଆହୋଇ କାଟିବାକୁ ଲାଗିଲା । ଚାତ୍ତନ ଧାଡ଼ି ବଦଳାଇ ଚିରୁତା ବାଁ ପାଖରେ ପହଞ୍ଚିଗଲା । କାଟୁ କାଟୁ କୋରନ, ଚିରୁତା ଏବଂ ଚାତ୍ତନ ତିନି ହେଁ ନିଜ ଭିତରେ କଥାବାର୍ତ୍ତା ହେଲେ ।

 

କିଛି ଦୂର ପର୍ଯ୍ୟନ୍ତ କାଟିଲା ପରେ ଚିରୁତା କୋରନ ପଛକୁ ଅନାଇ ଚାତ୍ତନକୁ କହିଲା-‘‘ଚାତ୍ତଚ୍ଚା, ଟିକେ ଏ ଆଡ଼କୁ ଚାହାଁ ! କେତେ ଧାନ ପଡ଼ୁଛି ।”

 

କୋରନ କାଟୁଥିବା ସ୍ଥାନରେ ମଧ୍ୟ ଧାନ ପଡ଼ୁଥିଲା । ସେ କହିଲା–“ଖରା ଯୋଗୁଁ ମୁଁ ଠିକ୍ ଭାବରେ ଦେଖିପାରିଲି ନାହିଁ ।”

 

ଠିକ୍‍ଭାବରେ କୋରନ ଉତ୍ତର ନ ଦେଇ ଏପରି କହିବା ଦେଖି ଚିରୁତା ହସ ରୋକିପାରିଲା ନାହିଁ । କିନ୍ତୁ କୋରନକୁ ଥଟ୍ଟା କରିବା ତା’ର ଉଦ୍ଦେଶ୍ୟ ନ ଥିଲା । ପିଲାଙ୍କର ଅଜ୍ଞାନତା ଦେଖି ମା'କୁ ଯେପରି ଆନନ୍ଦରେ ହସ ମାଡ଼େ, ଏ ସେହିପରି ।

 

କୋରନ ମଧ୍ୟ ହସିଦେଲା ।

 

ଚାତ୍ତନ ଠିଆହୋଇ ସବୁ ଦେଖୁଥିଲା–ରାଗରେ ଥରୁଥିବା କୋରନକୁ କିପରି ଚିରୁତା ଧରିଆଣିଲା, ତାକୁ ଗାଳିଦେଲା–ପୁଣି କୋରନ ପାନ ମାଗିଲା–ଚିରୁତା ପାନ ଦେଲା–କିଛି ସମୟ ତା ପାଖରେ ରହିଲା ପରେ କୋରନ ଏକବାରେ ଶାନ୍ତି ହୋଇଗଲା । ବିଚରା ତା’ର ଭୁଲ ବୁଝିପାରିଲା । ....ଚିରୁତାର କିଛି ଶକ୍ତି ଅଛି !

 

ଚାତ୍ତନ ଦୀର୍ଘ ନିଶ୍ୱାସ ପକାଇଲା ।

 

ତିନିହେଁ କଟିବାରେ ଲାଗିଥାନ୍ତି । ଚାତ୍ତନ ଭାବିଲା, ଗତ ବର୍ଷ କଟାକଟି ସମୟରୁ ବର୍ତ୍ତମାନ ଚିରୁତା କେତେ ଦୂରକୁ ଚାଲିଯାଇଛି । ସେ ସମୟରେ ତାକୁ କଣ କଣ ସବୁ କହିଥିଲା ? ତା' ସଙ୍ଗରେ ଥଟ୍ଟା ପରିହାସ କରିବା ଓ ମନଖୋଲା କଥାବାର୍ତ୍ତା କରିବାରେ ସେ କଦାପି ସଙ୍କୋଚ ବୋଧ କରୁ ନଥିଲା । ତା’ର (ଚାତ୍ତନର) ମନ ସେତେବେଳେ କେଡ଼େ ହାଲୁକା ଥିଲା । କିନ୍ତୁ ଆଜି-? ...ଆଜି ତାର ହୃଦୟ ଏକ ନିରାଶାଭାରରେ ଭରାକ୍ରାନ୍ତ । ତହିଁରେ ମନ ଆନନ୍ଦ ହେବାର ଚିନ୍ତା ରହିଲା ନାହିଁ କି ଶକ୍ତି ମଧ୍ୟ ରହିଲା ନାହିଁ । କିଛି କହିବାକୁ ଇଚ୍ଛା କଲେ ମଧ୍ୟ କଣ୍ଠରୁ ଶବ୍ଦ ବି ବାହାରିଲା ନାହିଁ । ବର୍ତ୍ତମାନ ତାକୁ ଜଣେ ଗୃହିଣୀ ସଙ୍ଗରେ କଥାବାର୍ତ୍ତା ଯେପରି କରିବାର ଏବଂ ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ମର୍ଯ୍ୟାଦା ଦେବାର କଥା । ଆଜିକାଲି ପରି ସେ ଦିନ କୋରନ ଚିରୁତାର ଡାହାଣ କାମ କରୁଥିଲା । ଆଜି ତା’ର ଚିରୁତା ଉପରେ ଅଧିକାର ଏବଂ ଚିରୁତାର ତା' ଉପରେ ଅଧିକାର । ଏ ଦୁହେଁ ଆଜି ଏକ ହୋଇଯାଇଛନ୍ତି । ଏହି ସବୁ କଥା ଚାତ୍ତନ ଭାବୁଥିଲା-

 

ସେ କିଛି ନ କହି ଧାନ କାଟିଚାଲିଥାଏ । ସେ ଗୋଟିଏ ପ୍ରତିଯୋଗିତାରେ ହାରିଯାଇଥିଲା । ଭାବିବା ପାଇଁ ଯଥେଷ୍ଟ କଥା ଥିଲା ।

 

କୋରନ କହିଲା–“ମୋର କିଛି ପିଇବାକୁ ଇଚ୍ଛା ହେଉଛି । ମନ ଆନନ୍ଦ ରହିଲେ କିଛି ଖିଆପିଆ କରିନେବା ଉଚିତ ।”

 

ଚିରୁତା ବିରୋଧ କଲା ନାହିଁ । ସେ ଦିନ ଘରୁ ଖାଇପିଇ ଆସିବାକୁ କିଛି ନ ଥିଲା । ସକାଳୁ କିଛି ବାସି କଫି ପିଇ କାମକୁ ବାହାରିଥିଲେ ।

 

କୋରନ ନିଜ କଟା ହଳାରୁ ଗୋଟିଏ ନେଇ ନିଜ ଥଳିରେ ରଖିଲା । ଦୂରରେ ତାଳପତ୍ର ଛତା ଧରି ବସିଥିବା ଓସେପପ ଦେଖିଦେଲା । କୋରନ ଥଳିକୁ କାନ୍ଧରେ ଝୁଲେଇ ବାହାରିଲା ।

 

‘‘ହେ ଥଳିରେ କଅଣ ?’’ ବୋଲି ଓସେପ୍‍ପ ଚିତ୍କାର କରି ପଚାରିଲା ।

 

କୋରନ ଉତ୍ତର ଦେଲା–“କେରାଏ ହଜୁର, ଚାକର ବିଚରା ଆଜି କିଛି ଖାଇନାହିଁ । କିଛି ପାଣି (ପାଣି–ତାଡ଼ି) ପିଇବା ପାଇଁ ନେଉଛି ।”

 

‘‘କେରାଏ ! ରଖ ସେଠି । ଏ କଥା ଏଠି ପଟିବ ନାହିଁ ।’’ କହୁଁ କହୁଁ ଓସେପ୍‍ପ ଉଠି କୋରନ ପାଖକୁ ଆସିଲା । ସେ କହିଲା–“କିଛି ଖାଇନାହୁଁ ଯଦି ଘରେ ଯାଇ ଖା । ଏକଗାରନାମା ଲେଖିବା ସମୟରେ ହିଁ କୁହାଯାଇଥିଲା ପୁରୁଣା ପ୍ରଥା ଚଳିବ ନାହିଁ ।”

 

କୋରନ ସ୍ତମ୍ଭିତ ହୋଇଗଲା ।

 

ତମ୍ପୁରାନ ପାଟିକରି କହିଲା–“ରଖୁଛୁ ନା ନାହିଁ ?”

 

କୋରନ ଅର୍ଦ୍ଧମୃତ ପରି ଧାନକଟା ସ୍ଥାନକୁ ଗଲା । ଅନ୍ୟ କଟାଳି ମୂଲିଆମାନେ ଏ କଥା ଦେଖୁଥିଲେ । ଥାଳିରୁ କୋରନ ହଳା ବାହାର କରି ରଖିଦେଲା । ଅନ୍ୟ ପାଖ ବନ୍ଧ ଉପରେ ଯାଇ ମୁହଁ ତଳକୁ କରି ସେ ବସି ପଡ଼ିଲା । ଏ ସମୟରେ ତା’ର ଅବସ୍ଥା ବଡ଼ ଶୋଚନୀୟ । ଲୋକ ଭୋକ–ଶୋଷ ସବୁ ସହିପାରେ; କିନ୍ତୁ ଏ ଅପମାନ କୋରନ ପକ୍ଷରେ ଅସହ୍ୟ ।

 

କିଛି ସମୟ ପୂର୍ବରୁ କୋରନ ସଙ୍ଗରେ ଯେଉଁ ଚେଡ଼ଂନୁରବାଲୀ କଳି କରୁଥିଲା, କହିଲା–“ତାକୁ ଠିକ୍ ଶାସ୍ତି ହୋଇଛି ।’’

 

ପୁଣି ଦ୍ଵିତୀୟ ଜଣକ କହିଲା–“ଏ କଥା କହିବାର ନୁହେଁ । ବିଚରା ପାଣି-କାଦୁଅରେ ଠିଆ ହୋଇ ନିଜ ପରିଶ୍ରମରେ କଣ ଫସଲ ଉତ୍ପନ୍ନ କରିନାହିଁ ? ତମ୍ପୁରାନ ହଳା ରଖିଦେବାକୁ କହି ଠିକ୍ କଲା ନାହିଁ ।”

 

ତୃତୀୟ ଜଣକ କହିଲା–“ସେ ଯେପରି ତମ୍ପୁରାନର ମଙ୍ଗଳ ଚିନ୍ତାକାରୀ; ମୁଁ ଏପରି ଲୋକ ଦେଖିନାହିଁ ।

 

ଚତୁର୍ଥ ଜଣକ କହିଲା–“ତମ୍ପୁରାନର ମଙ୍ଗଳକାମୀଙ୍କର ଏହିପରି ଦଶା ହୋଇଥାଏ ।”

 

କିଛି ସମୟ ପର୍ଯ୍ୟନ୍ତ କୋରନ ଚୁପ୍ ହୋଇ ବସିରହିଲା । ତାକୁ ଚୁପ୍‍ଚାପ ବସିବା ଦେଖି ତମ୍ପୁରାନ ଗାଳିଦେଲା । କୋରନ ପୁଣି ଉଠି କଟାଳିଙ୍କ ପଛରେ ଘୂରିବାକୁ ଲାଗିଲା ।

 

ତେର

 

ଧାନ ପାଚିବା ପରେ ଲୋକେ ତା’ର କଟାକଟି ଉପରେ ଦୃଷ୍ଟି ରଖି ଧୈର୍ଯ୍ୟସହକାରେ ଦୁଃସମୟର ସମ୍ମୁଖୀନ ହୁଅନ୍ତି । କୋରନ ଘରେ କେତେ ଦିନ ହେଲା କିଛି ଖାଇବା ପାଇଁ ନଥିଲା । ଅନ୍ୟ ଲୋକଙ୍କଠାରୁ ଯେତେ ଧାର ଆଣିବାର କଥା ଆଣିସାରିଥିଲା । ବର୍ତ୍ତମାନ ସେ ଲୋକଙ୍କ ପାଖରେ ମଧ୍ୟ କିଛି ନାହିଁ । ଏହିପରି ଭୋକ–ଉପବାସ ଦିନ ଭିତରେ କଟାକଟି ସମୟ ପହଞ୍ଚିଗଲା-

 

ସନ୍ଧ୍ୟାବେଳକୁ ସମସ୍ତେ ହଳାବୋଝ ବାନ୍ଧିବୁନ୍ଧି ଖଳାରେ ନେଇ ରଖିଦେଲେ । ସେତେବେଳକୁ ଅନ୍ଧାର ହୋଇସାରିଥିଲା ।

 

ତମ୍ପୁରାନ ଶୁଣାଇଦେଲା, ‘‘ଆଜି କିଛି ମିଳିବ ନାହିଁ । ସମସ୍ତେ ନିଜ ନିଜର ଥଳିଆ ଏଠାରେ ଦେଖାଇ ଚାଲିଯାଅ ।”

 

ଏହିପରିଭାବରେ ଖଳାରୁ ସବୁ ଲୋକ ଚାଲିଗଲେ । ଲୁଗାରେ ଲାଗିଥିବା ଚୂନା ଧାନ ମଧ୍ୟ ଗୋଟିଏ ସୁଦ୍ଧା କେହି ନେଇପାରିଲେ ନାହିଁ । ଇଟ୍‍ୟାତୀର ପରୟୀ ନିଜ ଅଣ୍ଟିରେ ଯେଉଁ ସାଗ ଖୁଣ୍ଟି କରି ଆଣିଥିଲା ତାକୁ ମଧ୍ୟ ତମ୍ପୁରାନ ରଖିଲା ।

 

'ଦିନ କିପରି ବିତିବ' ଏ ଚିନ୍ତା–ଅଗ୍ନି ଚିରୁତାର ମନ ଜଳିପୋଡ଼ି ଦେଲା । କୋରନର ଶରୀର ଓ ମନ ଉଭୟ ଅବଶ ହୋଇପଡ଼ିଲା । ସେ ଦିନ ସକାଳେ ସେ ଯେଉଁ ଆନନ୍ଦ ଅନୁଭବ କରିଥିଲା, ତା’ର କିପରି ପରିସମାପ୍ତି ହେଲା ! ତାର କିଛି କହିବାର ନ ଥିଲା; କିନ୍ତୁ ସେ ଭାବୁଥିଲା ।

 

ପତ୍ରୋସର ସ୍ତ୍ରୀ ବଡ଼ ଚତୁରୀ । ସେ ତମ୍ପୁରାନର ତେଜୋଦୀପ୍ତ ଆଖିକୁ ଏଡ଼ାଇ ଅନ୍ତତଃ ଏକ ସେର ଧାନ ନେଇଆସିଥିଲା । ଏ ସେରକ ଧାନକୁ ପତ୍ରୋସ ଓ କୋରନ ନିଜ ମଧ୍ୟରେ ବାଣ୍ଟିନେଲେ । ରାତିରେ ଧାନକୁ ସିଝାଇ, ଶୁଖାଇ କୁଟିଲେ ଏବଂ ରାନ୍ଧିକରି ଖାଇଲେ ।

 

ପରଦିନ କୋରନ ଓ ଚିରୁତା ଖାଲି ପେଟରେ ଧାନ କାଟିବାକୁ ଗଲେ ।

 

ଧାନକଟା ସମୟରେ କୋରନ କେତେ କଥା କହିବାକୁ ଏବଂ କରିବାକୁ ଭାବୁଥିଲା । ସମ୍ଭବତଃ ତମ୍ପୁରାନ ସଙ୍ଗରେ ବିଦ୍ରୋହ କରିପାରେ ।

 

କଟାଳିମାନଙ୍କ ପଛରେ ଆଜି ମଧ୍ୟ ସେ ବୁଲୁଥିଲା । ଧାନ ତଳେ ପଡ଼ୁଥିଲେ ମଧ୍ୟ ସେ ଦୃଷ୍ଟି ଦେଉ ନଥିଲା; କାହାରି ସଙ୍ଗରେ କଳି ମଧ୍ୟ କରୁନଥିଲା । ମାଲିକ ପରି ସେ ଆଉ କଳି କରୁନାହିଁ ।

 

ଯେତେବେଳେ ସେ ବୁଲୁଥିଲା, ଚେଡ଼ଂନୁରର ଜଣେ ଧାନ କାଟୁଣୀ ତାକୁ ପାନ ଖାଇବାକୁ ଡାକିଲା । ପାନ ଖାଉଁ ଖାଉଁ ସେ କହିଲା–“କୋରଚ୍ଚା, ଗତ ବର୍ଷ କେଉଁଠି କାମ କରୁଥିଲୁ-?’’

 

‘‘ଓଣପ୍‍ପଣୀରେ ଏହି ବର୍ଷ ଯୋଗଦେଇଛି ।”

 

‘‘ଗତ ବର୍ଷ ମୁଁ ମଧ୍ୟ ଏ ଧାନକଟା ବେଳକୁ ଆସିଥିଲି । ଏ ବର୍ଷ କ୍ଷେତରେ ଯେତେ ଧାନ ତଳେ ପଡ଼ୁଛି, ଗତ ବର୍ଷ ଏତେ ମଧ୍ୟ ଉତ୍ପନ୍ନ ହୋଇ ନଥିଲା ।’’

 

କେତେ ସମୟ ପର୍ଯ୍ୟନ୍ତ କୋରନ କିଛି କହିଲା ନାହିଁ । ଧାନ କାଟଣୀ କହିଲା–“ଗତ ବର୍ଷ ବନ୍ଧ ଉପରକୁ ଆସିଲେ କ୍ଷେତ ଭିତରକୁ ଯିବାକୁ ଇଚ୍ଛା ହେଉ ନଥିଲା । କ୍ଷେତରେ କିଛି ନ ଥିଲା କହିଲେ ଚଳେ । ଏଥର ତ କାଟି କାଟି ଶେଷ ହେଉ ନାହିଁ । କେତେକ ରଖୁଆଳି ଚାଷୀଙ୍କ ଯୋଗୁ ଏପରି ଧାନ ହୋଇଛି ।”

 

କୋରନ ଟିକେ ଦୁଃଖିତ ହେଲା । ସେ କହିଲା ସତ କହୁଛି ଭଉଣୀ, ମୁଁ କେତେ କଷ୍ଟ କରିଛି ତା’ପ୍ରକାଶ କରିପାରିବି ନାହିଁ । ମୁଁ ଜୀବନମୂର୍ଚ୍ଛି କାମ କରିଛି । କିନ୍ତୁ.....’’

 

କୋରନର ଆଖି ଛଳଛଳ ହୋଇଗଲା । ସେ ନିଜର ସେଦିନ ଅବସ୍ଥା କଥା କହିବାକୁ ବସିଥିଲା । କିନ୍ତୁ ସ୍ୱାଭିମାନ ତା କହିବାକୁ ରୋକିଦେଲା । ଚିରୁତା ତା ମନକଥା ବୁଝିପାରିଲା । ସେ କହିଲା–‘‘ଏ ତମ୍ପୁରାନ ବଡ଼ ଲୋଭୀ । ଏପରି ଲୋଭୀ ଯେ ଏ ପ୍ରଦେଶରେ ତା' ପରି ଲୋକ ମୁଁ ଦେଖିନାହିଁ ।”

 

ସେ ଓସେପ୍‍ପର ଅତି ଲୋଭର କାହାଣୀ ଶୁଣାଇବାକୁ ଲାଗିଲା । ସବୁ ଶୁଣି କୋରନ କହିଲା–“ମୋର ଗୋଟିଏ ମାତ୍ର ମତ, ସେ ଅଯୋଗ୍ୟ ଓ ନିର୍ଦ୍ଦୟ । ଏପରି କଥା ମୁଁ ନିଜ ବିଷୟରେ ମଧ୍ୟ ଶୁଣିବାକୁ ଚାହେଁ ନା । ମୁଁ କାମ କଲି । ମୋର ଏକମାତ୍ର ଇଚ୍ଛା ଯେ ମୁଁ ଜାଣିବାକୁ ଚାହେଁ ଜମିରୁ କେତେ ଉତ୍ପନ୍ନ ହେଲା ।’’

 

କଟାଳିମାନଙ୍କୁ କଥାବାର୍ତ୍ତାରେ ମତାଇ କାମ ବନ୍ଦ କରିବା ଯୋଗୁ ତମ୍ପୁରାନ କୋରନକୁ ଗାଳିଗୁଲଜ କଲା ।

 

ଦ୍ୱିପହର ବେଳକୁ କୋରନ ଓସେପ୍‍ପ ପାଖକୁ ଗଲା । ତା’ର ଠିଆ ହେବାର ଶକ୍ତି ନ ଥିଲା । ଯାଇ କିଛି ପାଣି ପିଇଵା ପାଇଁ ମୁଠିଏ ଧାନ ମାଗିବାକୁ ତା’ର ଇଚ୍ଛା ଥିଲା । କିନ୍ତୁ ଓସେପ୍‍ପ ହାବଭାବ ଦେଖି ସେ ଧାନ ମାଗିବା ଇଚ୍ଛା ଛାଡ଼ିଦେଲା ।

 

ଚେହେରାରୁ ହାବଭାବ କେତେ ଅନ୍ତର ହୋଇଯାଏ ! ବୁଣାବୁଣି ଦିନଠାରୁ ଆଜି କେତେ ପରିବର୍ତ୍ତନ ! ସେ ଦିନ ଦେଖା–ସାକ୍ଷାତ୍ ବେଳେ ଓସେପ୍‍ପ ହସୁଥିଲା, କୁଶଳ ଓ ମଙ୍ଗଳ ପଚାରୁଥିଲା, ସହାନୁଭୂତି ଦେଖାଉଥିଲେ । କେଡେ ଅମାୟିକ ଜଣାପଡ଼ୁଥିଲା । କିନ୍ତୁ ଆଜି ? ...ଜଣାଶୁଣା ଲୋକ ପରି ଭାବ ମଧ୍ୟ ନାହିଁ । ଏତିକି ନୁହେଁ, ଏତିକି ନୁହେଁ, ଆଜି ଏକପ୍ରକାରର ଘୃଣା ଓ ଅସହିଷ୍ଣୁତା ଭାବ ଦେଖୁଛି ।

 

ଓସେପ୍‍ପ କୋରନକୁ ତୀବ୍ର ଦୃଷ୍ଟି ଏବଂ ଧ୍ୟାନର ସହିତ ଚାହିଁଲା ।

 

କୋରନ କହିଲା–“ଅଧୀନର ଗୋଟିଏ ପ୍ରାର୍ଥନା ଅଛି ।”

 

‘‘କଣ ?”

 

‘‘ଅଧୀନ ପ୍ରଥମେ ଓଣପ୍‍ପଣୀରେ ଯୋଗ ଦେଇଛି ।”

 

‘‘ଏଇଥିପାଇଁ ?”

 

‘‘ଆଉ କିଛି ନୁହେଁ, ଏ କ୍ଷେତର ଆମଦାନୀ ଟିକେ ସ୍ୱତନ୍ତ୍ର ମପାଗଲେ କେତେ ଧାନ ହୋଇଛି ଜଣାଯାଆନ୍ତାନି ?”

 

ଅନେକ ସମୟ ପର୍ଯ୍ୟନ୍ତ ଓସେପ୍‍ପ ଉତ୍ତର ଦେଲା ନାହିଁ । ଏ ଅନୁରୋଧ ତାକୁ ଆଦୌ ଭଲ ଲାଗିଲା ନାହିଁ ।

 

କୋରନ କହିଲା–“ଅଧୀନ ଏହା ଜଣେ...”

 

‘‘ମୋର ବର୍ଷକର ଆମଦାନୀ ବି ତୋତେ ଜଣାଇବାକୁ ହେବ ? ମୋତେ ଏ ଢଙ୍ଗ ଦେଖାନା, ଚାଲିଯା ଏଠାରୁ ।”

 

କୋରନ ସେଠାରୁ ଚାଲିଗଲା । ସେ ବୁଝିପାରିଲା ନାହିଁ ଯେ ତା’ର ଏ ଅନୁରୋଧରେ କଣ ଭୁଲ ଥିଲା । ବୋଧହୁଏ ଜଣେ ଚାକର–ଅଧିକାରର ଏ ବାହାର କଥା ।

 

ସେଦିନ ଦୁଇପହରକୁ ଓସେପ୍‍ପ ଚାଲିଗଲା । ତା' ପରେ ଚାକୋ ଆସିଲା । ସେ ଦିନ କଟାକଟି ପରେ ମୂଲିଆମାନଙ୍କୁ ଗୋଟିଏ ଗୋଟିଏ ହଳା ମିଳିଥିଲା । ଧାନ ଗୋଛାସବୁ ଖଳାରେ ପହଞ୍ଚାଇଦେବା ପରେ ପ୍ରତ୍ୟେକ କଟାଳି ଗୋଟିଏ ଗୋଟିଏ ହଳା ଚାକୋ ଆଗରେ ରଖୁଥାନ୍ତି ଏବଂ ସେ ସେଥିରୁ କିଛି କିଛି ଧାନ କେଣ୍ଡା କାଢ଼ି ନେଇ ବାକିତକ ଦେଇଦେଉଥାଏ । କୋରନକୁ ଜଣାଗଲା ତା' ହଳାରୁ ଚାକୋ ଟିକେ ଅଧିକ ନେଇଗଲା ବୋଲି । କିନ୍ତୁ ଚିରୁତା ଯେତେବେଳେ ହଳାକୁ ଉଠାଇବା ପରେ ଚିରୁତାକୁ ଏକଧ୍ୟାନରେ ଚାହିଁଲା ଏବଂ ନାମକୁମାତ୍ର ଗୋଟିଏ କେଣ୍ଡା ଟାଣିଦେଲା ।

 

ଚିରୁତା ଯେତେବେଳେ ତା' ହଳା କୋରନ ହଳା ସାଙ୍ଗରେ ବାନ୍ଧିବାକୁ ଯାଏ, କୋରନ ବାଘ ପରି ଗର୍ଜିଉଠି କହିଲା–“ନା, ମୋ ହଳା ସାଙ୍ଗରେ ବାନ୍ଧନା, ଏଥିରେ ମୋର କାମ ଅଛି ।”

 

ଚିରୁତା ଛାଡ଼ିଲା ନାହିଁ । ଅଧିକାର ଜୋର୍‍ରେ ପଚାରିଲା–“କଣ କାମ ଅଛି ? ମଦଖଟିକୁ ନେଇଯାଇ ଲୋକସାନ କରିବା କଥା ତ ?”

 

‘‘ଯା ଯା, ଏହାର ବ୍ୟବସ୍ଥା ମୁଁ କରିବି ।”

 

କୋରନ ଠିଆହୋଇ ଦାନ୍ତ କଡ଼ମଡ଼ କରୁଥାଏ । ତା’ର ରାଗ ସୀମା ଅତିକ୍ରମ କରିଥିଲା-

 

ମରିଆ ଚିରୁତାକୁ ବୁଝାଇଲା ।

 

‘‘ନା, ଆମଚା , ମୁଁ ନିଜେ ତାଡ଼ି ପିଇବା ପାଇଁ ଧାନ ଓ ପଇସା ଦେଇଛି । ଏ ଚୈତ୍ର ମାସ ହେଲେ ମଧ୍ୟ ଉପବାସ ରହିବାକୁ ପଡ଼ୁଛି । ଆଜି ଯା' କିଛି ବା ମିଳିଛି, ତାକୁ ନେଇ ତାଡ଼ି ଦୋକାନରେ ଦେବାକୁ ଇଚ୍ଛା । ସବୁଦିନେ ଏପରି କଲେ କିମିତି ଚଳିବ ?”

 

‘‘ଏହିପରି ହୋଇଥାଏ ଚିରୁତା, ଅନେକ କିଛି ଦେଖି ମଧ୍ୟ ଦେଖୁନାହୁଁ, ଯେପରି ପ୍ରବର୍ତ୍ତନା ଆବଶ୍ୟକ, ପୁରୁଷମାନଙ୍କୁ ସହାୟତା ଦେଓ ଆମକୁ ଆଗେଇ ନେବାକୁ ହେବ ।”

 

କୋରନ ନିଜର ହଳାକୁ ଥଳିରେ ପୂରାଇ ଯିବାକୁ ଲାଗିଲା । ଚିରୁତା କହିଲା–“ଆଜି ସମସ୍ତଙ୍କ ଉପରେ ରାଗ । ବର୍ତ୍ତମାନ ପିଇକରି ଆସିଲେ ଭାତ ମିଳିବ ନାହିଁ । ମୁଁ ଘରକୁ ଯାଇ ଧାନ ସିଝାଇ ଏବଂ କୁଟି ଚାଉଳ କଲା ପରେ କି ଭାତ ରାନ୍ଧିବାକୁ ହେବ ।”

Unknown

 

‘‘ମୁଁ ଆଜି ଆସିବି ନାହିଁ ।”

 

ଗୋଟିଏ ହଳାରୁ ଯେତିକି ଧାନ ମିଳିପାରିବ, ସେତିକି କୋରନ ତାଡ଼ି ପିଇବାକୁ ନେଲା-। କିନ୍ତୁ ନିଜର ଦୁଃଖ ଓ କ୍ଷୋଭ ସେ ଏତିକିରେ ଭୁଲିପାରିଲା ନାହିଁ । ସେ ଭୁଲିଯିବାକୁ ଚାହୁଁଥିଲା; କିନ୍ତୁ ସେ ବୋତଲେ ତାଡ଼ିରେ ଭୁଲିପାରିଲା ନାହିଁ । ସେ ଦୋକାନୀଠାରୁ ଆଉ ବୋତଲେ ଧାର ମାଗିଲା; କିନ୍ତୁ ଧାର ମିଳିଲା ନାହିଁ ।

 

‘‘ଏ ଚୈତ୍ର ମାସରେ ତୁ ଧାର ମାଗୁଛୁ ?”

 

ଆମଚା–ମା ।

 

ଏ ପ୍ରଶ୍ନ ତା’ର ଦୁଃଖବୃଦ୍ଧିର କାର୍ଯ୍ୟ କଲା । ଚୈତ୍ର ମାସ । ସେ ଛ' ଶହ ପସୁରୀ କ୍ଷେତର ରଖୁଆଳ ଚାଷୀ ! କିନ୍ତୁ ବୋତଲେ ତାଡ଼ି ପାଇଁ ତା' ଥଳିରେ ଧାନ ନାହିଁ । କୋରନକୁ ଜଣାଗଲା ସେ କାନ୍ଦୁଛି ।

 

ଏହି ସମୟରେ ଚାତ୍ତନ ସେଠାକୁ ଆସିଲା । ଦୁହେଁ ମିଶି ପେଟ ପୂରାଇ ତାଡ଼ି ପିଇଲେ-

 

ସେ ଦିନ ଅର୍ଦ୍ଧରାତ୍ର ପରେ ସୁଦୂର–ବିସ୍ତୃତ ପୁଞ୍ଚାକ୍ଷେତରେ ଚିତ୍କାର ଶବ୍ଦ ଗୁଞ୍ଜନ ଶୁଣାଗଲା । କେବଳ ଚିତ୍କାର ନୁହେଁ । ତା’ର ଏ ଅସ୍ପଷ୍ଟ ଧ୍ୱନି ମାତ୍ର ।

 

ସେ ଛ' ଶହ ପସୁରୀ କ୍ଷେତର ରଖୁଆଳ ଚାଷୀ । ଏ ଚିତ୍କାରରେ ଶକ୍ତି ଥିଲା, ଅଭିମାନ ମଧ୍ୟ ଥିଲା ଏବଂ ଏହା ପରେ ଥିଲା ରାଗ ଉତ୍ପନ୍ନ କରିବା ଘଟନାର ସ୍ମୃତି । ତମ୍ପୁରାନ ପୁଅ ତା' ସ୍ତ୍ରୀ ଚିରୁତା ଚାରି ପାଖରେ ଘୂରି ବୁଲୁଥିଲା । ଏହା ସେ ଦେଖିଲା ।

 

ଚଉଦ

 

ଧାନକଟା ଶେଷ ସୀମାରେ ଆସି ପହଞ୍ଚିଗଲା । ଦିନ ତମାମ କଟା ଓ ରାତିକୁ ବେଙ୍ଗଳା-। କୁଟ୍ଟନାଟରେ ଦିନରାତି ପ୍ରଭେଦ ଜଣା ପଡ଼ୁ ନ ଥିଲା । କେହି ଶୋଉ ନଥିଲେ । ସବୁ ସ୍ଥାନରେ ହଳା, ଧାନ–ନଡ଼ା ଓ ପାଳର ହିଁ ଦୃଶ୍ୟ । ଦିନରାତି କାମ କରି ମଧ୍ୟ ଶେଷ ହେଉନଥିଲା-। ଲୋକମାନଙ୍କର ଦେହ, ମନ ଓ ମସ୍ତିଷ୍କ ମିଶି ଗୋଟିଏ ଯନ୍ତ୍ର ପରି କାମ କରୁଥିଲା ।

 

ହଜାର ପସୁରୀର ସୁଦୂରପ୍ରସାରୀ ବଡ଼ ବଡ଼ କ୍ଷେତର ଧାନ ଦା'ରେ କାଟି ହଳା ବାନ୍ଧି ରଖିବା ଇତ୍ୟାଦି କାମ ଲୋକମାନଙ୍କ ଦ୍ୱାରା ହୁଏ; ପୁଣି ହଳାକୁ ବୋଝ ବାନ୍ଧି ସେମାନେ ମୁଣ୍ଡରେ ମୁଣ୍ଡାଇ ଖଳାରେ ପହଞ୍ଚାଇ ଦିଅନ୍ତି ।

 

ଖଳାର ସବୁ ସ୍ଥାନରେ ପର୍ବତ ପରି ଧାନ ଗଦାକୁ ଗଦା ଜମା ହୋଇଥିବାର ଦେଖାଯାଏ-। ସବୁ ଧାନହଳାକୁ ପାଦରେ ମଳି ଧାନକୁ ଶୀଷାରୁ ଅଲଗା କରାଯାଇସାରିଛି । ତାକୁ ଖରାରେ ଶୁଖାଇ ଏବଂ ସେଥିରୁ ଅଗାଡ଼ି ବାହାର କରିଦେଇ ଅମାରରେ ରଖିବା କାମ ହିଁ ବାକି ଅଛି-

 

ଏଡ଼େ ବଡ଼ କାମରେ ଯେଉଁମାନେ ଲାଗିଥାନ୍ତି ସେମାନଙ୍କ ମଧ୍ୟରୁ କାହାରିକୁ ଥକିଯିବା, ବିଶ୍ରାମ ନେବା, ଭୋକ–ଶୋଷ କରିବା କିଛି ଜଣା ପଡ଼ୁନଥିଲା । ଆଗରେ ପାତ୍ରପୂର୍ଣ୍ଣ ପାକଯୋଗ୍ୟ ଚାଉଳ, ତସଲାଭରା ଧାନ ରହିଲେ କାହାରିକୁ କ'ଣ ଭୋକଶୋଷ ଲାଗେ !

 

ଓସେପ୍‍ପ ଖଳାରେ କାମର ସୀମା ନାହିଁ । କେତେ ଦିନର କଟା ହଳା ଗଦାକୁ ଗଦା ରଖାଯାଇଛି । କେଉଁଠି ସ୍ତ୍ରୀଲୋକମାନେ ଧାନ ମଳିବାରେ ଲାଗିଛନ୍ତି; କେଉଁଠି ଧାନକେଣ୍ଡାରୁ ଅମଳ ହେବା ଧାନ ମପା ଚାଲିଛି; କେଉଁଠି ଖରାପ ଧାନ ଓଜନ କରାଯାଉଛି । ଖଳାରେ ତିଳ ପକାଇବାକୁ ସ୍ଥାନ ନାହିଁ ।

 

ଏ ଗହଳଚହଳ ଏବଂ ସ୍ଥାନର ସଙ୍କୁଳାନ ମଧ୍ୟରେ କୋରନର ମନେ ଥାଏ କେଉଁଠି ତା' କ୍ଷେତର ଧାନ ରଖାଯାଇଛି ?

 

ଦିନେ ସନ୍ଧ୍ୟାରେ ଧାନକଟାରୁ ଫେରିବାପରେ ସେ ତା' ଧାନ ଗଦା ହୋଇଥିବା ସ୍ଥାନରେ କେତୋଟି ଗଦାକୁ ଦେଖିଲା ନାହିଁ । ଏହି ଗଦା ବାହାର କଲା ପରେ ଓସେପ୍‍ପର ଅମାରକୁ ଏହା ନିଆଯାଇଛି ।

 

ଓସେପ୍‍ପ ଖଳାରେ ଥିବା ଗୋଟିଏ କୁଡ଼ିଆରେ ବସିଥାଏ । କୋରନ ପାଖକୁ ଯାଇ ପଚାରିଲା–“ତମ୍ରା, ଅଧୀନର ରଖୁଆଳି କ୍ଷେତ ତିନି ଗଦାରେ କେତେ ଧାନ ଥିଲା !’’

 

‘‘ଏହା ଜାଣି କଣ କରିବୁ ?”

 

‘‘ଅଧୀନ ଏମିତି ଜାଣିବାକୁ ଚାହୁଁଛି ।”

 

କୋରନର ବିଶ୍ୱାସ ଥିଲା ଏ କଥା ଜାଣିବାର ତା’ର ଅଧିକାର ଅଛି ।

 

ଓସେପ୍‍ପ କୁଡ଼ିଆ ଚାଳରେ ଖୋସିଥିବା ବେତ ବାହାର କରି ତା ଉପରକୁ କୁଦିପଡ଼ିଲା ଓ କୋରନ ପିଠିରେ ଏକ ବେତପାହରେ ବସାଇଦେଲା । ଅନ୍ୟ ପାହାର ବସିବା ପୂର୍ବରୁ ପତ୍ରୋସ୍ ତାକୁ ଟାଣି ହଟାଇଦେଲା । ଇଟ୍‍ୟାତି ତାକୁ ସେଠୁ ଟାଣିନେଇଗଲା । ଓସେପ୍‍ପ ରାଗିଯାଇ ଗାଳିଦେବାକୁ ଆରମ୍ଭ କଲା ।

 

ଏହା ମଧ୍ୟରେ ଚିରୁତା ପହଞ୍ଚିଗଲା ଏବଂ କୋରନକୁ ସାଙ୍ଗରେ ନେଇଗଲା । କୋରନ ଅଜ୍ଞାନ ଅବସ୍ଥାରେ ସେଠାରୁ ଚାଲିଗଲା ।

 

ଶମୟଲ ପୁଲୟନ ତା' ନିକଟକୁ ଆସି ପଚାରିଲା–“ତୁ ବୃଥା କଥା କାହିଁକି ପଚାରୁଥିଲୁ-? ମୁଁ ତ ମୁଖିଆ । ଏତେ ସାଲ ହେଲେ ମଧ୍ୟ ମୋତେ ଏସବୁ କଥା ଜଣାନାହିଁ । ମୁଁ ଆଦୌ ପଚାରେ ନାହିଁ ।”

 

ପତ୍ରୋସ କହିଲା–“ଯେତେ ହେଲେ ମଧ୍ୟ ଆମର ଏଥିରେ କଣ ଅଛି ? ଆମେ କାହିଁକି ଜାଣିବାକୁ ଚାହିଁବା ? ତମ୍ପୁରାନ ବିହନ ଓ ପଇସା ଖର୍ଚ୍ଚ କଲା । ଆମେ କାମ କରି ମଜୁରି ପାଇଲୁ । କେତେ ଧାନ ହେଲା ଏ କଥା ଆମେ ପଚାରିବା ଉଚିତ ନୁହେଁ ।”

 

ତା’ର ପ୍ରଶ୍ନ କରିବା ଅନୁଚିତ ଥିଲା ! ଚିରୁତା ମଧ୍ୟ ତା’ର ଭୁଲ ବାହାର କରୁଥିଲା ।

 

ସେ ପଚାରିଲା–“ଆମେ ଧାନ କେବଳ ଉପୁଜାଇବୁ, କେତେ ହେଲା ଏହା ମଧ୍ୟ ଜାଣିବୁ ନାହିଁ ?”

 

‘‘ଏହିପରି ହୋଇଥାଏ”–ଶମୟଲ ଉତ୍ତର ଦେଲା–‘‘ଆମେ କାହିଁକି ଜାଣିବା ? ଏ ପର୍ଯ୍ୟନ୍ତ କେଉଁ ପରୟା ଏବଂ ପୁଲେୟାଙ୍କୁ ଏ କଥା ଜଣାନାହିଁ ।’’

 

ସମସ୍ତେ ମିଶି ପରାମର୍ଶ କଲେ ଯେ ସେ ଦିନ କୋରନ ଖଳାକୁ ନ ଯିବା ଉଚିତ । ଚିରୁତା ଓ କୋରନ ଘରକୁ ଫେରିଯାନ୍ତୁ । ଖାଇସାରିବା ପରେ ଚିରୁତା କେବଳ ଧାନ ମଳିବାକୁ ଆସିବ । ଜହ୍ନରାତି । କୋରନକୁ ଖଳାରେ ଦେଖି ହୁଏତ ପୁଣି ତମ୍ପୁରାନ ତା' ଉପରକୁ ହାତ ଉଠାଇପାରେ ।

 

ଏହି ସମୟରେ କୁଡ଼ିଆ ପାଖରେ ଗାଳି-ଗୁଲଜ ଓ କାନ୍ଦ ର ଶବ୍ଦ ଶୁଣାଗଲା । ତମ୍ପୁରାନ ଓଳମ୍ପି ପୁଅକୁ ପିଟୁଥିଲା । ଚାକୋକୁ ସେଠାରେ ଦେଖି ତାକୁ କହି କୋରନ ଓ ଚିରୁତା ଚାଲିଗଲେ ।

 

ଅଧରାତି ହୋଇଯାଇଥିଲା । ସ୍ୱଚ୍ଛ ଚନ୍ଦ୍ରକିରଣ ଝଟକୁଥିଲା । ଏ ପାଖ ସେପାଖ କୁଡିଆମାନଙ୍କରୁ ଧନକୁଟା ଶବ୍ଦ ବନ୍ଦ ହୋଇଗଲା । ସବୁ ସ୍ଥାନରେ ନିଆଁ ଜଳୁଥିଲା । ଖାଇବା ଜିନିଷ ରନ୍ଧାଯାଉଥିଲା ।

 

ଖଳାମାନଙ୍କରେ ଧାନ ମଲା ଚାଲିଥାଏ । ଧଇଁ-ସଇଁ ହୋଇ ଦୌଡ଼ି ଆସି ଚିରୁତା ଖାଲରେ ପହଞ୍ଚିଲା । ସେ ଥରୁଥିଲା । ବର୍ତ୍ତମାନ ମଧ୍ୟ ତା' ମୁହଁରେ ଭୟର ଭାବ ରହିଥାଏ । ସେ ବୁଲି ବୁଲି ପଛକୁ ଚାହୁଁଥିଲା ।

 

ମରିୟା ଠିଆହୋଇ ଧାନ ମଳୁଥିଲା । ପଚାରିଲା–‘‘କି ଚିରୁତା ? କଥା କଣ ?”

 

ଚିରୁତା କିଛି କହିପାରିଲା ନାହିଁ ।

 

ଜଣାପଡ଼ୁଥାଏ ସେ ଡରିଯାଇଛି । ‘‘କଥା କଣ ? କଣ ଦେଖିଲୁ କି ?”

 

ଜଣେ ବୟସ୍କ ପୁଲୟୀ ପଚାରିଲା ।

 

ସେ କହିଲା–“ରାତି ଓ ସକାଳକୁ ମନେ ନା ରଖି ଏକାକିନୀ ବୁଲିବା ଠିକ୍ ନୁହେଁ । ଏ କ୍ଷେତରେ ଭୁତ ଅଛି ।”

 

ଚିରୁତାର ଧଇଁସଇଁ ହେବା କମି ଆସିଥାଏ । ଭୁତ-ପ୍ରେତ ଡର ଯୋଗୁ ତା’ର ଏପରି ଦଶା ହୋଇ ନଥିଲା, ଏ କଥା ସତ । ଜଣାଯାଉଥିଲା ଯେପରି ସେ ବହୁତ ଦୂରକୁ ତା'ପଛରେ ଗୋଡ଼ାଇଥିବା ଗୋଟିଏ ବିଷଧର ସାପ ହାବୁଡ଼ରୁ ଖସି ଆସି ବଞ୍ଚିଯାଇଛି ।

 

‘‘କଣ ହେଲା ରେ ?” –ସମସ୍ତେ ପଚାରିଲେ ।

 

ଚିରୁତା ଉତ୍ତର ଦେଲା–“କିଛି ନାହିଁ...ମୁଁ ଦୌଡ଼ି ଦୌଡ଼ି ଆସୁଥିଲି, ସେଥିପାଇଁ ଧଇଁସଇଁ ହେଉଛି ।”

 

ଜଣେ ଏକଧ୍ୟାନରେ ଅନାଇ କହିଲା–“ଛି, ତୁ ଡରିଯାଇଛୁ ବୋଲି ଜଣାଯାଉଛି । ଡରିଯାଇଥିଲେ କହ–ସେଥିପାଇଁ କିଛି ଉପାୟ କରାଯାଇପାରେ ।”

 

ଚିରୁତା ଉତ୍ତର ଦେଲା–“ଡରି ନାହିଁ ।’’ ସେ ଧାନ ମଳିବାରେ ଲାଗିଗଲା । କିଛି କହିଲା ନାହିଁ ।

 

ମାରିୟା ପଚାରିଲା–“ତୁ କାହିଁକି ଚୁପ୍ ରହୁଛୁ ଚିରୁତା ? କୋରନ ଶୋଇପଡ଼ିଛି କି ?”

 

‘‘ନା, ଚିନ୍ତାମଗ୍ନ ହୋଇ ବସିଛି । ଯିଏ କାମ କରିଛି, କ୍ଷେତରେ କେତେ ଧାନ ହେଲା ତା' ଜାଣିବା କଣ ତା’ର ଉଚିତ ନୁହେଁ ?”

 

‘‘ଏହା କାହିଁକି ଜାଣିବାକୁ ଚାହିଁବ ?”

 

‘‘ଏମିତି ।”

 

‘‘ଏଇ କଥା । ସେ କଣ ଆଉ କିଛି କହିଲା ?”

 

‘‘ନା, ଆଦୌ ମୁହଁ ବି ଖୋଲିନାହିଁ ।”

 

କିଛି ସମୟ ପରେ ମରିୟା ଧୀର ଭାବରେ ପଚାରିଲା–“ତୁ କାହିଁକି ଡରି ପଳାଇ ଆସିଲୁ ଝିଅ ?”

 

ଜଣାଗଲା ମରିୟା ଠିକ୍ କଥା ଅନୁମାନ କରିପାରିଛି ।

 

‘‘ବର୍ତ୍ତମାନ କହିବ ଆମଚ୍ଚା, ସେଠାକୁ ଚାଲ !”

 

ଚିରୁତା ଏବଂ ମରିୟା ପାଳଗଦା ପଛକୁ ଗଲେ । ଦୁଃଖ–ପୂର୍ଣ୍ଣ ସ୍ୱରରେ ଚିରୁତା ସବୁ କଥା କହିଗଲା ।

 

କ୍ଷେତ ସେପାଖ ଗଛ ଛାଇରେ ସେ ଯେତେବେଳେ ପହଞ୍ଚିଲା, ସେତେବେଳେ ଜାଣେନା ଚାକୋ କୁଆଡୁ ଆସି କିପରି ସେଠି ପହଞ୍ଚିଗଲା । ...ଚିରୁତା ତା' ଛାତି ମରିୟାକୁ ଦେଖାଇଲା । ନଖ ଚିହ୍ନ ରହିଛି । ତାର ଶାଢ଼ି କାନି ମଧ୍ୟ ଧରାପରା ବେଳେ ଚିରିଯାଇଛି । …କୌଣସିମତେ ସେ ଚାକୋ ହାବୁଡ଼ରୁ ଖସି ପଳାଇ ଆସିଲା ।

 

ମରିୟା ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲାନାହିଁ । ଚିରୁତା ଶେଷରେ କହିଲା–“ଯେଉଁ ଦିନଠାରୁ ଆସିଲା ସେହି ଦିନ ଠାରୁ ହିଁ ସେ ମୋ ପିଛା ଧରିଛି । ଥରେ ସେ କୋରନ କହିଥିଲା ‘ତମ୍ରା, ସ୍ତ୍ରୀ ଲୋକଙ୍କ ପଛରୁ ଚାଲି ଯା' । ମୋର ପ୍ରଥମରୁ ତା' ପ୍ରତି ସନ୍ଦେହ ଥିଲା ।”

 

ମରିୟା ଧୀର ଭାବରେ ଉତ୍ତର ଦେଲା–“ଏପରି ହୋଇଥାଏ ମା ! ସେ ସବୁ ଯୁବତୀ ଝିଅଙ୍କ ପିଛା ଧରିଥାଏ । ଚାରି ପାଞ୍ଚ ଜଣଙ୍କୁ ସେ ମଧ୍ୟ ଧରିଛି । ସେମାନେ ଧାନକଟାକୁ ଆସିଥିବା ଝିଅ । ସେମାନଙ୍କୁ ମେଞ୍ଚା ମେଞ୍ଚା ଦେଇଥାଏ । ସେ ତୋ ପଛରେ ଘୂରିବାର ମୁଁ ମଧ୍ୟ ଦେଖିଥିଲି ।

 

‘‘ମୁଁ ମଧ୍ୟ ଦେଖିଛି । ପରେ ଏ ଯମଦୂତ ଚୁପ୍ ଚାପ୍ ଆସି ଧରିବ ଏ କଥା ମୁଁ ଭାବିନଥିଲି ।”

 

‘‘ଏହିପରି ସାନ ତମ୍ପୁରାନମାନେ କରୁଛନ୍ତି ଲୋ ଝିଅ । ଏମାନଙ୍କର ପରୟ ଓ ପୁଲୟଙ୍କର ଝିଅ ହିଁ ଦରକାର । ଯେଉଁଠାରୁ ଆମ ଝିଅମାନେ ବଲୋଜ ଏବଂ ଜମ୍ଫର ପିନ୍ଧିବା ଆରମ୍ଭ କଲେ ସେ ଦିନଠାରୁ ଏହି ଅବସ୍ଥା ହୋଇଛି ।’’

 

ଚିରୁତା କହିଲା–“ଏ କଥା ଯଦି ଘରେ ଜାଣନ୍ତି... ।’’

 

ମରିୟା ଡରିଯାଇ କହିଲା–“ଓ ଝିଅ, ଚୁପ୍ ଚୁପ୍ ! ସେ ଜାଣିଲେ ଚୁପ୍ ରହି ପାରିବ ନାହିଁ-। ତା ଫଳ ହେବ ଏ ଲୋକ ତାକୁ ଖତମ କରିଦେବେ ।’’

 

‘‘ମୋର ମଧ୍ୟ ଏଇଥିପାଇଁ ଭୟ ।

 

‘‘ସାବଧାନ ରହିଲେ ଠିକ୍ ହେବ । ବର୍ଷେ ଦୁଇ ବର୍ଷରେ ଗୋଟିଏ ଦୁଇଟି ପିଲା ହୋଇଗଲେ, ଭୟ କରିବାର କିଛି ନାହିଁ । ତୁ ଆଦୌ ଭୟ କରନା ମା ! କୋରନକୁ କିଛି କହିବୁ ନାହିଁ ।’’

 

‘‘ମୋତେ ସରମ ଲାଗିବ ନାହିଁ–କିପରି କହିବି ?’’

 

ପନ୍ଦର

 

ସେ ଦିନ ପୁଷ୍ପବେଲୀ ଓସେପ୍‍ପ ଘରେ ଚାକରମାନେ ଏକତ୍ର ହୋଇଥାନ୍ତି, କାରଣ ସେମାନଙ୍କର ହିସାବ ଚୁକ୍ତି ହେବାର ଥାଏ ।

 

ସର୍ବପ୍ରଥମେ ଶମୟଲର ହିସାବ ହେଲା । ଓସେପ୍‍ପ ହିସାବ କରି ବତାଇଲା ଯେ ଶମୟଲ ପଚିଶ ପସୁରୀ ଧାନ ଏବଂ ପଚିଶ ଟଙ୍କା ଧାରନେଇଛି । ଚୁକ୍ତି ଅନୁସାରେ ପୂରାଦିନ କାମ କରିଛି । ବାକି ବୁକର ସବୁ କଟିଗଲା ପରେ ତାକୁ ଚାଳିଶ ପସୁରୀ ଧାନ ଆଉ ମିଳିବ । ସେ ପଚାରିଲା–“କିରେ ହିସାବ ଠିକ୍ କି ନା ?’’

 

ଏ ମିଶା–ଫେଡ଼ା ବିଷୟରେ ଶମୟଲ କିଛି କହିଲା ନାହିଁ । ସେ ଖାତା ମୁକାବିଲା, ଜମା–ଖର୍ଚ୍ଚ ଆଦି ହିସାବ କଥା ଜାଣି ନ ଥିଲା । ତିରିଶ ବର୍ଷରୁ ଉର୍ଦ୍ଧ୍ୱ ହେବ ତା’ର ହିସାବ ଏହିପରି ହୋଇଆସୁଅଛି । ତମ୍ପୁରାନ ମିଶାଏ, ଫେଡ଼େ, ଏବଂ ଶେଷରେ ପଚାରେ-'ହିସାବ ଠିକ୍ ତ ?'

 

ସବୁଦିନ ପରି ସେ ଉତ୍ତର ଦେଲା–“ହଜୁର !’’

 

ତାର ସ୍ୱଭାବ ଏହିପରି ଥିଲା ।

 

ଯା' ସବୁ ହେଉଥାଏ ତା' କୋରନ ଚୁପ୍ ଚାପ୍ ଠିଆହୋଇ ଦେଖୁଥାଏ । ସେ ଆଶ୍ଚର୍ଯ୍ୟ ହେଲା । ହିସାବ କରିବାର ଏ କିପରି ନିୟମ ? ଛ' ହଜାର ପସୁରୀ କ୍ଷେତର ମୁଖିଆ ପରୟନର ଆୟ ଚାଳିଶ ପସୁରୀ ଧାନ । ଧାର କରଜର ଯେଉଁ ହିସାବ କହିଲା ତା' କଣ ସବୁ ଠିକ୍ ? କୋରନ କିଛି ବୁଝିପାରିଲା ନାହିଁ । ଏହି ନିୟମରେ ଅନ୍ୟମାନଙ୍କୁ କେତେ ମିଳିବ ? ବାଣ୍ଟିବା, ମାପିବା ଏବଂ ରଖୁଆଳ ପାଇଁ କିଛି ଦେଲା ନାହିଁ ।

 

ଜଣ ଜଣ କରି ଅନ୍ୟମାନଙ୍କର ମଧ୍ୟ ହିସାବ ହୋଇଗଲା । ତମ୍ପୁରାନ ହିଁ ହିସାବ କରୁଥାଏ । ଇଟ୍‍ୟାତୀର ଦଶ ପସୁରୀ, ଓଲମ୍ପିର ପନ୍ଦର ଏହିପରି ହିସାବ ହେଲା ।

 

ଏ ସବୁ ଦେଖି ଦେଖି କୋରନ ଅଧୀର ହୋଇଗଲା । ତାକୁ ପଚାରିବାକୁ ମନ ହେଲା ତମ୍ପୁରାନ ନିଜେ କାହିଁକି ଏପରି ହିସାବ କରୁଛି ? ଏହା ତାକୁ ଭାରି ଦଗାବାଜି କଥା ବୋଲି ଜଣାଗଲା । ତା' ରକ୍ତ ଗରମ ହୋଇ ଉଠିଲା । କେହି କିଛି କହୁ ନାହାନ୍ତି । ସମସ୍ତେ ଚୁପ୍‍ଚୁପ୍ ତା' ହିସାବକୁ ମାନି ନେଉଛନ୍ତି । ଶେଷରେ କୋରନର ହିସାବ ହେବା ବେଳ ପଡ଼ିଲା । ଓସେପ୍‍ପ ଯେପରି ସମସ୍ତଙ୍କୁ ପଚାରି ଥିଲା ସେହିପରି କୋରନକୁ ମଧ୍ୟ ପଚାରିଲା–“କେତେ ନେଇଥିଲୁ ରେ-?’’

 

ସେ କଥା କୋରନର ରାତିଦିନ ସବୁବେଳେ ମନେ ରହିଥାଏ । କିନ୍ତୁ କୋରନ କହିଲା ନାହିଁ ।

 

ଓସେପ୍‍ପ ହିସାବ ଦେଖି କହିଲା–“ତିରିଶ ଟଙ୍କା ଏବଂ କୋଡ଼ିଏ ପସୁରୀ ଧାନ ।’’

 

କୋରନ ଚମକିପଡ଼ିଲା । ସେ କୋଡ଼ିଏ ଟଙ୍କା ଏବଂ ପନ୍ଦର ପସୁରୀ ଧାନ ଧାର ନେଇଥିଲା । ତା' ଅଜାଣତରେ ମୁହଁରୁ ବାହାରି ପଡ଼ିଲା,’’ଏହା ଭୁଲ ତମ୍ରା !’’

 

ଏହା ଅପ୍ରତ୍ୟାଶିତ କଥା । କୋରନ ଓ ଓସେପ୍‍ପ ଦୁହେଁ ଚମକି ପଡ଼ିଲେ । ହିସାବ ଖତାରୁ ଆଖି ଫେରାଇ ତମ୍ପୁରାନ ପଚାରିଲା–“କଣ କହିଲୁରେ ?’’

 

‘‘ଅଧୀନ ଏତେ ନେଇ ନାହିଁ ।’’

 

‘‘ପାଜି କାହାଁକା । ତୁ ହିସାବ ବତାଉଛୁ ?’’

 

ରାଗରେ ଓସେପ୍‍ପ କୁଦିପଡ଼ି ଠିଆ ହୋଇଗଲା । ‘‘କଣ ମୋ ହିସାବ ଭୁଲ ? କେବଳ ତୋରି ପାଇଁ ହିସାବ ମୋର ଭୁଲ ହୋଇଗଲା ? ବେଲଜ୍ଜା କେଉଁଠିକାର !’’

 

ପତ୍ରୋସ କହିଲା–“ରେ କୋରା, ତମ୍ପୁରାନର ହିସାବ କିପର ଭୁଲ ହେବ ?’’

 

‘‘ମୁଁ ଯା କହିଲି ସେତିକି ହିଁ ମୁଁ ନେଇଛି ।’’

 

ତମ୍ପୁରାନ ପତ୍ରୋସକୁ ଅପରାଧୀ ବୋଲି କହିଲା ।

 

‘‘ଏପରି ଚପଳଲୋକକୁ ଆଣି ତୁ ଏଠାରେ କାମରେ ଲଗାଇ ଭୁଲ କରିଛୁ । ମୁଁ ସେ ଦିନ ହିଁ କହିଥିଲି । ଦୁଷ୍ଟ, ମୋ ହିସାବ ଭୁଲ ?’’

 

ସମସ୍ତେ ମିଶି କୋରନର ଭୁଲ ବାହାର କଲେ । ସେ ଭୁଲ କରିଛି । ତମ୍ପୁରାନ ହିସାବ ଠିକ୍ ।

 

କୋରନ ଭାବୁଥିଲା ସେଥିର ଚିରୁତା ପାଇଁ ଶାଢ଼ି କରିବ, ଘର ଠିଆ କରିବ । ବାପ ପାଖକୁ ନିକୁଛ ପକ୍ଷରେ ମାସକର ଖର୍ଚ୍ଚ ପଠାଇବା ଇତ୍ୟାଦି କେତେ କାମ ପୁରା କରିବାର ଅଛି । ଏସବୁ ପାଇଁ ଏତିକି ଧାନ ମିଳିବ । ଏ ଅବସ୍ଥାରେ ତାର ଭୁଲ କିପରି ହୋଇପାରେ ? ପୁଣି ତା’ର ସତ ମିଛରେ ପରିଣତ ହୋଇଗଲା । ଜୀବନ-ରକ୍ତରେ ଲିଖିତ ସତ୍ୟକୁ ମିଥ୍ୟା ବୋଲି କୁହାଗଲା । ଏ ଜବରଦସ୍ତ ଦଗାରେ ପଡ଼ି ତା' ସଙ୍ଗୀମାନେ ମଧ୍ୟ ତାକୁ ଦୋଷୀ ସାବ୍ୟସ୍ତ କଲେ ।

 

କୋରନ ନିଃସହାୟ ଥିଲା । ତମ୍ପୁରାନ ପୁଣି ସେ ହିସାବ କରିବା ଆରମ୍ଭ କରିଦେଲା ।

 

ପ୍ରତି ମୁହୂର୍ତ୍ତରେ କୋରନର ଆତ୍ମା ନୂଆ ନୂଆ ପରିବର୍ତ୍ତନ ଓ ପରିସ୍ଥିତିରେ ଉଦ୍‍ବିଗ୍ନ ହୋଇ ରହିଥାଏ । ଏପରି ପରିବର୍ତ୍ତନ ଓ ପରିସ୍ଥିତି ସେ କେଭେଁ ଅନୁଭବ କରି ନଥିଲା ।

 

ଏପରି ଘଟଣା...ହଁ ବହୁ ପୂର୍ବରୁ ଘଟିଛି; କିନ୍ତୁ ସେତେବେଳେ ଏପରି ପରିବର୍ତ୍ତନ ହୋଇ ନଥିଲା ।

 

ଯେଉଁମାନଙ୍କୁ ତମ୍ପୁରାନ କୁହାଯାଇଥାଏ, ସେମାନଙ୍କୁ କାହିଁକି ବିଶ୍ୱାସ କରିବାକୁ ହେବ-? ...ସେ ଏହି ଧାନ ଏକତ୍ର ଠୁଳ କରି କଣ କରିବେ ? ତାକୁ ଉତ୍ପନ୍ନ କରିବାକୁ ସେମାନେ କେତେ ପରିଶ୍ରମ କରିଥାନ୍ତି ?

 

ଆଜି ପ୍ରଥମତଃ କୋରନକୁ ଜଣାଗଲା ତା’ର ସମସ୍ତ ଶ୍ରମର ଫଳ ସେହି ନଇଁକରି ବସି ହିସାବ କରୁଥିବା ଲୋକ ଗାୟବ୍ କରୁଛି । ....ସେ (କୋରନ) ମଧ୍ୟ ନିର୍ବାହ ହେବ । ତାର ମଧ୍ୟ ଦାବି ଅଛି । ସେ ଶ୍ରମ କରିବା ଲୋକ...ଏ ଧାନ ଓ ଧନରେ ତାର ମଧ୍ୟ ଅଂଶ (ଭାଗ) ଅଛି । ...କାହାରିକୁ ଦୟା କରିବାର ଆବଶ୍ୟକ ନାହିଁ । ...କୋରନ ଦାନ୍ତରେ ଓଠକୁ ଚାପିଲା । ସେ ଭାବିଲା କାହିଁକି ଜୋର୍‍ରେ ସେ କାନ୍ଦୁ ନାହିଁ । ...କାହିଁକି ଦୁଇପଦ ସିଧା କଥା ନ କହୁଛି । ଧାନ ଉପରେ ତା’ର ଦାବି ଅଛି । ସେ ନ ଦେଲେ ଏ ଜବରଦସ୍ତ ନିଜର ପ୍ରାପ୍ୟ ନେବ । ....କାହିଁକି ଏ ଦଗାବାଜର ବେକ ମୋଡ଼ି ନ ଦେବ ? କାହିଁକି ସେ ନିଆଁ ଖୁଣ୍ଟାରେ ତା’ର ଅମାର... ? କୋରନକୁ ଜଣାଗଲା ଯେପରି ତା’ର ଦମ୍ ଅଟକିଯାଉଛି ।

 

ସେ ତା ନିକଟରେ ଠିଆ ହୋଇଥିବା ତାର ସଙ୍ଗୀମାନଙ୍କୁ ଚାହିଁଲା । ସମସ୍ତେ ବୋକାଙ୍କ ଭଳି ଠିଆ ହୋଇଥିଲେ । ଏମାନେ କଣ କଛି ଅନୁଭବ କରିପାରୁ ନାହାନ୍ତି !

 

ତମ୍ପୁରାନ ମୁଣ୍ଡ ଟେକି ଶୁଣାଇଲେ, ‘‘ତୋତେ ବାର ପସୁରୀ ଧାନ ମିଳିବ ।

 

‘‘ଆଁ, ଏ କିମିତିଆ ହିସାବ ?’’

 

ଓସେପ୍‍ପର ରାଗ ବର୍ତ୍ତମାନ କମି ଯାଇଥିଲା । ମୁର୍‍କି ମୁର୍‍କି ହସି ସେ କହିଲା–“ମିଛ ହିସାବ ଦେବି ନାହିଁ ।’’

 

‘‘କେତେ ପସୁରୀ ଧାନ ମୋ ପାଇଁ ଠିକ୍ ହୋଇଥିଲା ?’’

 

‘‘ଏକରାରନାମାରେ ତାହା ପରିଷ୍କାର ଲେଖାଅଛି ।’’

 

‘‘ଗୋଟିଏ କଥା କହିବି । ମୋତେ ଦିନେ ଅନ୍ତରରେ ଗୋଟିଏ କରି ହଳା ତାଡ଼ି ପିଇବାକୁ ନେଉଥିଲି, ତାକୁ ବି ଛଡ଼ାଇ ନିଆଯାଇଥିଲା । ଏ କି ପରିକା ହିସାବ ତମ୍ରା ?’’

 

‘‘ଆରେ, ତୁ ତ ଜାଣୁ ସେ ଦିନ ଠିକ୍‍ ହୋଇଯାଇଥିଲା ଯେ ପୁରୁଣା ପ୍ରଥା ଅନୁସାରେ କିଛି ମିଳିବ ନାହିଁ ? ସ୍ଥିର ହୋଇଥିବା ପଦାର୍ଥରୁ ଉଧାର କଟିଯାଇ ବାକି ତୁମକୁ ମିଳିବ । ଏହା ପରିଷ୍କାର ଲେଖାଯାଇଛି । ତୁ ଏହିପରି ଏକରାରନାମାରେ ଦସ୍ତଖତ କରୁଛି ।’’

 

‘‘ତା ଅନୁସାରେ ମୁ ହିସାବ ଜାଣିବାକୁ ଚାହୁଁଛି ।’’

 

‘‘ଅନ୍ୟମାନଙ୍କ ହିସାବ ଏହିପରି ହୋଇଛି ।’’

 

‘‘କେତେ ଟଙ୍କା ନେଇଥିଲି, କେଉଁ ଭାଉରେ ଧାନ ହିସାବ କରି କଟାଯାଇଛି ?’’

 

‘‘ଅନ୍ୟ ସମସ୍ତଙ୍କ ସଙ୍ଗରେ ଯେପରି କରାଯାଇଛି, ସେହିପରି ତୋର ହିସାବ ହୋଇଛି-।’’

 

‘‘ଖରାପ ଆଦୌ ମନେ କରିବେ ନାହିଁ । ଏଠାରେ କେହି ମଧ୍ୟ ହିସାବ ପଚାରନ୍ତି ନାହିଁ । ଏହା କାହିଁକି ପଚାରୁଛି, ଏ କଥା ଭାବିବେ ନାହିଁ । ଘର ଠିଆ କରିବାକୁ ହେବ । ଏ ବର୍ଷ ଚୈତ୍ର ମାସରୁ ଏଠାରେ ଲାଗିରହିଲି । ଏଠୁ ଯା ମିଳିଲା ତା’ଠାରୁ ଅଧିକ ଆଉ କିଛି କେଉଁଠାରେ ମିଳିନାହିଁ । ଚାକର ଦଶଟି ହଳା ମଧ୍ୟ ଏ ମାସରେ କାଟିନାହିଁ ।’’

 

ଓସେପ୍‍ପ ସବୁ ଚୁପ୍‍ଚାପ ଶୁଣିଲା । ଜଣେ ପରୟା ଏପରି କଥାବାର୍ତ୍ତା କରିବାର ସେ ଏ ପର୍ଯ୍ୟନ୍ତ ବରଦାସ୍ତ କରି ନଥିଲା । ଆଜି ଏଥିରେ ଏକ ପରିବର୍ତ୍ତନ ଜଣାଗଲା ।

 

କୋରନ ନିଜର ଦୁଃଖକାହାଣୀ ଆଗେ କହିଚାଲିଲା ।

 

‘‘ଅଧୀନ ପ୍ରଥମେ ପ୍ରଥମେ ଓଣପ୍‍ପଣୀରେ କାମ କଲା । ଅଧୀନ ଜଣେ ନବ ଯବାନ । ଏ ଟୋକା ଅଯୋଗ୍ୟ' ଏପରି ଅଧୀନ ସମ୍ବନ୍ଧରେ କେହି କହି ନାହାନ୍ତି । ଏହି ଖିଆଲରେ ଅଧୀନ ଜୀବନ ମୁର୍ଚ୍ଛା । ପରିଶ୍ରମ କରି ଧାନ ଉତ୍ପନ୍ନ କରିଛି ।’’

 

କୋରନର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସିଲା ଏବଂ ଆଖି ସଜଳ ହୋଇ ଉଠିଲା ।

 

ତମ୍ପୁରାନ କହିଲା, ‘‘ଆରେ ଏତେ ବେଶି ଧାନ ହୋଇନାହିଁ । ଦେଖିବାକୁ ଅବଶ୍ୟ କୃଷି ଭଲ ହୋଇଥିଲା । କିନ୍ତୁ ପ୍ରକୃତରେ ଆଦାୟ ଖୁବ୍‍ ମାମୁଲି ହୋଇଥିଲା ।’’

 

‘‘ଗତ ବର୍ଷରୁ ବେଶି ହୋଇଛି ।’’

 

‘‘ସେହିପରି ତୋ ଆମଦାନୀରେ କିଛି କମ୍‍ କରାଯାଇ ନାହିଁ । ଅନ୍ୟ ଚାକରମାନଙ୍କ ପରି ତୋତେ ଦେଖିଛି । ତୁ ଗୋଟିଏ ବର୍ଷ କରିଛୁ, ଏପରି ବିଚାର କରି ତୋର ହିସାବ କରାଯାଇନାହିଁ ।’’

 

କୋରନର ଆଉ ବେଶି କିଛି କହିବାର ଥିଲା... ।

 

ତମ୍ପୁରାନ ସମସ୍ତଙ୍କୁ ପଚାରିଲା–“ଆଛା, ହିସାବ ଅନୁସାରେ ତୁମମାନଙ୍କୁ ଯା ମିଳିବାର କଥା ତା' ବର୍ତ୍ତମାନ ଦରକାର ନା ପରେ ନେବ ?’’

 

ସମସ୍ତେ ବର୍ତ୍ତମାନ ଚାହୁଁଥିଲେ ।

 

ଓସେପ୍‍ପ ତାଙ୍କର ମଙ୍ଗଳାକାଙ୍‍କ୍ଷୀ ମୁରବି ପରି ଆକଟ କରି କହିଲା–“ସବୁ ନେଇ ବର୍ତ୍ତମାନ ତାଡ଼ି ପିଇ, ଲୁଗା ଖରିଦ କରି, ବିବାହରେ ଏବଂ ଏଣେ ତେଣେ ଖର୍ଚ୍ଚ କରିଦେବ । ଏହା ପରେ ଭୋକ ଓପାସରେ ସମୟ କଟାଇବ । ଏହା ଅନ୍ୟର ଆଖିରେ କିପରି ଦେଖାଯିବ ? ତୁମେ ସମସ୍ତେ ନଷ୍ଟ ହୋଇଗଲ । କେବେ ବଦଳିବ ?’’

 

ସମସ୍ତେ କହିଲେ ଏ ସମୟରେ ଧାନ ନେଇ କେହି ମଧ୍ୟ ବଦ୍‍ଖର୍ଚ୍ଚରେ ଉଡ଼ାଇବେ ନାହିଁ-। କେବଳ କୋରନ କିଛି କହିଲା ନାହିଁ । ତାକୁ ଜଣାଗଲା ଉପଦେଶ ଦେବାର ତାର କୌଣସି ଅଧିକାର ନାହିଁ । ତାର ଉପଦେଶ କେବଳ ସ୍ୱାର୍ଥ-ପୂର୍ଣ୍ଣ ।

 

ଓସେପପ ଘର ଭିତରକୁ ଯାଇ ଫେରିଆସିଲା । ଶମୟଲକୁ ଡାକି କିଛି କରେନ୍‍ସି ନୋଟ୍‍ ଗଣିକରି ଦେଇ କହିଲା–“ଏ ଦଶ, ଏ ପାଞ୍ଚ, ଏ ଦୁଇ । ଶୁଣିଲୁ ? ଭୁଲ ଯେପରି ନ ହୁଏ ।’’

 

ପତ୍ରୋସ, ଇଟ୍‍ୟାତି, ଓଲମ୍ପି ସମସ୍ତଙ୍କୁ ଜଣ ଜଣ କରି ଡାକି ସେମାନଙ୍କୁ ମଧ୍ୟ ଦେଲା । ବେଦନା–ପୂର୍ଣ୍ଣ ହୃଦୟରେ ଠିଆ ହୋଇ ଦେଖୁଥିବା କୋରନର ପାଳି ପଡ଼ିଲା । ତାର ଅନ୍ତରର ଦୁଃଖ ଏହିପରି ପ୍ରକାଶ ପାଇଲା–”ମୋର ନୋଟ ଦରକାର ନାହିଁ । ମୁଁ ପୁଞ୍ଚାକ୍ଷେତରେ କାମ କରିଛି-। ଧାନ ମଧ୍ୟ ବେଶି ଉତ୍ପନ୍ନ ହୋଇଛି ।’’

 

ଏ କଥା ଭିତରେ ମାଗିବା ଲୋକର ବଳ ଏବଂ ଗୁପ୍ତ ଶକ୍ତିର ତେଜ ଥିଲା । ଜଣାଯାଉଥିଲା ସେ କିଛି ସିଦ୍ଧନ୍ତ କରିସାରିଥିଲା ।

 

ଓସେପ୍‍ପ ମାପିଲା ରାଗ ଦେଖାଇଲା ନାହିଁ । ଏ ବଡ଼ ଆଶ୍ଚର୍ଯ୍ୟ କଥା । ସେ ହସୁଥିଲା । ପଚାରିଲା–“ଆରେ ତୁ ଧାନ ନେଇ କ'ଣ କରିବୁ–କହନି ?’’

 

୧ ମାପିଲା–ଇସାଇ ଜାତିର ଦ୍ୟୋତକ ଶବ୍ଦ ।

 

‘‘ମୋତେ ଘର ତିଆରି କରିବାକୁ ହେବ ।’’

 

‘‘ଧାନ ବିକ୍ରି କରି ତ ବାଉଁଶ ଓଳା କିଣିବୁ ?’’

 

୨ ଓଳା–ନଡ଼ିଆ ପତ୍ରକୁ ଓଳା କହନ୍ତି । ଏଥିରେ ଚଟାଇ ତିଆରି କରି ଘର ଛପର ଓ ତାଟି ପ୍ରଭୃତିରେ ବ୍ୟବହାର କରାଯାଏ ।

 

କୋରନ ଟିକେ ବିଚଳିତ ହୋଇଗଲା । ଓସେପ୍‍ପ କହିଲା–“ଏ ଧାନ ଅନ୍ୟ ହାତରେ ବିକ୍ରି ନହୋଇ ଆମ ହାତରେ ବିକିଲ, ଏହା ହିଁ ଧରିନିଅ । ଧାନ ଏଠାରେ ରହିଲେ ତୁମମାନଙ୍କର ଦରକାରରେ ଆସିବ । ଆଷାଢ଼ ମାସରେ ତୁମମାନଙ୍କୁ ମଜୁରିରେ ଧାନ ମିଳିବ । ଏଠାରେ ଏ ବର୍ଷ ଧାନ କମ୍‍ ଅଛି । ସରକାର ସବୁ ନେଇଯାଇଛି ।’’

 

ଶମୟଲ ଓ ପତ୍ରୋସ ଆଦି ସମସ୍ତଙ୍କର ତମ୍ପୁରାନ କଥା ମନକୁ ପାଇଲା । କିନ୍ତୁ କୋରନର ବିଶ୍ୱାସ ହେଲାନାହିଁ । ସେ ବିରୋଧ ପ୍ରକାଶ କରିବା କଥା ।

 

ପ୍ରକାଶ ନ କରି ସେ ରହିବ ଅସମ୍ଭବ । ସେ ପଚାରିଲା–“କେଉଁ ଭାଉରେ ନେବ ତମ୍ରା-?’’

 

‘‘ଯା ପ୍ରକୃତ ଦର ।’’

 

‘‘ମାନେ ।’’

 

‘‘ଏ ଦର ଆମେ ଠିକ୍‍ କରିନାହୁଁ, ସରକାର ଦର ଠିକ୍‍ କରିଛି । ଏ ଦର ହିଁ ଠିକ୍‍ । ଏହାଠାରୁ ଅଧିକା ବା କମରେ ଖର୍ଦ୍ଦି କରିବା ଆଇନ ବିରୁଦ୍ଧ । ଜେଲ୍‍ ଯିବାକୁ ହେବ ।’’

 

‘‘ଦେଢ଼ ଟଙ୍କା ନମ୍ରା ?’’

 

‘‘ଏ ତ ଷ୍ଟାଣ୍ଡାର୍ଡ଼୍ ପସୁରୀର ଦର । ଆମ ଦେଶୀ ପସୁରୀ ପାଇଁ ପାଞ୍ଚ ସିଉକା ମିଳିବ ।’’

 

‘‘ବର୍ତ୍ତମାନ ପସୁରୀର ଦାମ୍‍ ତ ତିନିଟଙ୍କା ।’’

 

‘‘ଆରେ ଚୁପ୍‍ ଚୁପ୍‍, ଜେଲ ଯିବାକୁ ପଡ଼ିବ ।’’

 

ଏଥିରେ ମଧ୍ୟ ହଁ ରେ ହଁ ମିଶାଇବାକୁ ତା’ର ସଙ୍ଗୀମାନେ ପ୍ରସ୍ତୁତ ଥିଲେ ।

 

ଓସେପ୍‍ପ କହିଲା–“ଯା କୌଣସି ବାଟ ବାହାର କରିଦେବି ।’’

 

କୋରନ ମନର ବେଦନା ଶାନ୍ତ କରିନେଲା ।

 

ଷୋହଳ

 

ଚିରୁତା ବଡ଼ ଆଗ୍ରହରେ କହିଲା, ‘‘ଏଠାରେ ଘର ତିଆରି କରି ରହିବା ନାହିଁ । ପୁଷ୍ପବେଲୀ ଜମିରେ କେବଳ ନୁହେଁ, ଏ ପ୍ରଦେଶରେ ମଧ୍ୟ କୌଣସି କାମ ଦରକାର ନାହିଁ । ଏଠାରୁ କେଉଁଆଡ଼କୁ ହେଲେ ଚାଲିଯିବା ।’’

‘‘କେଉଁଆଡ଼କୁ ହେଲେ ଚାଲିଯିବା’’–ଡର ଯୋଗୁ ସେ ଥରକୁ ଥର ପିଲାଙ୍କ ପରି କହିବାକୁ ଲାଗିଲା । ଚାରିଆଡ଼େ ଯେପରି ତାକୁ କେହି ଡରାଇବାବାଲା ଅଛି । ଦିନ ରାତି ତାକୁ ଭୟ ଗ୍ରାସି ରହିଥାଏ ।

କିନ୍ତୁ କୋରନର ଏଠା ଛାଡ଼ି ଆଉ କେଉଁଠାକୁ ଯିବାକୁ ମନ ନାହିଁ । ପୁଷ୍ପବେଲୀ ଲୋକମାନଙ୍କ ସ୍ନେହ ମମତା ପାଇଁ ନୁହେଁ–ସେ ଜଣେ ପରୟା ।

ତା’ର କାମ ଚାଷ । ଯେଉଁଠାକୁ ଗଲେ ମଧ୍ୟ ଏହି କାମ । ଜଣାଶୁଣା ଲୋକଙ୍କ ପାଖରେ ରହିବା କଣ ଭଲ ନୁହେଁ, ଏତିକି ନୁହେଁ, ସେ ପାଣିରେ ମାଟି ପକାଇ ପକାଇ ତାକୁ ଘରଯୋଗ୍ୟ କରି ନେଇଛି । ତା’ର କେତେ ମାସ ପରିଶ୍ରମରେ ତା' ପ୍ରସ୍ତୁତ ହୋଇଛି । ତାକୁ ଛାଡ଼ି ଚାଲିଯିବାକୁ ସେ ଚାହୁଁ ନାହିଁ । ଅନ୍ୟ ସ୍ଥାନକୁ ଗଲେ ମଧ୍ୟ ଘର ମୂଳଦୁଆ ପାଇଁ ତ ମାଟି ପକାଇବାକୁ ପଡ଼ିବ ?

ଚିରୁତା ଜିଦ୍ କରି କହିଲା–‘‘ମୁଁ ଏଠି ରହି ପାରିବି ନାହିଁ ।’’

‘‘କାହିଁକିରେ ?’’

‘‘ରହି ପାରିବି ନାହିଁ । ଏଠି ରହିଲେ କ୍ଷତି ହେବ ।’’

‘‘କଣ କ୍ଷତି ହେବ ?’’

‘‘ଏମିତି ।’’

ତା' କହିବା ଅଭିପ୍ରାୟ କେବଳ ମରିୟା ହିଁ ଜାଣିଛି । କୋରନକୁ ସେ କିଛି କହିଲା ନାହିଁ-। ଦୁଇ ସ୍ତ୍ରୀ ଲୋକଙ୍କ ମଧ୍ୟରେ ଆଖିରେ ଆଖିରେ କଥାବାର୍ତ୍ତା ହେଲା ।

କୋରନ ମରିୟାକୁ ପଚାରିଲା–‘‘ତା’ର ଏପରି କହିବାର ଉଦ୍ଦେଶ୍ୟ କଣ ? ହୁଏତ ତା’ର ଏକ ଜିଦ୍‍ କିମ୍ବା ମନରେ କିଛି କଥା ଛପି ରହିଛି ।’’

ମରିୟା କିଛି ଉତ୍ତର ଦେଲା ନାହିଁ ।

ଚିରୁତା କହିଲା–‘‘ମୁଁ କହୁଛି…”

ସେ ମରିୟାକୁ ଚାହିଁଲା । ମରିୟା ଆଖି ଠାରରେ ଇସାରା ଦେଲା । ତାକୁ ଡର ଲାଗିଲା କାଳେ ଚିରୁତା ତାର ଭୟ କଥା କହିଦେବ । ତା' ହେଲେ ସବୁ ଗୋଳମାଳ ହୋଇଯିବ ।

ଚିରୁତା କହିଲା–“ପୁଷ୍ପବେଲୀ ତମ୍ପୁରାନ ସାଙ୍ଗରେ ସବୁବେଳେ ବିରୋଧ ରହୁଛି । ତମ୍ପୁରାନ ଓ ତା' ପୁଅ ସମସ୍ତେ ଖରାପ ଲୋକ । ସେମାନେ ଭାରି ଲୋଭି ଓ ବଦ୍‍ମାସ ଏବଂ ଏଠି ଯଦି ରହୁ ତେବେ ମାଡ଼ଗୋଳ ହୋଇଯିବ । ସେଥିପାଇଁ ମୁଁ କହୁଛି ଏଠାରୁ ଚାଲିଯିବା ।’’

ମରିୟା ଖୁସି ହେଲା ଯେ ଚିରୁତା କଥାକୁ ବୁଲେଇ କରି କହିଦେଇଛି ।

 

ପତ୍ରୋସ ବସି ବସି ଏ କଥା ଶୁଣୁଥିଲା । କହିଲା–‘‘ତୁ ଏପରି ଆଦୌ କହନା ଚିରୁତା ! ମୁଁ ତା'ହା ସ୍ୱୀକାର କରିବି ନାହିଁ । ଏ ପ୍ରଦେଶରେ ନୁହେଁ, ଆଖ ପାଖରେ କେଉଁଠି ଏଡ଼େ ଭଲ ତମ୍ପୁରାନ ମିଳିବ ନାହିଁ । ଅନ୍ୟ ସ୍ଥାନରେ ଲୋକଙ୍କୁ ପିଟିପିଟି ମାରିଦେଉଛନ୍ତି–ଜାଣିଛୁ ?’’

 

ଚିରୁତା କହିଲା, ‘‘ଏଗୁଡ଼ାକ ପିଶାଚ ।’’

 

ଯେତେବେଳେ କୋରନ ଓ ପତ୍ରୋସ ବାହାରକୁ ଚାଲିଗଲେ ମରିୟା ଚିରୁତାକୁ କହିଲା–“ତୁ କଣ କହୁଛୁ ଝିଅ ? ଯେଉଁଠିକି ଯାଆ ଏହି ଅବସ୍ଥା । କେଉଁଠାରେ ଏହାଠୁ ଅଧିକ ଆପତ୍ତି ଆସିପାରେ । ପ୍ରତ୍ୟେକ ସ୍ଥାନରେ ଯୁବକ ତମ୍ପୁରାନମାନେ ସୁନ୍ଦରୀ ଯୁବତୀ ପରୟୀ ଓ ପଲୟୀ ଝିଅଙ୍କ ଅନ୍ୱେଷଣରେ ରହିଥାନ୍ତି । ଏଠାରେ ରହିବା ଭଲ । ଗୋଟିଏ କାହାଣୀ ଶୁଣିବୁ ?’’

 

ମରିୟାକୁ ଯେଉଁ ଯେଉଁ କାହାଣୀ ଜଣାଥିଲା; ଶୁଣାଇଲା-ମାଲିକମାନଙ୍କ ଦ୍ୱାରା ପରୟା ଓ ପୁଲୟାମାନଙ୍କ ଝିଅଙ୍କର ଚରିତ୍ର ନଷ୍ଟ କାହାଣୀ । ଏ ମାଲିକ କିଏ ? ମରିୟା କେତେକ ପ୍ରସିଦ୍ଧ ଘରବାଲାଙ୍କ ନା ଶୁଣାଇଲା । ଏ ଏହିଠାର ସାନ ମାଲିକମାନେ । ଏଥିରେ ନାୟର, ଇଷାଓ୍ୱା, ଇସାଇ ଏବଂ ମୁସଲିମ ସମସ୍ତେ ଅଛନ୍ତି । ଚିରୁତା ଡରିଗଲା । ଜଣେ ପରୟୀ କିମ୍ବା ପୁଲୟୀର ଚରିତ୍ର, ଯାହାକୁ ଗୋଟିଏ ଭଙ୍ଗାରୁଜା ଘରେ ଶୋଇବାକୁ ପଡ଼ିଥାଏ, ଏଥିରେ ସେମାନଙ୍କର କିପରି ଚରିତ୍ର ଠିକ୍‍ ରହିବ ? ଏଥିରେ ଯେ ସମସ୍ତଙ୍କର ନଜର ନପଡ଼ିବ କିଏ କହିବ ?

 

୧ ଇଷାଓ୍ୱା–ଏକ ଅସବର୍ଣ୍ଣ ହିନ୍ଦୁ ଜାତି ।

 

ମରିୟା କହିଲା–“ମୋ ଯୁବା ବୟସ ବେଳେ କେହି ପରୟୀ ଓ ପୁଲୟୀ ତା' ସ୍ୱାମୀଙ୍କୁ ଛାଡ଼ି ଆଉ କାହାରିକୁ ଛୁଉଁ ନଥିଲେ । କିନ୍ତୁ ଆଜିର ଝିଅମାନେ ତ ଛୋଟ ମାଲିକମାନଙ୍କ ଆଡ଼କୁ ଦୃଷ୍ଟି ପକାଉଛନ୍ତି ।’’

 

ଚିରୁତା କହିଲା–‘‘ମୋର ଭୟ ହେଉଛି ସେ ପୁଣି କାଳେ ଆସିବ ।’’

 

କୋରନ ତା' ଘର ତିଆରି ପାଇଁ ବାଉଁଶ ଏବଂ ଓଳା ଖର୍ଦ୍ଦି କଲା । ଶମୟଲ, ପତ୍ରୋସ, ଓଲୋମ୍ପି ଆଦି ସମସ୍ତେ ମିଶି ଛଅଟି ଖୁଣ୍ଟ ସାହାଯ୍ୟରେ ଗୋଟିଏ କୋଠରୀବାଲା ଘର ଠିଆ କରିଦେଲେ । ଛପର ବନ୍ଦୀ କାମ ହୋଇ ସାରିଲା ପରେ ଜଣାଗଲା ଯେ ଚାରି ପାଖରେ ତାଟି ଲଗାଇବାକୁ ବତା ଓ ଓଳା ରହିଲା ନାହିଁ ଏବଂ ଖରିଦ କରିବାକୁ ମଧ୍ୟ ପଇସା ନାହିଁ । ରସି ଦ୍ୱାରା ଖଣ୍ଡିଏ ଖଣ୍ଡିଏ ଓଳାକୁ ବାନ୍ଧି ପରଦା ପରି ଚାରି ପାଖରେ ଝୁଲାଇ ଦିଆଗଲା । ଟିକେ ପବନ ହେଲେ ଏସବୁ ଦୋଳି ପରି ଝୁଲୁଥାଏ ।

 

ଏପରି ପର୍ଦ୍ଦା ଶୂନ୍ୟ ଘରେ ରହିବାକୁ ଚିରୁତା ମନା କରିଦେଲା । ସେ ପରିଷ୍କାର ଭାବରେ କହିଦେଲା ଯେ ଏ ଘରକୁ ସେ ଆସିବ ନାହିଁ । କୋରନର ରାଗ ହେଲା । ଚିରୁତା ଚାହେଁ ଚାରିପାଖେ ମଜଭୁତ ତାଟି ଲଗା ଓ ଭିତରୁ କିଳିଣୀ ଦିଆ ଦରଜା ଲଗା ଘର । ଏ ଘର କିପରି ତିଆରି ହୋଇପାରିବ ? କେତେ ପରିବାର ପୁଞ୍ଚାକ୍ଷେତ ବନ୍ଧ ଉପରେ ମଞ୍ଚାକରି ଦିନ କାଟୁଛନ୍ତି ।

 

କୋରନ୍‍–‘‘କିଳିଣୀ ଲଗା ଘର କଲେ ରଖିବାକୁ କଣ ଅଛି ? ତୁ କଣ ଟଙ୍କା ପଇସା ରଖିଛୁ ଯେ ଚୋରି ଯିବାର ଭୟ ଅଛି ?’’

 

ଚିରୁତା କହିଲା, ‘‘ବେପର୍ଦ୍ଦା ଘରେ ଜଣେ ସ୍ତ୍ରୀଲୋକ କିପରି ରହିପାରେ ?’’

 

‘‘ବାଃ, ପର୍ଦ୍ଦା ନଦେଲେ କଣ ତୋତେ କିଏ ଆସି ଧରିନେଇଯିବ ?’’

 

‘‘ତା' କାହିଁକି ନହେବ ? ବନ୍ୟା ସମୟରେ ଘଡ଼ିଆଳ କୁମ୍ଭୀର କ୍ଷେତରୁ ଉଠାଇ ନେଇଯାଇ ପାରେ ।’’

 

‘‘ବାଃ, ଘଡ଼ିଆଳ ଆସି ଉଠାଇ ନେଇଯିବ !’’

 

ଘର ଚାରି ପାଖରେ ତାଟି ବାନ୍ଧି ସରିଲା ପାରେ ସେଠାକୁ ଯିବା ଉଚିତ–ମରିୟା ଚିରୁତାର ଏ ଜିଦକୁ ସମର୍ଥନ କଲା । ସେ କହିଲା–‘‘ସ୍ତ୍ରୀ ଲୋକମାନେ ସୁରକ୍ଷିତ ବନ୍ଦ ଘରେ ଶୋଇବା ଉଚିତ ।’’

 

ଏହିପରି ଘର ଠିକ୍‍ କରିବାକୁ ହେଲେ ଦଶ କୋଡ଼ିଏ ଟଙ୍କା ଆହୁରି ଲାଗିଯିବ । ଏଥିପାଇଁ ତମ୍ପୁରାନଠାରୁ ପୁଣି କରଜ ନେବାକୁ ପଡ଼ିବ । ଯାହା ହେଲେ ମଧ୍ୟ ତା’ର ଅଲଗା ଘର ଶୀଘ୍ର ହେବା ଉଚିତ ।

 

କୋରନ ଓସେପ୍‍ପକୁ ଭେଟିଲା । ଆଗ ପରି କୋରନଠାରୁ ଦସ୍ତଖତ ନେଇ ତାକୁ ଦଶଟଙ୍କା ଏବଂ ଦଶଟଙ୍କାର ଓଳା ଦେଲା । କହିଲା,’’ଏ କୋଡ଼ିଏ ଟଙ୍କା ପାଇଁ ଆସନ୍ତା ବର୍ଷ ତୋ ଆୟରୁ କୋଡ଼ିଏ ପସୁରୀ ଧାନ ନେବି–ଆଜିଠାରୁ ତୋତେ କହିଦେଉଛି । ତୁ ହିସାବ ପଚାରିବା ଲୋକ ତ ? ସେଥିପାଇଁ ପ୍ରଥମରୁ କହିଦେବା ଠିକ୍‍ ହେବ ।’’

 

କୋରନ ତା’ର ଉତ୍ତର ଦେଲା ନାହିଁ । ଯେତେ ହେଲେ ମଧ୍ୟ ଆସନ୍ତା ବର୍ଷ ଫଗୁଣ–ଚୈତ୍ରରେ ଧାନ ଦର ନିକୁଛ ପକ୍ଷରେ ପସୁରୀ ତିନିଟଙ୍କା ନିଶ୍ଚୟ ହେବ–ଏକଥା ସେ ଭାବିଲା । କିନ୍ତୁ.....କିନ୍ତୁ.... ।

 

ଭଲ ଦିନ ଦେଖି କୋରନ ଓ ଚିରୁତା ପତ୍ରୋସ ଘରୁ ନିଜ ଘରକୁ ଗଲେ । କୋରନ ଭାବିଲା ଗୃହ ପ୍ରବେଶ ପାଇଁ ସାଇ–ପଡ଼ିଶାକୁ ଡାକି ତାଙ୍କର କିଛି ସତ୍କାର କରିବା ଉଚିତ । ଏଇଥିପାଇଁ କୋରନ ପୁଷ୍ପବେଲୀ ତମ୍ପୁରାନଠାରୁ କାମ କରି ପରିଶୋଧ କରିବା ପାଇଁ ଋଣ ନେବାକୁ ଠିକ୍ କଲା ।

 

ପତ୍ରୋସ କହିଲା–“ଏପରି ଭାବରେ ଋଣ ନେଲେ ଫଗୁଣ–ଚୈତ୍ର ହିସାବ ବେଳେ କଣ କରିବୁ ?’’

 

କୋରନ ଉତ୍ତର ଦେଲାନାହିଁ । ତା' ମୁହଁରୁ ଏକ ଦୃଢ଼ତା ପ୍ରକାଶ ପାଉଥିଲା । ତା' ମୁହଁରୁ କେବେଳ ‘ଉଁହୁଁ', ମାତ୍ର ବାହାରିଲା । ଏ ତା’ର ଦୃଢ଼ତା’ର ସୂଚନା । ଶମୟଲ, ପତ୍ରୋସ ପ୍ରଭୃତି ସେମାନଙ୍କ ମତ ଦେଲେ, ‘‘ଏ ଟୋକାକୁ କରଜ ଆଣିବାକୁ ଟିକେ ସଙ୍କୋଚ ଲାଗୁ ନାହିଁ ?’’

 

କୋରନ ଉତ୍ତର ଦେଲା ଯେ ପୁଷ୍ପବେଲୀ ତମ୍ପୁରାନ ଯେତେ କରଜ ଦେଲେ ତାକୁ ନେବାକୁ ତାର ହାତ ଥରିବ ନାହିଁ । ଏତିକି ନୁହେଁ, ଆଉ କରଜ ମାଗିବାକୁ ମଧ୍ୟ ପ୍ରସ୍ତୁତ ।

 

ତା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଜଣା ପଡ଼ୁଥିଲା । ଏ କଳ୍ପନାତୀତ କଥା । ତିନି ଥରରେ ଯେତେବେଳେ ତିରିଶି ଟଙ୍କା ଆଣିଲା, ସେତେବେଳେ ଚିରୁତା ଚମକି ପଡ଼ିଲା, ‘‘କଣ ଭାବି କରଜ ଉପରେ କରଜ କରିବାକୁ ଯାଉଛୁ ?’’

 

ଚିରୁତାର ଭୟ ବିହ୍ୱଳତା ଦେଖି କୋରନ ହସିଲା ଏବଂ ହସି ହସି କହିଲା–‘‘ତୁ କାହିଁକି ଡରୁଛୁ ?’’

 

‘‘କରଜ କଲେ ପରିଶୋଧ ତ କରିବ ?’’

 

‘‘ଯେତେବେଳେ ହେବ ସେତେବେଳେ ।’’

 

‘‘ବାଃ, କିପରି କଥା ? ନା, ନା, ଏପରି କରନା । ଯାହା ଅଛି ସେଥିରେ କାମ ଚଳାଇନେବା ।’’

 

କୋରନର ଉତ୍ତର ଗୋଟିଏ ନୂଆ ରୂପ ଧାରଣ କଲା । ‘‘ଆରେ, ଏ ଧନ ଓ ଧାନ କେଉଁଠୁ ଆସିଲା ? ଶୂନ୍ୟରୁ କ'ଣ ଆଣିଲେ ?’’

 

‘‘ସେମାନଙ୍କ କାର୍ଯ୍ୟର ଫଳ ।’’

 

‘‘କାହାର ? ସେମାନେ କୌଣସି କାମ କରିନାହାନ୍ତି । ଆମେମାନେ ପରିଶ୍ରମ କରି ସେମାନଙ୍କ ପାଇଁ ଧାନ ଉତ୍ପନ୍ନ କରିଛୁ । କେବଳ ସେ ପିଟିବା କାମ ତ କରିଛନ୍ତି, ଆଉ କଣ ?’’

 

‘‘କିପରି ପାଗଳଙ୍କ ପରି କଥା କହୁଛୁ !’’

 

କୋରନ ନିଜ ବନ୍ଧୁ–ବନ୍ଧାବଙ୍କ ପାଇଁ ଗୋଟିଏ ଭଲ ଭୋଜିର ବ୍ୟବସ୍ଥା କଲା । ଏ ଭୋଜିକୁ ଚାତ୍ତନ ମଧ୍ୟ ଆସିଲା । ଏହିପରି କୋରନ ଓ ଚିରୁତା ନୂଆ ଘରେ ରହିଲେ ।

 

ମୁଣ୍ଡ ଉପରେ କରଜ–ବୋଝ ରହିଲେ ମଧ୍ୟ ଚିରୁତାର ଅଭିମାନ ଓ ନୂତନ ଉତ୍ସାହ ଆସିଲା । ତା’ର ନିଜର ଘର ଖଣ୍ଡେ ହୋଇଗଲା । ଉପବାସ ରହିଲେ ମଧ୍ୟ ସନ୍ଧ୍ୟାରେ ଶାନ୍ତିରେ ଶୋଇ ଯିବାକୁ ଆପଣାର ତ ଖଣ୍ଡେ ଘର ହେଲା ?

 

ସେ ଘରର କାମ ବର୍ତ୍ତମାନ ଆହୁରି ବାକି ଅଛି । କେବଳ ଦୁଇଟି ହାଣ୍ଡି, ଚାରିଟି ମାଠିଆ ଓ ଚଟାଇ–ଏତିକି ମାତ୍ର ଜିନିଷ । ଏଣେ କରଜ ନାକ ବୁଡ଼ିବା ଯାଏ ଚାଲିଯାଇଛି ।

 

ଦିନେ ଚିରୁତା କୋରନ କୋଳରେ ମୁଣ୍ଡ ରଖି ଶୋଇଥାଏ । କୋରନ ପାନିଆ ସାହାଯ୍ୟରେ ତା' ବାଳରୁ ଉକୁଣି ବାହାର କରି ମାରୁଥାଏ । ସେ କହିଲା–“ମୋତେ ଆଉ ଗୋଟିଏ କାମ କରିବାକୁ ହେବ ।’’

 

ଚିରୁତା କହିଲା–“କି କାମ କରିବାକୁ ହେବ ?’’

 

‘‘ଏହି କାମ ।’’

 

ଚିରୁତା ଆଖି ଟେକି କୋରନକୁ ଚାହିଁଲା । ତା' ଆଖିରେ ଏକ ପ୍ରକାର ଜ୍ୟୋତି ଫୁଟି ଉଠିଥାଏ । କୋରନ ନିଜ ମୁଣ୍ଡ ନୁଆଁଇଲା, ଚିରୁତା ନିଜର ଦୁଇହାତ କୋରନ ବେକରେ ଛନ୍ଦିଦେଲା । ଦୁହିଙ୍କ ଅଧର ଏକ ଚୁମ୍ବନରେ ମିଳିତ ହୋଇଗଲେ ।

 

କୋରନ ପଚାରିଲା–‘‘ମୋ ଚିରୁତାକୁ ଆଲପ୍-ପୁଷା ନେଇ ସିନେମା ଦେଖାଇବାର କଥା ।’’

 

ଗୋଟିଏ ସାନ ଝିଅ ପରି ଆନନ୍ଦରେ ଚିରୁତା ହଁ କରିଦେଲା ।

 

‘‘ଆଲପ୍-ପୁଷା ଯିବାକୁ ହେଲେ ଗୋଟିଏ ନୂଆ ବ୍ଲାଉଜ ଓ ଭଲ ଶାଢ଼ି ଆବଶ୍ୟକ ।’’

 

ଏ ଗୋଟିଏ ନୂଆ ପ୍ରଶ୍ନ ! ଗୋଟିଏ ନୁହେଁ ଅନେକ ପ୍ରଶ୍ନ; ଯାହା କୋରନ କଳ୍ପନାରେ ନଥିଲା । ‘‘ନୂଆ ବ୍ଲାଉଜ ଭଲ ଶାଢ଼ି ପିନ୍ଧି ସଜବାଜ ହୋଇ ବାହାରିବୁ ତ ?”

 

ଚିରୁତା ପଚାରିଲା–‘‘ଏ ବ୍ଲାଉଜ ଓ ଏ ଶାଢ଼ି ପିନ୍ଧି ଗଲେ କ୍ଷତି କଣ ?’’

 

‘‘ଏ ମଇଳା ନୁହେଁ ?’’

 

‘‘ଯଥେଷ୍ଟ ହେବ । ଏହାକୁ ପିନ୍ଧିଲେ ହିଁ ଚଳିବ ।’’

 

ମରିୟା କଥା ତା' କାନରେ ପ୍ରତିଧ୍ୱନିତ ହୋଇ ଉଠିଲା–‘ସୁନ୍ଦରୀ ଯୁବତୀ ପରୟୀ ଏବଂ ପୁଲୟୀ ଝିଅମାନେ ଯେତେବେଳେ ସଜବାଜ ହୋଇ ବାହାରନ୍ତି ସେତେବେଳେ....’ ଚାକୋର ବୁଲିବା କଥା ତା’ର ମନେ ପଡ଼ିଗଲା । ସେ ଡରିଯାଇ କହିଲା–‘‘ପୁରୁଣାକାଳିଆ ଶାଢ଼ି ପିନ୍ଧିଲେ ମୋତେ ଭଲ ପାଇବ ନାହିଁ ?’’

 

ଚିରୁତା ନିଷ୍କପଟ ଭାବରେ ଏକଥା ପଚାରିଲା । ସେ ଏପରି ରହିଲେ ସ୍ୱାମୀର ପ୍ରେମ ସ୍ଥାୟୀ ହୋଇ ରହିବ ନାହିଁ...ଏ ଏକ ନୂଆ ପ୍ରଶ୍ନ !

 

କୋରନ ଗୋଟିଏ ଚୁମ୍ବନରେ ଏ ପ୍ରଶ୍ନର ଉତ୍ତର ଦେଲା । ଚିରୁତା କହିଲା–‘‘ମୋତେ ସଜାଇ–ଗୁଜାଇ ଶୃଙ୍ଗାର କରିବା ଆବଶ୍ୟକ ନାହିଁ । ମୋତେ ଦେଖିବାକୁ ଜଣେ ଲୋକ ଅଛି । ମୁଁ ଏହିପରି ଭାବରେ ରହିଲେ ମଧ୍ୟ ସେ ମୋତେ ସ୍ନେହ କରିବ । ମୋତେ....ମୋତେ...”

 

ସେ ମୁହଁରେ କହିଲା ନାହିଁ । କିନ୍ତୁ ତା’ର ଇଚ୍ଛା ଆଖିରୁ ପ୍ରକାଶ ପାଉଥିଲା ।

 

କୋରନ ଉତ୍ସୁକତା ସହିତ ପଚାରିଲା–‘‘ମୋ ଚିରୁତାର କଣ ଆବଶ୍ୟକ ?’’

 

‘‘ମୋର...ମୋର...”

 

‘‘କଣ ? କହୁ ନାହୁଁ !’’

 

‘‘ମୁଁ ମା ହେବାକୁ ଚାହୁଁଛି ।’’

 

କୋରନ ହସିଦେଲା । ଚିରୁତା ଲାଜରେ ଝାଉଁଳିପଡ଼ିଲା ।

 

ସତର

 

ଏବର୍ଷ ପ୍ରଥମ ବଢ଼ି-ବଦଳ ସମୟ ଗତ ହୋଇଯାଇଛି । କୁଟ୍ଟନାଟର ପରୟ ଏବଂ ପୁଲୟମାନଙ୍କ ନିକଟରେ ଯା'ଥିଲା, ତା'ସବୁ ଶେଷ ହୋଇଗଲା । ଜଣେ ପରେ ଜଣେ ତମ୍ପୁରାନର ଓ ଓଣପ୍-ପଣୀରେ ଯୋଗଦେଲେ ।

 

ପୁଷ୍ପବେଲୀ ଓସେପ୍-ପର ଏକ ଏକର ଜମିକୁ ପାଣିରୁ ଉଚ୍ଚ କରି ଘର ତିଆରି ଯୋଗ୍ୟ କରିବାର ଥିଲା । ଏବର୍ଷ ଏ ତା’ର ଗୋଟିଏ ମୁଖ୍ୟ କାର୍ଯ୍ୟ ଥିଲା । ପ୍ରତ୍ୟକ ଚାକରକୁ ଗୋଟିଏ ଗୋଟିଏ ଡଙ୍ଗା ଦେଇ କାମ ଆରମ୍ଭ କରିଦିଆଗଲା । ପ୍ରଥମ ଦିନର କାମ ପରେ ମୂଲିଆମାନେ ମଜୁରି ପାଇଁ ପୁଷ୍ପବେଲୀଠାରେ ଏକତ୍ର ହେଲେ । ବାରଅଣା ହିସାବରେ ମଜୁରୀ ଦିଆଗଲା ।

 

କୋରନ ରାତିରେ ଭାତ ଖାଇବ, ସେଥିପାଇଁ ଧାନ ଦେଲେ ଯାଇ କାମ ଚଳିବ । ସେ କହିଲା–“ତମ୍ରା, ମୋତେ ଧାନ ଦେଲେ ଯଥେଷ୍ଟ ହେବ, ପଇସା ଦରକାର ନାହିଁ ।’’

 

ଗୋଟିଏ ମାତ୍ର ଉତ୍ତରରେ ଓସେପ୍-ପ ଏ ପ୍ରାର୍ଥନାକୁ କାଟି ଦେଲା,’’ଧାନ ନାହିଁ । ସଇତାନ, ବର୍ତ୍ତମାନ ଧାନ ନେଇ କେଉଁଠି ଯାଇ ଚୋରା ବଜାରରେ ବିକିବୁ ?’’

 

‘‘ନାହିଁ ତମ୍ରା, ନିଜର ଖାଇବା ପାଇଁ ଦରକାର ।’’

 

‘‘ଯା, ଯା !’’

 

ବାକି ସବୁ ମଜୁରିଆ କିଛି ନକହି ଘରକୁ ଯିବା ପାଇଁ ନିଜ ନିଜ ଡଙ୍ଗାରେ ଯାଇ ବସିଲେ-। କୋରନ ସେଠାରେ ଏକୁଟିଆ ଠିଆ ହୋଇ ରହିବା ଲାଭ କଣ ? ସେ ମଧ୍ୟ ଚାଲିଗଲା-

 

ସେ ଦିନ ରାତିରେ ସେ ପଇସା ଦେଇ ଚାଉଳ କିଣିବାକୁ ଦୋକାନ ଓ ଘର ଘର ବୁଲିଲା । ଚାଉଳ ସବୁ ସ୍ଥାନରେ ଥାଏ, କିନ୍ତୁ ସେରେ ଚାଉଳକୁ ଦେଢ଼ ଟଙ୍କା ହାଙ୍କନ୍ତି । ଏଡ଼େ ମହଙ୍ଗାରେ କିପରି କିଣିବ ? ଖରିଦ କଲେ ଅଧସେର ଚାଉଳର ବା କଣ ହେବ ?

 

ରାତିରେ ସେ ଯେତେବଳେ ପଇସା ଧରି ଚାଉଳ କିଣିବାକୁ ବୁଲୁଥିଲା ସେତେବେଳେ କିଟିମିଟିଆ ଅନ୍ଧାର ମଧ୍ୟରେ ଘଟୁଥିବା କେତେକ କଥା ଦେଖିବାକୁ ପାଇଲା । ଜଣେ କୃଷକର ଘର ସମ୍ମୁଖ ଘାଟରେ ଜାହାଜ ପରି ବଡ଼ ବଡ଼ ନୌକା ବନ୍ଧାହୋଇଛି । ଏହି ଘରୁ ଧାନ ବସ୍ତାକୁ ବସ୍ତା ଡଙ୍ଗାରେ ନେଇ ବୋଝେଇ କରାଯାଉଥିଲା ।

 

ଏଥିରୁ ସେରେ ଧାନ ତାକୁ ମିଳିଯା'ନ୍ତା କି ! କୋରନ ସେଦିନ ପୁଷ୍ପବେଲୀରେ ଦ୍ୱିପ୍ରହରବେଳେ କଞ୍ଜି ପିଇଥିଲା । କିନ୍ତୁ ବିଚାରି ଚିରିତାକୁ ଏହା ମଧ୍ୟ ମିଳି ନଥିଲା । କୋରନର ମନେପଡ଼ିଗଲା ଚିରୁତା ତାକୁ ଚାହିଁ ବସିଥିବ । ଭାବିଲା ଅଧସେର ଚାଉଳ ମିଳିଗଲେ ସେ କିଛି ଖାଇପାରନ୍ତା ।

 

କୋରନ ବର୍ତ୍ତମାନ ବୁଝିପାରିଲା ଓସେପ୍-ପ କାହିଁକି ମଜୁରୀ ପାଇଁ ଧାନ ଦେଉନାହିଁ । ଧାନ ଦାମ୍ ଖୁବ୍ ବଢ଼ିଯାଇଛି । ଏହିପରି ତାଙ୍କର ସେଠାରେ ରାତାରାତି ବନ୍ତ୍ରି ଖର୍ଦ୍ଦି ଖୁବ୍ ଚାଲିଥିବ । କୋରନ ଆଖି ସମ୍ମୁଖରେ ଚାଉଳ ଅଭାବଜନିତ ଉପବାସରେ ଦୀର୍ଘ, ବହୁ ଦୀର୍ଘ ଦିନ ଦେଖାଦେବାକୁ ଲାଗିଲା । ଏହିପରି ଭାବରେ ଧାନ ଦର ଯେ ପର୍ଯ୍ୟନ୍ତ ଅଧିକ ରହିବ, ପଉପବେଲୀର ମୂଲିଆମାନଙ୍କୁ ଧାନ ମିଳିବ ନାହିଁ–ଏହା ସତ୍ୟ କଥା ।

 

ସେ ରାତି ଘଟଣା ପ୍ରକାଶ କରିଦେଲେ କ୍ଷତି କଣ ? ମୂଳିଆମାନଙ୍କୁ ଧାନ ନ ମିଳିଲେ କାମକୁ ନ ଯାନ୍ତୁ । ....କୋରନ ଭାବିଲା ସେ ତାର ସଙ୍ଗୀମାନଙ୍କୁ ଚିହ୍ନି ସାରିଛି । ସେମାନେ କାମକୁ ଯିବେ । ସେ କେବଳ ପଛରେ ପଡ଼ିଯିବ ।

 

ଅଧ ରାତି ପରେ ଛ'ଣାରେ ପାଏ ଚାଉଳ ଓ ଛ'ପଇସାର ମରଚାନୀ ଘେନି କୋରନ ଘରେ ପହଞ୍ଚିଲା । ଚିରୁତା ଶୋଇ ନ ଥିଲା । ଦରଜା ସାବଧାନ ସହକାରେ ବନ୍ଦକରି ସେ ଭିତରେ ବସି ଅପେକ୍ଷା କରିଥିଲା । ଘାଟରେ ଡଙ୍ଗା ଲାଗିବା ଶବ୍ଦ ଶୁଣିବା ମାନ୍ତ୍ରେ ସେ ଉତ୍ସୁକ ଭାବରେ ପଚାରିଲା–“କିଏସେ ?’’

 

‘‘ଆଲୋ ମୁଁ !’’

 

ଚିରୁତା ଜାଣି ପାରିଲା । ଉଠିଆସି ଦ୍ୱାର ଖୋଲିଦେଲା । ଆଜି ଅଧ ରାତି ପରେ ଚୁଲିରେ ନିଆଁ ଜଳିଲା ଏବଂ ଘର ମଧ୍ୟ ଆଲୋକିତ ହେଲା । ପେଟ ଭଲ ନାହିଁ କହି କୋରନ ଶୋଇ ପଡ଼ିଲା । କଞ୍ଜି ତିଆରି ହେଇଗଲାରୁ ଚିରୁତା କୋରନକୁ ଉଠାଇଲା । ତା'କୁ କିଛି ଖୁଆଇଲା ପରେ ଚିରୁତାକୁ ଭଲ ଲାଗିବ । କୋରନ ଦେହ ଭଲ ନଥିବାର ବାହାନା କରି କହିଲା–‘‘ମୁଁ ଖାଇବି ନାହିଁ ।’’

 

‘‘ମୁଁ ମଧ୍ୟ ଖାଇବି ନାହିଁ ।’’

 

‘‘ମୋ ପେଟ ଖରାପ ଅଛି ।’’

 

ଚିରୁତା କିଛି ଖାଇବାକୁ ଜିଦ୍ କଲା । ଶେଷରେ ତା' କଥା କୋରନକୁ ମାନିବାକୁ ପଡ଼ିଲା । ନିଭିଲା ଚୁଲି ଆଲୁଅରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ମାଟି କଡେଇରେ କଞ୍ଜି ଘେନି ବସି ପଡ଼ିଲେ ।

 

ଚିରୁତା କହିଲା,”କି, କଣ ଦେଖାଇବା ପାଇଁ ଖାଉଛି ?’’

 

‘‘ନାଁ ଲୋ, ମୁଁ ପ୍ରକୃତରେ ଖାଉଛି ।’’

 

ଚିରୁତା କଞ୍ଜିରୁ ଭାଗେ ବାହାର କରିନେଇ ଅଲଗା ରଖି ଦେଇଥିଲା । କୋରନ ତାକୁ ଦେଖିଲା ।

 

‘‘ଆଲୋ, ୟାକୁ ଲୁଚାଇ କାହିଁକି ରଖିଛୁ ?’’

 

ଚିରୁତା ହସିଦେଲା । ସ୍ନେହରେ ତା' ଚିବୁକକୁ ହଲାଇ ଦେଇ କୋରନ ପଚାରିଲା–‘‘ୟାକୁ କାହିଁକି ରଖିଛୁ ? ପାଏ ଚାଉଳରେ ତ ତିଆର କରିଛୁ । ନେଇ ପିଇ ଦେ !’’

 

‘‘କାଲି ଦ୍ୱିପ୍ରହର ପରେ ତ ଯାଇ ପାଏ ଚାଉଳର କଞ୍ଜି ପିଇବାକୁ ମିଳିବ । ସକାଳୁ ହେଲେ ପିଇଦେଇ ଯାଇପାରିବି ।’’

 

‘‘ନା' ମୋର ଦରକାର ନାହିଁ । ତୁ କାଲି ଦିନ ସାରା ବୋଧହୁଏ କିଛି ଖାଇନାହୁଁ ।’’

 

‘‘ମୋର ତ ପେଟ ପୂରିଗଲାଣି । କାଲି ସକାଳେ ପିଇବା ପାଇଁ କଡ଼ାଇରେ ଢୋକେ ରଖିଦେଲେ ଯଥେଷ୍ଟ ହେବ ।’’

 

ପେଟପୁରା ଖାଇବାକୁ ନପାଇ ଦୁହେଁ ଶୋଇଗଲେ । କୋରନର ବଳିଷ୍ଠ ଶରୀରର ଆଶ୍ରୟ ପାଇ ଚିରୁତା ନିର୍ଭୟ ଏବଂ ନିଶ୍ଚିନ୍ତରେ ଶୋଇଗଲା ଏତିକିବେଳକୁ କୁକୁଡ଼ା କୁ... କୁ... କୁ କରି କରି ପ୍ରଭାତ ଆଗମନର ସୂଚନା ଦେଲା ।

 

ସକାଳକୁ ରଖଥିବା କଞ୍ଜି ଓ ତରକାରି ପାଇଁ ପତି-ପତ୍ନୀ ମଧ୍ୟରେ କଳିଗୋଳ ହେଲା \ ଚିରୁତା ସବୁ କହିଦେଲା ବୋଲି ନୁହେଁ, ତା' ସ୍ୱାମୀ ସବୁତକ ଖାଉ ଏଥିପାଇଁ ।

 

ଆଜି ମଧ୍ୟ କୋରନ ଧାନ ମାଗିଲା । କିନ୍ତୁ ମଜୁରୀ ପାଇଁ ତାକୁ ଗୋଟିଏ ଟଙ୍କା ମିଳିଲା-। ଏଣେତେଣେ ଖୋଜି ଅଧସେର ଚାଉଳ ଏବଂ ମରିଚାମୀ କିଣି ସେ ଯେତେବେଳେ ଘରକୁ ଫେରିଲା, ସେତେବେଳେ ଘରେ କାହାର କଥାବାର୍ତ୍ତା ଶୁଣିପାରିଲା ।

 

କଥା କହୁଥିବା ଲୋକ ତା' ବାପ–ସେହି ରାଗୀ ବାପ । ସେ ବିଲ୍ କୁଲ୍ ବଦଳି ଯାଇଛି, ଆଗପରି ନାହିଁ । ଡିବି ଆଲୁଅ ଆଗରେ ବସି ସେ ଚିରୁତା ସାଙ୍ଗରେ କଥାବାର୍ତ୍ତା କରିଥିଲା । କୋରନ୍ ସୁନୀଲ ବାପା ଚିରିତାକୁ ଝିଅ ବୋଲି ସମ୍ବୋଧନ କରୁଛି । ତା' ଆଖିରେ ଅନନ୍ଦାଶ୍ରୁ ଭାରିଆସିଲା ।

 

‘‘ବାପା ବାପା’’ଡାକି ଡାକି କୋରନ ଭିତରକୁ ପଶିଆସିଲା ।

 

‘‘ବାବା !’’

 

ବାପ–ପୁଅ ଗାଢ଼ ଆଲିଙ୍ଗନରେ ଆବଦ୍ଧ ହେଲେ । ଏ ଦୃଶ୍ୟ ଦେଖି ଚିରୁତା ମନ ଆନନ୍ଦରେ ପୂରି ଉଠିଲା ।

 

ବୃଦ୍ଧର ସମସ୍ତ ଶରୀର ଥଣ୍ଡାରେ ଫୁଲି ଯାଇଥିଲା । ସେ ଉଠି ପାରୁନଥିଲା । କିନ୍ତୁ ପୁଅକୁ ଦେଖି ଆନନ୍ଦରେ ଛିଡାହୋଇଗଲା । ପାଦ ଥରୁ ଥିବାରୁ ପଡ଼ିଯାଇଥାନ୍ତା; କିନ୍ତୁ କୋରନ ଧରିପକାଇଲା ।’’ଏ କଣ ହେଲା ବାପା ! ସମସ୍ତ ଦେହ ଯେ ଫୁଲି ଯାଇଛି ।’’

 

‘‘ହଁ ବାବା, ଆଉ ବେଶି ଦିନ ବାକି ନାହିଁ ।’’

 

କୋରନ କୋଳକୁ ଆଉଯାଉ ଦେଇ ବାପାକୁ ଧୀରେ ଧୀରେ ବସାଇ ଦେଲା ।

 

ବୃଦ୍ଧ କହିଲା–‘‘ଚାଉଳ ପାଣି ପିଇ ଦଶଦିନ ହୋଇଗଲା । ମରିଚାନୀ ଉପରେ ନିର୍ଭର କରି ରହିଥିଲି । ଏଇଥି ପାଇଁ ଏ ଅବସ୍ଥା ହୋଇଯାଇଛି । ଯାହାଙ୍କ ପାଖରେ ଧାନ ଅଛି ସେ ବାହାରକୁ ଦେଖାଉ ନାହାନ୍ତି । ରାତିହେଲେ ସାତଟଙ୍କା ଭାଉରେ ବିନ୍ତ୍ରି କରୁଛନ୍ତି ।’’

 

ବୃଦ୍ଧ ତା' ଢିଲା ଲୁଙ୍ଗି କସିଲା । ବାପର ଏ ଅବସ୍ଥା ଦେଖି କୋରନ ଆଖିରୁ ଲୁହ ଝରିବାକୁ ଲାଗିଲା । ଆଜି ସେ ଉଠି ଠିଆହୋଇ ପାରୁନାହିଁ ।

 

ନିଜ ଅପରାଧ କଥା ମନେପଡ଼ିବାରୁ କୋରାନର ହୃଦୟ ଭାଙ୍ଗି ପଡ଼ିଲା । ଏ ବୃଦ୍ଧକୁ ତକଷୀ ଠାରେ ଏକ ଛାଡ଼ି ଦେଇ ନିଜ ସୁଖ ପାଇଁ ଚିରୁତା ସଙ୍ଗରେ ଆସି ଅନ୍ୟ ସ୍ଥାନରେ ରହିଲା-। ସେ କିପରି ଅକ୍ଷମଣୀୟ ଅପରାଧ କରିଛି ? ତା’ର ଏପରି କରିବା ଯେକୌଣସି ଅବସ୍ଥାରେ ଉଚିତ ବୋଲି ଧରାଯିବନାହିଁ । ଏ ବୃଦ୍ଧ କେତେ କଷ୍ଟ ସହି ତାକୁ ଲାଳନ-ପାଳନ କରିଥିଲା । ରାଗୀ ହେଲେ ମଧ୍ୟ ଆଜି ସେ ନିଜ ପୁଅକୁ ଖୋଜି ଖୋଜି ଆସି ଏଠି ପହୁଞ୍ଚିଛି । ତା' ବ୍ୟତୀତ ଆଉ କିଏ ତା’ର ଅଛି ? ...କୌଣସି କଥା ଠିକ୍ ବୋଲି ସିଦ୍ଧାନ୍ତ କରିଦେଲା ପରେ ସେଥିରୁ ସେ ତିଳେ ମାତ୍ର ଟଳିବାର ଲୋକ ନଥିଲା । ତା' ସାଙ୍ଗରେ ରହିଥିଲେ ଏ ଅବସ୍ଥାରେ ଆସି ପହଞ୍ଚିନଥାନ୍ତା ।

 

୧ ତକଷୀ–ଏକ ଗାଁର ନାମ ।

 

ଆଜି ଏ ଅବସ୍ଥାରେ କ୍ଷେତର ବନ୍ଧ ଉପରକୁ ଯିବାର ସାମର୍ଥ୍ୟ ତା’ର ନାହିଁ । ଗୋଟିଏ ବନ୍ଧ ଉପରେ ଠିଆ ହୋଇ ଅନ୍ୟ ବନ୍ଧ ଉପରେ ଠିଆ ହୋଇ ଅନ୍ୟ ବନ୍ଧ ଉପରେ ଠିଆ ହୋଇ ଥିବା ଲୋକକୁ ପୂର୍ବପରି ଡାକି ପାରିବ ନାହିଁ । ତା' ଶରୀରରେ ବର୍ତ୍ତମାନ ସେ ଶକ୍ତି ନାହିଁ । ଶେଷ ଜୀବନ ନିଜ ପୁଅ ନିକଟରେ କଟାଇବା ପାଇଁ ଖୋଜି ଖୋଜି ଆସି ସେ ଏଠି ପହଞ୍ଚିଛି । କଞ୍ଜି ଟିକେ ମିଳିବା ଆବଶ୍ୟକ, ଏହା ତା’ର ଶେଷ ଇଚ୍ଛା ଥିଲା ।

 

ସେ ଆଠବର୍ଷ ବୟସ ବେଳରୁ ଜଣେ ଦଶହଜାର ପସୁରୀ ଜମି ଥିବା କୃଷକ ଘରେ କାମ ଆରମ୍ଭ କରିଥିଲା । ଏହା ପରେ ସେ କୃଷକ କ୍ରୋଡ଼ପତି ହେବା, ପୁଣି ସର୍ବନାଶ ହେବା, ପୁଣି ସର୍ବନାଶ ହେବା, ଦୁଇଥର ଉନ୍ନତି କରିବା–ସବୁ ହେଲା । କେତେ କରୋଡ଼ ପସୁରୀ ଧାନ ତା' ଜୀବବ୍ଦଶାରେ ସେ ଉତ୍ପନ୍ନ ନକରିଥିବ ? କେତେ କଟା, କେତେ ମଳା ଏବଂ କେତେ କରୋଡ଼ ଲୋକଙ୍କର ପେଟ ତା' ପରିଶ୍ରମ ଅନ୍ନରେ ଭରି ନଦେଇଥିବ !

 

ଏ ଲୋକ ନିଜ ଜୀବନରେ ଜନସାଧାରଣଙ୍କ ପାଇଁ କଣ ନକରିଛି ! ଆଜି ସେ ଲୋକ ନିଜ ଜୀବନର ଶେଷ ନିଶ୍ୱାସର ଶବ୍ଦ ସମୟକୁ ଗଣୁଛି । ଭାତରୁ ନିଷ୍କାସିତ ପେଜ ପାଇଥିବାର ଦଶଦିନ ହୋଇଗଲା । ସେ ଯେଉଁ ଧାନ ଉତ୍ପନ୍ନ କଲା ତାହା ଅନ୍ୟମାନଙ୍କ ପାଇଁ ।

 

ବୃଦ୍ଧ ପ୍ରଶ୍ନ କଲା–‘‘ବାବା, ତୁମକୁ ଏଠାରେ ମଜୁରୀ ପାଇଁ ଧାନ ମିଳୁଛି ନା ?’’

 

ବାପ ପାଖରେ ବସି ତା' ପିଠି ଚିପି ଦେଉଁ ଦେଉଁ କୋରନ କହିଲା-‘‘ନା ବାପା, ଧାନ ବାହାରେ ଦେଖିବାକୁ ଆଦୌ ମିଳୁ ନାହିଁ । କାଲି ରାତିରେ ପାଏ ଚାଉଳ ଖର୍ଦ୍ଦି କରିଥିଲି । ଆଜି ବାର ଅଣାରେ ଅଧସେର ଖର୍ଦ୍ଦି କରି ଆଣିଛି ।’’

 

ଚିରୁତାକୁ କୋରନ ପଚାରିଲା–‘‘ଆଲୋ, ବାପାକୁ ଦେଲୁ କି ନାହିଁ ?’’

 

ମୁରୁକି ହସି ଚିରୁତା ଉତ୍ତର ଦେଲା, ‘‘କଣ ଥିଲା ଦେବାକୁ ? ମୁଁ କାଲି ଗୋଟିଏ କୁଲା ବୁଣି ରଖିଥିଲି । ତାକୁ ସାଢ଼େ ତିନିଅଣା ପଇସାର ଚାଉଳ ଘେନି ଆସିଥିଲି । ସେତେବେଳେ ବାବା ଆସିଲେ । ସେ ଚାଉଳକୁ କଞ୍ଜି କରି ଆମେ ଦୁହେଁ ପିଇଲୁ ।’’

 

ବୃଦ୍ଧ ଚିରୁତା କଥାର ଶେଷ ଭାଗକୁ ଖଣ୍ଡନ କଲା ।

 

‘‘ଦୁଇ ତିନି ଛଟାଙ୍କି ଚାଉଳ ପକାଇ କଞ୍ଜି କରିଥିଲା । କିନ୍ତୁ ତାକୁ ମୁଁ ଶେଷ କରି ଦେଇଛି । ସେ ଟିକେ ହେଲେ ପିଇ ନାହିଁ । ସବୁ ମତେ ପିଆଇ ଦେଲା ।’’

 

ଚିରୁତା ଖୁସି ଥାଏ । ସେ କହିଲା, ‘‘ବାବା ସେମିତି କହୁଛନ୍ତି ନା । ମୁଁ ବି ପିଇଛି ।’’

 

ବୃଦ୍ଧ ଚିରୁତାକୁ ଚାହିଁ କୋରନ ପାଖରେ ଅଭିଯୋଗ କଲା- ‘‘ବାବା, ଏ କି ସୁନ୍ଦର ଓ ସୁଶ୍ରୀ ଥିଲା, ଏବେ କେବଳ ହାଡ଼ ଦୁଇଖଣ୍ଡ ମାତ୍ର ରହିଛି ।’’

 

କୋରନ ନିଜର ଭୁଲ ମାନି ନେଲା । କହିଲା-‘‘ସେ କଥା ସତ ବିବାହ ପୂର୍ବରୁ ସେ ଅତି ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ ଥିଲା ।’’

 

କୋରନ କହିଲା–‘‘ଏ ଅନ୍ୟକୁ ଖୁଆଉଛି । ନିଜେ ନ ଖାଇ ଶୁଖି ଯାଉଛି ।’’

 

‘‘ହଁ, ହଁ ଆଜି ମୁଁ ଦେଖି ପାରିଛି ।’’ ବୃଦ୍ଧ ପୁଅର କଥାକୁ ସମର୍ଥନ କରି କହିଲା ।

 

ଅଧସେର ଚାଉଳ ଏବଂ ମରିଚାନୀରେ ସେ ରାତିଟି ଏ କ୍ଷୁଦ୍ର ପରିବାରଟିର ସଂସ୍ଥାନ ହେଲା । କୋରନ ଜୀବନରେ ଏ ଏକ ସ୍ମରଣୀୟ ଦିନ । ନିଜର ପରିଶ୍ରମଲବ୍‍ଧ ମଜୁରିରେ ବାପାର ଦିନକର ଋଣ ସେ ତ ଆଜି ପରିଶୋଧ କରିଛି ।

 

ପୌନେ ପାଏ ଚାଉଳର କଞ୍ଜି ବୃଦ୍ଧ ନେଲା । ଅଧିକ ନେବାକୁ ଇଚ୍ଛା ଥିଲା; କିନ୍ତୁ ନେଇ ପାରିଲା ନାହିଁ । ଥରେ ଯେବେ ଅରକ୍‍କଲ ଘରୁ ତାକୁ କଡ଼ାଇଏ ଭାତ ମିଳିଥିଲା, ସେତେବେଳେ ସେ ଚାରିଗୁଣ୍ଡାରେ ଶେଷ କରିଦେଇଥିଲା । ଆଜି ଚାରି ଢୋକ ହିଁ ତାକୁ ଯଥେଷ୍ଟ ଜଣାପଡ଼ୁଛି । ସେ ଢକାର ମାରିଲା, କୋରନ ଆନନ୍ଦିତ ହେଲା ।

 

ଚିରୁତା ଆଗଦିନ ସକାଳ ପାଇଁ କିଛି ରଖିଦେଲା । କୋରନ ବିରୋଧ କଲା ନାହିଁ । ଯେକୌଣସି ପ୍ରକାରେ ହେଉ, ସେ କାଲି ଧାନ ମଜୁରି ଆଣିବ, ଏ କଥା ସେ ଠିକ୍ କଲା । ବାପାକୁ ତ ନିକୁଛ ପକ୍ଷରେ ଥରେ ପୂରା ପେଟେ ଖୁଆଇ ଦେବାକୁ ହେବ । ଏ ତା’ର ଏକମାତ୍ର ଅଭିଳାଷ ଥିଲା ।

 

ସେ ଦିନ ଶମୟଲ, ଇଟୟାତୀ ପ୍ରଭୃତି ସମସ୍ତେ କୋରନ କଥାକୁ ସମର୍ଥନ କଲେ । ଏମାନଙ୍କ ଘରେ ମଧ୍ୟ ପୂର୍ବଦିନ ରନ୍ଧାଯାଇ ନ ଥିଲା । ଚାଉଳ କାହାରି ପାଖରେ ନ ଥିଲା ।

 

କେବେ ଦରିଦ୍ର ପରୟ ଏବଂ ପୁଲୟଙ୍କ ଇଚ୍ଛା କଣ ପୂର୍ଣ୍ଣ ହୁଏ ? ଟଙ୍କାଏ ଟଙ୍କାଏ ତାଙ୍କ ଆଗରେ ଫିଙ୍ଗି ଦେଇ ଓସେପ୍‍ପ ଗମ୍ଭୀର ଭାବରେ କହିଲା–‘‘ଚାହଁ ଯେବେ ନେଇଯାଅ ! ଏଠି ଧାନ ନାହିଁ । କାମ କରିବାର ଇଚ୍ଛା ନ ଥିଲେ ଧାର ଚୁକ୍ତି କରି ଚାଲିଯାଇପାର ।’’

 

କେହି ଟଙ୍କା ନେଲେ ନାହିଁ । ଓସେପ୍‍ପ ରାଗରେ କହିଲା–‘‘ସମସ୍ତଙ୍କୁ.....ମୁଁ କହି ଦେଉଛି । ସମସ୍ତେ କାଲି ବାହାରି ଯାଅ ! ଓପାସରେ ଦିନ ବିତାଇବା ସମୟ ଇଏ । କାମ ଦେଇ ମଜୁରି ଦେବା ଯଥେଷ୍ଟ ନୁହେଁ । ଗର୍ବ ଦେଖାଉଛ ।’’

 

ପୂର୍ବଦିନ ଓପାସରେ କଟାଇବାକୁ ପଡ଼ିଥିଲା । ଶମୟଲ ଟଙ୍କା ଉଠାଇ ନେଇ ଚାଲିଗଲା, ପରେ ସମସ୍ତେ ସେହିପରି କଲେ ।

 

ଅଠର

 

କୁଟ୍ଟନାଟରେ କେଉଁଠାରେ ହେଲେ ମଜୁରି ନିମନ୍ତେ ଧାନ ଦେଉ ନଥିଲେ । ଜଣାପଡ଼ୁଥିଲା ଯେ ସବୁ ଜମିର ମାଲିକମାନେ ଏକତ୍ର ବସି ଗୁପ୍ତ ଭାବରେ କୌଣସି ମସୁଧା କରିସାରିଛନ୍ତି ।

ସବୁ ପରୟ ଓ ପୁଲୟମାନେ ପ୍ରପୀଡ଼ିତ ଥିଲେ । ସମସ୍ତେ ଦିନେ କୋରନ ଘରେ ଏକତ୍ର ହେବାକୁ ସ୍ଥିର କଲେ ।

‘‘ଆରେ ଆମେ ସମସ୍ତେ ମିଳିମିଶି ରହିଲେ ସିନା କାମ କରିବା । ସବୁ ତମ୍ରା ଏକତ୍ର ହୋଇଯାଇଛନ୍ତି ।’’ ଏକଥା ଜଣେ ତା' ମନକୁ ହିଁ କହିଲା ।

ସେଦିନ ନୌକା-ବିହାର ସମୟରେ ଯେଉଁ ଯୁବକମାନେ ଦୁଃଖୀ ଦରିଦ୍ରଙ୍କ ବିଷୟରେ ବକ୍ତୃତା ଦେଇଥିଲେ ସେମାନଙ୍କୁ ଡକାଯାଉ ବୋଲି ଜଣେ ମତ ଦେଲା ।

ଠିକ୍ ହେଲା ଯେ, ଏହା ପରେ କରାଯାଉ ।

ସେଦିନ ରାତିରେ ପ୍ରାୟ ଷାଠିଏ ଜଣ ପରୟ ଏକତ୍ର ହେଲେ । ପ୍ରତ୍ୟେକେ ଆପଣା ଆପଣାର ଦୁଃଖକାହାଣୀ ଶୁଣାଇଲେ । ସମସ୍ତେ ସଂଗଠିତ ହୋଇ ରହିବାକୁ ସିଦ୍ଧାନ୍ତ କଲେ । ପରୟମାନେ ଏକତ୍ରିତ ହେବାରୁ ତାଙ୍କୁ ଜଣାଗଲା ସେମାନଙ୍କର ଶକ୍ତି ଅଛି, ସେମାନେ କିଛି କରି ପାରନ୍ତି ଏବଂ ବିରୋଧ ମଧ୍ୟ କରି ପାରନ୍ତି । କୋରନର ବୁଢ଼ାବାପା ମଧ୍ୟ ଲାଠି ଧରି ଠିଆ ହୋଇଗଲା ।

ଗତ ରବିବାର ଦିନ ନରେନ୍ଦ୍ର ନାମକ ଜଣେ ପରୟ ଯୁବକର ନେତୃତ୍ୱରେ ଗୋଟିଏ ସଭା କାରଗଲା; କିନ୍ତୁ କୃଷକମାନେ ଏ ସଭାର ଉଦ୍ଦେଶ୍ୟ ବୁଝିପାରିଲେ ନାହିଁ ।

ପାଣିରେ ବୁଡ଼ିବୁଡ଼ି କାମ କଲାବାଲା, ଝଡ଼-ବର୍ଷା, ଖରାକାକର ସବୁ ସହ୍ୟ କରିଥିବା ଶକ୍ତିବାନ ପରୟ ଏବଂ ପୁଲୟଙ୍କୁ ଆଜି ଭୋକ ଲାଗିଛି । ପ୍ରକୃତିର ଶକ୍ତିକୁ ନିଜ ଅକ୍ତିୟାର କରିବାବାଲା ଶକ୍ତି କିପରି ଜାଗ୍ରତ କରାଯାଇପାରେ ଏହା ପ୍ରଥମେ ଏମାନଙ୍କୁ ଜଣାନଥିଲା ।

ତମ୍ପୁରାନମାନେ ଭାବିଲେ ଆଇନ ନିକଟରେ ଏ ସଭାର ମୂଲ୍ୟ କଣ ଅଛି ? ସଭାପତି କିଏ ? କେଉଁଠାର ଜଣେ ପରୟ ଯୁବକ । ଶୁଣାଗଲା କେତେକ ପ୍ରସ୍ତାବ ମଧ୍ୟ ପାସ୍ ହୋଇଛି । କିଏ ପ୍ରସ୍ତାବ କଲା, କିଏ ସମର୍ଥନ କଲା ? ଏପରି ଅନାଡ଼ମ୍ବର ସଭାର ମହତ୍ତ୍ୱ କଣ ଅଛି ? ମୂଲ୍ୟହୀନ ସଭା ! ....ଏହା ଭାବି ତମ୍ପୁରାନମାନେ ହସିଲେ । ଏହି ରାତିରେ ଗୋଟିଏ ଘଟଣା ଘଟିଲା । ଏ ତାଲୁକର ଜଣେ ଷ୍ଟେଟ କଂଗ୍ରେସ ନେତାଙ୍କ ଘରଠାରେ ଖରିଦ ହୋଇଥିବା ଧାନବସ୍ତା ବୋଝେଇ ଗୋଟିଏ ଡଙ୍ଗାକୁ ଏ ସଭାର କେତେ ଜଣ ପରୟ ଏବଂ ପୁଲୟ ମିଶି ଧରିଲେ ।

ସଂଗଠିତ ହୋଇଯିବା ପରେ ପରୟ ଏବଂ ପୁଲୟମାନଙ୍କର ମୁହଁ ଫିଟିଗଲା । ଯେତେବେଳେ ମାଲିକମାନେ କହିଲେ ସେମାନଙ୍କ ଆଵଶ୍ୟକତା ପୂର୍ଣ୍ଣ କରିବେ ଏବଂ ମଜୁରି ଉଦାରତାପୂର୍ବକ ଦେବେ, ଏମାନେ ମଧ୍ୟ ତା’ର ଜବାବ ଦେଲେ ।

କୋରନର ବାପ ଭାବିଲା ଏ ଗୋଟିଏ ବଡ଼ କଳିତକରାଳର ସୂତ୍ରପାତ । ଏଥିରେ କୋରନର ବେଶି ହାତ ଥିଲା । ମାଲିକମାନଙ୍କର କ୍ରୋଧ ତା' ଉପରେ ଥାଏ । ଭଗବାନ ଜାଣନ୍ତି କଣ ଘଟିବାକୁ ଯାଉଛି ।

 

ବୃଦ୍ଧର ଯୁବକବେଳର କଥା ମନେ ପଡ଼ିଲା । ସେ ସମୟରେ ଆମଦାନୀରୁ ଏକ ଭାଗ ଖେତରେ କାମକଲା ଲୋକଙ୍କର ହେଉଥିଲା । ମାଲିକମାନେ ଶ୍ରମିକମାନଙ୍କୁ ନିଜ ପରିବାରର ଅଙ୍ଗ ବୋଲି ମନେ କରୁଥିଲେ । ସେ ସମୟରେ କାମକଲା ଶ୍ରମିକମାନଙ୍କର ଆପତ୍ତି ଅଭିଯୋଗ ଥିଲା । ଅବସ୍ଥା ମଧ୍ୟ ଆଜିକାଲିଠାରୁ କେତେକାଂଶରେ ଭଲ ଥିଲା ।

 

ବୁଦ୍ଧର ଗୋଟିଏ ପ୍ରାର୍ଥନା ଥିଲା, କୋରନର କିଛି ଯେପରି କ୍ଷତି ନ ହୁଏ । ପୁଅର କିଛି କ୍ଷତି ହେବା ପୂର୍ବରୁ ହିଁ ତା’ର ମୃତ୍ୟୁ ହୋଇଯିବା ଉଚିତ । ସେ କୋରନକୁ ପ୍ରତିଦିନ ବୁଝାଉଥିଲା ଯେ, ‘‘ବାବା ତୁ ନିଜକୁ କୌଣସି ବିପଦରେ ପକାନା !’’

 

ଦିନେ ବୃଦ୍ଧ ଭଲଭାବରେ ଖାଇଲା । ତାକୁ ପ୍ରତିଦିନ ନିକୁଛ ପକ୍ଷରେ ଥରେ ଭାତ ମିଳୁଥିଲା ଏବଂ ଆବଶ୍ୟକ ଅନୁସାରେ ପାନ ମଧ୍ୟ ପାଉଥିଲେ । ଜଣେ ସ୍ଥାନୀୟ ବୈଦ୍ୟଠାରୁ ଔଷଧ ବ୍ୟବସ୍ଥା ମଧ୍ୟ ହେଲା ।

 

ମାନତୁ ଘରର ଜଣେ ଚାକର, ଚେନ୍ନନ ପୁଅ ପାଇଁ ଗୋଟିଏ କନ୍ୟା ଆଣିବାର ଥିଲା । ସେଦିନ ଚେନ୍ନନ ଘରେ ଗୋଟିଏ ସଭା ହେବାର ଥିଲା । କୋରନ ମଧ୍ୟ ଗଲା । କୋରନ ଅନୁପସ୍ଥିତିରେ ଚିରୁତାକୁ ଗୋଟିଏ ରାତି ଏକାକୀ ବିତାଇବାକୁ ପଡ଼ିଲା । ଶଶୁର ଆଖିକୁ ଭଲଭାବରେ ଦେଖାଯାଉ ନଥିଲା ଓ ଉଠି ବସିବାକୁ ନିଜେ ଅକ୍ଷମ ଥିଲା । କେବଳ କଥାବାର୍ତ୍ତା କରିପାରୁଥିଲା । ଚିରୁତା ନିଜର ଭୟ ପ୍ରକାଶ କଲା ନାହିଁ ।

 

କୋରନ ଚାଲିଯିବା ଦୁଇ ଘଣ୍ଟା ପରେ ବୃଦ୍ଧର ଥରିବା ଆରମ୍ଭ ହୋଇଗଲା । ସେ କଥା କହିବାକୁ ଅସମର୍ଥ ହୋଇପଡ଼ିଲା । ତାର ନିଃଶ୍ୱାସ ପ୍ରଶ୍ୱାସ ନେବା କଠିନ ହୋଇଗଲା ।

 

ରାତି ପ୍ରାୟ ଆଠଟା ସମୟ ହେବ । ଭାଗ୍ୟକୁ ସେଦିନ ଡିବିରେ କିରାସିନି ଥାଏ । ଚିରୁତା ଶଶୁର ପାଖରେ ବସିଥାଏ । ତା’ର ଚେହେରା ଦେଖି ଚିରୁତାକୁ ଡର ଲାଗିଲା । ସେ ତା’ର ସ୍ନେହଶୀଳ ଶଶୁରର ସେପରି ଚେହେରା କେବେ ଦେଖି ନ ଥିଲା । ବୃଦ୍ଧ ଯେତେବେଳେ କିଛି କଥା କହୁଥାଏ ଝିଅ, ଝିଅ ବୋଲି ସମ୍ବୋଧନ କରୁଥାଏ-ତେବେସୁଦ୍ଧା ଚିରୁତା ଜାଣିପାରିଲା ନାହିଁ ଏ ତା’ର ଶଶୁର ବୋଲି । ଏ କି ପ୍ରକାର ପରିବର୍ତ୍ତନ ! !

 

କିଛି ସମୟ ପରେ ବୃଦ୍ଧର କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଗଲା । ନିଃଶ୍ୱାସ ନେବାକୁ କଷ୍ଟ ହେଲା । ବୃଦ୍ଧ ମରିବାକୁ ଯାଉଛି ।

 

ଚିରୁତା ଡାକିଲା । ଉତ୍ତର ପାଇଲା ନାହିଁ । କିଛି ସମୟ କଷ୍ଟଭୋଗ ପରେ ବୃଦ୍ଧ ଚାଲିଗଲା ।

 

ଚିରୁତା ଏକାକିନୀ !

 

ତାକୁ କେତେ ସ୍ନେହକଲା ଏବଂ ତା'ଠାରୁ କେତେ ବାତ୍ସଲ୍ୟ-ସ୍ନେହ ପାଇଲା । ପୁଣି ମୁର୍ଦ୍ଦାର ନିକଟରେ ଅର୍ଦ୍ଧରାତ୍ର ସମୟରେ ସେ ଏକାକିନୀ...ତାକୁ ଜଣାଗଲା, ଚାରିପାଖରେ ପ୍ରେତ; ଖାଲି ପ୍ରେତ ଘୂରି ବଳୁଛନ୍ତି ।

 

କୋରନ ଏ ମଧ୍ୟରେ ଗୋଟିଏ ପୁଅର କର୍ତ୍ତବ୍ୟ ଯା' ତାହା ପାଳନକରି ପାରିଲା ନାହିଁ । ଯେତେବେଳେ ଫେରିଲା ସେ ବାପର ଗୋଡ଼ ଧରି କାନ୍ଦିଲା ।

 

ଏପରି ଭାବରେ କାନ୍ଦି ବସିବା କଣ ଉଚିତ ? କାମ ତ ହେବା ଉଚିତ । ଶବ କେଉଁଠି ପୋତା ଯିବ ? ଘର ପାଖରେ ସ୍ଥାନ ଯଥେଷ୍ଟ ନାହିଁ । ନୂଆ ମାଟି ପଡ଼ିଥିବାରୁ ଟିକେ ଖୋଳିଦେଲେ ପାଣି ବାହାରୁଛି । ପୁଷ୍ପବେଲୀର ଖଣ୍ଡିଏ ଜମି ପଡ଼ିଛି, ସେଠି କେହି ରହି ନାହାନ୍ତି । ସେଠି ପୋତାଗଲେ ଭଲ ହେବ । ଓସେପ୍‍ପକୁ ପଚାରିବାକୁ ଜଣେ ଲୋକ ଗଲା ।

 

ସେ ଫେରି ଆସିଲା । ସ୍ଥାନ ଦେବାକୁ ସେ ମନା କରିଦେଲା । ମରିବାସମୟରେ ଯେବେ ଗିର୍ଜ୍ଜାକୁ ଖବର ଦିଆଯାଇଥାନ୍ତା, ତେବେ ବୃଦ୍ଧର ଅନ୍ତିମକାର୍ଯ୍ୟ କରି ଶବକୁ ଗିର୍ଜ୍ଜାର କବର ସ୍ଥାନର ପୁଲୟ ବିଭାଗରେ ପୋତି ଦିଆଯାଇଥାନ୍ତା । ବର୍ତ୍ତମାନ କୋରନ ଇସାଇ ହେବାକୁ ପ୍ରସ୍ତୁତ ହୋଇଗଲେ ବୃଦ୍ଧର ଶବ ବେୱାରିସ ଗାତରେ ପୋତା ଯାଇପାରେ ।

 

କୋରନ ବସି କାନ୍ଦୁଥିଲା, କହିଲା ‘‘ପୋତିବା ସ୍ଥାନ ପାଇଁ ଆଦୌ ଚିନ୍ତା କରନା । ମୁଁ ଠିକ୍ କରି ନେଇଛି ।’’

 

ଏହା ଉପରେ କେହି ଧ୍ୟାନ ଦେଲେନାହିଁ, ପୁଣି ସମସ୍ତେ ମିଶି ଭାବିବାକୁ ଲାଗିଲେ । କୌଣସି ମାଲିକଙ୍କୁ କାହିଁକି ପଚରା-ଉଚରା ନ କରାଯିବ । ଏ ପରାମର୍ଶ କୋରନକୁ ଅସହ୍ୟ ମନେହେଲା ।

 

ସେ ଉଠି ଠିଆ ହୋଇଗଲା । ସେ କଣ କରିବାକୁ ଯାଉଛି କେହି ଜାଣିପାରିଲେ ନାହିଁ । କୋରନ ଘାଟରେ ଥିବା ଡଙ୍ଗାରେ ଚଢ଼ି ଉତ୍ତର ଦିଗକୁ ଗଲା । ଲୋକେ ଭାବିଲେ ସେ କାହାକୁ ପଚାରିବାକୁ ଯାଉଛି ।

 

‘‘ଯାହା ବି ହେଉ ଶବର ଗାଧୁଆ ପାଧୁଆ କାମ ଶେଷ କରି ଦିଆଯାଉ’’ ବୋଲି ଜଣେ କହିଲା । ବୃଦ୍ଧ ଶବକୁ ଗାଧୋଇ ଦେଇ ତା' ମୁଣ୍ଡରେ ଭସ୍ମ ଓ ଚନ୍ଦନ ଲଗାଇ ଦିଆଗଲା । ଚିରୁତା ଖଣ୍ଡିଏ ସଫା ଲୁଗା ବାହାର କରିଦେଲା, ବର୍ତ୍ତମାନ କେବଳ ଶବ ପୋତିବା ସ୍ଥାନ ନିଶ୍ଚିତ ହେବା ବାକିଥାଏ ।

 

କୋରନ ଫେରିଆସିଲା; ଡଙ୍ଗାରେ ଖଣ୍ଡିଏ ବଡ଼ ପଥର (ମାଇଲ ଷ୍ଟୋନ) ଆଣିଥାଏ ।

 

ବାପାର ଶବକୁ କୁଣ୍ଢାଇ ପକାଇ କୋରନ ଭୋ ଭୋ ହୋଇ କାନ୍ଦିଲା । ବାପାକୁ ଏତେ ଦିନପରେ ଦେଖି ତା’ର ମନ ଏତିକିରେ ସନ୍ତୁଷ୍ଟ ହୋଇ ନଥିଲା ।

 

କୋରନ ଶବକୁ ଚଟାଇରେ ଗୁଡ଼ାଇ ବାନ୍ଧିଲା । ସମସ୍ତେ ତାକୁ ଏପରି ନକରିବାକୁ କହିଲେ । କୋରନ ଏକାକୀ ସେ ଗଣ୍ଠିରିକୁ ଉଠାଇ ନେଇ ଡଙ୍ଗାରେ ଥୋଇଲା । ସେଠି ଏକତ୍ର ହୋଇଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ଏପରି ଶବ ପୋତିବା ବିଧି ସେମାନେ ଦେଖି ନଥିଲେ । କୋରନ ଯେତେବେଳେ ଶବକୁ ପଥରରେ ବାନ୍ଧିଲା, ସେତେବେଳେ ତା’ର ଉଦ୍ଦେଶ୍ୟ ଲୋକମାନେ ବୁଝିପାରିଲେ ।

 

କୋରନ ସାହାଯ୍ୟ ପାଇଁ ପତ୍ରୋସକୁ ଡାକିଲା । ପତ୍ରୋସ ଅନ୍ୟ ଆଡ଼କୁ ଚାହିଁଲା । କେହି କିଛି କହିଲେ ନାହିଁ । ଶେଷରେ ପତ୍ରୋସ ଡଙ୍ଗାରେ ଚଢ଼ିଗଲା । ଯେତେବେଳେ ଡଙ୍ଗା ନଈ ମଝିରେ ପହଞ୍ଚିଲା, ସେତେବେଳେ କୋରନ ଏବଂ ପତ୍ରୋସ ଦୁହେଁ ମିଶି ଏ ଓଜନ ଗଣ୍ଠିରିକୁ ଉଠାଇ ପାଣିରେ ଫିଙ୍ଗିଦେଲେ । ଗଣ୍ଠିରି ପାଣିରେ ବୁଡ଼ିଗଲା । ଉପରକୁ ମାତ୍ର ତିନି ଚାରିଟି ବୁଦ୍ ବୁଦ୍ ଉଠି ମିଳାଇ ଗଲା !

 

ଛଅ ଫୁଟର ଜମି ଖଣ୍ଡିଏ ନପାଇ ବିଚରା ବୃଦ୍ଧର ସେଵାମୟ ଜୀବନ-ଇତିହାସ ଏହିପରି ହିଁ ସମାପ୍ତ ହେଲା ।

 

ଊଣେଇଶ

 

ବିଧାନସଭାର ନିର୍ବାଚନ ସମୟ । ଏ ପ୍ରଦେଶର ଜଣେ ବଡ଼ କୃଷକ ଷ୍ଟେଟ୍ କଂଗ୍ରେସ ପକ୍ଷରୁ ନିର୍ବାଚନ ପାଇଁ ଠିଆ ହେଲା । ପ୍ରତିଦ୍ୱନ୍ଦୀ ଭାବରେ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଠିଆହେଲା-। ଦୁଇ ପକ୍ଷରୁ ଖୁବ୍ ଜୋର୍‍ରେ ପ୍ରତିଦ୍ବନ୍ଦ୍ବତା ଚାଲିଲା ।

 

ଏହି ପ୍ରତିଦ୍ୱନ୍ଦିତା ମଧ୍ୟରେ ଖେତରେ କାମ କରୁଥିବା ଶ୍ରମଜୀଵୀ ସଂଘ ରେଜିଷ୍ଟ୍ରି କରାଗଲା । ଏଥିରେ ପରୟ ଏବଂ ପୁଲୟମାନେ ସଭ୍ୟ ହେଲେ । ଦରିଦ୍ର ଇସାଇ, ନାୟର ଓ ଇଷୱା ଶ୍ରମଜୀବୀମାନେ ଯୋଗଦେବାକୁ ମନା କରିଦେଲେ । ସେମାନଙ୍କର କହିବାର କଥା ଯେ ଏ ସଂଘ ପରୟମାନଙ୍କର । ଯେଉଁମାନେ ଷ୍ଟେଟ୍ କଂଗ୍ରେସର ସଭ୍ୟ ଥିଲେ, ସେମାନଙ୍କୁ ଗିର୍ଜା, କରୟୋଗମ ଓ ଏସ୍. ଏନ୍.ଡ଼ିପି. ଶ୍ରୀ ନାରାୟଣ ଗୁରୁ ଧର୍ମ-ପରିପାଳନ ସଂଘରୁ ଆଦେଶ ମିଳିଥିଲା କି ସେମାନେ କଂଗ୍ରେସକୁ ଭୋଟ ଦିଅନ୍ତୁ ।

 

ଏ ନିର୍ବାଚନରେ ଜୟ-ପରାଜୟ କଥା ସ୍ଥିର କରିବାରେ ଖେତ ମଜଦୁର୍ ସଂଘର ଦୃଢ଼ ହାତ ଥିଲା । ଏହା ସମସ୍ତେ ଅନୁଭବ କରିବାକୁ ଲାଗିଲେ । ଏହାର ସଭ୍ୟ ମଧ୍ୟ କମ୍ ନଥିଲେ । ସଂଘ ନିଜର ସିଦ୍ଧାନ୍ତ ଏ ପର୍ଯ୍ୟନ୍ତ ପ୍ରକାଶ କରିନାହିଁ ।

 

ସ୍ୱାଧୀନ ପ୍ରାର୍ଥୀ ଖେତ-ମଜଦୁର ସଂଘକୁ ଏକ ବଡ଼ ରକମ ଦାନ ଦେବାକୁ ଜବାବ ଦେଲା । ସଂଘର କାର୍ଯ୍ୟକାରୀ କମିଟି ବୈଠକ କୋରନ ଘରେ ବସିଲା, ନରେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ କଥା ସମସ୍ତଙ୍କୁ ଶୁଣାଇଲା ।

 

ଦଶହଜାର ଟଙ୍କା । ଆଶ୍ଚର୍ଯ୍ୟ ହେବା ଭଳି ଜିନିଷ । ପରୟ ଏବଂ ପୁଲୟମାନଙ୍କୁ କଣ ଏତିକି ପଚରା ଯାଇପାରେ ! ନରେନ୍ଦ୍ର ବୁଝାଇଲା ଏମାନଙ୍କର ମୂଲ୍ୟ ତା'ଠାରୁ ଅଧିକ । ଜଣେ ପରୟର ମୂଲ୍ୟ ଟଙ୍କା, ଅଣା, ପାହିଦ୍ୱାରା ନିର୍ଣ୍ଣୟ କରାଯାଇ ପାରିବ ନାହିଁ । ସେଦିନ ବୈଠକରେ ଯେଉଁମାନେ ଭାଗ ନେଲେ, ସେମାନେ ନିଜ ଭିତରେ ଦ୍ଵିଗୁଣ ଶକ୍ତି ଅନୁଭବ କଲେ ।

 

ଅନେକ ସମୟ ପର୍ଯ୍ୟନ୍ତ ବିଚାର ଆଲୋଚନା କରିବା ପରେ କାର୍ଯ୍ୟକାରୀ ସମିତି ଦାନକୁ ଅସ୍ୱୀକାର କରିଦେଲା । ସଭା ଶେଷ ହେଲା । ଫେରିବା ସମୟରେ ପ୍ରତ୍ୟକଙ୍କ ମନରେ ପ୍ରଶ୍ନ ଉଠିଲା କି ଏତେ ବଡ଼ ଜିନିଷ ତ୍ୟାଗ କରିବାର ଶକ୍ତି କିପରି ହୋଇଗଲା । ଦଶହଜାର ଟଙ୍କା ! ଦଶ ଦଶ ଟଙ୍କାର ଏକହଜାର ଟଙ୍କାର ନୋଟ ! ନିଜର ସଂଗଠିତ ଶକ୍ତି ଉପରେ ସମସ୍ତଙ୍କର ଅଭିମାନ ଆସିଲା । ଦରିଦ୍ରଙ୍କର ମଧ୍ୟ ଦଶହଜାର ଟଙ୍କା ତ୍ୟାଗ କରିବାର ଶକ୍ତି ଅଛି ।

 

'ସଂଗଠିତ ରହିଲେ ଏପରି ହୋଇଥାଏ,' ଏକଥା ନିଜ ନିଜ ମଧ୍ୟରେ କୁହାକୁହି ହେଲେ-। କିନ୍ତୁ ନିର୍ବାଚନରେ ଏମାନଙ୍କର ନୀତି କଣ ହେବା ଉଚିତ ? ଦଶହଜାର ଟଙ୍କା ତ ତ୍ୟାଗ କରିବା ଠିକ୍ । କିନ୍ତୁ କାହାକୁ ଭୋଟ ଦେବାକୁ ହେବ ? କାହାକୁ ଦେଲେ ପରୟ ଏବଂ ପୁଲୟଙ୍କର ମଙ୍ଗଳ ହୋଇପାରିବ ?

 

ଷ୍ଟେଟ କଂଗ୍ରେସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଗଲା କି କଂଗ୍ରେସ ଯଦି ଅଧିକାର ପାଏ ତେବେ ସମସ୍ତଙ୍କର ମଙ୍ଗଳକାର୍ଯ୍ୟ କରିବ ଏବଂ ଦରିଦ୍ରମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରିବ ।

 

‘‘ଏହା କିପରି ହୋଇପାରେ ? ତମ୍ରା ଓ ଶ୍ରମିକ-ଦୁହିଙ୍କର ମଙ୍ଗଳ ଏକ ସଙ୍ଗରେ କିପରି କରାଯାଇପାରେ ?’’

 

ଏ ସନ୍ଦେହ ସନ୍ଦେହରେ ହିଁ ରହିଗଲା ।

 

ନିର୍ବାଚନ ଦିନଟି ବଡ଼ କୋଳାହଳ ପୂର୍ଣ୍ଣ ଦିନ ଥିଲା, ନିର୍ବାଚନ ସ୍ଥାନରେ ଭିଡ଼ର ସୀମା ନଥିଲା । ତ୍ରିରଙ୍ଗା ପତାକାରେ ସଜ୍ଜିତ ନୌକା ଏବଂ ଷ୍ଟିମର ନଦୀ ଏବଂ ନାଳମାନଙ୍କରେ ବରାବର ଯିବା ଆସିବା କରୁଥିବାର ଦେଖା ଯାଉଥିଲା । ସ୍ୱାଧୀନ ପ୍ରାର୍ଥୀ ପକ୍ଷର ଲୋକେ ଖୁବ୍ ଦୌଡ଼ା ଧାପଡ଼ା କରୁଥିଲେ । ସଂଘର ନିୟମ ଅନୁସାରେ ସ୍ୱାଧୀନ ପ୍ରାର୍ଥୀଙ୍କ ଚାକର ପରୟମାନେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଲେ ।

 

କଂଗ୍ରେସ ପ୍ରାର୍ଥୀଙ୍କର ଜୟ ହେଲା, ଏ ବିଜୟର ଉତ୍ସବ ମଧ୍ୟ ଶେଷ ହୋଇଗଲା । ସମସ୍ତେ ଜାଣିଲେ ଯେ ଏମାନଙ୍କୁ ଭୋଟ ଦେବା ଫଳରେ ଯେଉଁ ଲୋକ ଜୟ କଲେ ସେ ଜଣେ ମନ୍ତ୍ରୀ ହେଲେ ।

 

କୁଟନାଟର ଖେତ-ମଜଦୁରଙ୍କ ଗୋଟିଏ ସଭାରେ ନରେନ୍ଦ୍ର କହିଲା-‘‘ବର୍ତ୍ତମାନ ଦେଖିବାର କଥା ଏ ସରକାର ଦରିଦ୍ରଙ୍କ ପାଇଁ କଣ କରୁଛି ।’’

 

ଏହା ପୂର୍ବରୁ ସାବଧାନ ହେବାର ସୂଚନା ।

 

କୁଟ୍ଟନାଟର କୃଷକ-ମାଲିକ ଏବଂ ପୁଞ୍ଜିପତି ସମସ୍ତେ ଡରିଗଲେ, ପରୟ ଏବଂ ପୁଲୟମାନେ ସମସ୍ତେ ସଂଗଠିତ ହୋଇଗଲେ । ଏହି ସଂଗଠନର ଶକ୍ତି ଲୋକମାନେ ନିର୍ବାଚନ ସମୟରେ ଦେଖିଥିଲେ । ଏହି ସଂଗଠନ ଦ୍ୱାରା ପରୟ ଏବଂ ପୁଲୟମାନେ ଜାଗ୍ରତ ହେଲେ ଓ ଶକ୍ତିଶାଳୀ ହୋଇଗଲେ ।

 

ଯେତେବେଳେ ଦୁଇଜଣ କୃଷକ ଏକାଠି ହେଉଥିଲେ, ସେତେବେଳେ ପରୟ ଓ ପୁଲୟମାନଙ୍କ ବିଷୟରେ କଥାବାର୍ତ୍ତା କରୁଥିଲେ । ସେମାନଙ୍କ ସଂଖ୍ୟାର ବଳ ଥିଲା । ତେଣୁ ଆଗ ପଛ କିଛି ସେମାନଙ୍କୁ ଦେଖାଯାଉ ନଥିଲା । ସେମାନଙ୍କ ସ୍ନେହ ଭାବ ଶେଷ ହୋଇ ଯାଇଥିଲା, ସେମାନଙ୍କ କଥାବାର୍ତ୍ତାର ଢଙ୍ଗ ମଧ୍ୟ ବଦଳିଗଲା । ନୂଆ ସରକାର...ସେ କଣ କରିବାକୁ ଯାଉଛି ? ...ଏ ସମସ୍ତଙ୍କର ପ୍ରଶ୍ନ ଥିଲା ।

 

ପ୍ରତିଦିନ ମଜୁରି ପାଞ୍ଚ କୁଲିୟେନ ଧାନରୁ ଦୁଇ କୁଲିୟେନ ଧାନ ଏବଂ ବାକି ତିନି କୁଲିୟେନର ସରକାରୀ ଦର ଅନୁସାରେ ପଇସା ଦେବାର ନିୟମ ପ୍ରଚଳନ କରାଗଲା । ଏହା ସଂଘର ଏକ ବଡ଼ ବିଜୟ ।

 

୧ କୁଲିୟେନ–ଗୋଟିଏ ଛୋଟ ମାପ । ପାଞ୍ଚ କୁଲିୟେନ ଦୁଇସେର ସଙ୍ଗେ ସମାନ ।

 

କୋରନ ସଂଘର ପ୍ରାଣ ସ୍ୱରୂପ ଥିଲା । କୁଟ୍ଟନାଟର ପରୟ ଏବଂ ପୁଲୟମାନଙ୍କ ମଧ୍ୟରେ ତା’ର ଏକ ବିଶିଷ୍ଟ ସ୍ଥାନ ହୋଇଗଲା । ଏହାଦ୍ୱାରା ଚିରୁତା ମଧ୍ୟ ଏକପ୍ରକାର ଅଭିମାନ ଅନୁଭବ କଲା । ମଜୁରିର ଗୋଟିଏ ଭାଗ ଧାନ ଆକାରରେ ପାଇବା ଉପାୟ ତା’ର ସ୍ୱାମୀ ତ ବାହାର କରିଛି ! ତା’ର ସ୍ଥାନ ମଧ୍ୟ ସ୍ତ୍ରୀମାନଙ୍କଠାରୁ ଉପରକୁ ଚାଲିଗଲା ।

 

ଯେତବେଳେ କୋରନ ଆବେଗ ସହିତ ଆସି ପରୟ ଏବଂ ପୁଲୟମାନଙ୍କ ସଙ୍ଗରେ ଅନ୍ୟାୟ ଓ ଅତ୍ୟାଚାର କଥା ବର୍ଣ୍ଣନା କରେ ସେତେବେଳେ ଚିରୁତାର ମଧ୍ୟ ରକ୍ତ ତାତି ଉଠୁଥିଲା । ଯେତେବେଳେ କୋରନ କହେ ଏସବୁ ଅନ୍ୟାୟ ବନ୍ଦ ହେବା ଦରକାର, ସେତେଵେଳେ ଚିରୁତା ଭାବେ କୋରନକୁ ଯା' ଜଣାନାହିଁ ସେ ସେପରି କୁକର୍ମ ସବୁର ସୂଚନା ଦେଇଦେବା ଉଚିତ । ପରୟ ଏବଂ ପୁଲୟମାନଙ୍କ ଅଗୋଚରରେ ଖଳାମାନଙ୍କର ପାଳଗଦାର ମଝିରେ, ବଡ଼ ବଡ଼ ଘନ ଶ୍ୟାମଳ ଖେତ ଉହାଡ଼ରେ, ମଝି ବନ୍ଧ ଏବଂ ଅନ୍ୟାନ୍ୟ ସ୍ଥାନରେ ହେଉଥିବା କୁକର୍ମ ! ଏସବୁ ବିଷୟ ତାର ସ୍ତ୍ରୀ ମଧ୍ୟ ଜାଣିଥିଲା । ଏ ଅନାଚାରର ଶିକାର ହୋଇ କେତେ ସ୍ତ୍ରୀ ଲୋକମାନଙ୍କର ଆତ୍ମା ଡହଳ ବିକଳ ହୋଇଯାଇଛି ଏକଥା କେହି ଜାଣନ୍ତି ନାହିଁ । ଏହି ଆତ୍ମା ସବୁର ଦୁଃଖପୂର୍ଣ୍ଣ ଆର୍ତ୍ତନାଦ ଦୁନିଆର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରିବ ତ ? କିନ୍ତୁ ଏ ହୃଦୟ ବିଦାରକ ଘଟଣା ଇଚ୍ଛା ଥିଲେ ମଧ୍ୟ ଚିରୁତା ତା' ସ୍ୱାମୀକୁ କିଛି କହିପାରିନାହିଁ । କୋରନକୁ କହିବା ତା' ପକ୍ଷରେ ଅସମ୍ଭବ ଥିଲା ।

 

ଯଦି ପରୟ ଏବଂ ପୁଲୟମାନେ ଏକଥା ଜାଣି ପାରନ୍ତି ତେବେ ସେମାନେ ନିଆଁ ଲଗାଇ ଦେବେ ଓ ଖୁଣ ମଧ୍ୟ କରିବସିବେ । ଚିରୁତାର ମରିୟା କଥା ମନେ ପଡ଼ିଲା । ଏସବୁ କଥା ପୁରୁଷଙ୍କୁ ଜଣାଇବା ଅନୁଚିତ । ତା’ର ଜୀବନ ବିପଦପୂର୍ଣ୍ଣ ନହେଉ ।

 

ହଁ, କୁଟ୍ଟନାଟର ପରୟ ଏବଂ ପୁଲୟମାନଙ୍କ ପରମ୍ପରାରୁ ପ୍ରାପ୍ତ ସଂସାର ମୂଳ ଆଧାର ସଚ୍ଚରିତ୍ରତା । ସେମାନଙ୍କର ସ୍ତ୍ରୀମାନଙ୍କ ଚରିତ୍ର ଆଶଙ୍କା ଭୟ ମଧ୍ୟରେ ରହିଛି । ଏକଥା ଯେବେ ପୁରୁଷମାନେ ଜାଣିପାରନ୍ତି, ତେବେ ସେମାନଙ୍କ ଅସାଧାରଣ ଶକ୍ତି କଣ ନକରି ପାରନ୍ତା । ନା, ଏକଥା କହିବା ଉଚିତ ନୁହେଁ । .....କିନ୍ତୁ ଜଣେ ନବ ଯୁବତୀ ପରୟୀ ଗୋଟିଏ ବ୍ଲାଉଜ ଏବଂ ଭଲ ଲୁଗା ଖଣ୍ଡେ ପିନ୍ଧିବା ତୁଚ୍ଛ ଇଚ୍ଛାକୁ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ନିଜର ଚରିତ୍ରକୁ କିପରି ରକ୍ଷା କରିପାରେ ?

 

ଚିରୁତାର ପ୍ରବଳ ଇଚ୍ଛା ହେଲା ସେ ଏହିପରି ଅଭାଗିନୀ ଭଉଣୀମାନଙ୍କୁ ଭେଟୁ ଓ ସେମାନଙ୍କ ପରିଚୟ ପାଉ । ସେମାନଙ୍କ ଦୁଃଖ-ପୂର୍ଣ୍ଣ କାହାଣୀ ସେମାନଙ୍କ ମୁହଁରୁ ତ ଶୁଣିପାରିବ । କେତେଥର ଚିରୁତା ମନରେ ଭାବେ ସ୍ତ୍ରୀ ଲୋକମାନଙ୍କର ଗୋଟିଏ ସଭା କାହିଁକି ନ କରାଯିବ ?

 

ସ୍ୱାମୀର ସମସ୍ତ କାର୍ଯ୍ୟ ପ୍ରଶଂସାଯୋଗ୍ୟ ଥିଲା, କିନ୍ତୁ ଚିରୁତା ସ୍ତ୍ରୀ, ପତ୍ନୀ, ତାର ସ୍ୱାମୀ ତମ୍ପୁରାନମାନଙ୍କୁ ନିଜର ଶତ୍ରୁ କରିବାକୁ ଯାଉଛି । ସେମାନେ ସମସ୍ତେ କୋରନ ଉପରେ ଅସନ୍ତୁଷ୍ଟ ଥିଲେ । କୋରନ ଏକାକୀ କେତେବେଳେ ଯାଉଥିବାବେଳେ ଯଦି ତାକୁ ମାରି ତା' ଶବକୁ ନଈକୁ ଫିଙ୍ଗି ଦିଅନ୍ତି ସେ କଣ କରିବ ? କେହି କିଛି ପଚାରିବେ ନାହିଁ ?

 

ସେ କୋରନକୁ ଏକାକୀ ବାହାରକୁ ଯିବାକୁ ଦିଏନାହିଁ । କୋରନ ସନ୍ଧ୍ୟାରେ ଫେରିବାର ବିଳମ୍ବ ହେଲେ ସେ ବ୍ୟସ୍ତ ହୋଇପଡ଼େ । ଥରେ ଦି'ଥର ସେ ଏଥିପାଇଁ କୋରନକୁ କହିଥିଲା ।

 

କୋଡ଼ିଏ

 

ଦିନେ ଚିରୁତା ପୁଷ୍ପବେଲୀକୁ ଯାଇଥିଲା । ସେଦିନ ତମ୍ପୁରାନ ତାକୁ ଓ କୋରନକୁ ଖୁବ୍ ଗାଳିଦେଲା । ସେ କହିଲା କୋରନକୁ ସେ ଭଲ ଶିକ୍ଷା ଦେବ । ସେ କେବଳ ନୁହେଁ, ସେଥିପାଇଁ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି ।

 

ସେ କହିଲା–‘‘ଦରିଦ୍ର ପରୟ ଏବଂ ପୁଲୟଙ୍କୁ ଭୁଲ ବାଟ ଦେଖାଇ...ସେ... । ତାକୁ ହୁସିଆର ହୋଇ ରହିବାକୁ କହିଦେବୁ ।

 

ସେଦିନ ସନ୍ଧ୍ୟାରେ ଯେତେବେଳେ କୋରନ ଆସିଲା ଚିରୁତା ସବୁକଥା ତାକୁ କହିଦେଲା । କୋରନ ସବୁକଥା ନିର୍ଭୟରେ ଶୁଣିଗଲା ଓ ଟିକେ ମୁରୁକି ହସି ପଚାରିଲା-‘‘ତୁ ଡରିଯାଇଛୁ ବୋଧହୁଏ ?’’

 

ବିଚାରି ଚିରୁତା କହିଲା–‘‘ମୋତେ ସବୁବେଳେ ଡର ଲାଗୁଛି ।’’

 

ଏକଥା ଭିତରେ ଯେଉଁ ବ୍ୟାକୁଳତା ପୂରି ରହିଛି ତା' କୋରନ ଧରିପାରିଲା ନାହିଁ । ସେ ଚିରୁତାକୁ ଗୋଟିଏ ମହତ୍ୱପୂର୍ଣ୍ଣ କଥା କହିବାର ଥିଲା । ସେ ଚିରୁତାକୁ ଏକ ଧ୍ୟାନରେ ଚାହିଁଲା । ସେ ଅନୁମାନ କଲା, ସେ ଯାହା କହିବାକୁ ଯାଉଛି ତାକୁ ଚିରୁତା ମାନିବ ନାହିଁ । ସେ କହିଲା–‘‘ଚିରୁତା ମୋତେ ଲୋକେ ମାରିଦେଲେ ଚିନ୍ତା ନାହିଁ । ମରିବା ପର୍ଯ୍ୟନ୍ତ ମୁଁ କାର୍ଯ୍ୟ କରିବି ଆଉ ଯେପରି ପରୟ ଏବଂ ପୁଲୟଙ୍କୁ ପୂର୍ବପରି ଅତ୍ୟାଚାର ନସହିବାକୁ ପଡ଼ିବ ।’’

 

କୋରନର ଦୃଢ଼ତା ଚିରୁତା ବୁଝିପାରିଲା । ସେ ମଧ୍ୟ ତା' ମନେ ମନେ ଠିକ୍ କରିନେଲା ଯେ କୋରନର ଦୃଢ଼ତାର ଫଳ ସ୍ୱରୂପ ତା’ର ଯା କାର୍ଯ୍ୟକ୍ରମ ହେବ ସେଥିରେ ସେ ଭାଗିଦାର ହେବ ।

 

କୋରନର ଅନେକ କଥା କହିବାର ଥିଲା । ସେ କହିଲା, ‘‘ମୋର ଗୋଟିଏ ମୁର୍ଖତା କାମ ହୋଇଛି । ତା' ମୋ ରାସ୍ତାରେ ବାଧା ସୃଷ୍ଟି କରିଛି ।’’

 

‘‘ତାହା କଣ ?’’

 

‘‘ତାହା...ଏଇ....ଚିରୁତା ଉପରେ ଦୃଷ୍ଟି ପକାଇ ସେ ପଚାରିଲା, ତୁ କାନ୍ଦିବୁ ?’’

 

‘‘ମୁଁ କାନ୍ଦିବି ନାହିଁ । ଏପରି ମୁଁ କେବେ କ’ଣ କାନ୍ଦିଛି ?’’

 

‘‘ଯେତେବେଳେ ମୁଁ ବିବାହ କରିଥିଲି, ତୁ କଣ କେବେ ଭାବିଥିଲୁ କି ମୁଁ ଏପରି ହୋଇଯିବି ବୋଲି ?’’

 

‘‘ତୁମେ କଣ ହୋଇ ଯାଇଛ ?’’

 

‘‘ଶୁଣିବାକୁ ମିଳେ ଏ ସଂଘରେ ଯୋଗ ଦେଇ ସଂଘ ନିମନ୍ତେ କାମ କରିବା ଦ୍ୱାରା କେତେ ପ୍ରକାର ଆଶଙ୍କା ଅଛି । ସମ୍ଭବ ହେଲେ ଜୀବନ ଦେବାକୁ ହେବ । ଏପରି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ମା' ବାପ ଓ ବନ୍ଧୁ-ବାନ୍ଧବମାନଙ୍କ ସଙ୍ଗରେ ବିରୋଧୀ ହୋଇ ଗୋଟିଏ ଝିଅକୁ ବିବାହ କଲି । ଏ ଏକ ଭୁଲ । ଏବେ ତାହା ଗୋଡ଼ରେ ଶିକୁଳି ପରି ଲାଗିଛି ।’’

 

ଚିରୁତା ସଙ୍ଗେ ସଙ୍ଗେ କହିଲା, ‘‘ମୁଁ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରିବି ନାହିଁ । ତୁମେ ଯେଉଁଠାକୁ ଗଲେ ହେଁ ମୁଁ ତୁମର ଗଳଗ୍ରହ-ହେବି-ନାହିଁ ।’’

 

‘‘ତା ସତ୍ୟକଥା । କିନ୍ତୁ ମୋତେ କଷ୍ଟ ହେଉଛି, ଯେକୌଣସି ଝିଅକୁ ଆଣି ତାକୁ ଏପରି କଷ୍ଟ ଦେବା କଣ ଉଚିତ ? ବିବାହ ଦିନ ଯେତେବେଳେ କଳି ତକରାଳ ଆରମ୍ଭ ହେଲା, ସେହିଦିନ ବିବାହ ବନ୍ଦ କରି ମୋର ଆସିବା ଉଚିତ ଥିଲା, ତେବେ ତୋତେ ଆଉ କେହି ବିବାହ କରି ନେଇଥାନ୍ତା । ପ୍ରତିଦିନ କାମ କରି ମଜୁରି ଆଣି ତୋତେ ଦିଅନ୍ତା ।’’

 

ଚିରୁତା ବିଚଳିତ ହୋଇପଡ଼ିଲା । କୋରନ କଥାରେ କେତେ ବ୍ୟାପକ ଅର୍ଥ ରହୁଛି ତା' ସେ ବୁଝିପାରିଲା ନାହିଁ । ପୁଣି ସେ ଡରିଗଲା । ସ୍ୱାମୀ କହେ, ତା' ସଙ୍ଗରେ ବିବାହ ନହେବା ଦରକାର ଥିଲା । ତା' ସେ କିପରି ସହି ପାରନ୍ତା ! ସେ କହିଲା-‘‘ଏ କଣ କହୁଛ ? ପ୍ରତିଦିନ ତ କାମ କରି ମଜୁରି ଦେଉଛ । ମୁଁ କଣ କହୁଛି ଏହା ଯଥେଷ୍ଟ ନୁହେଁ ବୋଲି ?’’

 

‘‘ତା' ନୁହେଁ ଚିରୁତା । ଆଜିକାଲି ପ୍ରତିଦିନ କାମ କରି ଆଣିଦେବା ଅସମ୍ଭବ ହୋଇଗଲାଣି ।’’

 

‘‘ଯଦି ଏପରି ହେବ ଉପବାସ ହିଁ ସାର ହେବ ।’’

 

‘‘ନାଲୋ, ତୁ ଅଭାଗିନୀ । ଏଥିପାଇଁ ତୁ ମୋର ସଙ୍ଗିନୀ ହେଲୁ । ଯଦି ତୋ' ବିବାହ ମୋ ସହିତ ହୋଇ ନଥାନ୍ତା ତୁ ସୁଖି ହୋଇଥାନ୍ତୁ ଏବଂ ମୁଁ ମଧ୍ୟ ନିଜ ବାଟରେ ନିର୍ବିଘ୍ନରେ ଅଗ୍ରସର ହୋଇ ପରିଥାନ୍ତି ।’’

 

ଚିରୁତା କୋରନ କଥା ବୁଝିପାରିଲା । ସେ କହିଲା,’’ମୁଁ ମୋରି ବୟସର ଯେକୌଣସି ପରୟୀ ଠାରୁ ନିଜକୁ ଭାଗ୍ୟବତୀ ମନେକରୁଛି । ମୋର କିଛି ଅଭାବ ନାହିଁ । ସ୍ୱାମୀ ମୋତେ ସ୍ନେହ ଆଦର କରେ । ମୁଁ ମଧ୍ୟ ନିରୋଗିଣୀ ।

 

କିଛି ସମୟ ପରେ କୋରନ କହିଲା–‘‘ତୁ ବଡ଼ ସରଳା ଚିରୁତା । ତୁ ଭାବିଛୁ ତୋର ସ୍ୱାମୀ ସବୁବେଳେ ପୁଞ୍ଚା ଖେତରେ କାମ କରି ତୋ ହାନି ଲାଭ ବୁଝିଥିବ । କିନ୍ତୁ ସେ ତ ଜେଲ ଯିବା କଥା ଭାବୁଛି ।’’

 

ଚିରୁତା ସଙ୍ଗେ ସଙ୍ଗେ ଉତ୍ତର ଦେଲା–‘‘ମୁଁ ମଧ୍ୟ ତା' କରିବି ।’’

 

କୋରନର ବିଶ୍ୱାସ ହେଲାନାହିଁ । ଚିରୁତା ବଳିପଡ଼ି ଆଗରୁ କହିଲା–‘‘ସଭା ସମିତି କିରବା କଣ ତୁମ ପୁରୁଷଙ୍କର କାମ ? ଆମେ ସ୍ତ୍ରୀ ଲୋକ ମଧ୍ୟ ସଭା ସମିତି କରିବୁ, ଆମ ପାଇଁ ମଧ୍ୟ କାମ ଅଛି ।’’

 

କୋରନ ହସିଦେଲା, କିନ୍ତୁ ଚିରୁତା ଗମ୍ଭୀର ଭାବରେ କହି ଚାଲିଥାଏ, ‘‘ସ୍ୱାସ୍ଥ୍ୟବତୀ ଯୁବତୀ ଝିଅମାନଙ୍କ ରକ୍ଷା ଆବଶ୍ୟକ । ସେଥିପାଇଁ ମଧ୍ୟ ମୁଁ ଜେଲ ଯିବି ।’’

 

‘‘ଆଲୋ, ଏପରି ପାଗଳାମି କଥା କରନା, ତୋ' ପକ୍ଷରେ ଭଲ ହେବ ଅନ୍ୟ କାହା ସାଙ୍ଗରେ ଯିବା ।’’

 

ଚିରୁତା ଦୁଃଖ ଓ କ୍ଷୋଭରେ ବ୍ୟାକୁଳ ହୋଇ ଉଠିଲା । ସ୍ୱାମୀ କହୁଛି ଅନ୍ୟ କାହା ସଙ୍ଗରେ ଯା । ସେ କାନ୍ଦି ପକାଇଲା । କୋରନ ଭାବିଲା ହଠାତ୍ ଏପରି କଥା କହିବା ତା’ର ଉଚିତ ହୋଇନାହିଁ । ସେ ଚିରୁତାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲା ।

 

ଚିରୁତା କଇଁ କଇଁ ହୋଇ କାନ୍ଦି ପଚାରିଲା, ‘‘ତୁମେ କେଉଁଠି କେଉଁ ଝିଅ ପ୍ରତି ଦୃଷ୍ଟି ରଖିଛି କି ?’’

 

‘‘ଛି ଛି, କିପରି ପାଗଳୀ ପରି କଥା କହୁଛୁ ?’’

 

‘‘ତେବେ ତୁମେ କାହିଁକି କହିଲ ଯେ ମୋତେ ବିବାହ କରିବା ଉଚିତ ନଥିଲା ବୋଲି । ମୁଁ କାହା ସଙ୍ଗରେ ଯିବି ? ବୋଧହୁଏ ତୁମେ ମୋତେ ଛାଡ଼ିଦେବାକୁ ଇଚ୍ଛା କରୁଛ ।’’

 

କୋରନ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ଯେ ତାକୁ ଏପରି ଭାବରେ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି । ତାର ମୁଣ୍ଡ ଘୂରିଗଲା । ସେ ଶପଥ କରି, ପବିତ୍ର ଜିନିଷର ନାମ ନେଇ ନିଜ ସତ୍ୟବାଦୀତାର ପ୍ରମାଣ ଦେଲା ।

 

ଚିରୁତା ପଚାରିଲା, ‘‘ତେବେ ତୁମେ ବର୍ତ୍ତମାନ କେଉଁ କଥା କହିଥିଲ, ତା' କଣ ଦେଖେଇ ହେବାକୁ କହିଥିଲ ?’’

 

ଏ ଏକ ନୂତନ ସମସ୍ୟା । 'ହଁ' ବା 'ନାହିଁ' ଏକ କଥାରେ ଉତ୍ତରଦେବା ତା’ର ସମ୍ଭବ ନଥିଲା । ସେ ଯାହା କହିଥିଲା ଦେଖେଇ ହେବାକୁ କହି ନଥିଲା, ଏଥିପାଇଁ 'ହଁ' କହି ପାରି ନଥାନ୍ତା-। ଆଉ ଯଦି 'ନାହିଁ’ କହି ଦିଏ ତେବେ ଚିରୁତା ମନ ଭାଙ୍ଗି ପଡ଼ନ୍ତା ।

 

ସେ କଥାବାର୍ତ୍ତା ଢଙ୍ଗ ବଦଳାଇ ଦେଲା, ‘‘ମୁଁ ତୋତେ ରକ୍ଷାକରି ପାରିବି ନାହିଁ, ଏହା ଭାବି ମୁଁ କହିଥିଲି । ଚିରୁତା ମୋର ! ତୁ କେଡ଼େ ବ୍ୟାକୁଳ ହୋଇ ପଡ଼ିଛୁ !!’’

 

ସେଦିନ ରାତି ତମାମ ଆଶ୍ଵାସିତା ଚିରୁତାକୁ ନିଜ ସଂଘର କାର୍ଯ୍ୟକ୍ରମ କଥା ବିସ୍ତାରିତ ଭାବରେ ବୁଝାଇଲା । ‘‘ବର୍ତ୍ତମାନ ଆସୁଥିବା ସମୟ ବଡ଼ ଭୟାନକ ଜଣାପଡ଼ୂଛି । ସଂଗ୍ରାମର ସମ୍ମୁଖୀନ ହେବାକୁ ପଡ଼ିବ । କେବଳ କୁଟ୍ଟନାଟର କୃଷକମାନେ ନୁହନ୍ତି, ବରଞ୍ଚ ଶାସକମାନେ ମଧ୍ୟ ସଂଘ ଏବଂ ତା’ର ପ୍ରବର୍ତ୍ତକଙ୍କ ବିରୁଦ୍ଧରେ ପାଦ ଉଠାଇବେ ।’’

 

‘‘ଆମମାନଙ୍କ ନିକଟକୁ ଭୋଟ ମାଗିବାକୁ ସେମାନେ ଆସିବାବେଳେ କହିଥିଲେ କି ଆମେ ଚଳିବା ଯୋଗ୍ୟ ମଜୁରି ଦେବାର ବ୍ୟବସ୍ଥା କରିବୁ ।’’ ଏହା ସବୁ ନିଷ୍ପଳ ବୋଲି ପ୍ରମାଣିତ ହେଲା । ମନ୍ତ୍ରୀମାନେ ଏହି ପୁଞ୍ଜିପତିମାନଙ୍କର ନିଜର ଲୋକ । ଆମର ଯାହା ପ୍ରାପ୍ୟ ତା' ଆମକୁ ସଂଘର୍ଷ କରି ନେବାକୁପଡ଼ିବ । ଏହା କରିବାକୁ ହେଲେ ଆମକୁ ଜେଲ ଯିବା ଏପରିକି ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।'

 

କିପରି ଅନ୍ଧକାରମୟ ଭବିଷ୍ୟତ ! ଚିରୁତାର ମନର ଶାନ୍ତି ସବୁଦିନ ପାଇଁ ନଷ୍ଟ ହୋଇଗଲା ।

 

ଏକୋଇଶି

 

କୁଟ୍ଟନାଟର ଖେତ-ମଜୁରିଆମାନଙ୍କର ପ୍ରଥମ ସୀମାବଦ୍ଧ ଦାବି ସଂଘଦ୍ଵାରା ପେସ୍ କରାଗଲା । ଏ ଦାବି କେବଳ କୃଷକମାନଙ୍କ ସମ୍ମୁଖରେ ନୁହେଁ, ସରକାର ସମ୍ମୁଖରେ ମଧ୍ୟ ରଖାଗଲା । ଏଥିରେ ଯେଉଁ ପ୍ରତିନିଧି ଥିଲେ ସେମାନେ ନିର୍ବାଚନ ସମୟରେ ଏ ଖେତ-ମଜୁରିଆମାନଙ୍କ ଦୁଃଖ ଦୁର କରିବା କଥା ଘୋଷଣା କରିଥିଲେ । ସଂଘର ଏ ଦାବି ମଜୁରିଆମାନଙ୍କ ଅଧିକାର ପ୍ରକାଶ କରିବାପରି ନ ଥିଲା, ବରଞ୍ଚ ଭବିଷ୍ୟତରେ କ'ଣ କରିବାର କଥା ତା' ପାଇଁ ସାବଧାନ ହେବାକୁ ସୂଚନା ଥିଲା ।

 

ଜଣାଯାଉଥିଲା ପରୟ ଏବଂ ପୁଲୟମାନେ ସଂଗଠିତ ହୋଇ ଦୃଢ଼ ହୋଇଗଲେ ବୋଲି-। ସେମାନଙ୍କ ଆବାଜରେ ମଧ୍ୟ ଶକ୍ତି ପ୍ରକାଶ ପାଉଥିଲା । ସେମାନେ ଦାବି କଲେ ଯେ ମଜୁରି ପାଇଁ ତାଙ୍କୁ ଯେଉଁ ଧାନ ଦିଆଯିବ, ସେ ତାଙ୍କ ସମ୍ମୁଖରେ ମପାଯିବା ଉଚିତ ଏବଂ ତା' ମଧ୍ୟ ପୂରା ଭରକରା .... । ସେମାନଙ୍କ ଆଚାର ବ୍ୟବହାରରେ ମଧ୍ୟ ପ୍ରଭେଦ ଦେଖାଯିବାର ଜଣାଗଲା-

 

୧. ଅର୍ଥାତ୍ ମାପିବା ପାତ୍ର ପୂରାଭରି ଦେବା ପରେ ତା' ଉପରେ ଯେଉଁ ଅଧିକ ରହେ ତା' ସହିତ ।

 

ଯେଉଁ ପରୟ ଓ ପୁଲୟମାନେ ଅଧିକ ମଜୁରି ଦାବି କରୁଥିଲେ, ସେମାନେ ହିସାବ ଅନୁସାରେ ମାଗୁଥିଲେ । ତା' ପଛରେ ଏକ ସିଦ୍ଧାନ୍ତ ଥିଲା । ଏ ସିଦ୍ଧାନ୍ତର ଉତ୍ତର କୃଷକମାନଙ୍କ ନିକଟରେ ମଧ୍ୟ ନ ଥିଲା । ସେମାନେ ତର୍କ କରି ଜାଣିଥିଲେ ଓ କହିବାକୁ ମଧ୍ୟ ଶକ୍ତି ଥିଲା ।

 

କାଲି ପର୍ଯ୍ୟନ୍ତ ଯେଉଁମାନେ ମୂକ ପଶୁପରି ତୁମର ଗାଳିମନ୍ଦ ସବୁ ସହୁଥିଲେ ଏବଂ ଯିଏ ଯା ଦେଉଥିଲା ଚୁପ୍‍ କରି ଚାଲିଯିବା ଲୋକ ପରୟ ଏବଂ ପୁଲୟ ଏପରି କିମିତି ବଦଳିଗଲେ-? କିଏ ଏମାନଙ୍କୁ ଶିଖେଇଲା ? ଏ କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା ।

 

ଏ ସବୁ କଥା ସେମାନଙ୍କ ପକ୍ଷରେ ସହଜ ହୋଇଗଲା । ହାତୀକୁ ନିଜର ବଳ ଜଣାପଡ଼ିଗଲା । ସେମାନେ ନିଜର ମହତ୍ତ୍ୱ ବୁଝିପାରିଲେ ଏବଂ ତା' ପ୍ରଚାର କରିବାକୁ ଲାଗିଲେ । ତାଙ୍କୁ କହିବାପାଇଁ ଗୋଟିଏ ବିଷୟ ଏବଂ ଯୁକ୍ତି ମଧ୍ୟ ମିଳିଗଲା । ଯୁଗର ଅନୁଭବ ଏମାନଙ୍କୁ ସ୍ପର୍ଶ କରିଛି । ସେମାଙ୍କ ପାଇଁ ଗୋଟିଏ ତତ୍ତ୍ୱ-ଶାସ୍ତ୍ର ଛାଏଁ ଛାଏଁ ପ୍ରସ୍ତୁତ ହୋଇଯିବ ନାହିଁ ।

 

ଆମଦାନୀ ଏକଭାଗ ଏମାନଙ୍କୁ ମିଳିବା ଉଚିତ । ଏ ଭାଗ କ'ଣ ହୋଇପାରେ; ଏହାର ହିସାବ ମଧ୍ୟ ଥିଲା । ତମ୍ପୁରାନମାନଙ୍କର ଯେଉଁ ଲାଭ ତା’ ପ୍ରକୃତରେ ମଜୁରିଆମାନଙ୍କର ମଜୁରି ଏବଂ ଜମିଦାରମାନଙ୍କର ଲଗାଣ ଜିନିଷ । ତା' ଉପରେ ମଧ୍ୟ ସେମାନଙ୍କର ସିଦ୍ଧାନ୍ତ ଅଛି ।

 

ଜମି ମାଲିକମାନଙ୍କ ପକ୍ଷରୁ କ୍ଷେତର ମଜୁରିଆମାନଙ୍କ ଉପରେ ଦୋଷ ଆରୋପ କରାଗଲା ଯେ ସେମାନଙ୍କ ଦାବି ଧୃଷ୍ଟତାପୂର୍ଣ୍ଣ, ଅବ୍ୟାବହାରିକ ଓ ଅନ୍ୟାୟ; କିନ୍ତୁ ସେମାନେ ଭୟଭୀତ ହୋଇଗଲେ । ପରୟ ଓ ପୁଲୟମାନଙ୍କ କଥାରେ ଆଦୌ ସଭ୍ୟତା ନାହିଁ । ଏପରି ସନ୍ଦେହରେ ମଧ୍ୟ ପଡ଼ିଗଲେ ।

 

ମଜୁରିଆମାନଙ୍କର ବୃଦ୍ଧି ପାଉଥିବା ସମସ୍ୟାର ଝଁଝଟ ଶେଷ କରି ଦେବା ସେମାନଙ୍କର ଆବଶ୍ୟକ ବୋଲି ମନେକଲେ । ସେମାନେ ଆହୁରି ମଧ୍ୟ ଭାବିଲେ ଯେ ଚାଷ କାମରୁ ପରୟ ଏବଂ ପୁଲୟମାନଙ୍କୁ କାହିଁକି ବହିଷ୍କାର କରି ନ ଦିଆଯିବ ? ଦରିଦ୍ର ନାୟର ଇସାଇ ଏବଂ ଇଷୱା ଆଦି ଲୋକମାନଙ୍କୁ କାମରେ ଲଗାଇ ସେମାନଙ୍କୁ ଶିକ୍ଷା ଦିଆଗଲେ କିପରି ହେବ ? ଜଣେ ଦୁଇଜଣ ଏ କାମ କରି ଦେଖିଲେ, କିନ୍ତୁ କିଛି ଫଳ ହେଲା ନାହିଁ । ଏଠାରେ ମଧ୍ୟ ସଂଘ ହସ୍ତକ୍ଷେପ କଲା । ଧମକ ଦିଆଗଲା କି ଏପରି କଲେ.... ।

 

ଯେତେବେଳେ ପରୟ ଏବଂ ପୃଲୟମାନେ ମଜୁରି ବୃଦ୍ଧି ପାଇଁ ଦାବି ପେସ୍ କଲେ, ସେତେବେଳେ ଦରିଦ୍ର ନାୟର ଓ ଇସାଇ ମଜୁରିଆମାନେ ବୁଝିଲେ ଯେ ସେମାନେ ମଧ୍ୟ ମଜୁରି ବୃଦ୍ଧି ପାଇଁ କାହିଁକି ଦାବି ନ କରିବେ ? ସେମାନେ ମଧ୍ୟ ତାଙ୍କର ଦାବି କରିବାକୁ ଲାଗିଲେ ।

 

ପୂର୍ବରୁ ଚଳିଆସିଥିବା ସାମାଜିକ ବ୍ୟବସ୍ଥାର ମୁଳୋତ୍ପାଟନର ଆଶଙ୍କା ହେଲା । ବର୍ତ୍ତମାନ ପର୍ଯ୍ୟନ୍ତ 'ପବିତ୍ର’ ମନେକରୁଥିବା କେତେକ ବିଷୟ ଉପରେ ପ୍ରଶ୍ନ ଉଠିଲା । ମଜୁରିଆମାନଙ୍କ ଉଚିତ ପ୍ରାପ୍ୟ ନ ଦେବା ଏବଂ ସ୍ଵ ସମ୍ପତ୍ତିର ଅଧିକାର (Private Property Right) ହିଁ ପାପ ବୋଲି ମନେ କରାଗଲା ।

 

ପରାୟ, ପୁଲୟ ଏବଂ ନାୟର ସମସ୍ତେ ଏକ ହେବାକୁ ଲାଗିଲେ । ଈଶ୍ୱର ବିଶ୍ୱାସ ମଧ୍ୟ ତୁଟିଯିବାକୁ ଲାଗିଲା । ଧୀରେ ଧୀରେ ମଜୁରିଆମାନଙ୍କ ସଂଘ ଓ ଶୋଭାଯାତ୍ରା ସମଗ୍ର ପ୍ରଦେଶରେ କାର୍ଯ୍ୟ କରିବାକୁ ଲାଗିଲେ । ସବୁ ସ୍ଥାନରେ ପୁଞ୍ଜିପତିମାନଙ୍କ ହୃଦୟକୁ ଥରାଇଦେବା ଧ୍ୱନି ନିନାଦ ଶୁଣାଗଲା । ଆଗ୍ନେୟଗିରିରୁ ଅଗ୍ନି ଉଦ୍‍ଗିରଣ ଅବଶ୍ୟମ୍ଭାବୀ ବୋଲି ଜଣାପଡ଼ିଲା ।

 

କେତେକ ସ୍ଥାନରେ କାମ ବନ୍ଦ କରାଗଲା । କେତକ ସ୍ତନକରେ ଦାବି-କୃତ ମଜୁରି ନ ମିଳିବାରୁ ମଜୁରିଆମାନେ କାମ କରିବାକୁ ଗଲେନାହିଁ । ସେମାନେ ତମ୍ପୁରାନମାନଙ୍କ ଗୃହ ସମ୍ମୁଖରେ ଦଣ୍ଡାୟମାନ ହୋଇ ସ୍ଲୋଗାନ ଦେବାକୁ ଲାଗିଲେ ।

 

ଏମାନଙ୍କୁ ଏଥିରୁ ନିବର୍ତ୍ତାଇବା ଅନିବାର୍ଯ୍ୟ ମନେ ହେଲା । ସରକାର ଧମକରୂପରେ ସୂଚନା ଦେଲେ କି ମଜୁରିଆମାନେ ଶ୍ରମଜୀବୀମାନଙ୍କୁ ସଂଗଠିତ ହେବାର ଏବଂ ଶୃଙ୍ଖଳିତ ଭାବରେ ନିଜର କଷ୍ଟ ଦୂର କରିବାକୁ ଚେଷ୍ଟା କରିବାର ଅଧିକାର ଅବଶ୍ୟ ସେମାନଙ୍କର ଅଛି । କିନ୍ତୁ କୁଟ୍ଟନାଟର ଶ୍ରମଜୀବୀ ଆଜି ସୀମା ଲଙ୍ଘନ କରି, ଦେଶର ଶାନ୍ତିଭଙ୍ଗ କରିବେ ଏବଂ ଖାଦ୍ୟଶସ୍ୟ ହାନିର ବିଷମ ପରିସ୍ଥିତି ବେଳେ ଧ୍ୱଂସାତ୍ମକ କାର୍ଯ୍ୟରେ ଲିପ୍ତ ରହି ଦେଶକୁ ବିପଦରେ ପକାଇ ଦେବେ, ଏଥିରେ ସରକାର କଦାପି ଆଖି ବୁଜିଦେଇ ବସି ନ ପାରନ୍ତି ।

 

କୋରାନ ଫେରାର ହୋଇଗଲା । ଘରେ ଚିରୁତା ତାକୁ ଅପେକ୍ଷା କରି ଅଧୀର ହେବାକୁ ଲାଗିଲା । କେତେଥର କୋରନକୁ ଖୋଜିବାକୁ ପୋଲିସ ସେଠାରେ ପହଞ୍ଚିଲା । ସେ ପ୍ରଦେଶର ନେତାମାନଙ୍କର ସିଦ୍ଧାନ୍ତ ଯେ ତାକୁ ଗିରଫ କରି ଜବତ୍ କରି ଦିଆଗଲେ ସବୁ କଳିଗୋଳ ମେଣ୍ଟି ଯିବ । ସେମାନଙ୍କ ମତରେ କୋରାନ ହିଁ ସବୁ କଳିଗୋଳର ମୂଳ ଥିଲା ।

 

କେବେ କେବେ ରାତିରେ କୋରନ ଘରକୁ ଆସେ । ଆସି ଫେରିଯିବା ପରେ ପୁଣି ତାର ଫେରିବା ପର୍ଯ୍ୟନ୍ତ ଚିରୁତାକୁ ଶାନ୍ତି ମିଳେ ନାହିଁ । ଯଦି ତାକୁ ଫିରଫ କରିନିଆଯାଏ, ତେବେ କ’ଣ ହେବ ? ତା’ର କଳ୍ପନା ମଧ୍ୟ ସେ କରିପାରୁ ନ ଥିଲା ।

 

ସେତିକି ନୁହେଁ । ଘର ଖାଲି କରିଦେବାକୁ ମଧ୍ୟ ଜୋର ଦେବାକୁ ଲାଗିଲା । ଯଦି ସେ ଘର ଖାଲି କରି ଦେବ ନାହିଁ, ତେବେ ତାକୁ ଜବରଦସ୍ତି ଘରୁ ନିକାଲି ଦିଆଯିବ । ଏପରି ଧମକ ମଧ୍ୟ ଦିଆଗଲା । ଯଦି ସତରେ ତାକୁ ବାହାର କରି ଦିଆଯାଏ ତେବେ ସେ କୁଆଡ଼େ ଯିବ ? ମା’ ପାଖକୁ ଫେରି ଯିବ ? ତେବେ ସେ କୁଆଡ଼େ ଯିବ ? ମା’ ପାଖକୁ ଫେରିଯିବ ? ତେବେ ଅନ୍ୟ କାହା ସାଙ୍ଗରେ ବିବାହ କରିବାକୁ ପଡ଼ିବ । ବାପ ଅନ୍ୟ କାହା ସହିତ ବିବାହ ନ କରି ଛାଡ଼ିବ ନାହିଁ-। ...ନା ନା, ଏ ଜନ୍ମରେ ତା’ ହୋଇପାରିବ ନାହିଁ ।

 

ଦିନେ ରାତିରେ କୋରନ ନଈ ପହଁରି ଘରକୁ ଆସିଲା । ଚିରୁତାକୁ ସଙ୍କେତ ଦେଲା । ସେ ଚେଇଁଥିଲା ।

 

ଚିରୁତା ପଚାରିଲା ‘କିଏ ?’

 

‘‘ମୁଁ ।”

 

କିଛି ସମୟ ପର୍ଯ୍ୟନ୍ତ ଚିରୁତା ଜାଣିପାରିଲା ନାହିଁ ଯେ କୋରାନ ଖଡ଼୍ ଖଡ଼୍ କରୁଛି ବୋଲି ।

 

‘‘ଆରେ, ମୁଁ ପରା ।’’

 

ଚିରୁତା ଜାଣି ପାରିବାରୁ ଦରଜା ଖୋଲିଦେଲା । କୋରନ ପୂରା ଏକ–ସପ୍ତାହ ପରେ ଫେରିଥାଏ । ସେ ଦେଖିଲା ଏକ ସପ୍ତାହରେ ଚିରୁତା ଖୁବ୍ ଶୁଖିଯାଇଛି । ସେ ପଚାରିଲା–“ତୁ କିଛି ଖିଆପିଆ କରୁ ନାହୁଁ କି ?’’

 

‘‘ଖାଉଚି ତ ।’’

 

‘‘ପୁଣି ଏମିତି କାହିଁକି ଦିଶୁଛୁ ? ତୋ ଦେହକୁ ସ୍ପର୍ଶ କଲେ ହାଡ଼ୁଆ ହାଡ଼ୁଆ ଜଣାପଡ଼ୁଛି-।’’

 

ଚିରୁତା ଟିକେ ମୁରୁକି ହସିଲା । ତାରାମାନଙ୍କର ମିଞ୍ଜି ମିଞ୍ଜି ଆଲୁଅରେ ମଧ୍ୟ କୋରନ ଚିରୁତା ହସର ଆଭାସ ପାଇଲା । ଏ ହସରେ ଏକ ନୂତନ ଆନନ୍ଦ ଲୁଚି ରହିଗଲା । କିନ୍ତୁ କୋରନ ତା ବୁଝିପାରିଲା ନାହିଁ ।

 

‘‘ତୁ କାହିଁକି ହସୁଚୁ ?’’

 

‘‘ବାଃ, ମୁଁ କ’ଣ ହସିପାରିବି ନାହିଁ ?’’

 

‘‘ମୁଁ ଯେତେବେଳେ କହିଲି ତୁ ଦୁର୍ବଳ ହୋଇ ଯାଇଛୁ, ସେତେବେଳୁ ହିଁ ତୁ ହସୁଛୁ ।’’

 

‘‘ଲଜ୍ଜା ନମ୍ରଭାବରେ ଚିରୁତା କହିଲା–“ମୋତେ ଆଜିକାଲି କହିବା ପିଇବାକୁ ଭଲ ଲାଗୁନାହିଁ ।’’

 

‘‘କ’ଣ ବେମାର ହୋଇଛୁ ?’’

 

ଚରିତ ପୁଣି ହସିଲା ।

 

‘‘ଏହା ଏକପ୍ରକାର ବେମାରୀ । ଦଶ ମାସ ହେଲେ ଜଣା ପଡ଼ିଯିବ ।’’

 

କୋରନର ଆନନ୍ଦର ସୀମା ରହିଲା ନାହିଁ । ସେ ଆନନ୍ଦରେ ଥରକୁ ଥର ଚିରୁତାକୁ ଚୁମା ଦେଲା ଏବଂ ତା’ ପେଟରେ ହାତ ବୁଲିବାକୁ ଲାଗିଲା ।

 

ଚିରୁତା କହିଲା–“ବର୍ତ୍ତମାନ ପେଟ ବଡ଼ ହୋଇନାହିଁ ।’’

 

‘‘ଅଳ୍ପ କିଛି ବଡ଼ ହେବାର ଜଣା ଯାଉଛି ।’’

 

‘‘କିନ୍ତୁ ପିଲା କେଉଁଠି ଜନ୍ମ ହେବ ?’’

 

‘‘କାହିଁକି ?’’

 

ଦୁହିଁଙ୍କ ସମ୍ମୁଖରେ ଏକ ଗଭୀର ସମସ୍ୟା ! ଚିରୁତା କହିଲା ତମ୍ପୁ ରାନ କହିଛି ‘‘ଘର ଛାଡ଼ିଦେ, ନ ହେଲେ ଜବରଦସ୍ତି ଘରୁ ବାହାର କରିଦେବି ।’’

 

‘‘ଯଦି ବାହାର କରିଦେବ, ପୁଣି ଆସି ରହିବୁ ।’’

 

‘‘ଯଦି ମାରି ପକାଇବ ।’’

 

‘‘ମରିଯା !’’

 

‘‘ଏ କିପରି ଦୃଢ଼ତା । କହୁଛନ୍ତି କି ଘରୁ ବାହାର କରିଦେଲେ ପୁଣି ଆସିବୁ, ମାରିଦେଲେ ମରିଯା ! ଅର୍ଥାତ୍ ନିଶ୍ଚିତ କାର୍ଯ୍ୟକ୍ରମର ସ୍ପଷ୍ଟ ପଦ୍ଧତି ବତାଉଛନ୍ତି ! ସେ ପ୍ରଥମେ ପରିଷ୍କାର କହିଲେ ସେ ମାରିପକାଇଲେ ଏହାର ପରିଣାମ ଭଲ ହେବ । ପରୟା ଏବଂ ପୁଲୟା ଜାତିକୁ ଏଥିରୁ ଲାଭ ମିଳିବ ।’’

 

‘‘ଏଥିରେ ତୁମର ଦୁଃଖ ହେବ ନାହିଁ ?’’

 

‘‘ଆରେ, ଏ ତ ଅନ୍ୟ କଥା । ତାକୁ ବାଦ୍ ଦେ । ମୋତେ ବର୍ତ୍ତମାନ ଶୀଘ୍ର ଯିବାକୁ ପଡ଼ିବ । ମନେହେଉଛି ମୋତେ ଧରିବାପାଇଁ ମୋ ପଛେ ପଛେ ଲୋକ ଏଠାରେ ଆସି ପହଞ୍ଚିଯିବେ ।’’

 

ଚିରୁତାର ହାଣ୍ଡି କେଭେଁ ଖାଲି ରହୁ ନଥିଲା । ସେଦିନ ମଧ୍ୟ କଞ୍ଜି ଓ ତରକାରୀ ସେ ରଖିଥିଲା । ଚିରୁତା ତାକୁ ପରଶି ଦେଇ କୋରନ ଆଗରେ ଥୋଇଦେଲା । କୋରନ ଖାଇଲା । ତିନି ଚାରିଦିନ ପାଇଁ ଚିରୁତା ହାତରେ କିଛି ପଇସା ଦେଇ ସେ ଚାଲିଗଲା ।

 

ବାଇଶି

 

କୋରନ ଚାଲିଯିବାପରେ ଚିରୁତାର ମନେପଡ଼ିଲା ସେ କୋରନକୁ କେତେକଥା ପଚାରିବାର ଥିଲା । ଜାଣେନା ପୁଣି ସେ କେବେ ଆସିବ ? ଆସିପାରିବକି ନାହିଁ ? ‘‘ଜବରଦସ୍ତି ଘରୁ ବାହାର କରିଦେଲା ପରେ ପୁଣି ଆସି ରହିବା, ମାଡ଼ ଖାଇ ମଧ୍ୟ ଆଦୌ ଯିବନାହିଁ ।’’ ଏ ନୀତି ବିଷୟରେ ସେ ବାରମ୍ବାର ଭାବିବାକୁ ଲାଗିଲା ।

 

ଚତୁର୍ଥ ଦିନ ରାତିକୁ କୋରନ ଆସିଲା । ସେ ଅଢ଼େଇ ଘଣ୍ଟା କାଳପାଣିରେ ପହଁରି ପହଁରି ଆସିଥିବାରୁ ଥଣ୍ଡା ଲାଗି ତା’ ଦେହ କମ୍ପୁଥିଲା । ଦରଜା ବନ୍ଦ କରି ଚୁଲି ଜଳାଇ ନିଆଁ ପାଖରେ ବସିଲା ।

 

ଚିରୁତା ପଚାରିଲା–“ଏହିପରି କେତେଦିନ ବିତାଇବ ?’’

 

‘‘ଯେତେ ଦିନ ହେଉ ।’’

 

‘‘ଧରା ଯଦି ପଡ଼ିଯାଅ ?’’

 

‘‘ଜେଲରେ ପଡ଼ି ରହିବା ।’’

 

କୋରନ ତା’ର ପ୍ରତିଜ୍ଞା କଥା ପୁଣି କହିଲା । ସେ ନିଜ ଜୀବନ ଦରିଦ୍ର ଶ୍ରମଜୀବୀମାନଙ୍କ ପାଇଁ ଉତ୍ସର୍ଗ କରି ସାରିଛି । ସେ ଖେତରେ କାମ କରି ତା’ର ଜୀବିକା ନିର୍ବାହ କରିବା ? ଏ ଆସ କରିବା ବୃଥା । ଚିରୁତା ମଧ୍ୟ କହିଲା ସେ ସବୁ ଅବସ୍ଥାରେ ତା’ର ସାଙ୍ଗରେ ରହିବ ।

କୋରନ କହିଲା–“ସେଦିନେ ତୋତେ ସତରେ କହିଥିଲି ଯେ ତୁ ମୋ ବାଟରେ ଏକ ପ୍ରତିବନ୍ଧକ । ଗୋଟିଏ ଝିଅକୁ ବିବାହ କରି ତାକୁ ଦୁଃଖରେ ରଖିଛି । ଏ କଥା ମୋତେ ଅଧୀର କରି ଦେଇଛନ୍ତି । ... ଚୁପ୍ ହୋଇ ଘରେ ସୁଖରେ ରହିବା ମୋ ଭାଗ୍ୟରେ ନାହିଁ ।’’

କୋରନ ତା’ ଅନ୍ତରର କଥା ପ୍ରକାଶ କଲା । ତା କଣ୍ଠରୁଦ୍ଧ ହେଲା ନାହିଁ, କି ଆଖିରେ ଲୁହ ଭାରି ଆସିଲା ନାହିଁ । ଚିରୁତା ଜାଣିଥିଲା ସେ ଭିତରେ ଭିତରେ ଏକ ଗଭୀର ବେଦନା ଅନୁଭବ କରୁଛି ।

ସେ କହିଲା–“ମୁଁ କହିଛି କୌଣସିପ୍ରକାର ପ୍ରତିବନ୍ଧକ ହେବି ନାହିଁ । ମୁଁ ତୁମ କାମରେ ଆନନ୍ଦିତ । ତୁମେ ଯେଉଁଆଡ଼େ ଯାଅ, ଯାହା ବି କର, ମୋର ଶୁଭ କାମନା ସବୁବେଳେ ତୁମ ସାଙ୍ଗରେ ରହିଥିବା । ମୁଁ ଉପବାସ ରହିବାକୁ ପ୍ରସ୍ତୁତ । ପିଲାହେଲେ ତାକୁ ମଧ୍ୟ ଲାଳନପାଳନ କରିବ । ଏଥିରେ ଦୁଃଖ କଣ ଅଛି ?’’

କୋରନ କାନ୍ଧରେ ସେ ତା’ ମୁଣ୍ଡକୁ ରଖିଦେଲା ଓ ତା’ର ଓସାରିଆ ଛାତିକୁ ହାତରେ ପରିବେଷ୍ଟନ କାଳ । କୋରନ ଗାଢ଼ ଆଲିଙ୍ଗନରେ ଚିରୁତାକୁ ବାନ୍ଧିଦେଲା ।

‘‘ଚିରୁତା ।’’

‘‘ଉଁ ?’’

‘‘ମୁଁ ଗୋଟିଏ କଥା କହିବି । ତୋତେ ଖରାପ କାଜିବ ନାହିଁ ତ ?’’

‘‘ନାଁ ।’’

‘‘ଶୁଣ, କେତେ ବର୍ଷ ତଳେ ବୟଲର ଗାଁରେ ଯେପରି ଲୋକଙ୍କୁ ଗୁଳି ମାରି ଉଡ଼ାଇ ଦିଆଯାଇଥିଲା, ସେହିପରି ସମ୍ଭବ ବର୍ତ୍ତମାନ ପରୟ ଏବଂ ପୁଲୟଙ୍କୁ ମଧ୍ୟ ଉଡ଼ାଇ ଦିଆଯିବ । ମୋତେ ଧରି ଜେଲରେ ବନ୍ଦ କରି ଦିଆଯାଇପାରେ । ଏଥିପାଇଁ...”

୧. ବୟଲର ଘଟଣା ତିରୁବିତାଙ୍କୁରର ଇତିହାସରେ ଏକ ଏକ ଲୋମ ହର୍ଷଣକାରୀ ଘଟଣା । ସରକାର ପକ୍ଷରୁ ୨୦୦୦ ନିରସ୍ତ୍ର ଲୋକଙ୍କ ଉପରେ ଗୁଳି ଚଳାଯାଇଥିଲା ।

 

[ଏ ଘଟଣା ଚେତାଳ କ୍ଷେତ୍ରରେ ବୟଲାର ଗାଁରେ ୧୯୪୬ ମସିହା ଅକ୍ଟୋବର ମାସରେ ସ୍ଥାନୀୟ ସମ୍ବତ୍ ୧୧୨୨ ତୁଳା ମାସ ଦଶମୀ ତିଥିରେ ଘଟିଥିଲା । ଲୋକମାନେ ଲଗାଇଥିବା ନଡ଼ିଆଗଛରୁ ଯେତେବେଳେ ନଡ଼ିଆ ଆମଦାନୀ ହେବାକୁ ଯାଏ ସେତେବେଳେ ଜମି ମାଲିକ ଜମିଦାର ଏମାନଙ୍କୁ ବାହାର କରିଦେବାକୁ ଲାଗିଲେ । ଶ୍ରମିକମାନେ ସଙ୍ଗଠିତ ହୋଇ ତା’ର ବିରୋଧ କଲେ । ଷ୍ଟେଟ କଂଗ୍ରେସ ସେତେବେଳେ ଦେବାନ୍ ସରକାର ସଙ୍ଗରେ ଲଢ଼ୁଥିଲା । କଂଗ୍ରେସର ବାମପାନ୍ଥୀ ସଭ୍ୟମାନେ ଶ୍ରମଜୀବୀ ମାନଙ୍କୁ ସାହାଯ୍ୟ କଲେ । ପୁଞ୍ଜିପତିମାନେ ଡରିଗଲେ । ସରକାର ମିଲିଟାରୀ ଶାସନ ଆରମ୍ଭ କରି ସେମାନଙ୍କୁ ସାହାଯ୍ୟ କଲେ । ଏ ସଂଘର୍ଷରେ ସରକାରୀ ରିପୋର୍ଟ ଅନୁସାରେ ୮୦୦ ଲୋକ ପ୍ରାଣ ହରାଇଥିଲେ ।]

 

କୋରନ କିଛି କହିପାରିଲା ନାହିଁ । ତାର ସାହସ ହେଲା ନାହିଁ । ସେ ବିଚଳିତ ହୋଇ ପଡ଼ିଲା ।

‘‘ଏଥିପାଇଁ ?’’

‘‘ଯଦି ତୋତେ କାହା ହାତରେ ସମର୍ପି ଦେବି, ତେବେ ନିଶ୍ଚିନ୍ତ ହୋଇ ନିଜ କାମରେ ଲାଗିପାରେ ।’’

‘‘କଣ କହିଲ ?’’

କୋରନ ଶାନ୍ତ ଭାବରେ କହିଲା–“ଏ ସବୁ କଥା ଭାବିଚିନ୍ତି ଯା ଉଚିତ ତା’ କରିବା ଠିକ୍ ହେବ । ସ୍ତ୍ରୀମାନେ କାହା ନିମନ୍ତେ ? ସ୍ତ୍ରୀମାନେ ଘର କରି ରହିବା ଲୋକଙ୍କ ପାଇଁ । ମୋ କଥା....-।’’

ଚିରୁତା ବସିରହିଥିବା କୋରନକୁ ଚାହିଁ ରହିଲା । ଗୋଟିଏ ଯନ୍ତ୍ରପରି ନିର୍ବିକାର ଭାବରେ କୋରନ କହି ଚାଲିଥାଏ–“ସେ ଚାତ୍ତନ, ମୋର ଚାତ୍ତନ ? ସେ ଭଲ ଲୋକ । ତୋତେ ବିବାହ କରିବାକୁ ସେ ତପସ୍ୟାକରି ଆସିଛି । ଏ ପର୍ଯ୍ୟନ୍ତ ସେ ବିବାହ କରିନାହିଁ । ସେ କହେ ଏ ଜନମରେ ବିବାହ କରିବା ନାହିଁ ।’’

 

‘‘ଏଇଥିପାଇଁ ?’’

 

ଏ କଥା ଶୁଣି କୋରନ ଚମକି ପଡ଼ିଲା । ଚିରୁତା ଥରେ କୋରନର ଗୋଡ଼ଆଡ଼ୁ ମୁଣ୍ଡ ପର୍ଯ୍ୟନ୍ତ ତୀବ୍ରଭାବରେ ଚାହିଁଗଲା । କୋରନ ଅନୁଭବ କଲା ସେ ଯେପରି ଗୋଟିଏ ବଡ଼ ଅପରାଧ କରି ପକାଇଛି । ଚିରୁତା ଦୃଢ଼ଭାବରେ କହିଲା–

 

‘‘ମୋର କିଛି ନିଜର ତ ମତ ଅଛି ।’’

 

କିଛି ସମୟ ପର୍ଯ୍ୟନ୍ତ କୋରନ ମୂକ ପାଲଟିଗଲା । ଚିରୁତାକୁ ଅନେକ କଥା କହିବାର ଥିଲା । କିନ୍ତୁ ମୁହଁରୁ ପଦେ ହେଲେ କଥା ବାହାରିଲା ନାହିଁ ।

 

‘‘ତୁ ଭାବିକରି ଦେଖ୍, ଭାବିକରି ଦେଖ୍ !’’

 

ଚିରୁତା ଆଗରେ ଠିଆହେବା ଏବଂ ତା’ସହିତ ଆଖି ମିଳାଇବା ତା ପକ୍ଷରେ କଠିନ ହୋଇପଡ଼ିଲା । ସେ ଏଠାରୁ ଯାଇଁ ପାଣିରେ ପଶିଲା ଓ ଅଦୃଶ୍ୟ ହୋଇଗଲା ।

 

କିଛି ସମୟ ପରେ ଚିରୁତାର ହୋସ ଆସିଲା । ସେ ଅନୁଭବ କଲା ତା’ର ସ୍ୱାମୀ ସବୁଦିନ ପାଇଁ ଅନ୍ତର ହୋଇଗଲା । ଭାବିକରି ଦେଖ୍...ଏ ଶବ୍ଦ ଶସ୍ୟକ୍ଷେତ୍ରରୁ ବହିଆସୁଥିବା ପବନରେ ପ୍ରତିଧ୍ୱନିତ ହେବାକୁ ଲାଗିଲା ।

 

ଓଃ, ସେ ସ୍ୱାମୀର ସ୍ୱାସ୍ଥ୍ୟବାନ୍ ଶରୀର ଆଉ ଦେଖିବାକୁ ପାଇବ ନାହିଁ ? ସେ କଣ ଏକାକିନୀ ହୋଇଗଲା ? ତାର ମନ ଥରେ କାନ୍ଦିବା ପାଇଁ ଅଧୀର ହୋଇ ଉଠିଲା । ...ସମ୍ମୁଖରେ ବିସ୍ତୃତ ଜଳରାଶି ମଧ୍ୟରେ ଦୂରରେ କେଉଁଠି ତାର ସ୍ୱାମୀର ମସ୍ତକ ଦେଖାଯାଉଛି କି ନାହିଁ ସେ ନିରୀକ୍ଷଣ କରି ଦେଖିବାକୁ ଲାଗିଲା । ନାଁ...

 

ଏପରି ଭାବରେ ଯେତେବେଳେ ଗଲା, ସେତେବେଳେ ଗୋଟିଏ ଚୁମ୍ୱନ ପାଇବାର ତାର ଅଧିକାର ଥିଲା । ଅଣ୍ଡର ମଧ୍ୟରେ ମୁଠିଏ ଭାତ ପାଖରେ ବସି ଖୁଆଇଥାନ୍ତି ଏବଂ ଖାଇସାରି ଟିକେ ଗଡ଼ପଡ଼ ହୋଇଥାନ୍ତେ । କିଛି କଥାବାର୍ତ୍ତା ମଧ୍ୟ ହୋଇଥାନ୍ତା । ସେଦିନ କଣ କଣ ସବୁ କହିଲା ?

 

ସେ କଣ ଆଉ ଫେରି କେବେ ଆସିବ ନାହିଁ ? ସେ ‘ବୟଲାର’ ଶ୍ରମଜୀବୀମାନଙ୍କ ପରି ଗୁଳିର ଶିକାର ହୋଇପାରିବ ? ସେ କହିଥିଲା ପ୍ରତୀକ୍ଷା କରି ରହିବୁ ନାହିଁ । ସେ କଣ ଶେଷ ବିଦାୟ ଦେଇଥିଲା ?

 

ଚିରୁତାର ନିଜ ବିବାହ ଦିନ କଥା ମନେପଡ଼ିଲା । ନିଜର ଭାଇ–ବନ୍ଧୁଙ୍କ ଶତ୍ରୁ ହୋଇ ମଧ୍ୟ ସେ ବିବାହ କରିଥିଲା । ମୋ ବାପର ସର୍ତ୍ତ ଥିଲା ତା’ ଦାବି ପୂରଣ ନହେଲେ ଝିଅ ଦେବନାହିଁ, ସେ ସର୍ତ୍ତ ପୂରଣକଲା । କିପରି ଦୃଢ଼ତା ତାର ଥିଲା । ସେ ନିଜର ପ୍ରତ୍ୟେକ ନିଃଶ୍ୱାସ ପ୍ରଶ୍ୱାସରେ ଏବଂ ହୃଦୟର ଏକ ଏକ ସ୍ପନ୍ଦନରେ ତାକୁ ଭଲ ପାଉଥିଲା । ତା’ର ଇଚ୍ଛାଥିଲା ସେ ପେଟପୂରା ଖାଉ, ସଫାସୁତୁରା ଲୁଗା ପିନ୍ଧ ଓ ହସଖୁସିରେ ରହୁ । ଏଇଥିପାଇଁ ସେ ଜିତିଥିଲା । ବିତି ଯାଇଥିବା ଦିନଗୁଡ଼ିକ କଥା ମନେପଡ଼ିବାକୁ ଲାଗିଲା । ପ୍ରତ୍ୟେକ କଥା କୋରନ ପ୍ରେମରେ ଜଡିତ ଥିଲା ।

 

'ଭାବି କରି ଦେଖ୍’ କହିଦେଇ ବିଶାଳ ଜଳରାଶି ମଧ୍ୟରେ ଅଦୃଶ୍ୟ ହୋଇଗଲା । ଏ କିପରି ପରିବର୍ତ୍ତନ ? ପ୍ରେମ କଣ ଏତେ ଦୁର୍ବଳ ?

 

ପୁଷ୍ପବେଲୀ ଚକୋର ବୁଲିବା । ମରିୟା କଥାରୁ ସେ ନିଜକୁ କିପରି ରକ୍ଷା କରିବ ।

 

କୌଣସିପ୍ରକାରେ ଦଶମାସ କଟିଯାଉ । ତା’ର ଗୋଟିଏ ସନ୍ତାନ ହୋଇଯାଉ । ସନ୍ତାନ ହୋଇଗଲା ପରେ ଭୟ ଆଉ ରହିବ ନାହିଁ । ଦଶ ମାସ କିପରି ବିତାଇବ ? ଯେପରି ହେଲେ ମଧ୍ୟ ସେ ନିଜ ଚରିତ୍ର–ଧନକୁ ରକ୍ଷା କରିବା ଉଚିତ ।

 

ତା’ ସ୍ୱାମୀର ଏତେ ପରିବର୍ତ୍ତନ ! ତା’ର ବିଶ୍ୱାସ ହେଲାନାହିଁ ଯେ ସ୍ୱାମୀର ପ୍ରେମ-ନିର୍ଝର କିପରି ଶୁଷ୍କ ହୋଇପାରେ ? ତାର ଏ ବିଶ୍ୱାସ ହେଲାନାହିଁ । ନା, ଅସମ୍ଭବ କଥା । ସେ ବର୍ତ୍ତମାନ ଯେତେବେଳେ ମା’ ହେବାକୁ ଯାଉଛି ! ସେ ସନ୍ତାନ ଯେତେବେଳେ ଜନ୍ମ ହୋଇ ବଢ଼ିବ ଏବଂ ନିଜର ବାପ କଥା ପଚାରିବ ସେତେବେଳେ ତାକୁ କି ଉତ୍ତର ଦେବ ? ସେ କଣ ଆଉ ଏ ବିଶାଳ ଜଳରାଶିକୁ ଦେଖାଇ କହିପାରିବ ସେ ଏଥିରେ ବୁଡ଼ିଯାଇ ଅଦୃଶ୍ୟ ହୋଇଗଲା ?

 

ଚିରୁତା ଥରି ଉଠିଲା । ହଁ ତାର ସ୍ୱାମୀ ତାକୁ ଛାଡ଼ି ଚାଲିଗଲା । ସେ କହିଥିଲା ତାକୁ ବିବାହ କରିବ । ଦରକାର ନଥିଲା । ସେ ତାକୁ ଅନ୍ୟର ଆଶ୍ରୟ ଦେବାକୁ କହି ଯାଇଥିଲା ।

 

କାନ୍ଦି କାନ୍ଦି ଚିରୁତାର ଆଖି ବୁଜି ହୋଇଗଲା । କେହି ତାକୁ ଡାକୁଛି ଏପରି ତାକୁ ଜଣାଗଲା । ଦେଖୁଛି ସେ ତା’ ଆଗରେ ଚାତ୍ତନର ମୂର୍ତ୍ତି ଠିଆ ହୋଇଛି ।

 

ଏ ଯୁବକ ଚିରୁତା ବାପର ପାଦ ଧରି ପ୍ରାର୍ଥନା କରୁଛି କି ତାକୁ ସେ ଯେପରି ନିରାଶ ନ କରନ୍ତି । ତାଙ୍କ ବିବାହ ଦିନ କୋରନର ବନ୍ଧୁ-ବାନ୍ଧବ ସମସ୍ତେ ରାଗିକରି ଚାଲିଗଲେ । କୋରନକୁ ଧୈର୍ଯ୍ୟ ଦେବା ପାଇଁ କେବଳ ଏକା ଏ ରହି ଯାଇଥିଲା । ତା'ପରେ ଯେଉଁସବୁ ବିପଦ ଆସିଛି ସେହି ସମୟରେ ସହାୟତା ପାଇଁ ଚାତ୍ତନ ପ୍ରସ୍ତୁତ ରହିଥାଏ । ଚିରୁତାକୁ ଜଣାଗଲା ଚାତ୍ତନ ଆଗରେ ଠିଆ ହୋଇଛି । ନିଷ୍ଫଳ ଜୀବନର ସଜୀବ ଚିତ୍ର ।

 

ଏ ସ୍ମୃତିକୁ ଭୁଲିଯିବାକୁ ଅନେକ ଚେଷ୍ଟା କଲା । କିନ୍ତୁ ସେ ଯେତିକି ଚେଷ୍ଟା କରୁଛି ସେତେ ଏହା ତୀବ୍ର ଓ ସ୍ପଷ୍ଟ ହୋଇ ଚାଲିଛି ।

 

କେଡ଼େ ସଚ୍ଚରିତ୍ର ! କିପରି ଭଲ ସ୍ୱଭାବ ! ! ଚାତ୍ତନର ଗୋଟିଏ ହେଲେ କମ୍ ନଥିଲା ।

 

ତେଇଶି

 

ପୁଷ୍ପବେଲୀର ଚାକୋକୁ କୋରନ ନିଜ କୁଡ଼ିଆ ମଧ୍ୟରେ ହତ୍ୟାକଲା । ଦିନେ ଅଧରାତିକୁ କୋରନ ଘରକୁ ଫେରିଆସିଲା । ସେତେବେଳେ ଚାକୋ ତାର ଜଣେ ସଙ୍ଗୀ ସାହାଯ୍ୟରେ ଚରିତ ଉପରେ ବଳାତ୍କାର ଅତ୍ୟାଚାର କରିବାକୁ ଚେଷ୍ଟା କରୁଥିଲା । ଚିରୁତା ମୁହଁରେ ଲୁଗା ବିଣ୍ଡା ଗୁଞ୍ଜା ଯାଇଥାଏ ଓ ସେ ବେହୋସ ହୋଇ ପଡ଼ିଥାଏ ।

 

କୋରନ ସେଠାରୁ ଚାଲିଯାଇ ରକ୍ଷା ପାଇଲା । କିଛି ଦିନ ମଧ୍ୟରେ ତାକୁ ଗିରଫ କରି ନିଆଗଲା ।

 

ଚିରୁତାକୁ ପତ୍ରୋସ ଘରକୁ ପଠାଇ ଦିଆଗଲା । ସେ ସେଠାରେ କେତେ ଦିନ ପର୍ଯ୍ୟନ୍ତ ବେହୋସ ହୋଇ ପଡ଼ିରହିଲା । ଯେତେବେଳେ ତା’ର ହୋସ ଆସିଲା ସେତେବେଳେ ସେ ଚାତ୍ତନକୁ ପାଖରେ ଦେଖିଲା । ଏକ ଭୟ ଆଶଙ୍କା ଯୋଗୁ ଶୀଘ୍ର ଆଖି ବନ୍ଦ କରିଦେଲା ।

 

କିନ୍ତୁ ସେ ଆଖି ବନ୍ଦକରି କେତେ ସମୟ ପର୍ଯ୍ୟନ୍ତ ରହିପାରେ ? ଚାତ୍ତନର ଉପସ୍ଥିତି ତାକୁ ସ୍ୱୀକାର କରିବାକୁ ପଡ଼ିଲା । ତା’ ହାତରୁ ଔଷଧ ପିଇବାକୁ ସେ ଆଖି ଖୋଲିଲା । ତା’ ସାଙ୍ଗରେ କଥାବାର୍ତ୍ତା ମଧ୍ୟ କଲା । ଏହିପରି ଚାତ୍ତନର ଯଥାର୍ଥତା ସେ ଜାଣିପାରିଲା ।

 

ଚିରୁତା ଠାରୁ ଜ୍ୱର ଓହ୍ଲାଇଗଲା । ସେ ସୁସ୍ଥ ହେଲା । ଯେଉଁଦିନ ସେ ରୋଗ ଶଯ୍ୟା ଛାଡ଼ି ଉଠିଲା ସେଦିନ ଚାତ୍ତନର ଆନନ୍ଦର ସୀମା ରହିଲା ନାହିଁ । ତାର ସେବା ଶୁଶ୍ରୁଷାରେ ଚିରୁତା ସୁସ୍ଥ ହୋଇଗଲା । ଚାତ୍ତନର ଆନନ୍ଦରେ ଚିରୁତା ଜୀବନରେ ଏକା ନୂତନ ସତ୍ୟର ଅନୁଭବ ହେଲା-

 

ଚିରୁତା ପଚାରିଲା–“ଆଜି କାହିଁକି ଏତେ ଆନନ୍ଦିତ ଥିଲା ପରି ଜଣାପଡ଼ୁଛି ଚାତ୍ତନ ?’’

 

ଚାତ୍ତନ ଉତ୍ତର ଦେଲା, ‘‘ତୋର ରୋଗ ବଡ଼ ଭୟଙ୍କର ହୋଇ ଯାଇଥିଲା ।’’

 

ଚିରୁତା ବୁଝିପାରିଲା ଯେ କେଉଁଦିନ ଠାରୁ ଚାତ୍ତନ ତା’ ସେବା ଶୁଶ୍ରୁଷାରେ ରହି ଆସିଛି-

 

ମରିୟା କହିଲା–“କୋରନ ଥିଲେ ସେ ଏତେ ସାବଧାନତା ସହକାରେ ତୋର ସେବା କରି ନଥାନ୍ତା । ଚାତ୍ତନ କେଡ଼େ ଯତ୍ନରେ ତୋ’ ସେବା କରିଛି । ବଡ଼ ବିଭବଶାଳୀ ଲୋକ ସିଏ !’’

 

ଚାତ୍ତନ ଚିରୁତାକୁ କହିଲା–“କୋରନ ମୋତେ ଏଠାକୁ ପଠାଇଛି । ମୋତେ ସବୁ କଥା ସେ କହି ଦେଇଛି ।’’

 

ଚିରୁତାର ଭାରି ରାଗ ହେଲା । ସେ ଅସନ୍ତୁଷ୍ଟ ହୋଇ କହିଲା, ‘‘କିନ୍ତୁ ମୁଁ ଯଦି ରାଜି ନହୁଏ ତେବେ ?’’

 

ଚାତ୍ତନ ମୁହଁର ଭାବ ପରିବର୍ତ୍ତନ ହୋଇଗଲା । ସେ ନମ୍ର ଭାବରେ କହିଲା, ‘‘ତୋ ଇଚ୍ଛା ବିରୁଦ୍ଧରେ ତୋତେ ପତ୍ନୀ କରିବା କଥା ମୁଁ କହିନାହିଁ । ସେ ତୋର ରକ୍ଷାର ଭାର ହିଁ ମୋତେ ସମର୍ପି ଦେଇଛି ଯେବେ ତୋର ପିଲା ହେବ ତା’ର ଲାଳନ-ପାଳନ କରିବାକୁ କହିଛି । ଏ ଜନ୍ମରେ ମୋର କେହି ପତ୍ନୀ ନାହାନ୍ତି ।’’

 

ଚାତ୍ତନ ଆଖିରେ ଲୁହ ଆସି ଯାଇଥିଲା । ଚିରୁତାର ହୃଦୟ ମଧ୍ୟ ସହାନୁଭୂତିରେ ପୂର୍ଣ୍ଣ ହୋଇଗଲା ।

 

ଦିନେ ଚିରୁତା ଛଳ ଛଳ ଆଖିରେ ଚାତ୍ତନକୁ କହିଲା–

 

‘‘ତୋର ଋଣ ପରିଶୋଧ କରିବାକୁ ମୋ ନିକଟରେ କିଛି ନାହିଁ ।’’

 

ଚାତ୍ତନ ଚିରୁତା ପାଇଁ ବଞ୍ଚିଛି ଏବଂ ତା’ର ମନ କଥା ବୁଝି ସେ ଅନୁସାରେ କାମ କରୁଛି, ଏକଥା ଚିରୁତା ପାଖରେ ଅଛପା ରହିଲା ନାହିଁ ।

 

ଚାତ୍ତନ ଉତ୍ତର ଦେଲା, ‘‘ମୋର କିଛି ଆବଶ୍ୟକ ନାହିଁ ।’’

 

ଚିରୁତାର ଭୟ ହେଲା ଯେ ଚାତ୍ତନର ଉପକାର ବଦଳରେ ସେ ଯଦି ବର୍ତ୍ତମାନ କିଛି ନ କହେ ତେବେ ସେ ଭାର ପାଇଁ ଦିନେ ହୁଏତ ସେ ନିଜେ ଫସିଯିବ । ସେ କହିଲା, ‘‘ମୋର ଭାଇ ନଥିଲା । ବର୍ତ୍ତମାନ ଗୋଟିଏ ଭାଇ ମୋତେ ମିଳିଗଲା ।’’

 

ଚାତ୍ତନ କିଛି କହିଲା ନାହିଁ । ଚିରୁତା କହିଲା–“କିଛି କହୁନାହୁଁ କାହିଁକି ?’’

 

‘‘ମୁଁ କଣ କହିବି ?’’

 

‘‘ତେବେ ମୋର ଭାଇ ହେଲେ ମୋ ପିଲାର ମାମୁ ହେବୁ ଏବଂ ଏହିପରି ଭାବରେ ମୃତ୍ୟୁ ପର୍ଯ୍ୟନ୍ତ କଟାଇବୁ ତ ?’’

 

ଚାତ୍ତନ ନିଜର ସମ୍ମତି ପ୍ରକାଶ କଲା ।

 

କିଛିଦିନ ବିତିଗଲା । ଚାତ୍ତନର ସେବା ସହାୟତା ସେ ସବୁ ଦେଖେ ଓ ଅନୁଭବ କରୁଥାଏ । ତ ମନରେ ଏକ ଭୟର ସଞ୍ଚାର ହେଲା । କେବେ ସେ ଚାତ୍ତନର ସେବାରେ ଅନୁପ୍ରାଣିତ ହୋଇ ନିଜକୁ ତା’ ଯଥେଷ୍ଟ ହୁଅନ୍ତା...ଚିରୁତା ତୁରନ୍ତ ତାକୁ ଘରୁ ବାହାର କରି ଦିଅନ୍ତା ।

 

ଦିନେ ଚିରୁତା କହିଲା–“ସବୁ ଭାଗ୍ୟର ଫଳ । ବାପା ଯେତେ ଦାବି କଲେ ସେତେ ଦେଇ ଦେଇଥିଲେ ତ...” ଚାତ୍ତନ ଚିରୁତାକୁ ଶତୃଷ୍ଣ ନୟନରେ ଚାହିଁଲା । ଅଜ୍ଞାତରେ ତା’ର ମୁଖମଣ୍ଡଳ ଏକ ଆଶାରେ ଉଦ୍‍ଭାସିତ ହୋଇ ଉଠିଲା ।

 

ଚାକୋ ହତ୍ୟା ଦ୍ୱାରା କୁଟ୍‍ଟନାଟର କୃଷକ ମାଲିକମାନେ ଭୟରେ ବିଚଳିତ ହୋଇପଡ଼ିଲେ । ଏହାକୁ ପରୟ–ପୁଲୟମାନଙ୍କର ଅତ୍ୟାଚାର ବୃଦ୍ଧିର ଗୋଟିଏ ଉଦାହରଣ ବୋଲି ଉପସ୍ଥାପିତ କରାଗଲା । ପରୟ–ପୁଲୟମାନଙ୍କୁ ମାଲିକମାନେ ଯେଉଁଠି ଦେଖିଲେ ସେଠି ପିଟିଲେ-। ସଂଘ ପ୍ରତ୍ୟକ ଘଟଣାକୁ ଲିପିବଦ୍ଧ କରି ଚାଲିଲା ।

 

ସଂଘ ଗୋଟିଏ ସ୍ଵେଚ୍ଛା ସେବକ-ମଣ୍ଡଳ ପ୍ରତିଷ୍ଠା କଲା । ମିଥ୍ୟା ଅଭିଯୋଗର ସମ୍ମୁଖୀନ ହେବାପାଇଁ ପ୍ରତିରକ୍ଷା–ବିଭାଗ ମଧ୍ୟ ଗଢ଼ିଲା । ଏହାର ଦ୍ୱାରା କୋରନ ମୋକଦ୍ଦମାରେ ଲଢ଼ିବା ପାଇଁ ବ୍ୟବସ୍ଥା କରାଗଲା । ସେଦିନ ଅର୍ଦ୍ଧ ରାତ୍ରି ଘଟଣାକୁ ପ୍ରମାଣିତ କରିବାର ଆବଶ୍ୟକତା ଥିଲା-

 

ଚାତ୍ତନ ଗୋଟିଏ ଅଲଗା ଘର ତିଆରି କରି ସେଥିରେ ରହିବା ପାଇଁ କଥା ଉଠାଇଲା, ଚିରୁତା ତା’ର ବିରୋଧ କଲା । କି ଅଲଗା ଘର କରି କାହା ପ୍ରତୀକ୍ଷାରେ ତୁ ରହିବୁ ? ...କିନ୍ତୁ ପ୍ରସବ ପାଇଁ ଗୋଟିଏ ଅଲଗା ଘର ଦରକାର । ପିଲାଟିକୁ ଲାଳନପାଳନ ତ କରିବାକୁ ହେବ । ପୁଣି କୋରନ ମଧ୍ୟ ଫେରି ଆସିବ ।

 

ପରୟୀ ଏବଂ ପୁଲୟୀ କନ୍ୟାମାନଙ୍କର ରକ୍ଷା ନିମନ୍ତେ କିଛି କରିବାକୁ ହେବ । ଅଧରାତିରେ ଘର ଦରଜା ଭାଙ୍ଗି ଭିତରେ ପଶିବା ଏବଂ ଚୈତ୍ର ମାସରେ ଖଳାରେ ପାଳ ଗଦା ପଛରେ କରାଯାଉଥିବା ପାଶବିକ ଅତ୍ୟାଚାରରୁ ଏମାନଙ୍କୁ ରକ୍ଷା କରିବାକୁ ହେବ । ମରିୟା କହିଥିବା କାହାଣୀରୁ ସେମାନଙ୍କ ନାମ ଜଣାଯାଇଛି । ଏହିପରି ଉତ୍‍ପୀଡ଼ିତା ସ୍ତ୍ରୀ ଲୋକମାନେ କିପରି ଅବସ୍ଥାରେ ଥିବେ; ଏ ପ୍ରଶ୍ନ କେତେଥର ଚିରୁତା ମନରେ ଉଠିଥିଲା । ବର୍ତ୍ତମାନ ଦର୍ପଣରେ ସେ ଆପଣାର ପ୍ରତିବିମ୍ବ ଦେଖିନେଲା । ଏ ବିଚାରୀଙ୍କ ପାଇଁ ଯଦି ସେ କିଛି କରି ନ ପାରିବ ତେବେ ଆଉ କଣ ହୋଇପାରେ ?

 

ଚିରୁତା ତାର ସିଦ୍ଧାନ୍ତ ଚାତ୍ତନକୁ କହିଲା । ଚାତ୍ତନର ବିରୋଧ କରିବାର ଶକ୍ତି ନଥିଲା । କିନ୍ତୁ ସେ କହିଲା କୋରନର ଏ ଇଚ୍ଛା ନଥିଲା ।

 

ଚାତ୍ତନର ଚେଷ୍ଟାରେ ଘୁଷ–ରିଶପତ ଦେଇ ଚିରୁତା ଥରେ କୋରନକୁ ଦେଖିପାରିଲା ।

 

ରେଲିଂ ଦିଆ କାଠଘରର ଗୋଟିଏ ପାଖରେ କୋରନ ଏବଂ ଅନ୍ୟ ପାଖରେ ଚିରୁତା । ...ଏହିପରି ଭାବରେ ଦୁହିଁଙ୍କର ଭେଟ ହେଲା । ଏ ଦୃଶ୍ୟ ଚିରୁତା ପକ୍ଷରେ ବଡ଼ ଅସହ୍ୟ ମନେହେଲା । କୋରନ କଳାକାଠ ପଡ଼ିଯାଇଥିଲା । ସେ ତାର ବୃଦ୍ଧି ପାଇଥିବା ପେଟକୁ ଓ କୋରନକୁ ଚାହିଁ କହିଲା–“ଅଭାଗା ପିଲା ।’’

 

ଚିରୁତା ଆଖିରୁ ଲୁହ ଗଡ଼ୁଥାଏ । ସେ କହିଲା, ‘‘ବାପାକଥା ପଚାରିଲେ କଣ କହିବି ?’’

 

‘‘କହିଦେବୁ ଜେଲରେ ଅଛି ।’’

 

‘‘କଣ ଏ ମଧ୍ୟରେ କେବେ ସେ ଆସିପାରିବେ ନାହିଁ ?’’

 

‘‘ପନ୍ଦର ବର୍ଷ ଜେଲ ହୋଇଛି ।’’

 

‘‘ପନ୍ଦର ବର୍ଷ !’’

 

କୋରନ କହିଲା–“ମୋର ଆଦରର ଚିରୁତା, ତୁ ମୋତେ ଅପେକ୍ଷା କରିବୁ ନାହିଁ ! ପିଲାକୁ ପାଳିବୁ । ଚାତ୍ତନ ଖୁବ୍ ଭଲ ଲୋକ । ସେ ତୋତେ ରକ୍ଷା କରିବ । ତାକୁ ମୁଁ ସବୁକଥା କହି ଦେଇଛି ।’’

 

‘‘ମୋତେ କେହି ରକ୍ଷା ବା ସହାୟତା କରିବା ମୁଁ ଦରକାର ମନେ କରୁନାହିଁ । ମୁଁ ନିଃସହାୟା ସ୍ତ୍ରୀ ଲୋକମାନଙ୍କ ସହାୟତା ପାଇଁ ସଂଘରେ ଯୋଗ–ଦେବାକୁ ଯାଉଛି ।’’

 

କୋରନ ମୁହଁରେ ହସ ଫୁଟି ଉଠିଲା । ସେ କହିଲା ‘‘ତୁ ଏ କାମରେ ଜାଗାଦେଲେ ପିଲାକୁ କିଏ ଦେଖିବ ? ତୁ ଜେଲ ଗଲେ ପିଲାର ଅବସ୍ଥା କଣ ହେବ ?’’

 

ଦୂର ଗୋଟିଏ ଗଛ ମୂଳରେ ଚାତ୍ତନ ବସି ଭୂଇଁରେ ଗର କାଟୁଥିଲା । ମୁଣ୍ଡ ଟେକି ଚାହିଁବାରୁ କୋରନ ତାକୁ ଡାକିଲା ।

 

କୋରନ ଭାବିଲା ସେ ଏଇଠି ଗୋଟିଏ କାମ ଶେଷ କରିଦେବ । ଲୁହା ରେଲିଂ ଭିତରେ ସେ ଚିରୁତା ହାତକୁ ଧରି ଚାତ୍ତନ ହାତରେ ସମର୍ପି ଦେଲା । ବାପ ଯେପରି ଝିଅ ହାତକୁ ଜ୍ୱାଇଁ ହାତରେ ଧରାଇ ଦେଇଥାନ୍ତି, ସେହିପରି କୋରନ କଲା । କେବେ କେଉଁଠାରେ ଏପରି ବିବାହ ହୋଇଥାଏ !!

 

ଫେରିଯିବାବେଳେ ଚିରୁତା ଚାତ୍ତନକୁ କହିଲା–“ମୁଁ ବର୍ତ୍ତମାନ ଅନ୍ୟର ସ୍ତ୍ରୀ ହୋଇପାରିବି ନାହିଁ ।’’

 

ଚାତ୍ତନ କୌଣସି ଉତ୍ତର ଦେଲା ନାହିଁ ।

 

‘‘ମୋତେ ନିଜର ଭଉଣୀ ବୋଲି ଭାବିବା ଠିକ୍ ହେବ ।’’

 

ଏ ଏକ ଦୁଃଖପୂର୍ଣ୍ଣ ପ୍ରାର୍ଥନା । ଚାତ୍ତନ ଏହାର ମଧ୍ୟ ଉତ୍ତର ଦେଲାନାହିଁ ।

 

ଚିରୁତା କହିଲା–‘‘କେହି ପରୟା ନିଜର ସ୍ତ୍ରୀକୁ ଅନ୍ୟ କାହାକୁ ଏପରି ଭାବରେ ଦେବାର କି ଅଧିକାର ଅଛି ?’’

 

ଚାତ୍ତନ ଏ ପ୍ରଶ୍ନର ମଧ୍ୟ ଉତ୍ତର ଦେଲା ନାହିଁ ।

 

ଚବିଶ

 

ଚିରୁତା ଚାତ୍ତନ ତିଆରି କରିଥିବା କୁଡ଼ିଆରେ ରହିଲା । ତାର ପ୍ରସବ ସମୟ ନିକଟ ହୋଇ ଆସୁଥିଲା । ସେ କାମ କରିବାକୁ ଯାଉ ନଥିଲା । ଚାତ୍ତନ କେବଳ କାମ କରିବାକୁ ଯାଉଥିଲା । ମଜୁରି ଯାହା ମିଳୁଥିଲା ଆଣି ସେ ଚିରୁତାକୁ ଦେଉଥିଲା ।

 

ସେ କୁଡ଼ିଆ କେବଳ ଭାଇ ଭଉଣୀ ରହିବା ଉପଯୋଗୀ ଥିଲା । ସକାଳୁ ଚିରୁତା ସ୍ନେହମୟୀ ଭଉଣୀ ପରି ଚାତ୍ତନ ପାଖରେ ବସି ବସି କଞ୍ଜି ଓ ତରକାରୀ ପରଶି କରି ରଖିଦିଏ । ସନ୍ଧ୍ୟାରେ ଚାତ୍ତନ ଯେତେ ଖାଇଲେ ମଧ୍ୟ ଚିରୁତାର ତୃପ୍ତି ଆସୁନଥିଲା । ପାଖରେ ବସି ସେ ଚାତ୍ତନକୁ ଖୁଆଏ; ଖାଇବା ଶେଷ ହୋଇଗଲେ ବାହାରର ବାରଣ୍ଡାରେ ଚାତ୍ତନ ପାଇଁ ଚଟାଇ ରଖିଦିଏ; ପାନ ମଧ୍ୟ ରଖିଦେଇ ଆସେ । ବାହାରକୁ ଯାଇ ଯେତେବେଳେ ଚାତ୍ତନ ପାନ ଖାଇବା ଆରମ୍ଭ କରିଦିଏ ସେତେବେଳେ କୁଡ଼ିଆର ଦରଜା ଭିତରେ ପାଖରୁ ବନ୍ଦହୋଇ ଯାଉଥିଲା ।

 

ଚାତ୍ତନ ବାହାରେ ନ ଶୋଇ ବିଛଣାରେ ପଡ଼ିଥାଏ । ଭିତରେ ଚିରୁତା ମଧ୍ୟ ଶୁଏନାହିଁ । ଦୁହିଁଙ୍କର ଭାବିବାର ଅନେକ କଥା ଥିଲା । ଚାତ୍ତନ ଜୀବନ ସଙ୍ଗରେ ବୃଦ୍ଧି ପ୍ରାପ୍ତ ଏକ ସହୃଦୟତା ଚିରୁତା ଦେଖୁଥିଲା ଓ ବୁଝି ପାରୁଥିଲା । ସେ ଜଣେ ସ୍ତ୍ରୀ ! ଏକ ଏକ ମୁହୂର୍ତ୍ତ, ପ୍ରତି ଘଣ୍ଟା, ପ୍ରତି ଦିନ, ପ୍ରତି ସପ୍ତାହ, ସବୁବେଳେ ଏ ସହୃଦୟତା ସେ ଦେଖିବାକୁ ପାଏ ଏବଂ ଭିତରେ ଭିତରେ ବ୍ୟାକୁଳ ହୋଇପଡ଼େ ।

 

ବାହାରେ ଥଣ୍ଡାରେ କମ୍ପୁଥିବା ଓ କାଶୁଥିବା ସେ ବିଚରା କେଡ଼େ ଭାଗ୍ୟହୀନ !

 

ସେ ନିଜର ଇଚ୍ଛା ମଧ୍ୟ ପ୍ରକାଶ କରୁନଥିଲା । ଆଉ ମଧ୍ୟ ତାକୁ ରୋକିବାର ଅସାମର୍ଥ୍ୟତା, ଉଦ୍‍ବିଗ୍ନତା କଥା ଚିରୁତା ବୁଝେ । ...କାହିଁକି ଡାକି ଟିକିଏ ଭିତରେ ଶୋଇବାକୁ କହେନା । ବିଚରା ଥଣ୍ଡାରୁ ରକ୍ଷା ପାଇ ଭିତରେ ତ ଆରାମରେ ଟିକିଏ ଶୋଇ ପାରନ୍ତା । ପରିଶ୍ରମ କରି କମାଇ ଯାହା ପାଏ ସବୁ ଆଣି ଦେଇ ମଧ୍ୟ ବିଚରାକୁ ରାତିକୁ ଥଣ୍ଡାରେ ବାହାରେ ହିଁ ଶୋଇବାକୁ ପଡ଼ୁଛି...ବିଚରା କେଉଁଦିନ ଭିତରେ ଯାଇ ଶୋଇପାରିବ ସେଦିନକୁ ପ୍ରତୀକ୍ଷା କରି ସେ ବାହାରେ ସମୟ ବତାଉଛି । ...ନା, ନା...ସେ ଜଣେ ପରୟର ପତ୍ନୀ ହୋଇସାରିଛି ବର୍ତ୍ତମାନ ଅନ୍ୟର ଆଉ ହୋଇପାରିବ ନାହିଁ ।

ଚାତ୍ତନ ମଧ୍ୟ ଭାବେ । ଚିରୁତା ଜଣକର ହୋଇ ସାରିଛି । ସେଥିରେ ସେ ପୂର୍ଣ୍ଣ ସନ୍ତୋଷ ପାଇଛି । ଯଦି ସେ ଏହିପରି ନିଜର ଜୀବନ ପତି ଉଦ୍ଦେଶ୍ୟରେ ବିତାଇଦେବାକୁ ଚାହେଁ ତା’ ହେବ ଉଚିତ । କିନ୍ତୁ କୋରନ ଯେ ତା’ ହାତରେ ସମର୍ପି ଦେଲା ପୁଣି ଚିରୁତା ଯେପରି କହିଲା, ପତିର କି ଅଧିକାର ଅଛି ସେ ନିଜର ସ୍ତ୍ରୀକୁ ଅନ୍ୟ କାହାକୁ ସମର୍ପି ଦେବ । ପତ୍ନୀ ମଧ୍ୟ ନିଜର ସମ୍ମାନ ଓ ଅଧିକାର ରଖିଥାଏ ତ ? ହୁଏତ ତାକୁ (ଚାତ୍ତନକୁ) ନକରି ପରୁଥାଏ ? ପୁଣି ସେ ନିଜର ଜୀବନ ତା’ ପାଇଁ ତ୍ୟାଗ କରି ସାରିଛି ।

ଚାତ୍ତନ ଜାଣିଶୁଣି ଜୋରରେ କାଶିଦେଲା । ଭିତରୁ ଚିରୁତାର ବ୍ୟଥାସୂଚକ ଆବାଜ ଆସିଲା । ସେ ଶୋଇନାହିଁ, ଏହାର ସୂଚନା ଦେଉଥିଲା ।

ଚାତ୍ତନ ଡାକିଲା, ‘‘ଚିରୁତା ?’’

‘‘ଉଁ ।’’

‘‘ଉଁ ?

‘‘ତୁ ଏ ଯାଏ ଶୋଇନାହୁଁ ?’’

‘‘ନା, ଅଚ୍ଚାୟନ ! ତୁ ଶୋଇନାହୁ ?’’

୧ ଅଚ୍ଚାୟନ = ଭାଇ (ସ୍ନେହସୂଚକ ସମ୍ବୋଧନ) ।

‘‘ନା !’’

ଏହିପରି ଦୀର୍ଘ ନିଃଶ୍ୱାସ ମଧ୍ୟରେ ବହୁତ ଦିନ ବିତିଗଲା । ଚିରୁତା ଚୁପ୍‍ଚାପ ବସି ଟୋକେଇ ବୁଣେ, ଚାତ୍ତନ ସ୍ନେହପୂର୍ଣ୍ଣ ଭାବରେ ତାକୁ ଚାହିଁଥାଏ । ସେ କଣ କଣ ସବୁ ଭାବୁଥିବ । କେତେଦିନ ଯାଏ ‘ଭାଇ ଭଉଣୀ’ର ଭାର ବହନ କରିବାକୁ ପଡ଼ିବ ?

ଚିରୁତା ମଧ୍ୟ ଖେତରେ ପବନରେ ଦୋହଲୁଥିବା ଧାନ ଗଛ ଆଡ଼କୁ ଦୃଷ୍ଟି ଦେଇ ଚାତ୍ତନ କଥା ଭାବୁଛି । ସେ କଣସବୁ ଭାବୁଛି ? ଏ ପ୍ରତୀକ୍ଷା କେତେ ଦିନ ଯାଏ ଚାଲିବ ? କେତେ ଥର ଏ ପ୍ରଶ୍ନ ଓ ବିଚାର ଚିରୁତା ମନରେ ଉଁକି ମାରିଛି । ତାର ଇଚ୍ଛା ଅପୂର୍ଣ୍ଣ କଣ ରହିଯିବ କି ? ...ନିକଟକୁ ଡାକି ଦୁଃଖିତ ନ ହେବାକୁ କହିବି ।

କୁଟନାଟରେ ଶୋଭାଯାତ୍ରା ବାହାର କରିବା ଏବଂ ସଭା କରିବା ପାଇଁ ନିଷେଧ ହୋଇଗଲା । କିନ୍ତୁ ସଂଘ ଏ ଆଦେଶ ଲଙ୍ଘନ କରିବାକୁ ସ୍ଥିରକଲା । ଏହିପରି ମଜଦୁର-ସଂଘର ସଂଗ୍ରାମ ଗୋଟିଏ କଥା ଉପରେ ବୃଦ୍ଧି ପାଇବାକୁ ଲାଗିଲା ।

ସମସ୍ତ ଦେଶର ଶ୍ରମିକମାନେ ଜାଗି ଉଠିଲେ । ସମସ୍ତେ ଏ କଥା ନିଜର ଦାୟିତ୍ୱ ବୋଲି ମନେକଲେ । ଦଳିତ ଜାତି ନିଜର ଶକ୍ତି ସଙ୍ଗଠିତ କରିବାକୁ ଲାଗିଲେ । ରାଜ୍ୟର ଇତିହାସରେ ଏକ ଗୌରବାବହ ଘଟନା ଘଟିବାର ସୂଚନା ଉପସ୍ଥିତ ହୋଇଗଲା ।

 

ଚାରିଆଡ଼େ ଏ ଅପବାଦ ବ୍ୟାପିଗଲା ଯେ ଭରା ଧାନଖେତ ବନ୍ଧ ଭାଙ୍ଗି ପାଣିରେ ବୁଡ଼ାଇ ନଷ୍ଟ କରାଯାଉଛି, ଧନୀ କୃଷକମାନଙ୍କର ଘର ଲୁଟ କରାଯାଉଛି । ଦିନକୁଦିନ ଭଳି ଭଳିର ଅପବାଦ ବ୍ୟାପିବାକୁ ଲାଗିଲା ସଂଘ ଏ ଅପବାଦ ସବୁ ଖଣ୍ଡନ କଲା ।

 

ତେବେସୁଦ୍ଧା ମାଲିକମାନଙ୍କର ଭୟ ତୁଟିଲା ନାହିଁ । ଯେ ପର୍ଯ୍ୟନ୍ତ ସଂଘ ରହିଥିବା ସେ ପର୍ଯ୍ୟନ୍ତ ମାଲିକମାନଙ୍କର ଭୟ ଦୁର ହେବନାହିଁ । ପୁଲୟମାନଙ୍କର ମଜୁରି ଦାବି କିମ୍ବା କହିବାର ଶକ୍ତି ବୃଦ୍ଧି ହେବାରୁ ଏ ଭୟ ଆରମ୍ଭ ହୋଇନାହିଁ । ଯେତେବେଳେ ଏମାନେ ସଙ୍ଗଠିତ ହୋଇ ନିଜର ଦାବି ପେସ୍ କଲେ ଏବଂ ଯେତେବେଳେ ଏହି ଦୁଃଖ ଦୁର୍ଦ୍ଦଶା କଥା ଘୋଷଣା କରିବାକୁ ଲାଗିଲେ, ତା’ ସେମାନଙ୍କୁ ସହ୍ୟ କରିବାକୁ ପଡ଼ିଥିଲା, ଏପରି ଜଣାଗଲା ଯେପରି କି ବଂଶପରମ୍ପରା ତାଙ୍କ ଉପରେ କରାଯାଇଥିବା ଅନ୍ୟାୟ ଓ ଅତ୍ୟାଚାର ପ୍ରେତ ରୂପ ଧରି ଦେଖା ଦେଇଛନ୍ତି । ଚାତ୍ତନ, କୋରନ, ଇଟ୍‍ୟାତୀ ଇତ୍ୟାଦି କଳା କଳା ଚେହେରାର ବର୍ତ୍ତମାନ ଆଉ ମନୁଷ୍ୟ ନୁହନ୍ତି । ବର୍ତ୍ତମାନ ଏମାନେ ମାଲିକମାନଙ୍କ ଦୁଷ୍‍କର୍ମର ପ୍ରେତପରି ଜଣାପଡ଼ିଲେ ।

 

ଏ ଭୟ ବାହାରୁ ଆସିଲା ନାହିଁ । ପ୍ରତ୍ୟେକ ଧନୀ କୃଷକମାନଙ୍କ ମନରେ ଆପଣା ଛାଏଁ ଉଠିଲା ଓସେପ୍‍ପ ଓ କୃଷ୍ଣ ପିଲାଇ ତ ମନୁଷ୍ୟ । ଏ ମନୁଷ୍ୟ, ଯା’ ମଧ୍ୟରେ କି ସ୍ନେହ ଓ ସହାନୁଭୂତି ଗୁଣ ବିଦ୍ୟମାନ । ମନୁଷ୍ୟ ଯେପରି ସୃଷ୍ଟିର ଉତ୍କୃଷ୍ଟ ଜୀବ, ଏପରି ପାପର ଭାର କେତେ ଦିନ ପର୍ଯ୍ୟନ୍ତ ବହନ କରି ପାରିବ ? ତାକୁ ଫିଙ୍ଗି ଦେବାର ଅଧିକ ସମ୍ଭାବନା ଅଛି ।

 

କୃଷକମାନଙ୍କ ପକ୍ଷରେ ଲୋକମାନେ ଡର ଭୟରେ ଦୌଡ଼ାଦୌଡ଼ି କରିବାକୁ ଲାଗିଲେ-। ଗୀର୍ଜାରେ ଦୀର୍ଘ ସମୟ ଧରି ପ୍ରାର୍ଥନା ଚାଲିଲା । ମନ୍ଦିରମାନଙ୍କରେ କେବଳ ପୂଜା ଓ ହୋମ ଆଦି କରାଗଲା । ଉଦ୍ଦେଶ୍ୟ ସାମ୍ୟବାଦରୁ ଯେପରି ଦେଶ ରକ୍ଷା ପାଇବ ।

 

‘ଦେଶର ଧନାଗାର ବିପଦୋନ୍ମୁଖ ସଂସ୍କୃତି ଧ୍ୱଂସ ପଥରେ ଏହିପରି ନୂଆ ନୂଆ କଥା ଶୁଣିବାକୁ ମିଳିଲା । ଧନୀ ଲୋକମାନେ ସରକାରକୁ ପ୍ରଶ୍ନ କଲେ ବିପଦ ସମୟରେ ସେ କଣ କରିବାକୁ ଯାଉଛନ୍ତି । ମନ୍ତ୍ରୀମାନେ ଯେଉଁମାନଙ୍କୁ ଏମାନେ ସାହାଯ୍ୟ କରିଥିଲେ । କିଛି ଉତ୍ତର ଦେଇପାରିଲେ ନାହିଁ ।

 

ସଂଘ ଗୋଟିଏ ବିଶାଳ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କଲା । ପ୍ରଦର୍ଶନୀ ଦିନ ଯେତେ ନିକଟ ହେଉଥାଏ, ସେତେ କୁଟ୍‍ଟନାଟର ନଈ ନାଳରେ ସଶସ୍ତ୍ର ପୁଲିସ ଘୂରିବାକୁ ଲାଗିଲେ । କିନ୍ତୁ ପରୟା ଓ ପୁଲୟା କେହି ଡରିଲେ ନାହିଁ ।

 

ସେ ସ୍ମରଣୀୟ ଦିନ ପହଞ୍ଚିଗଲା । ସେଦିନ ଗୁଳି ଚାଲିବା, ନିଃଶ୍ୱାସ ନେବା ସେ ଦିନ କଠିନ ହୋଇ ପଡ଼ିଥାଏ । ପବନ ମଧ୍ୟ ଭାରାକ୍ରାନ୍ତ ହୋଇଯାଇଥାଏ । ସୂର୍ଯ୍ୟ ରଶ୍ମି ରଙ୍ଗର ମଧ୍ୟ ପ୍ରଭେଦ ! ସେଦିନ କଣ ଘଟିବ ଜଣା ନଥାଏ ।

 

ଚିରୁତା ଘରଠାରୁ ମିଲିଟାରୀ ଡଙ୍ଗା ସବୁ ବେଗରେ ଯିବାଆସିବା କରୁଥିବାର ଦେଖାଯାଉଥାଏ । ପୂର୍ଣ୍ଣ ଗର୍ଭିଣୀ ଚିରୁତାର ମଧ୍ୟ ରକ୍ତ ତାତି ଉଠିଲା । ସାମାନ୍ୟ ଘାସ ଗଛ ମଧ୍ୟ ଏ ଦିନର କାର୍ଯ୍ୟକ୍ରମରେ ଅଂଶ ନେବାପରି ଜଣାପଡ଼ୁଥିଲା ।

 

ଯଦି କୋରନ ବାହାରେ ଥାନ୍ତା ତେବେ ପତାକା ଧରି ଆଗେ ଆଗେ ଚଳିଥାନ୍ତା । ସମସ୍ତଙ୍କ ଧ୍ୱନିଠାରୁ ତାର ଧ୍ୱନି ବଳି ପଡ଼ନ୍ତା । ତା’ ପଛରେ ଅସଂଖ୍ୟ କଳା କଳା ରୂପ ଦେଖା ଯାଇଥାନ୍ତେ !

 

ଜେଲ ଭିତରର ଲୁହା ରେଲିଂ ପଛରେ ରହି କଣ କୋରନ ଏସବୁ କଥା ଜାଣିଥିବ ? ତା’ର ସଂଘ କେତେଦୂର ବୃଦ୍ଧି ପାଇଛି ! ସେ ବାହାରକୁ ଅସିଲାବେଳକୁ ଏହାର କିପରି ଥିବ ? ଯେଉଁ ସଂଘର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେ ତାକୁ (ଚିରୁତାକୁ) ମଧ୍ୟ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ଏହି ସଂଘକୁ ଅର୍ପଣ କରିବା ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ମଧ୍ୟ ତାକୁ ସମର୍ପି ଦେଇଗଲା । ସେ ବର୍ତ୍ତମାନ ତା’ ପେଟ ଭିତରେ ଛଟପଟ ହେଉଛି ।

 

ଚାତ୍ତନ ସେ ଯାଏଁ ଚିନ୍ତାମଗ୍ନ ହୋଇ ବସିଥିଲା । ସେ କଣ ଏ ଦିନର ଧୁମଧାମ୍ କଥା ଜାଣି ନଥିଲା, ମିଲିଟାରୀ ଷ୍ଟିମର୍ ସବୁକୁ କଣ ଦେଖିନାହିଁ; ଏବଂ ଦୂରରୁ ଶୁଭୁଥିବ ମଜୁରିଆମାନଙ୍କ ଜୟଧ୍ୱନି କଣ ସେ ଶୁଣି ପାରୁନାହିଁ । ସେ ମଧ୍ୟ ଜଣେ ଦଳିତ ପୁଲୟା । ତା’ର ବାପ ଅଜା ଅନ୍ୟାୟ ସହ୍ୟ କରିଛନ୍ତି । କିପରି ଶୀତଳ ରକ୍ତ ତା’ର ! ଶ୍ରମଜୀବୀ ମଜୁରିଆମାନେ ଯେତେବେଳେ ଜୀବନ-ମରଣ-ସଂଗ୍ରାମରେ ଲିପ୍ତ, ସେତେବେଳେ ସେ ଏଠାରେ ବସି କଣ ଭାବୁଛି ? ଜଣେ ସ୍ତ୍ରୀ ବିଷୟରେ-?

 

ତଳକୁ ମୁଣ୍ଡପୋତି ବସିଥିବା ଚାତ୍ତନ ବିଷୟରେ ଚିରୁତା ମନରେ ଏହିପରି ହାଲ୍‍କା ଚିନ୍ତା ଉଁକି ମାରୁଥିଲା । ଘାସ ବୁଦାକୁ ମଧ୍ୟ ଜାଗ୍ରତ ଓ ଶକ୍ତି ପ୍ରଦାନ କରିବାବାଲାଙ୍କର ଧ୍ୱନି ନିନାଦି, ସେତେବେଳେ କେହି ପୁରୁଷ କିପରି ଭାବରେ ମୁଣ୍ଡ ପୋତି ନିସ୍ତେଜ, ନିଶ୍ଚେଷ୍ଟ ହୋଇ ବସିଛି ! ! ସେ କଣ ଚାହୁଁଛି ପୋଷା ବିରାଡ଼ି ପରି ସେ ରହିଥିବା ଜଣେ ଲୋକର ପତ୍ନୀ ହୋଇଯାଉ । ପତି ତା’ର ଏହିପରି ଜଣେ ଲୋକ ହାତରେ ତାକୁ ସମର୍ପି ଦେଇଛି ।

 

ସେ ଭାବିଲା ଚାତ୍ତନକୁ ଧିକ୍‍କାର କରି ବାହାର କରିଦେବ । ଏପରି ଲୋକ ସାଙ୍ଗରେ କିପରି ଚଳିବ ? ସେ କଣ ତା’ର ଅଧିକାର ବୁଝିପାରେ ? ଜଣେ ପତ୍ନୀ କେଉଁ ବିଶ୍ୱାସରେ ତାର ତତ୍ତ୍ୱାବଧାନରେ ରହିପାରେ ? ତାକୁ କେହି ଧରି ନେଇଗଲେ ସେ ନିଜର କାଣି ଆଙ୍ଗୁଠି ମଧ୍ୟ ଉଠାଇବ ନାହିଁ । କାମ କରି ମଜୁରି ମଧ୍ୟ ଟାକୁ ଆଣି ଆସିବନାହିଁ । ସେ ଡରିବ । ଉପବାସରେ ରହିବ ! ଏ କି ପ୍ରକାର ସୃଷ୍ଟି ? ଏ ମେ ପିଲାକୁ ପ୍ରତିପାଳନ କରିବ ?

 

ଚିରୁତା ପଚାରିଲା–‘‘ଆଜି ପ୍ରଦର୍ଶନୀ ପଡ଼ିଆକୁ ଯିବୁନାହିଁ ?’’

 

‘‘ନା !’’ ଏତିକି ହିଁ ଚାତ୍ତନର ଜବାବ ମାତ୍ର ।

 

ଚିରୁତା କହିଲା–“କିନ୍ତୁ ସବୁ ପୁରୁଷ ଗଲେଣି ।’’

 

‘‘ହଁ ଗଲେଣି । ମୋର କାମ ଅଛି । ମରିବାକୁ ଡରନାହିଁ । ମୁଁ ମରିବାକୁ ଅଧିକ ପସନ୍ଦ କରେ । କିନ୍ତୁ ମୋ ଉପରେ ଗୋଟିଏ ପିଲାର ପାଳନ ଭାର ଅଛି । ତା’ର ମା’କୁ ମଧ୍ୟ ଦେଖାଶୁଣା କରିବାକୁ ହେବ ।’’

 

ଏ କଥା ଚିରୁତା ମନକୁ ବିନ୍ଧିଦେଲା । ତା’ର କହିବାକୁ କିଛି ଆଉ ରହିଲା ନାହିଁ । କେବଳ ଏତିକି କହିଲା, ‘‘ଏ ପିଲା ସଂଘ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ହେବ । ତାକୁ ବଞ୍ଚାଇବାକୁ ହେବ । ମୁଁ ମରିଗଲେ ସେ ମଧ୍ୟ ମରିଯିବ ।’’

 

ଏ କଥାବର୍ତ୍ତାରେ ଚିରୁତା ନଇଁ ପଡ଼ିଲା ।

 

ସେଦିନ ଚିରୁତାର ପ୍ରସବ ବେଦନା ଆରମ୍ଭ ହୋଇଗଲା । ପାଖ–ପଡ଼ିଶା ଘରେ କେହି ମଧ୍ୟ ନଥିଲେ । ତା’ ପ୍ରସବ ବେଦନାର ଦୁଃଖ କ୍ରନ୍ଦନରେ ପରିଣତ ହୋଇଗଲା । ବେଳୁଁବେଳ କ୍ରନ୍ଦନ ବଢ଼ିବାକୁ ଲାଗିଲା ।

 

ଚାତ୍ତନ ବ୍ୟାକୁଳ ଭାବରେ ବାହାରେ ଏଣେତେଣେ ବୁଲୁଥାଏ । ମଝିରେ ମଝିରେ ଚିରୁତାକୁ ଡାକ ଦେଉଥାଏ । ଚିରୁତାକୁ ଉତ୍ତର ଦେବା କଷ୍ଟକର ଜଣାପଡ଼ୁଥିଲା । ଚାତ୍ତନର ସନ୍ତୋଷ ପାଇଁ ସେ ‘ଉଁ’ ମାରି ଦେଉଥାଏ ।

 

ସୃଷ୍ଟିର ବେଦନା ଏଡ଼େ ଭୟଙ୍କର-ଚିରୁତା ଏକଥା ଜାଣି ନଥିଲା । ସେ ଧୈର୍ଯ୍ୟ ସହକାରେ ସବୁ ନେଉଥାଏ ।

 

ଚାତ୍ତନ କେତେଥର ଭିତରକୁ ଯିବାକୁ ଇଚ୍ଛା କରିଛି; କିନ୍ତୁ ସାହସ ହେଲା ନାହିଁ । ସେ କେତେବେଳେ ପର୍ଯ୍ୟନ୍ତ ଠିଆ ହୋଇ ହୋଇ କ୍ରନ୍ଦନ ଶୁଣି ରହିପାରିବ ?

 

କ୍ରନ୍ଦନ କ୍ଷୀଣ ହୋଇଗଲା ଓ ଧୀରେ ଧୀରେ ପୁଣି ବନ୍ଦ ହୋଇଗଲା । କେବଳ ନିସ୍ତବ୍‍ଧତା, କଷ୍ଟରେ ନିଃଶ୍ୱାସ ନେବାର ଶବ୍ଦ ମଧ୍ୟ ବନ୍ଦ ହୋଇଗଲା । ଚାତ୍ତନ ଡାକିଲା । ଉତ୍ତର ନାହିଁ । ଚାତ୍ତନ ବିଚଳିତ ହୋଇ ଭିତରକୁ ପଶିଗଲା ।

 

ଏଣେ ପ୍ରଦର୍ଶନୀ ପଡ଼ିଆରେ ଜୋରସୋରରେ ପାଟିଗୋଳ ହେଲା ଏବଂ କ୍ରମାଗତ ଗୁଳି ଚାଲିବାର ଶବ୍ଦ ଶୁଣାଗଲା । ଏଣେ ମଧ୍ୟ ସୃଷ୍ଟିର ...ଧ୍ୱଂସ ନୁହେଁ... ପ୍ରସବ ବେଦନା ।

 

ଗୁଳି ଫୁଟିବାର ଶବ୍ଦ ଯେତେ ଜୋରରେ ହେଉଥାଏ, ତାଠାରୁ ଜୋରରେ କ୍ରନ୍ଦନ କରି ଏଣେ ଗୋଟିଏ ପିଲା ଜନ୍ମହେଲା ।

 

ପିଲାର ମୁଣ୍ଡ କାଳେ ଭୂଇଁରେ ଲାଗିଯିବ ଭାବି, ଚାତ୍ତନ ନିଜ ହାତ ତଳେ ରଖିଦେଲା । ଛଟପଟ ହେଉଥିବା ପିଲା ବାହାରି ଆସିଲା ଓ ତା'ପରେ ହାତଗୋଡ଼ ହଲାଇ କାନ୍ଦିବାକୁ ଲାଗିଲା ।

 

ପିଲା କ୍ରନ୍ଦନର କିଛି ଅର୍ଥ ଅଛି । ସେ ପୃଥିବୀକୁ ଜଣାଇ ଦେଉଥିଲା ଯେ ସେ ଅନନ୍ତ ଶକ୍ତିର ଏକ ସମଷ୍ଟି ବୋଲି ।

 

ପଚିଶ

 

ପ୍ରଦର୍ଶନୀ ପଡ଼ିଆ ଗୁଳିକାଣ୍ଡରେ ରକ୍ତ-ନଦୀ ବହିଗଲା । ସମସ୍ତ ପ୍ରଦେଶରେ ଉତ୍ତେଜନା ଖେଳିଗଲା । ଏ ସାମୁହିକ ହତ୍ୟାକାଣ୍ଡରେ ସମାଜର ଅନ୍ତଃକରଣ ସ୍ତମ୍ଭୀତ ହୋଇଗଲା । ପରେ ଚତୁର୍ଦ୍ଦିଗରୁ ଶୁଣାଗଲା, ‘‘ଏହା ହେବା ଉଚିତ ନଥିଲା ।’’

 

ମନ୍ତ୍ରିମଣ୍ଡଳ ଅନୁଭବ କଲେ ଦାୟିତ୍ୱ ତାଙ୍କ ଉପରେ । ଅନେକ ଚେଷ୍ଟା କରି ମଧ୍ୟ ମନ୍ତ୍ରୀମାନେ ଏକଥାକୁ ଦବାଇ ପାରିଲେ ନାହିଁ । ଦେଶ ଏହାର ଉତ୍ତର ମାଗିପାରେ । ଉତ୍ତର ଦେବାକୁ ହିଁ ହେବ ।

 

ଏ ପୈଶାଚିକ ହତ୍ୟାକାଣ୍ଡ କଥା ଯେତେବେଳେ ପଚରାଗଲା–ପ୍ରଥମ ପ୍ରଶ୍ନ ଥିଲା, ‘‘କେତେ ମଲେ ?’’

 

‘‘ଅଧିକ ସଂଖ୍ୟାରେ ଚତୁର୍ଦ୍ଦିଗରୁ ଗୁଳି ଚଳା ଯାଇଥିଲା । ସେଠାରେ କେତେ ଶହ ଲୋକ ଏକତ୍ର ହୋଇଥିଲେ ।’’ ସରକାରର ଏହିମାତ୍ର ଉତ୍ତର ଥିଲା ।

 

‘‘ଗୁଳି କାହିଁକି ଚଳାଗଲା ?’’ ଏ ଅନ୍ୟ ପ୍ରଶ୍ନ, ‘‘କଣ ଗୁଳିଚାଳନା ବ୍ୟତୀତ କାମ ଚଳିନଥାନ୍ତା ?’’

 

‘‘ଲୋକେ ମରିବା ପାଇଁ କାହିଁକି ପ୍ରସ୍ତୁତ ହୋଇଗଲେ ?’’

 

ଏହିପରି ବିଧାନସଭାରେ ଚାରିଆଡ଼ୁ ଗୁଡ଼େଇ ତୁଡ଼େଇ ପଚରାଗଲା । ଯେଉଁ ଲୋକମାନଙ୍କଠାରୁ ସାହାଯ୍ୟ ଆଶା ଥିଲା । ସେମାନଙ୍କ ମଧ୍ୟରୁ ବି କେତେକ ଲୋକ ଅପ୍ରତ୍ୟାଶିତ ପ୍ରଶ୍ନ ପଚାରି ବସିଲେ ।

 

ଯେଉଁମାନେ ମୃତ୍ୟୁ ବରଣ କଲେ ସେମାନେ ସବୁ ମଣିଷ ତ ? ଲୋକମାନେ ରକ୍ତ-ନଦୀ ବି ଦେଖିଲେ । କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ (ପ୍ରାଇଭେଟ ଇଣ୍ଟରେଷ୍ଟ) ପାଇଁ ଯେତେ ଶକ୍ତିଶାଳୀ ଚେଷ୍ଟା କଲେ ମଧ୍ୟ ଜନସାଧାରଣଙ୍କ ସଙ୍ଘବଦ୍ଧ ଚିନ୍ତାକୁ ଧ୍ୱଂସ କରିପାରିବେ ନାହିଁ ।

 

ଆଜି ମନୁଷ୍ୟ ଯେଉଁ ମନୁଷ୍ୟତ୍ୱ ଲାଭ କରିଛି ଏହା ସାମୂହିକ ଜୀବନର ପରିଣାମ କହିବାକୁ ହେବ । ସେ ନିଜକୁ ସ୍ୱରଚିତ ନିୟମ ମଧ୍ୟରେ ବାନ୍ଧିଦିଏ । ଅନ୍ୟ କାରଣରୁ ନୁହେଁ । ମନୁଷ୍ୟ ବ୍ୟକ୍ତିଗତ ଲାଭ ପାଇଁ ଗୋଟିଏ ଗୋଟିଏ କରି କୋଟିଏ ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ପାଶ୍ଚାତ୍‍ପଦ ହୁଏନାହିଁ । କିନ୍ତୁ ଏହି ଗୋଟିଏ ପ୍ରହାରରେ ଏକ ସଙ୍ଗରେ ହଜାରେ ଲୋକଙ୍କୁ ମଧ୍ୟ ହତ୍ୟା କରିବା ଦୃଶ୍ୟ ବରଦାସ୍ତ ସତ୍ୟତା ଉପରେ ବିଶ୍ୱାସ କରାଯାଇପାରେ ।

 

ମନ୍ତ୍ରିମଣ୍ଡଳ ଏ ପ୍ରଶ୍ନର ବ୍ୟଙ୍ଗ ଭାବରେ ମାମୁଲି ଉତ୍ତର ଦେଲେ । ଶ୍ରମଜୀବୀମାନଙ୍କ ମଙ୍ଗଳ ପାଇଁ ସବୁବେଳେ ତତ୍ପର ଅଛନ୍ତି, କିନ୍ତୁ ଧ୍ୱଂସାତ୍ମକ ପନ୍ଥାରେ କୁଟ୍‍ଟନାଟ ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଜୀବନର ମୂଳୋତ୍ପାଟନ କରି ଫିଙ୍ଗିଦେବାର ସଂଘର କାର୍ଯ୍ୟ ଦେଖି ସେ ଚୁପ୍‍ଚାପ୍ ବସି ପାରିବେ ନାହିଁ ।

 

ପରାଜିତ ବ୍ୟକ୍ତି ପ୍ରକୃତ ଉତ୍ତର ନଦେଇପାରି ଯେପରି ମନ ମାନିବା ଉତ୍ତର ଦେଇଥାଏ ଏ ଉତ୍ତର ସେହିପରି ଥିଲା ।

 

କିନ୍ତୁ ଏ ଉତ୍ତରରେ କେହି ସନ୍ତୁଷ୍ଟ ହେଲେନାହିଁ । ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା ଏବଂ ଉତ୍ତର ଦେବାରେ ଅସାମର୍ଥ୍ୟତା ପ୍ରକୃତରେ ପ୍ରକାଶ ପାଇଲା । ମନ୍ତ୍ରିମଣ୍ଡଳ ଅସାମର୍ଥ୍ୟତା...ନା, ଜନସାଧାରଣ ମନ୍ତ୍ରିମଣ୍ଡଳକୁ ଏପରି ଭାବରେ ଛାଡ଼ିଦେବାକୁ ପ୍ରସ୍ତୁତ ନଥିଲେ । ଏପରି ପରିସ୍ଥିତି ସୃଷ୍ଟି ହୋଇଗଲା ଏବଂ ଆଶଙ୍କା ହେଲା ଯେ ଲୋକେ ଏହାକୁ କହିବେ ସରକାରର ରଚିତ ଓ ଦୋଷଯୁକ୍ତ ଅପରାଧ ।

 

କୃଷକ ଓ ଜମିଦାରମାନେ ନିଜ ନିଜ ସମ୍ବାଦପତ୍ରମାନଙ୍କରେ ଏ ଘଟଣାକୁ ରଙ୍ଗିନ ମୋଟା ମୋଟା ଅକ୍ଷରରେ ଛାପିଲେ । ମୃତ୍ୟୁବରଣ କରିଥିବା ଶ୍ରମଜୀବୀମାନଙ୍କ ପାଇଁ ସମବେଦନା ପ୍ରକାଶ କଲେ ଏବଂ ସେମାନଙ୍କ ପାଇଁ ଗୀର୍ଜାରେ ପ୍ରାର୍ଥନା କରାଗଲା । କିନ୍ତୁ ତା' ସଙ୍ଗେ ସଙ୍ଗେ ଏମାନେ ମଧ୍ୟ ଏ ଗୁଳିକାଣ୍ଡ ପାଇଁ ସଂଘର ନେତାମାନଙ୍କୁ ଦାୟୀ କଲେ । ସରକାର ନିଜ ରକ୍ଷାପାଇଁ ବାଟ ଖୋଜିବାକୁ ଲାଗିଲେ । ସଂଘର ଯେଉଁ ନେତାମାନେ ବଞ୍ଚିଗଲେ ତାଙ୍କ ଗିରଫଦାରୀ ପାଇଁ ଓ୍ୟାରଣ୍ଟ ବାହାର କରାଗଲା । କେତେକ ଲୋକଙ୍କୁ ଗିରଫ କରାଗଲା !

 

ଏହାର ପ୍ରଭାବ ଶ୍ରମଜୀବୀମାନଙ୍କୁ ଅଧିକ ଜାଗ୍ରତ କରିବାରେ ସହାୟକ ହେଲା । ସେମାନଙ୍କ ପକ୍ଷରୁ ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ଦାବି କରାଗଲା କୁଟ୍ଟନାଟ ରକ୍ତପାତର ସାକ୍ଷ୍ୟସ୍ୱରୂପ । ପ୍ରତିକାର ପାଇଁ ରକ୍ତ ଗରମ ହୋଇ ଉଠିଲା ।

 

ମନ୍ତ୍ରିମଣ୍ଡଳ ଓ କୃଷକ-ଜମିଦାରମାନେ ଷ୍ଟେଟ କଂଗ୍ରେସ ସଦସ୍ୟମାନଙ୍କୁ ସାହାଯ୍ୟ ମାଗିବାର ଆବଶ୍ୟକତା ଅନୁଭବ କଲେ । ସମଗ୍ର ପ୍ରଦେଶରେ ପ୍ରବଳ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦିଆଗଲା ।

 

କୁଟ୍ଟନାଟର କ୍ଷୁଦ୍ର କ୍ଷୁଦ୍ର କୃଷକମାନେ ମଧ୍ୟ ସେଦିନର ଗୁଳି ବର୍ଷଣର ଗଗନ ଭେଦି ଶବ୍ଦ ଶୁଣିଥିଲେ, ପ୍ରଦର୍ଶନୀ ପଡ଼ିଆରେ ନିଜ ଆଖି ଆଗରେ ମରଣଯନ୍ତ୍ରଣାର ଚିତ୍କାର ନୁହେଁ, ଜାତୀୟ ଚେତନାର ଗର୍ଜନ ମଧ୍ୟ ଶୁଣି ପାରିଥିଲେ । ଅନ୍ୟ ଦିନ କେତେକ ରକ୍ତ-ନଦୀ ବହିବାର ଦେଖିଥିଲେ-। ଏ ଦୃଶ୍ୟ ଦେଖି ସେମାନେ ସହ୍ୟ କରିପାରି ନଥିଲେ ।

 

ଦେଶର ବର୍ତ୍ତମାନ ଅବସ୍ଥା ଉପରେ ବିଚାର କରିବାକୁ କୁଟ୍ଟନାଟ ପ୍ରାଦେଶିକ ସମ୍ମିଳନୀର ଏକ ବୈଠକ ଡକାଗଲା । ଏଥିରେ କ୍ଷୁଦ୍ରକ୍ଷୁଦ୍ର କୃଷକମାନେ ଭାଗ ନେବାକୁ ସିଦ୍ଧାନ୍ତ କଲେ । ଏଥିରେ ସେମାନେ ଭାଗ ନନେଇ ରହି ପାରିଲେ ନାହିଁ ।

 

କୁଟ୍ଟନାଟର ଜଣେ ମୁଖ୍ୟ ଜମିଦାର ସେମାନଙ୍କର ନେତା ହୋଇଥିଲେ । ମାଛଧରାଳୀମାନଙ୍କ ଛୋଟ ଛୋଟ ନୌକା ତ୍ରିରଙ୍ଗ ପତାକାରେ ସଜାଇ ଗୋଟିଏ ବଡ଼ ଶୋଭାଯାତ୍ରାରେ ଆସି ଲୋକମାନେ ନେତାଙ୍କୁ ଅଭ୍ୟର୍ଥନା କରି ସଭାରେ ପହଞ୍ଚିଲେ । ଯେତେବେଳେ ପ୍ରଦର୍ଶନୀ ପଡ଼ିଆରେ ବାମ ପାର୍ଶ୍ୱରେ ବହିଯାଉଥିବା ନଦୀରେ ଲୋକମାନେ ନୌକାରେ ବସି ଅହିଂସା ଓ ପ୍ରେମର ମହିମା ଗାଇ ଗାଇ ତ୍ରିରଙ୍ଗ ପତାକା ସଜ୍ଜିତ ନୌକା ଆଗକୁ ଆଗକୁ ଆସୁଥିଲା ସେତେବେଳେ ସମସ୍ତେ ସ୍ତମ୍ଭୀତ ହୋଇଗଲେ । ନୌକାରେ ଦଣ୍ଡାୟମାନ ହୋଇଥିବା ମାଲିକମାନେ ଅନୁଭବ କଲେ ନୌକା ବିହାରରେ ଯେପରି ଉଦ୍‍ବେଗ ନାହିଁ । ନୌକା ଚଞ୍ଚଳ ଚଞ୍ଚଳ ଚାଲୁ ନଥିଲା । ଏକପ୍ରକାର ଦୁଃଖର ଛାୟା ପଡ଼ିଥିବା ପରି ଜଣାଯାଉଥିଲା । ସେମାନେ ଶୀଘ୍ର ଶୀଘ୍ର ତାଳର ଗତି ବଢ଼ାଇବାକୁ ଚାହିଁଲେ, କିନ୍ତୁ ନାବିକମାନେ ସେ ଗତି ଅନୁସରଣ କରି ପାରିଲେ ନାହିଁ । ତାଳ ବେତାଳ ହୋଇଗଲା । ନାବିକମାନଙ୍କ କାତି ନିଜ ନିଜ ମଧ୍ୟରେ ବାଡ଼େଇ ହୋଇଗଲା ।

 

ଅନେକଙ୍କର ସ୍ଵାଧୀନତା ଉତ୍ସବ କଥା ମନେପଡ଼ିଲା । ସେଦିନ କିପରି ଉତ୍ସାହ ଓ ଉତ୍ତେଜନା ଥିଲା ! ନୌକା ବିହାରରେ କିପରି ଆନନ୍ଦ ଥିଲା !!

 

କିପରି ତାଳେ ତାଳେ ନୌକାସବୁ ଚାଲୁଥିଲା । ସେ ଦିନ କୁଟ୍ଟନାଟର କୁଶଳୀ ଓ ବଳିଷ୍ଠକାୟ ପରୟ ଏବଂ ପୁଲୟମାନେ ଏ ନୌକା ସବୁକୁ ଚଳାଉଥିଲେ । ଆଜି ସେମାନେ କେଉଁଠି ? ଏ ସରଳ ପ୍ରାଣ, ବିଶ୍ୱାସୀ, କୃଷ୍ଣକାୟ ଭାଇମାନଙ୍କୁ ଜୀବନରୁ କାଟି ଅଲଗା କରି ଦିଆଗଲା ବୋଲି ଜଣାପଡ଼ୁଥାଏ । ହୁଏତ ସେମାନେ ସମସ୍ତଙ୍କଠାରୁ ବହିଷ୍କୃତ ହୋଇଥିଲେ । ...ଏକ ଅଙ୍ଗହୀନ ଜୀବନ ? ...ଏ ଅସହ୍ୟ !!

 

ଏଣେ କୂଳସ୍ଥିତ ଲାଗିଲାଗି ଥିବା ନୂଆଁଣିଆ କୁଡ଼ିଆ ଗୁଡ଼ିକ ଶୂନ୍ୟ, ଯେପରି ପ୍ରାଣଶୂନ୍ୟ ପରି ଜଣାପଡ଼ୁଥିଲା । ସମସ୍ତେ ଏ ଶୋଭାଯାତ୍ରା ଦେଖି ଭୟଭୀତ ହୋଇ ପଳାଇଯାଇଥିଲେ । ପୁଲୟ ଏବଂ ପରୟ ରହିତ କୁଟ୍ଟନାଟର ଜୀବନ କିପରି ହେବ ?

 

ଷ୍ଟେଟ କଂଗ୍ରେସର ବିଗତ ବିଭବ ଗୁଣଗାନ ସଭା ଆରମ୍ଭ ହେଲା । ସଭାର ପୁରୋଧା ସାମ୍ରାଜ୍ୟବାଦ ବିରୁଦ୍ଧରେ କଂଗ୍ରେସର ସଂଗ୍ରାମ ଉପରେ ଭାଷଣ ଦେଲେ । ତତ୍‍ପର ବକ୍ତା ଧାରାବାହିକ ଭାବରେ କହିଲେ ଯେ ଷ୍ଟେଟ କଂଗ୍ରେସ କାହିଁକି ସ୍ଥାପିତ ହୋଇଛି ? ସଭାର ଆଗରେ ବସିଥିବା ଲୋକେ ଖୁବ୍ କରତାଳି ଦେଲେ ।

 

ଅନ୍ୟ ଜଣେ ପ୍ରଧାନ କୃଷକ ବକ୍ତା କହିଲେ ମନ୍ତ୍ରିମଣ୍ଡଳ ତିରୁବିତାକୁର ରାଜ୍ୟର କେତେକ ବିଷୟରେ ଉନ୍ନତି କରିବାକୁ ଚେଷ୍ଟା କରିବେ ।

 

ଜଣେ ବୃଦ୍ଧ ଉଠି କହିଲେ–“ଏ ପର୍ଯ୍ୟନ୍ତ କଣ କରିଛନ୍ତି ?’’

 

ଏ ପ୍ରଶ୍ନ ଶ୍ରୋତାମାନଙ୍କ ମନକୁ ସ୍ପର୍ଶ କଲା । ସଭାରେ ସୁସ୍ଥ ବାତାବରଣ ଖେଳିଗଲା । ଜଣେ ଜଣେ ଅନେକ ପ୍ରଶ୍ନ କରିଥିଲେ । ଏ ପ୍ରଶ୍ନ ଜାତୀୟ ଜାଗରଣ ବା ଷ୍ଟେଟ କଂଗ୍ରେସ ପ୍ରତି ଅନାସ୍ଥା ଯୋଗୁଁ ନୁହେଁ କିମ୍ବା ମାର୍କସ୍‍ବାଦ ପ୍ରେରଣାର ନଥିଲା । ଯାହାକୁ ବିଦେଶୀବାଦ ବୋଲି ବିରୋଧ କରାଯାଇଥାଏ । ଏ ସବୁ ପ୍ରଶ୍ନ ସାମାନ୍ୟ ବୁଦ୍ଧିରୁ ଉତ୍ପନ୍ନ ହୋଇଥାଏ ମାତ୍ର ।

 

ପୁରୋଧା ଲୋକମାନଙ୍କୁ ଧୀର ସ୍ଥିର ରହିବାକୁ କହିଲେ । ସଭାରେ ଶାନ୍ତିର ବାତାବରଣ ଖେଳିଗଲା । ବକ୍ତା କୁଟ୍ଟନାଟର କୃଷକ ଏବଂ ପୁଲୟଙ୍କ ମଧ୍ୟରେ ପରମ୍ପରାରୁ ଚାଲିଆସିଥିବା ସୌହାର୍ଦ୍ଦ୍ୟର ବର୍ଣ୍ଣନା କଲେ । ପୁଲୟମାନେ କିପରି ଭଲ ଥିଲେ ଏବଂ ବିଶ୍ୱାସରେ ପାତ୍ର ଥିଲେ । ପ୍ରତିଫଳ ଆଶା ନକରି ଧୀର ସ୍ଥିର ଭାବରେ ନିଜ କାମ କରି ଯାଉଥିଲେ । ଏହି ସବୁ କଥା ବର୍ଣ୍ଣନା କରୁ କରୁ ଓଜସ୍ୱିନୀ ଭାବରେ କହିଲେ- ‘‘ନିଃଶବ୍ଦ ରାତିରେ ସ୍ୱଚ୍ଛ ଆକାଶକୁ ଚାହିଁବା ସମୟରେ କେତେ ଥର ମୋ ମନରେ ଆସିଛି ଦୃଶ୍ୟମାନ ଅସଂଖ୍ୟ ଓ ଅଜ୍ଞାତ ତାରାମାନେ ସବୁ ଏହି କୁଟ୍ଟନାଟର ପରୟ ଏବଂ ପୁଲୟମାନଙ୍କ କୁଟୀରରୁ ବିଦାୟ ନେଇ ଯାଇଥିବା କର୍ମଯୋଗୀମାନଙ୍କ ଆତ୍ମା । ପ୍ରତିଫଳ ଲାଭ ଇଛା ନ କରି ଆପଣାର କର୍ତ୍ତବ୍ୟ କରିବା ଲୋକେ ଏ କର୍ମଯୋଗୀ ଦେଶର ଗୌରବ ଲାଭ କରିଛନ୍ତି ।’’ ସଭା ସମ୍ମୁଖରେ ବସିଥିବା ଲୋକମାନଙ୍କର କରତାଳ ଧ୍ୱନି ଗର୍ଜି ଉଠିଲା ।

 

ବକ୍ତା ବର୍ତ୍ତମାନ ସମୟ କଥା ଉଠାଇଲେ । ‘‘ଏ ପଥ ବିପଦସଙ୍କୁଳ, ଏ କଥା ସେମାନେ ଜାଣିଥିଲେ । ସେମାନେ ଭାବିଚିନ୍ତି ଚତୁରତା ସହିତ ଅଗ୍ରସର ହେବାର ଥିଲା ।’’ ଏଠାରେ ଏକତ୍ରିତ ହୋଇଥିବା ତିନି ଚତୁର୍ଥାଂଶ ଲୋକ ଛୋଟ ଛୋଟ କୃଷକ । ନିଜ ନିଜ ମଧରେ ସେମାନେ କୁହାକୁହି ହେଲେ- ‘‘ଏ ପୁଣ୍ୟାତ୍ମା ପାକ୍-କନାର ଏବଂ ବଲ୍ଲୁବନାରଙ୍କ ଦେଶର ସନ୍ତାନମାନେ ଆଜି ଏ ମହତ୍ ସିଦ୍ଧାନ୍ତକୁ ତ୍ୟାଗ କରିଛନ୍ତି । କେଡ଼େ ଦୁଃଖର କଥା ! ଆଜି କଣ ହେଉଛି । କର୍ତ୍ତବ୍ୟ କରିବାକୁ ପ୍ରତିଫଳ ଚାହୁଁଛନ୍ତି । ଏତିକି ନୁହେଁ, ହିସାବ ମଧ୍ୟ ଚାହୁଁଛନ୍ତି ଓ ଅନ୍ୟକୁ ମଧ୍ୟ କଷ୍ଟ ଦେଉଛନ୍ତି । ଏ ଜାତି କେରଳ ସଂସ୍କୃତିର ପ୍ରତୀକ, ଆପଣାର ତତ୍ତ୍ୱଜ୍ଞାନ ସେ ତ୍ୟାଗ କରିଛି ।

 

କେହି ପ୍ରତିବାଦ କଲେ ନାହିଁ । ସେ କ୍ଷୁଦ୍ର କୃଷକମାନେ ଅବସ୍ଥା ବିଷୟ ବର୍ଣ୍ଣନା କଲେ । ଏମାନଙ୍କ ଦୁଃଖ କଷ୍ଟ, କରଜର ବୋଝ ଆଦି କେତେକ ବିଷୟରେ ସେ କହିବାର ଥିଲା । ସେ କହିଲେ,-‘‘ଷ୍ଟେଟ କଂଗ୍ରେସ ଏ ଦରିଦ୍ର କୃଷକମାନଙ୍କ ଅବସ୍ଥା ପରିବର୍ତ୍ତନ ପାଇଁ ଜବାବ୍ ଦେଇଥିଲା । ଏହି ସବୁ କାର୍ଯ୍ୟ ସିଦ୍ଧି ପାଇଁ ଏହା ଗଠିତ । ଷ୍ଟେଟ କଂଗ୍ରେସ ସ୍ୱୀକାର କରେ ଯେ ଦେଶର ସମ୍ପତ୍ତି ସେମାନଙ୍କର । ଏହି କ୍ଷୁଦ୍ର କୃଷକମାନେ ଋଣଭାର ଯୋଗୁଁ ଠିକ୍ ଭାବରେ ଚାଷ କରି ପାରିଲେ ନାହିଁ-। ମଜୁରି ବୃଦ୍ଧି ପାଇଁ ଦାବି କରି ସେମାନଙ୍କର ଯେଉଁ ଶକ୍ତି କ୍ଷୟ କରାଯାଇଛି, ଏହା ଦେଖି ଚୁପ୍ ରହିବା ଷ୍ଟେଟ୍ କଂଗ୍ରେସ ପକ୍ଷରେ ଅସହ୍ୟ । ତା’ର ଉପାୟ...”

 

୧ ପାକ୍‍କନାର ଏବଂ ବଲ୍ଲୁବନାର ପରୟା ଜାତିର ଦୁଇ ଜଣ ସିଦ୍ଧ ପୁରୁଷ ହୋଇ ଯାଇଥିଲା । ବଲ୍ଲୁବନାର ବାୟିଲ୍ଲା କୁନ୍ମିଲ ଅପ୍‍ପନ (ମୁଖହୀନ ପାହାଡ଼ିଦେବତା)ର ନାମରେ ଆଜି ମଧ୍ୟ ଏକ ମନ୍ଦିରରେ ସବୁ ଜାତି ଲୋକଙ୍କ ଦ୍ୱାରା ପୂଜା ହୁଅନ୍ତି । ଏମାନେ ମା ବାପାଙ୍କର ବାର ପୁଅଙ୍କ ମଧ୍ୟରୁ ଶେଷ ଦୁଇ ପୁଅ ଥିଲେ । ମୁହଁ ଥିବାରୁ ଜନ୍ମହେଲା କ୍ଷଣି ଗୋଟି ଗୋଟି କରି ସବୁ ପୁଅକୁ ବାପ ଫିଙ୍ଗି ଦିଏ । ସେମାନଙ୍କୁ ଅନ୍ୟ ଜାତିର ଲୋକେ ନେଇ ପାଳନ୍ତି । ପକ୍-କନାର ଜଣେ ପରୟା ଦ୍ୱାରା ପାଳିତ ହୋଇଥିଲେ । ଯେତେବଳେ ୧୨ ଗର୍ଭର ପୁଅ ଜନ୍ମ ହେଲା ତା' ସ୍ତ୍ରୀ ତାକୁ ନିଜ ପାଖରେ ରଖିବାକୁ ଇଚ୍ଛା କଲା । ତାର ମୁହଁ ନଥିଲା ଓ ମୁକ ଥିଲା । କିମ୍ବଦନ୍ତୀ ଅଛି ଯେ ବାପା ମୃତ୍ୟୁପରେ ପ୍ରତିବର୍ଷ ବାର ଜଣ ପୁଅ ଶ୍ରାଦ୍ଧ ପାଇଁ ଏକତ୍ର ହୁଅନ୍ତି । ନିଜ ନିଜର ଶକ୍ତି ଅନୁସାରେ ଭୋଜି ପାଇଁ ଜିନିଷ ସାଙ୍ଗରେ ଆଣିଥାନ୍ତି ।

 

ବାକ୍ୟ ପୂର୍ଣ୍ଣ ହେବା ପୂର୍ବରୁ ଜଣେ ଲୋକ ଉଠି କହିଲା–“ଏଥିପାଇଁ ଅଧ୍ୟକ୍ଷ ଏବଂ ସମ୍ମୁଖରେ ବସିଥିବା ଜମିଦାରମାନେ, ଲଗାଣର ସବୁ ବ୍ୟବସ୍ଥା ଛାଡ଼ିଦିଅନ୍ତୁ ।’’

 

ବକ୍ତା ସ୍ତମ୍ଭୀତ ହୋଇଗଲେ । ଅନେକ ଲୋକ କେତେକ ପ୍ରଶ୍ନ ଏବଂ ପ୍ରସ୍ତାବ କରି ହର୍ଷ ଧ୍ୱନି କଲେ । ସଭାରେ ପାଟି–ତୁଣ୍ଡ ଆରମ୍ଭ ହେଲା । ଅଧ୍ୟକ୍ଷ ନିଜର ଆଦେଶ ଏବଂ ସଙ୍କେତ ଦେଇ ଶାନ୍ତି ସ୍ଥାପନ କରିବାରେ ବିଫଳ ହେଲେ । ବକ୍ତା ବ୍ୟକ୍ତିଗତ ଧନାଧିକାରର ପବିତ୍ରତାର ଗୁଣ ଗାନ କରିବାକୁ ଯାଇ ଅକୃତକାର୍ଯ୍ୟ ହେଲେ । ହଠାତ୍ ଜଣେ ଲୋକେ ଡେଇଁପଡ଼ି ସଭା ମଞ୍ଚରେ ପହଞ୍ଚି ଚିତ୍କାର କରି କହିଲା-

 

-‘‘ପ୍ରଦର୍ଶନୀ ପଡ଼ିଆରେ ଗୁଳି ଖାଇ ଯେଉଁମାନେ ମଲେ ସେମାନେ ଓ ଆମ୍ଭମାନଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ । ବିଚରା ଶୋଷିତ ସେମାନେ ! ସେମାନଙ୍କ ରକ୍ତ କେତେକ ମୁଖିଆ ଲୋକେ ଶୋଷଣ କରି ମୋଟା ହୋଇଛନ୍ତି । ତା' ପ୍ରତିବଦଳରେ ଆମକୁ ମିଥ୍ୟା ସମ୍ମାନ ଦିଆଯାଉଛି । ଆଜି ଏହି ଶୋଷକମାନଙ୍କ ସଂଗଠନ ରୂପରେ ତିଷ୍ଠି ରହିବାର ଆବଶ୍ୟକତା ନାହିଁ-।’’

 

ଏ ରାଜଦ୍ରୋହ । କଣ ଏହିପରି କଥାବାର୍ତ୍ତା କରିବାକୁ ଦେବା ଉଚିତ ? ଅଧ୍ୟକ୍ଷ ସଭା ଭଙ୍ଗ କରିବାକୁ ଘୋଷଣା କରିଦେଲେ । କିନ୍ତୁ ସେ ବ୍ୟକ୍ତି ତାର ଭାଷଣ ବନ୍ଦ କଲାନାହିଁ । ଏଠାରେ ଉପସ୍ଥିତ ଲୋକ ଏ ବକ୍ତୃତା ଶୁଣିବାକୁ ଉତ୍ସୁକ ଥିଲେ ।

 

ପୁରୋଧା, ସମ୍ମୁଖରେ ବସିଥିବା ଦଶ ପନ୍ଦର ଜଣ ବ୍ୟକ୍ତି, ଚାରିଜଣ ସନ୍ନ୍ୟାସୀ ଏବଂ ତିନିଜଣ ପାଦ୍ରି-ସମସ୍ତେ ଉଠିଚାଲିଗଲେ । ସଭା କାର୍ଯ୍ୟ ଆଗପରି ଚାଲିଲା । ସଭାରେ ଏ ମର୍ମରେ ଗୋଟିଏ ପ୍ରସ୍ତାବ ପାସ୍ କରାଗଲା ଯେ ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ହତ୍ୟାକାଣ୍ଡର ଅପରାଧୀଙ୍କୁ ଶାସ୍ତି ଦିଆଯିବା ଉଚିତ ।

 

ଷ୍ଟେଟ୍ କଂଗ୍ରେସ ସଦସ୍ୟଙ୍କୁ ଜନସାଧାରଣ ନିଜ ନିକଟକୁ ଟାଣି ଆଣିଲେ, ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା । କେବଳ ଏତିକି ନୁହେଁ, ହତ୍ୟାକାରୀମାନଙ୍କ ବିରୁଦ୍ଧରେ ପ୍ରକାଶ୍ୟ ଅଦାଲତରେ ମୋକଦ୍ଦମା ଚଳାଇବା ପାଇଁ ସ୍ଥିର କରାଗଲା ।

 

ଛବିଶି

 

ଏ ବହିଷ୍କୃତ ଜାତି ଶୀଘ୍ର ସାମୂହିକ ବ୍ୟବସ୍ଥାରୁ ବହିଷ୍କୃତ ହୋଇ ନପାରେ । ଏ ଜାତିର ମୂଳର ସୂକ୍ଷ୍ମ ତନ୍ତୁ ଜୀବନର ପ୍ରତ୍ୟକ ଅଂଶରେ ବ୍ୟାପ୍ତହୋଇ ଯାଇଛି । ଏହି ଜାତି ନିଜର ହିତ ବଜାୟ ରଖିବା ପାଇଁ ଜାଣିଶୁଣି ସାମୂହିକ ବ୍ୟବସ୍ଥାକୁ ସଂଗଠିତ କଲା । ତାକୁ ଏପରି ଧ୍ୱଂସ କରିଦେବା ସହଜ କଥା ନୁହେଁ ।

 

ଦେଶର ସାଧାରଣ ଜୀବନରେ ଏକ ପରିବର୍ତ୍ତନ ଆସିଗଲା । ଜନସାଧାରଣର ଦାବିକୁ ସ୍ୱୀକାର କରିନେବା ଆବଶ୍ୟକ ହୋଇପଡ଼ିଲା । ଜନସାଧାରଣ ଜମିଦାର ଏବଂ ଧନୀ ଲୋକଙ୍କ କଥା ମାନିନେବାକୁ ପ୍ରସ୍ତୁତ ନଥିଲେ ।

 

ଏ ଶ୍ରେଣୀ ସଂଘର୍ଷ ଯେଉଁ ରୂପ ପରିଗ୍ରହ କଲା ତା' ଶ୍ରେଣୀହୀନ ସମାଜ ଗଠନ କଳ୍ପନା ଘେନି ଅଗ୍ରସର ହେଲା, ଧୀରେ ଧୀରେ ବୁଦ୍ଧି ପାଇ ଚାଲିଲା । ଏହି ଯାଇ ଶେଷ ସଂଗ୍ରାମ ନିକଟରେ ପହଞ୍ଚିଲା ।

 

କେତେବର୍ଷ ବିତିଗଲା । ଚିରୁତା ଘରେ ଯଦି ଚାତ୍ତନ କମ୍ ଖାଏ ତେବେ ପୁଅ ଦରୋଟି ଭାଷାରେ କହେ-”ମାମୁ ଖାଉନାହିଁ କାହିଁକି ମା, ମାମୁକୁ ଭଲ ପାଉନାହୁଁ ।’’

 

ଚାତ୍ତନ ଏ କଥାରେ ଉତ୍ତର ନଦେବାର ଅନ୍ୟ କାରଣ ଥିଲା । ଅସଂଖ୍ୟ ପ୍ରଶ୍ନର ଉତ୍ତର ନଦେବା ମଧ୍ୟ ଏକ ଅଭିଯୋଗ ।

 

ଏତେ ସାନ ପିଲା ମୁଣ୍ଡରେ କିଏ ଜାଣେ କିପରି ଏକଥା ସବୁ ଢୁକିଲା । ଯେଉଁପରି ହେଉ ସେ ଜାଣିଥିଲା । ଚିରୁତା ଏକଥା ବନ୍ଦ କରିପାରିଲା ନାହିଁ । ତାର ସନ୍ଦେହ ହେବାକୁ ଲାଗିଲା ପୁଅ କହିବା କଥା କଣ ଠିକ୍ ? ହୋଇପାରେ । ଏ ସମ୍ବନ୍ଧ ଯେପରି ଥିଲା ତା'ଠାରୁ ଅଧିକ ଗଭୀର କିପରି ହୋଇପାରେ ?

 

ଚାତ୍ତନ ତାର ରକ୍ଷକ । ଭଗବାନ କହିବାକୁ ହେବ । ତା'ପରି ଜଣେ ଲୋକ ନଆସିଥିଲେ ତା’ର ଏବଂ ତା' ପୁଅର ଦେଖାଶୁଣା କିପରି ହୋଇଥାନ୍ତା ? ସେ ପୁଅର ବାପ ଓ ମାମୁ ସବୁ । ଜନ୍ମବେଳେ ଚାତ୍ତନ ହିଁ ତାକୁ ପ୍ରଥମେ ହାତକୁ ନେଇଥିଲା । ପୁଅ ତା' ଜୀବନର ପ୍ରଥମରୁ ଚାତ୍ତନ ବ୍ୟତୀତ ଆଉ କାହା କଥା ଭାବିବ ?

 

ସତ କହିବାକୁ ଗଲେ ଚାତ୍ତନ ଏ ପୁଅ ପାଇଁ ହିଁ ବଞ୍ଚିଛି । ସବୁଠାରୁ ବଳି ଚାତ୍ତନ ସାରା ଜୀବନ ଆଶା କରି ରହିବା ଏବଂ ପ୍ରତୀକ୍ଷା କରିବା କଣ ସେ ଭୁଲିପାରେ ?

 

ଚିରୁତା ମନ ଚାତ୍ତନ ପ୍ରତି କୃତଜ୍ଞତାରେ ନଇଁପଡ଼ିଲା । ଚାତ୍ତନ ବ୍ୟତୀତ ତାକୁ ଶରଣ ଦେବା ଲୋକ ଆଉ କିଏ ଅଛି ? ଚାତ୍ତନ ଦେହ ଖରାପ ହେଲେ, ସେ ଫେରିବାର ବିଳମ୍ବ କଲେ ସେ ଅଧୀର ହୋଇ ପଡ଼ୁଥିଲା । ଚାତ୍ତନକୁ ସୁସ୍ଥ ରଖିବାକୁ ସେ କର୍ତ୍ତବ୍ୟ ବୋଲି ମନେ କରୁଥିଲା ।

 

ଚାତ୍ତନ ସ୍ନେହ ଉପରେ ତାର ପୂର୍ଣ୍ଣ ବିଶ୍ୱାସ ଥିଲା । କିନ୍ତୁ ତା' ପରିବର୍ତ୍ତେ ସେ ସ୍ନେହ ଦାନ କରିନାହିଁ । ଯଦି ତା' ପ୍ରତି ଦାନ ଦିଆଯାଇ ପାରେ ତେବେ.. କିନ୍ତୁ ଏ ଜନ୍ମରେ ଏହା କଣ ହୋଇପାରେ ?

 

ଏ ଜୀବନର ଶେଷ କିପରି ହେବ, ଏକଥା ମଧ୍ୟ ଚିରୁତା ଭାବି ନେଇଥିଲା । କେତେବର୍ଷ ପରେ ଯେତେବେଳେ ବେଲୁତ୍ତା (ପୁଅ)ର ବାପ ଫେରିଆସିବ ତେବେ ବି ସେ ହୁଏତ ତା' ମାମୁକୁ ଛାଡ଼ିବ ନାହିଁ; କିନ୍ତୁ ମାମୁ କଣ ତାକୁ ଧରାଦେବ ? ସେ ତାକୁ ଛାଡ଼ି ଚାଲିଯିବ । ତେବେ-? ...ତେବେ ଏ ଘରେ ତା’ର କି ନିଦର୍ଶନ ରହିବ ?

 

ଚାତ୍ତନର ସାରା ଜୀବନ ପାଣି ଗାର ସଙ୍ଗେ ସମାନ । ଅର୍ଥାତ୍ ସେ କିଛି କରିନାହିଁ କହିବାକୁ ହେବ ।

 

ଯିଏ ସେ ଓ ତା'ପୁଅ ପାଇଁ ନିଜ ଜୀବନକୁ ବଳି ଦେଲା, ତା'ଜୀବନକୁ କଣ ହା'ହୁତାଶ କରି ରହିବାକୁ ଦେବା ଠିକ୍ ହେବ ?

 

କୋରନ ଫେରିଆସିବା ପରେ କଣ ତାକୁ ସ୍ୱୀକାର କରିବ ? ସେ ତା' ଅପେକ୍ଷାରେ ବସି ରହିଛି, ଏହା କଣ ସେ ବିଶ୍ୱାସ କରିବ ?

 

ଯଦି ସେ ଗୋଟିଏ ମାତ୍ର କଥା କହିଦିଏ ତେବେ ଚାତ୍ତନ ନୈରାଶ୍ୟପୂର୍ଣ୍ଣ ଜୀବନ ଏକ ମୁହୂର୍ତ୍ତରେ ପରିବର୍ତ୍ତନ ହୋଇଯାଆନ୍ତା......କେତେଥର ଏକଥା ସେ କହିଦେବାକୁ ଇଚ୍ଛା କରିଛି; କିନ୍ତୁ ସେକଥା ତା'ମୁହଁରୁ ବାହାରି ନାହିଁ ଏବଂ ସେ ଟାଳି ଦେଇ ଚାଲିଛି ।

 

ଦିନେ ଚାତ୍ତନ ଚିରୁତାକୁ କହିଲା–‘‘ଚିରୁତା, ମୁଁ ଗୋଟିଏ କଥା ଭାବିଛି ।’’

 

ଚାତ୍ତନ କିଛି ଠିକ୍ କରିଥିଲା; ଚିରୁତା ଅଧୀର ହୋଇପଡ଼ିଲା । ସେ କଣ ? ଏକଥା ପଚାରିବାକୁ ତା’ର ସାହସ ହେଲା ନାହିଁ ।

ଚାତ୍ତନ କହିଲା–‘‘ବର୍ତ୍ତମାନ ପୁଅ ଚାରି ପାଞ୍ଚ ବର୍ଷର ହେଲାଣି । ଏବେ ତୁ ମଧ୍ୟ କାମ କରିପାରିବୁ, କୋରନ ମଧ୍ୟ ଦୁଇ ତିନିବର୍ଷ ମଧ୍ୟରେ ଖଲାସ ହୋଇଯିବ । ମୁଁ ଏ ପର୍ଯ୍ୟନ୍ତ ସଂଘ ପାଇଁ କିଛି କାମ କରିନାହିଁ..... ।’’

ଚିରୁତା କଣ ଉତ୍ତର ଦେବ ଠିକ୍ କରି ପାରିଲା ନାହିଁ କି ତା’ର ପାଟି ମଧ୍ୟ ଖୋଲିଲା ନାହିଁ ।

ଗୋଟିଏ କଥା କହିଦେଲା ମାତ୍ରେହିଁ ଚାତ୍ତନ ତା’ର ସିଦ୍ଧାନ୍ତ ବଦଳାଇ ଦିଅନ୍ତି । ହଁ, ଜୀବନରେ କିଛି ମାତ୍ର ସୁଖ.....ହାୟ ! କିନ୍ତୁ ଏବେ ମଧ୍ୟ ଚିରୁତା ମୁହଁରୁ ସେକଥା ବାହାରିଲା ନାହିଁ । ଚାତ୍ତନ ହୁଏତ ତାକୁ ଆଶା କରିଥାଇପାରେ ।

ଚାତ୍ତନ ବେଲୁତ୍ତାକୁ ମଧ୍ୟ କହିଲା ।

ପୁଅ କହିଲା–ମାମୁ ଯାଉଛ, ମୋତେ ନେଇ ଯା ।

ଚିରୁତା ନଯିବାକୁ କହିଲା,

ଚାତ୍ତନ କହିଲା–‘‘କାହିଁକି ରହିବାକୁ ହେବ ?’’

ତା’ ଉତ୍ତରରେ ଚିରୁତା ପୁଣି ରହିଯିବାକୁ କହିଲା ।

ଚାତ୍ତନକୁ ଜଣାଗଲା ଚିରୁତା ରହିଯିବାକୁ କହିବାବେଳେ ଟିକିଏ ମୁରୁକି ମୁରୁକି ହସୁଥିଲା ।

ସେ ରାତିରେ ଏ ଘର ଅଗଣାରୁ ଚକ ଗୀତ ଗାଇ ଗାଇ ଯାଉଥିବା ଶବ୍ଦ ବାହାରର ବିସ୍ତୃତ କ୍ଷେତ୍ରରେ ବ୍ୟାପିଗଲା । ଜଣେ ନିରାଶ ପ୍ରେମୀର ହୃଦୟ ଆଶାର ଏକ କ୍ଷୀଣ ଉଷ୍ମ କିରଣ ପାଇ ମଧ୍ୟ ପ୍ରଫୁଲ୍ଲିତ ହୋଇ ଉଠିଲା ।

୧. ଚକ (ଚକ୍ର) ଚଳାଇ ଖେତରେ ପାଣି ବାହାର କରିବା ସମୟର ଗାନ ।

କିନ୍ତୁ ଏଣେ ଭିତରେ ଏକ ସ୍ତ୍ରୀର ହୃଦୟ ଅନିଶ୍ଚିତ ବ୍ୟାକୁଳତା ଅଗ୍ନିରେ ଦଗ୍‍ଧ ହେଉଥିଲା । ଏ ଅନ୍ଧକାର ମଧ୍ୟରେ ସେ ଅସ୍ପଷ୍ଟଭାବରେ କେତେ ପ୍ରଶ୍ନ କରୁଥିଲା ।

ପୁଣି ଏହିପରି ଅନିଶ୍ଚିତ ଅବସ୍ଥାରେ ବିତିବାକୁ ଲାଗିଲା ।

କୁଟ୍ଟନାଟର ମଜଦୁର ସଂଘ ଏବଂ ପ୍ରାଦେଶିକ ଷ୍ଟେଟ କଂଗ୍ରେସ ମିଳିତ ହୋଇ ଏକ ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଜନସାଧାରଣଙ୍କ ସମ୍ମୁଖରେ ରଖିଲେ । ସେ ଅନୁସାରେ ଯେତେବେଳେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ସେଦିନ ଚାତ୍ତନ ଚିରୁତା ନିକଟରୁ ବିଦାୟ ମାଗିଲା-

ଚିରୁତାର ବିଦାୟ ଦେବାର ଶକ୍ତି ନଥିଲା । କିନ୍ତୁ....

ବେଲୁତ୍ତା ମାମୁକୁ ତାକୁ ନେଇଯିବାକୁ କହିଲା । ସେ ମାମୁ ବେକ ଧରି କାନ୍ଦିବାକୁ ଲାଗିଲା । ଚାତ୍ତନ ତାକୁ କୋଳକରି ଚୁମା ଦେବାକୁ ଲାଗିଲା, ପୁଣି ହଠାତ୍ ତାକୁ ତଳେ ବସାଇଦେଲା ଏବଂ ସେହିପରି ପାଟିକରି କାନ୍ଦୁଥିବାବେଳେ ଛାଡ଼ି ଚାଲିଗଲା ।

କିଛିଦୁର ଚାଲିଯିବା ପରେ ମଧ୍ୟ ଚାତ୍ତନକୁ ଜଣାଗଲା ପିଲାର କ୍ରନ୍ଦନ ଆବାଜ; କିନ୍ତୁ ସେ ଫେରି ଚାହିଁଲା ନାହିଁ ।

ଚାତ୍ତନ ସିଧା ସିଧା ସଂଘ ଶିବିରକୁ ଚାଲିଗଲା । ଦାଢ଼ିଵାଲା ଜଣେ ଲୋକ ସଙ୍ଗରେ ଭେଟ ହେଲା । ପ୍ରଥମେ ଏ ଲୋକକୁ ସେ ଚିହ୍ନିପାରିଲା ନାହିଁ । ଦାଢ଼ି ମଧ୍ୟରେ ଏକ ପୂର୍ବ ପରିଚିତ ଲୋକର ହସ ଫୁଟି ଉଠିଲା ।

ସେ କୋରନ । ଚାତ୍ତନ ଏକବାର ମୂକ ପାଲଟି ଗଲା । ସେ କିଛି କହିପାରିଲା ନାହିଁ । ସେ ପ୍ରସ୍ତର ମୂର୍ତ୍ତିପରି ଠିଆହୋଇ ରହିଲା । ତାକୁ କଣ କଣ ସବୁ କହିବାକୁ ଥିଲା ! କୋରନ ଧିରସ୍ଥିର ଜଣା ଯାଉଥିଲା । ସେ ପଚାରିଲା–“ମୋ ପୁଅ କିପରି ଅଛି ଚାତ୍ତନ ?’’

ଚାତ୍ତକୁ ଶୁଣାଗଲା, ‘‘ସେ କହୁଛି ମୋ ପୁଅ କିପରି ଅଛି ।’’ କିନ୍ତୁ ତା’ର ଉତ୍ତର ଦେଲା, ‘‘ଭଲ ଅଛି ।’’

‘‘ଚିରୁତା ?’’

‘‘ଭଲ ଅଛି ।’’

‘‘ତୋର କେତୋଟି ପିଲା ?’’

‘‘ଗୋଟିଏ ବି ନାହିଁ, ଗୋଟିଏ ବି ନାହିଁ ।’’ ଚାତ୍ତନ ଆଖି ଲୁହରେ ଭରିଆସିଲା ।

‘‘ତୁ କାନ୍ଦୁଛୁ କାହିଁକି ଚାତ୍ତନ ? କଣ ହେଲା ?’’

‘‘ପଛରୁ 'ମାମୁ ମାମୁ’ ଡାକର ଆବାଜ ଆସିଲା । ଚାତ୍ତନ ବୁଲିପଡ଼ି ଚାହିଁଲା । ସେତେବେଳେକୁ ବେଲୁତ୍ତା ତା' ପାଖରେ ପହଞ୍ଚି ତା' କୋଳରେ ବସିସାରିଲାଣି । ଚାତ୍ତନ ତାକୁ ଟେକିନେଲା । ବେଲୁତ୍ତା ମାମୁ କାନ୍ଧଉପରେ ମୁଣ୍ଡ ରଖି ଶାନ୍ତ ହୋଇଗଲା ।

କୋରନ ଚିରୁତାକୁ ଚାହିଁଲା, ଚିରୁତା ମଧ୍ୟ କୋରନକୁ ଚାହିଁଲା । ଏକ ଅପରକୁ ଚିହ୍ନିଲେ-। କିଛି ସମୟ ପାଇଁ ନିସ୍ତବ୍‍ଧତା ଆସିଗଲା । ଚିରୁତାର ସନ୍ଦେହ ହେଲା–ତା ସ୍ୱାମୀ ତାକୁ ଚିହ୍ନିଲା କି ନାହିଁ । କୋରନର ସନ୍ଦେହ ହେଲା ଚିରୁତା ତାକୁ ଚିହ୍ନିପାରିଲା କି ନାହିଁ । ଦୁହେଁ କଥାବାର୍ତ୍ତା କରିବାକୁ ଅସମର୍ଥ ଥିଲେ । ଚିରୁତାର ଅନେକ କଥା କହିବାର ଥିଲା; କିନ୍ତୁ ତା' ମୁହଁରୁ ପଦେ କଥା ବାହାରୁ ନଥିଲା । ସେ ଚାତ୍ତନକୁ ପ୍ରଶ୍ନ ପଚାରିବାବେଳେ ଶୁଣିଥିଲା, ‘‘ତୁମର କେତୋଟି ପିଲା-?’’

ବର୍ତ୍ତମାନ କଣ କହିବାକୁ ହେବ, ନ ଜାଣିବା ଯାଏ କୋରନ ଠିଆହୋଇ ରହିଲା ।

ଚାତ୍ତନ କହିଲା–‘‘ଭଣଜା ମୋର, ତୋ ବାପାକୁ ଦେଖ ।’’ ବେଲୁତ୍ତା କୋରନକୁ ଚାହିଁଲା-।’ ଏ ତା’ର ବାପ, ଯିଏ ଜେଲକୁ ଯାଇଥିଲା !’’

କୋରନ ହାତ ବଢ଼ାଇଲା ।

ବେଲୁତ୍ତା ଚାତ୍ତନ କୋଳରୁ ଯାଇ କୋରନ ଛାତିରେ ଜାକି ହୋଇଗଲା । ....ନା, ଚାତ୍ତନ ହିଁ ତାକୁ ସମର୍ପିଦେଲା ।

ଏହି ସମୟରେ ଚାତ୍ତନ କେଜାଣି କଣ ଭାବିଲା ହଠାତ୍ ସେ ଚିରୁତା ହାତକୁ ଧରି କୋରନ ହାତରେ ଚାପି ଧରିଲା । ଅସାଧାରଣ ପୌରୁଷ ଏବଂ ସଚ୍ଚରିତ୍ରତାରେ ପ୍ରେରିତ ହୋଇ କହିଲା ...‘‘ଆମେ ଭାଇ–ଭଉଣୀ ଭାବରେ ଥିଲୁ ।’’

ଚିରୁତା ଥରଥର ହୋଇ କୋରନ ଉପରେ ଢଳି ପଡ଼ିଲା ।

ଅନ୍ୟଆଡ଼ୁ ଶ୍ଲୋଗାନ ଶୁଣାଗଲା–

‘‘ଇନ୍‍କିଲାଵ....ଜିନ୍ଦାବାଦ !’’

‘‘ମଜଦୁର ସଂଘ...ଜିନ୍ଦାବାଦ !’’

ବେଲୁତ୍ତା ମଧ୍ୟ ଛୋଟ ଛୋଟ ହାତ ମୁଠା କରି ଚିତ୍କାର କଲା–

‘‘ଖେତ କାହାର ? ...ଚାଷକଲାଵାଲାର !’’

Image